ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୮
ସ୍ମୃତି ଓ ବାସ୍ତବତାକୁ ନେଇ ବଞ୍ଚିବାରେ ମଜା ଅଛି। ଖରାଛାଇର ଖେଳରେ ମଜ୍ଜି ଜୀଇଁବାକୁ ପଡୁଛି । ଜୀବନ ଆଉ କ’ଣ କି ?ହଜିହଜି ଖୋଜିବା, ପାଇ ହଜାଇବା ପୁଣି ଖୋଜିବା, ଏସବୁର ଏକ ସୁଶୃଙ୍ଖଳ ସମାହାର ବୋଲି କାହିଁକି ମନେହୁଏ ସତରେ ରଞ୍ଜୁର।
ଧକ୍ କଲା ଛାତି। କିଏ କେଞ୍ଚିଦେଲା ଯେମିତି। ଲିଭି ଆସୁଥିବା ଚୂଲି ଜଳିବାକୁ ଆରମ୍ଭ କଲା ହଠାତ୍। ଆରମ୍ଭ ହେଲା କୁହୁଳି କୁହୁଳି ଜଳିବାର ପର୍ବ। ରଞ୍ଜୁ ସତେ ଯେମିତି ଦିଆସିଲିର ରଞ୍ଜକ। ଖାଲି ଟିକିଏ ଘର୍ଷଣ ରଞ୍ଜକରେ ରଞ୍ଜକର ମିଶ୍ରଣ ଦରକାର। ଉଖୁଁରେଇ ଦେଲେ ଅଗ୍ନିସ୍ଫୂଲିଙ୍ଗ ଝରି ଯିବକି ଆଉ। ଦାଉଦାଉ ହୋଇ ଜଳିଯିବ ଜାଳିଦେବ ସବୁ। ଅଗ୍ନିିିକୁ ଆହ୍ବ୍ବାନ, ଉତ୍ତାପ ଆଲୋକର ସମ୍ଭାଷଣ।
ଅନ୍ଧାରକୁ ଦୂରେଇବାପଣ। ଆଉ ପବନ, ଇନ୍ଧନ ଉତ୍ତାଳ କରେ । ଚରିଯାଏ ବନାଗ୍ନି ଏପଟରୁ ସେପଟକୁ। ସେବେଳରେ ସ୍ବାହା, ସ୍ବାହା ।
ଟିକିମନରେ , ଟିକି ହୃଦୟରେ କେତେ ସତ୍ୟ, କେତେ ଅନୁଭବ, ଆବେଗ ଲୁଚିଛି। ଅହରହ ଜ୍ବଳନ ଡାକିଆଣେ କେତେ କେତେ ବେଦନା। ଯିଏ ଜଳିଜାଣେ ସେ କଳି ପାରେ ଅନ୍ୟକୁ । ସେ ତୀବ୍ର ଦହନ ତା’କୁ ଶିଖାଏ ତରଳିବା । ପାଣି ପରି ବହିଯିବାବେଳେ ଅନେକ କଣ୍ଟାଝଣ୍ଟା ପିଠେଇନବାକୁ।ଜାହିର କରିପାରେନା ନିଜ ଅସ୍ତିତ୍ବକୁ । ଲୁଚିବୁଲେ ନିଜପାଖରେ ନିଜେ। କହି ହୁଏନି କିଛି । ସେଇଥିପାଇଁ ନୀରବତା ମିତ୍ର ଆଉ ଅନ୍ଧାର ସାଥି ହୋଇଯାଏ। ନିର୍ଜନତାକୁ କାନ୍ଥ ଆଉ ନିଃସଙ୍ଗତା ଛାତ ସେ ହିଁ ନିଜେ ନିଜର।
