ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୨
ମାଆ ଆଜି କି ସୁନ୍ଦର ଟେବୁଲ କ୍ଲଥ ବନେଇଚି। ସତରେ ସେ ମନହେଲେ ହାତ ଏମ୍ବ୍ରୟୋଡରି କରେ ନିଖୁଣଭାବରେ। ନହଲେ ପଡିଥିବ କନା,ଛୁଞ୍ଚିସୂତା ସେମିତି ଧୂଳିସରସର ହୋଇ। ହାତକାମ ବହୁତ ବଢିଆ ତା’ର। ମେସିନ୍ କିଣିଦବାକୁ ଇଚ୍ଛା ମୋ’ର। ହେଲେ ସେ ମାନିବକି? ‘ଜବା , ତୁ ଭଲ ମଣିଷ ହୋଇଯାଆ ‘, କହିବ ସବୁଦିନିଆ ସଂଳାପ ପରି ଗମ୍ଭୀର ଭାବରେ । ହେଃ ମଣିଷ ତ ସେ ହୋଇଚି । ଆଉ ପୁଣି କ’ଣ ..।ନିଜ ବିବେକ ଖଟେଇ କରୁଚି ସବୁ। ଖାଲିଯାହା ମୁକୁଳିପାରୁନି ଏଇ ନାଲିଆ ଚାନ୍ଦୁଆ ତଳୁ। ତଥାପି ଦିନରାତି ମୁକ୍ତି ସ୍ବପ୍ନ ଦେଖୁଚି। ସାକାର ହେବ ନିଶ୍ଚୟ। ରଙ୍ଗ ବଦଳିଯିବ। ଠିକଣା ଓଲଟି ଯିବ। ସତ ପୃଥିବୀରେ ସାରା ଜୀବନ ସେ ରହିବ ।
ଅସଂଖ୍ୟ ପିରାମିଡ ମନରେ ମନରେ ଗଢିଉଠେ। ଡେଙ୍ଗା, ବାଙ୍ଗରା, ଚେପଟା ଖିଆଲି ମନ ମୋ’ର , ଯେମିତି ଇଚ୍ଛା ସେମିତି ଆକାର ସେଇଥିପାଇଁ । ଦାଦାଭାଇ କୁହନ୍ତି ପଥର ଉପରେ ପଥର , ପାହାଡ ପରେ ପାହାଡ, ଗୋଟାଏ ଉପରେ ଗୋଟାଏ ଲଦି ହୋଇଗଲେ ପିରାମିଡ ହୁଏ। ତିନିକୋଣିଆ ନିମକି କି ପରଟା ଭଳି ମନେହୁଏ ମୋତେ। ଟାଣୁଆ , ନିଦା ଦମ୍ଭ ବହୁତ । ଛିନଛତର ହୋଇଯାଆନ୍ତି ସେସବୁ ପୁଣି କ୍ଷଣିକରେ । ପୁଣି, ଯୋଡିଯାଡି ଗୋଟାଳିଆ ରୂପ ନିଅନ୍ତି। ସବୁ ପଥୁରିଆ ମାଟିରେ ଘାସ କଅଁଳେ। ଟିକିଟିକି ଚାରା ଉଠେ କେତେନାକେତେ। ବଡବଡ ଗଛ ,ଘଞ୍ଚ ଜଙ୍ଗଲ, ସରୁଝରଣା , ହରିଣ, ଠେକୁଆ, ହଳଦୀବସନ୍ତ, କାଉ, କୋଇଲି ,କଜଳପାତି, ବାଇଚଟିଆ . ସବୁ ମିଶି କାଉଁରୀରାଜ୍ୟ ହୁଏ। ଆଉ ଜବା ତା’ର ଏକମାତ୍ର ଅଧୀଶ୍ବରୀ। ନା, ମ ଫାଲତୁ ଏ ସ୍ବପ୍ନ, ଏ ଭାବନା । କିଛି ହବନି । ପଥର କାଟିକାଟି ନିଜରାସ୍ତା ବନେଇ ଚାଲିବା ଭାଗ୍ୟ ଯାହାର ସେ ପୁଣି ଏତେ ମିଠା ସ୍ବପ୍ନ ଦେଖିବ କେମିତି ଯେ !
