Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ ଦେବୀ : ଭାଗ ୧  

ଯେତେବେଳେ ଗ୍ରାମ୍ୟ ସଂଲଗ୍ନ ଛୋଟ ବଣକୁ ଲାଗି ଯେଉଁ କେତେ ଖଣ୍ଡ ଦୋଫସଲି ଜମି ସୋରିଷ ଫୁଲରେ ହସି ଉଠେ ସେତେବେଳେ ଶୀତ ଆସେ ଗାଆଁକୁ। ଅବଶ୍ୟ ଗାଁ ପାଖ ବଣଟି ଆଉ ନାହିଁ । ଯେଉଁଠି ଦିନେ କାଠ ରଙ୍ଗଣୀ ଆଉ କଣ୍ଟେଇକୋଳି ବୁଦା ତଳେ ବସୁଥିଲା ବିଲୁଆମାନଙ୍କ ସାନ୍ଧ୍ୟ ଗୀତ ଆସର, ସେଇଠି ଏବେ ଠିଆ ହୋଇଛି ପାନ ବରଜ। ତା ପାଖ ଜମିରେ ଆଉ ସୋରିଷ ଫୁଲ ଫୁଟେନା। କଳା ମାଟିର ଛାତି ଭିତରେ ସୁନା ଫଳାଉଥିବା ହାତ ସବୁ ଚାଲିଗଲେଣି ସ୍ବର୍ଗ, ନର୍କ, ସୁରତ, ହାଇଦ୍ରାବାଦ ନହେଲେ ଝାରସୁଗୁଡ଼ା। ସମସ୍ତେ ଏବେ କିଣିଖିଆ। ସହର ଗାଁ ଭିତରେ ଏବେ ପ୍ରବଳ ପ୍ରତିଯୋଗିତ।

କେମିତି ଦେଖାଯାଉଥିବ ଏବେ ପ୍ରାଚୀ କୂଳ ତାଳଗଛରେ ଦୋଳି ଖେଳୁଥିବା ଜହ୍ନ। କେମିତି ଥିବେ ଉଦୟକଣୀ ଝାଉଁବଣର କିଶୋରୀ ହରିଣ? ବେଲେଶ୍ୱର ପାରିର ସେ ଏକାନ୍ତ ନଡ଼ିଆ ଗଛ ବାହୁଙ୍ଗାରେ ବସା ବାନ୍ଧୁଥିବା ବାଇ ଚଢେଇ ସବୁ ଆଉ କଥା ହେଇଥିବ ସମୁଦ୍ର ସହ !

ଆଉ କେଳୁଣୀ ମୁହାଣର ସେ ନାଲି କଙ୍କଡା ! ସେମାନେ କ’ଣ ଆଉ ଖେଳୁଥିବେ ଲୁଚକାଳି କୁନିକୁନି ଢେଉମାନଙ୍କ ସହ ?
ମାଆ….
ଦେବ ଆସିଲା।
ଖଟ ଉପରୁ ବାପା ଆଉଥରେ ପଚାରିଲେ ଦେବୀକୁ।

କଳ୍ପନାର ପକ୍ଷ ଧରି ଉଡୁଥିବା ଦେବୀର ମନ ହଠାତ୍ ଅଧା ଅନ୍ଧାର ଆଉ ଅଧା ଆଲୁଅ ଭର୍ତି ଘରଟି ଭିତରେ ଖସି ପଡିଲା।

ଘରର ଗୋଟିଏ କଣରେ ଝୁଡ଼ିଏ ଅଳିଆ ପରି ବସିଛି ବୋଉ। ଖଟ ଉପରେ ଅର୍ଦ୍ଧ ଚେତନା ଭିତରେ ବିଳିବିଳାଉଛନ୍ତି ବାପା ।

ସେ ଆସିବା ପରଠାରୁ ପ୍ରାୟ ଦଶ ଥର ପଚାରିଲେଣି ତାକୁ। ଏ ପ୍ରଶ୍ନ ଭିତରେ ଅଛି ଏକ ଭୟଙ୍କର ଅତୁରତା,ଅସ୍ଥିରତା ବି।ଯାହା ଦେବୀକୁ ଡରେଇ ଦେଉଥିଲା।ସତରେ ଦେବ ଆସିବେ!