ପିଣ୍ଡରେ ବ୍ରହ୍ମାଣ୍ଡ ଆଉ ବ୍ରହ୍ମାଣ୍ଡରେ ନିଜେ ଏକ ବିନ୍ଦୁଭାବରେ ବିରାଜିତ। ହୁଁ, ଦୀର୍ଘଶ୍ବାସ କେବଳ। ଅପହଞ୍ଚ ଇଲାକା ସତରେ ହାତମୁଠାକୁ ଆସିବ , କେଜାଣି। ଏ ଅସମ୍ପୂର୍ଣ୍ଣତା କ’ଣ ପାଇଁ ? ଏ ପାତର ଅନ୍ତର କାହିଁକି ? ଉତ୍ତର ନାହିଁ।କାହାକୁ କିଛି କହିବାର ନାହିଁ। ଦିନଯାଇ ରାତି ହବ। ସପ୍ତାହ ପରେ ମାସ ଆଉ ତାପରେ ବର୍ଷ ଗଡିଯିବ ସମୟ। ଅଯଥା ଚିନ୍ତା ପରେ ବରଂ ନୂଆ ଦିନପାଇଁ ଅପେକ୍ଷା କରାଯାଉ। ଆଶା ରଖିବା କଥା।ଫଳବତୀ ହବକି ନହବ ,ମନରେ ଏ ବିଚାର ନଆଣି ଆଗେଇବା କଥା। ମନକୁ ବୁଝେଇ ନିଜକୁ ଗୋଟେଇ ବଞ୍ଚିବାକୁ ପଡେ ଏଠାରେ । ବେଳେବେଳେ ଲାଗେ ଧାପେ ଚଢିଲେ ଟିକିଏ ଖସି ପଡୁଚି। ପିମ୍ପୁଡି ଗଣିତ କି ଆଉ।ଖୁଣ୍ଟରେ ଯେତିକି ଚଢେ ଏକ ପଞ୍ଚମାଂଶ ଖସିପଡେ, କୁଣ୍ଡରେ ଯେତିକି ପାଣି ଭରେ ତା’ ଦୁଇତୃତୀୟାଂଶ ବହିଯାଏ କେବେ ପିମ୍ପୁଡି ପହଞ୍ଚିବ ଠିକଣାରେ। ଆଉ କୁଣ୍ଡ ଭରିବାକୁ ସମୟ କେତେ ଲାଗିବ ଏ ଗଣିତ ଯେମିତି ଅସମାହିତ ଲାଗୁଥିଲା ଆଜି ଠିକ୍ ସେମିତି ଲାଗୁଚି।
ରଞ୍ଜୁର ସତ୍ତା ବିଦ୍ରୋହ କରେ। ରୁଷେ ନିଜ ପାଖରେ । ସରାଗ ମରିମରି ଯାଏ। ପରମ ବିତୃଷ୍ଣା ଆସେ। ମଣିଷର ପରିଚୟ କ’ଣ , ପଚାରେ ମନକୁ । ଦର୍ପଣ ଆଗରେ ଦେଖେ ନିଜକୁ। ପରିଚୟ କ’ଣ । ମଣିଷ ସେ। ଦୁଇଗୋଡିଆ ପ୍ରାଣୀ। ତର୍କ ଶାସ୍ତ୍ରରେ ଅଛି ବିବେକହୀନ ମଣିଷ ପଶୁତୁଲ୍ୟ। ନ ହେଲେ ତ ସମସ୍ତେ ପ୍ରାଣୀ। ବିବେକୀହିଁ ମଣିଷ। ସାବାସ୍ ରଞ୍ଜୁ ତୁ ମଣିଷ ସ୍ବଗୋତକ୍ତି କଲା ଓ ହସିଲା ହୋ ହୋ ହୋଇ।