ରେହମାନ ଚାଚା ଆଉ ମକବୁଲ୍ ଭାଇ ମିଥିଳା ଦିଦିର ହାତରେ ନାଚନ୍ତି ପ୍ରାୟ।ଅବଶ୍ୟ ଚାଚାର ଖାତିର ଢେର ଅଧିକା। ଏ ତିନିଜଣ ଆମ ବସ୍ତିର ହର୍ତ୍ତା କର୍ତ୍ତା ଦୈବବିଧାତା । କିଏ ଦବ,କିଏନବ,କେମିତି,କେତେବେଳେ ସବୁ ଯୋଜନା ଏମାନଙ୍କ ଦ୍ବାରା ସ୍ଥିରହୁଏ ।ରାଜନୀତି ପଶିଯାଇ ବିଗିଡିଯାଏ କେତେବେଳେ ତ ପୁଣି ଅର୍ଥନୀତିର ପଶାପାଲିରେ ମେରୁଦଣ୍ଡ ସଳଖିଯାଏ। ପ୍ରତିଦିନ ନୂଆକଥା। ନୂଆ ସକାଳସହ ନୂଆ ସମସ୍ୟା, ନୂଆ ସଂଘର୍ଷ, ନୂଆ ସମାଧାନ। ଆଉ ରାତିଟା ନ ଆସନ୍ତା କି। ନିଶୀଥ ସୂର୍ଯ୍ୟର ଇଲାକା ହୋଇଯାଆନ୍ତା । ଅନ୍ଧାର କଟି ଯାଆନ୍ତା। ଅଫୁରନ୍ତ ଆଲୋକର ବନ୍ୟାରେ ପହଁରିଯାଆନ୍ତା ମଣିଷ। ଆଲୋକ ହଁ, ଆଲୋକ ହିଁ କାମନା କେବଳ।
ଅଥଳ ଜନସମୁଦ୍ରରେ ନିଜର ବୋଲି କିଏ ଅଛି । ହୁଁ, ଏଟିଏମ୍ କାର୍ଡଟା ନିଜର।କଥକ ଶିଖିଚି , ସିଲେଇ ଜାଣିଚି, ରାନ୍ଧିବା ଜାଣିଚି। ଟିଭିରୁ ଦେଖି ଓଡିଶୀ ଶିଖୁଚି। ପାଠ ପଢିଚି। ତଥାପି ଏଇ ଦେହସର୍ବସ୍ବ ପୃଥିବୀକୁ ଆପଣେଇନେଇ ବଞ୍ଚିବାକୁ ହେବବୋଲି ବୁଝେଇପାରୁନି ନିଜକୁ କାହିଁକି? ରାସ୍ତା କାହିଁ? କୋଉଠି ଅଛି ଚାବିକାଠି ? ଘୂରେଇ ପଶିଯିବି ତା’ ଭିତରକୁ ପଦ୍ମବନକୁ ନା ମଲ୍ଲୀମାଳକୁ , କାହାକୁ ନିଜର କରିବ ମଣିଷ । ଚମ୍ପା, ଚମତ୍କାର ମିଠା ବାସ୍ନା ଉଚ୍ଚାଟକରେ ଅନେକ ସମୟରେ। ସଞ୍ଜ ନଇଁଗଲେ ପାଦ ଚିପିଚିପି ପଶି ଆସନ୍ତି କେତେକେତେ କଥା। ଫୁଲର ମହକରେ ଟାଣିହୋଇଆସନ୍ତି କେତେ ଭଅଁର। ମହୁମାଛି ତ ମହୁ ପିଏ। ସାନ ଜୀବ ବୋଲି ଖାତିର ନାହିଁ ତା’ର । ଖାଲି ଭଅଁର କଥା ବଡ ବଖାଣନ୍ତି ସମସ୍ତେ। ଘାଇଲା କରିଦିଏ ସିଏ। ଆଉ ପଦ୍ମ ଯଦି ରାତିରେ ବୁଜିଯାଏ ସୂର୍ଯ୍ୟବିନା ,ଭଅଁର ଅଣନିଃଶ୍ବାସି ସେଦିନ ହୁଏ ଅବଶ୍ୟ। ଏଇଟା କେବେ କେମିତି ଘଟେ। ଭାରି ଚାଲାକ । ଠିକ୍ ସମୟରେ ଚାଲିଯାଏ ନିଜ ବାଟରେ। ଫୁଲ ମଲା କି ଗଲା ସେଥିକୁ ନିଘା ନଥାଏ।