ଏ ପ୍ରଶ୍ନ ଆପେ ଆପେ ଚାଲି ଆସୁଥିଲା ତା ମନକୁ।

ଯଦି ଆସନ୍ତି,ତେବେ କଣ ହେବା ଦେବୀ ର ପ୍ରତିକ୍ରିୟା!କେମିତି କାଟିବ ସେ ପ୍ରତିଟି ମୁହୂର୍ତ୍ତ।ଏମିିତି କିଛି ଘଟିବାର ଅଛି ଜାଣିଥିଲେ ସେ ବରଂ କାଲି ଆସିଥାନ୍ତା।

ଗତକାଲି ସନ୍ଧ୍ୟାରେ ସାନ ଭାଉଜ ଫୋନ୍ କରିଥିଲେ – ବାପା ଖୁବ୍ ସିରିଅସ୍। ତୁମକୁ ଖୋଜୁଛନ୍ତି।ସାରା ରାତି ଶୋଇ ପାରିନଥିଲା ଦେବୀ।ସେ ଚାହିଁଥିଲେ କାର୍ ନେଇ ରାତିରେ ଆସି ପାରିଥନ୍ତା। ବିଭୁ ଘରେ ନଥିଲେ।ସେ ବି ଜାଣିନଥିଲା ସେ ଏବେ କେଉଁଠି,କେତେବେଳେ ଫେରିବେ।

ମାମୁଁ ଘର କଥା ପଡ଼ିଲେ ପିଲା ଦୁଇଟି ନାକ ଟେକନ୍ତି।ଅଗତ୍ୟା ତାକୁ ସକାଳ ଯା ଅପେକ୍ଷା କରିବାକୁ ହେଲା। ରାତିରେ ଫେରିନଥିଲେ ବିଭୁ। ତାଙ୍କ ମୋବାଇଲ୍ ବି ଅନରିଚେବଲ ଥିଲା । ତେଣୁ ରାତିରେ ହିଁ ସେ ନିଷ୍ପତି ନେଲା। ସକାଳ ବସ୍ରେ ଗାଁକୁ ଯିବ। ସେ ରହୁଥିବା ସହରରୁ ତା ଗାଆଁ ଯାଏ ଏବେ ସକାଳେ ସଂଜେ ଗାଡ଼ିଟିଏ ଚାଲୁଛି। ସକାଳୁ ଗହଳି ବି ବେଶୀ ନଥିବ।

ପୁଅ ଝିଅ ଉଠିନଥିଲେ। ବଡି ଭୋରୁ ଶୀଘ୍ର ଗାଧେଇ ପଡ଼ି ସେ ରିକ୍ସାରେ ବସ୍ ପାଖକୁ ଆସିଲା।କୁହୁଡି ଜଉ ମୁଦ କରିଛି ଚାରିଆଡ଼େ। ସମାନ ଛଅ ଟାରେ ବସ୍ ଛାଡ଼ିଲା। ଅନେକ ଦିନ ପରେ ସେ ବସ୍ ରେ ବସିଥିଲା।ବାହାଘର ପରେ ସେ ଯେବେ ଯେଉଁଠିକୁ ଯାଇଛି ନିଜ କାରରେ। ଶେଷଥର ସେ ବସରେ ବସିଥିଲା ବାପାଙ୍କ ସହିତ। ସେମାନେ ମାମୁଁ ଘରକୁ ଯାଉଥିଲେ।ତାର ମାଟ୍ରିକ୍ ପରୀକ୍ଷା ସରିବାପରେ ମାଇଁଙ୍କୁ ଟିକେ ସାହାଯ୍ୟ କରିବା ପାଇଁ। ମାଇଁ ଚାକିରି କରିଥିଲେ କେଉଁ ଏକ ଅଫିସ୍ରେ। ଦେବୀକୁ ସବୁ ବିଚିତ୍ର ଲାଗୁଥିଲା।ସତେ ଯେମିତି ଧଳା ବଉଦ ଭିତରେ ବସ୍ ବାଟବଣା ହୋଇଯାଇଛି।ତାକୁ ଖୁବ୍ ଖୁସି ଲାଗୁଥିଲା।