ମଣିଷପରି ମଣିଷ ହୋଇ ଏ ସୁନ୍ଦର ପୃଥିବୀରେ ବଞ୍ଚିବାକୁ ହବ। ନିବୁଜରେ କିଳି ଦେଇଥିବା କବାଟ ଖୋଲି ଆଲୋକରଶ୍ମିକୁ ଆଣିବାକୁ ହବ । ହଜି ଯାଉଥିବା ମଣିଷପଣିଆର ଗାଥାକୁ ଦୋହରାଇବାକୁ ପଡିବ। ଲିଭିଯାଉଥିବା ବିବେକୀପଣକୁ, ମଡେଇବାକୁ ପଡିବ ଗାଢ କରି। ଆଙ୍କିବାକୁ ପଡିବ ନୂଆସକାଳକୁ ନିଜ ଇଚ୍ଛା ମୁତାବକ।
ଆଜିକ କଟିଗଲା ଯା’ ହଉ। ମୋ’ କଥାଟି ସରିଲା, ଫୁଲ ଗଛଟି ମରିଲା। ପୁଣି ‘କାହିଁକି’ ଆଉ କିଆଁ। ଧୂଳିଆ ଜନ୍ଦା କଅଁଳ ମାଉଁସ ପାଇଲେ ରୁଟୁକିନା କାମୁଡି ଖାଏ। ରକ୍ତାକ୍ତ କଲେ ଆନନ୍ଦ ପାଏ । ଆଉ ଯିଏ କ୍ଷତାକ୍ତ ହୁଏ ସେ ଉପଚାର କରିବ କ’ଣ, କାନ୍ଦିକାନ୍ଦି ବେଳଯାଏ। ଫୁଲଗଛ ମରିଗଲେ କାହାର କି ଯାଏ। ଯିଏ ସେ ଗଛସହ ଏକାତ୍ମ ସେହିଁ କହିପାରେ, ଆଖି ଆଗରେ ଛନଛନିଆ ପତ୍ର ସହ ଅସଂଖ୍ୟ ଫୁଲ ଓ କଢରେ ଭର୍ତ୍ତି ଗଛର ଶୁଖିଯିବା ଦୃଶ୍ୟ କେମିତି ବ୍ୟଥିତ କରେ ତା’କୁ। କୋହ ଲୁହ ଫେଣ୍ଟି ହୋଇ ଆକାଚାକା ଲାଗୁଥିବା ସମୟକୁ। ନିଃସ୍ବ ହୋଇ ଶୂନ୍ୟରେ ମିଳେଇଯାଉଥିବା ନିଃଶ୍ବାସକୁ। ସେବେଳରେ କେମିତି ଥଇଥାନ କରେ ତା’ ବିସ୍ଥାପିତ ଆତ୍ମାକୁ। ସେହିଁ କେବଳ କହିପାରିବ ସେଇ ନିଆରା ଅନୁଭୂତିକୁ। ଥାଉ , ସେସବୁ।
ପାଣି ପିଇଲା ରଞ୍ଜୁ । ଗଡିପଡିଲା ବିଛଣାରେ ଟିକିଏ। ଛାତକୁ ଅନେଇ ହସିଦେଲା। ଦମ୍ଭ ପାଇଲା ସେଇ ଛାତରୁ। କଙ୍କ୍ରିଟ ଭଳି ହବ ସିନା, କେତେ ଭାର ସହୁଚି ସହଜରେ। ଆଃ , ଉଃ , କିଛି ନାହିଁ। ନିର୍ବିକାରରେ ଚାହିଁ ରହିଚି। ଅପେକ୍ଷା କରିଛି ଶୁଭ ମୁହୂର୍ତ୍ତକୁ। ଏଇ ଗୁରୁ। ଶିଖେଇଦେ ଥରେ ସେଇ ନିର୍ବିକାରେ ସହିବାଗୁଣକୁ । ସହିବାକୁ ପଡିବ, ରହିବାକୁ ପଡିବ, ନିର୍ବିକାରରେ, ନିର୍ବିବାଦରେ ଏଇ ପୃଥିବୀରେ ସାରାଜୀବନ।