ଜୀବନପାଇଁ କ’ଣସବୁ ଦରକାର ତାଲିକା ବନେଇଲା ଜବା ମନେମନେ । ଘର,ଟଙ୍କା, ଖାଦ୍ୟ, ବସ୍ତ୍ର ଟଙ୍କା ଦରକାର ବହୁତ ବେଶି। ଟଙ୍କାଥିଲେ ସମସ୍ତେ ବଶମ୍ବଦ। ଦିଦିର ଅଛି ବୋଲି ପୋଲିସ ବି ମିଠାକଥା କହେ। ହୁଁ, ଟଙ୍କା କମେଇବାକୁ ପଡିବ ପ୍ରଥମେ। ଜମେଇବାକୁ ପଡିବ ତାପରେ। ଏକ ମଜଭୁତ ସ୍ଥିତିକୁ ଆସିଲେଯାଇ କିଛି ଭାବିହେବ ରାସ୍ତାକଥା। ନହଲେ ତ ଅବରୋଧ ସବୁଠି। ଟଙ୍କା ସହିତ ମଣିଷଟିଏ ଦରକାର। ଯିଏ ଦମ୍ଭ ଦବ।ମନକଥା ବୁଝୁଥିବ। ନିଜର ବୋଲି ଭାବୁଥିବ। ଝଲକରେ ଆସନ୍ତାନି ସେ ରୂପ। ହାତଧରି ନେଇଯାଆନ୍ତା ସେଇ ଅଗଣାକୁ ଯୋଉଠି କେତେ ସୁନ୍ଦର ଫୁଲଫଳର ବଗିଚା ସହିତ ନିଜ ପରିଚୟପାଇଁ ନିଜଘର, ନିଜଲୋକ କହି ଆଉଁସି ଦିଅନ୍ତା ଟିକିଏ।
ଭାବନା ସ୍ବପ୍ନରେ ରୂପାନ୍ତରିତ ହୁଏ, କିନ୍ତୁ, ସତ ହୁଏନାହିଁ। ସତକଥା ହେଲା ସ୍ବପ୍ନକୁ ସତକରିବାକୁ କଠିନରୁ କଠିନତମ କାମ କରିବାକୁ ପଡେ।ନିରନ୍ତର ଚେଷ୍ଟା ସହ ପ୍ରଗାଢ ନିଷ୍ଠା ଦରକାର। ଏତେସବୁ କରିବ ପୁଣି ସମସ୍ତଙ୍କ ଆଢୁଆଳରେ।ଅସମ୍ଭବ. । ନା,ନା ଆଉ ପ୍ରଶ୍ନ ନୁହେଁ, ମୀମାଂସା ଦରକାର। ମନଯୋଗ ଦେଇ କାମ ସହିତ ଯୋଜନା ଦରକାର। ଦରକାରୀ ଜିନିଷ ନିଜ ହୃଦୟରେ ଅଛି, ନିଜ ମସ୍ତିଷ୍କରେ ଅଛି ।କାର୍ଯ୍ୟକାରୀ କରିବ ଓ ସଫଳ ହେବ ନିଶ୍ଚୟ। ଏଇ ମୁହୁର୍ତ୍ତରୁ ଶୁଭାରମ୍ଭ ହେଉ। ନିଜ ଶକ୍ତି ଓ ବୁଦ୍ଧି ଉପରେ ଭରସା ଅଛି, ତଥାପି, ‘ହେ ଈଶ୍ବର , ହେ ସର୍ବଶକ୍ତିମାନ ମୋତେ ସହାୟ ହୁଅ’ କହି ଆଖି ବୁଜି ନିବେଦନ କଲି।
ରାନୀ, ମିଠୁ ,ବିନି, କାଜଲ ଏମାନେ କେତେବେଳେ ଗୋଟାପଣେ ନିଜର ଆଉ କେତେବେଳେ ଚରମ ଶତ୍ରୁହୋଇ ଛିଡାହୁଅନ୍ତି ରାସ୍ତାରେ। ଏମାନେ ସଂସାର ନା ଏମାନଙ୍କ ବ୍ୟତୀତ ସଂସାର ରହିଛି ? କେଜାଣି ? ସମୂହରେ ନିଜର ଶବ୍ଦ ମିଳେ ଏବେଏବେ । ନିଜର କହିଲେ, ‘ ନିଜେହିଁ ନିଜର। ଦାଦାଭାଇ କହନ୍ତି, ଏ ସଂସାର ସତରେ ଗୋଟିଏ ଅସୁରର ଆଁ।ପାଟି ମେଲେଇ ବସିଚି ଗିଳିଦବ , ସାମାନ୍ୟ ସୁଯୋଗ ପାଇଲେ। ପୁଣି , ଯୋଡିଦବ କାହାକୁ ନେଇ କୋଉଠି , ଜୀବନସାରା ପାଇଁ।’ ଏସବୁ ମଗଜରେ ପଶେନି। ଏତିକି ବୁଝାପଡେ ସମ୍ପର୍କ ଗଢେ, ଭାଙ୍ଗେ, ପୁଣି ଗଢେନୂଆ , ପୁରୁଣା ଅନେକ କିସମର ଏ ସମ୍ପର୍କ ବାରମ୍ବାର ବଦଳୁଥାଏ ତା’ ସ୍ବରୂପ ଠିକ୍ ରାସାୟନିକ ବନ୍ଧଭଳି।
ସବାରୀ ନା ପାଲିଙ୍କି ଯାହା ଦାଦାଭାଇଙ୍କ ଘରର ଗୋଟିଏ କୋଣରେ ଅଛି, ପିଲାବେଳେ ତା’ ଦୁଆର ଖୋଲି କୁନିବୋହୂ ହୋଇ ଲୁଚକାଳି ନା, ନା , ନିଜକୁ ଏକଲା ମାଲିକାଣିଭାବି ସେଇ ଗମ୍ଭୀରା ଭିତରେ ଲୁଚିଯିବାର ସମୟ କେତେ ମିଠାଥିଲା ସତରେ। କାହିଁକି ମନ ହଉଥିଲା ସେଇ ଟିକି ଘରେ ରହିଯିବାକୁ ମୋ’ର ? ଆଉ କାହିଁକି ରଖାଯାଇଥିଲା ସେ ଚିଜଟିକୁ ସେମିତି? ରୁବି, ରାନୀ, ମିଠୁ, କାଜଲ ସମସ୍ତେ ଭଲ ପାଉଥିଲେ ତା’କୁ । ଟିକିଏ ଫୁରସତ ପାଇଲେ ନାଚ,ଗୀତକି ପାଠପଢାଛାଡି ଛୁଇଁ ଦେଉଥିଲେ ହାତୀମୁହାଁ ସେ ବେଣ୍ଟକୁ, ଯାହାକୁ କାନ୍ଧେଇକି ନିଆଯାଏ ବୋଲି ବଡହେଲାରୁ ଜାଣିଲି। ସହସ୍ର ବାରଣ ସତ୍ତ୍ବେ ସେଇଟାକୁ ଛୁଇଁବା କି ତା’ ଭିତରେ ବସିଯିବାକୁ ଭଲଲାଗୁଥିଲା। ଆଉ ଆଜି, ସେ ଆଡକୁ ଅନେଇବାକୁ ମନଥିଲେବି ଲାଜଲାଜ ଲାଗେ ଆଉ କିଏ ଦେଖିଦେବ ବୋଲି। ଦେହର ଉତ୍ତାପ ଚୋରେଇନିଏ କିଏ ଅନ୍ଧାରୁଆ ଗୁମ୍ଫାରେ, ସେ ବେଳେ ତ କାହିଁ କିଛି ନାହିଁ । ଆଉ । ଛାଡି ଦେ’ରେ ଜବା , ତୋ’ ପ୍ରଶ୍ନର ଉତ୍ତର କେହି ଦେବେନି କି ମନକଥା ବୁଝିବାକୁ କେହି ଆସିବେନି। ପ୍ରବୋଧନା ନିଜକୁ ନିଜେ ଦେଇ ଆଗେଇଚାଲ ଏ ପୃଥିବୀକୁ ଆପଣେଇ। ସ୍ବପ୍ନରରାଜକୁମାର ଆସିବ କି ହାତଧରି ଘେନିଯିବାକୁ ନା’ ରାଜକୁମାରୀ ଜବା ବରିନବ ମନର ମଣିଷଙ୍କୁ । ଅସମାହିତ ପ୍ରଶ୍ନ ଏସବୁ , ଅବାନ୍ତର ସ୍ଥିତି କେବଳ।