ତା ଆଗ ସିଟରେ ବସିଥିଲେ ସ୍ଵାମୀ ସ୍ତ୍ରୀ ଦୁଇଜଣ। ତାଙ୍କ ମଝିରେ ଗୋରା ଦକଦକ ଫ୍ରକ୍ ପିନ୍ଧା ଝିଅଟିଏ ଏ କୋଳ ସେ କୋଳ ହେଉଥିଲା। ମଝିରେ ମଝିରେ ବାପା – ମାଆଙ୍କ ଗାଲରେ ସେ ଅଜାଡ଼ି ଦେଉଥିଲା ତା କୁନି ଓଠର ଅମୂଲ୍ୟ ଛୁଆଁ।

ଦେବୀ ର ମନେ ପଡିଗଲା ପିଲାଦିନ। ସେ ଭୁଲି ଯାଉଥିଲା ବର୍ତ୍ତମାନ। ଗାଡ଼ି ସହିତ ମନ ବି ଚାଲୁଥିଲା ଏକ ଅନ୍ତରଙ୍ଗ ଯାତ୍ରାରେ। ସେ ଭୁଲି ଯାଉଥିଲା ସେ ଯାଉଛି କୁଆଡେ। ସତେ ଯେମିତି କେହି ଖୋଲିଦେଇଛି ବନ୍ଦିଶାଳର ଦରଜା। ସେ ମୁକ୍ତ। ଆକାଶର ବିହଙ୍ଗ ପରି। ସେ ଭୁଲି ଯାଉଛି ତାର ଗୋଟେ ଘର ଅଛି,ସଂସାର ଅଛି। ଅଛନ୍ତି କଲେଜ୍ ପଢୁଆ ପୁଅ ଝିଅ। ତାର ଅଛନ୍ତି ଜଣେ ସ୍ଵାମୀ,

ଅଛି ଠାକୁର ଘର,ଫୁଲ ଫୁଟା ଅଗଣା।ତାର ହଳେ ଆଖି ଅଛି,ସେ ଆଖିରେ ଲୁହର ଶ୍ରାବଣ।ଅଛନ୍ତି କାନ୍ଦି ପାରୁନଥିବା ଦୁଇ ଓଠ।ସେ ତ ସେଇ କୁନି ଝିଅଟି ପରି।ଏବେ ଏବେ କଙ୍କିଧରା ଛାଡ଼ି ବଡପୋଖରୀରୁ କଇଁ ଫୁଲ ତୋଳୁଛି। ହେଇ ଯାଉଛି ବାପାଙ୍କ ସାଇକେଲରେ ବସି ଦେଖିବାକୁ ଦୋଳମେଳଣ। ହେଇ ଅଭଡ଼ା ସହିତ ମିଶି ଆଙ୍କୁ କୋଳି ତୋଳୁଛି ଗାଆଁ ବଣରୁ। କେତେବେଳେ ଗାଡି ଆସି ଗାଁ ମୁଣ୍ଡ ଛକରେ ପହଞ୍ଚିଲା ସେ ଜାଣିନି। ଆଃ କେତେ ସୁନ୍ଦର ଲାଗୁଛି ପୃଥିବୀ।

ସାନ ଭାଇ ଅପେକ୍ଷା କରିଥିଲା ଛକ ମୁଣ୍ଡ ପାନ ଦୋକାନ ଆଗରେ। ବ୍ୟାଗ୍ ଧରି ସେ ଆଗେ ଆଗେ ଚାଲିଲା ତା ପଛରେ ଧାଉଁଥିବା ହଳେ ପାଦ ଆଡ଼କୁ ସେ ଚାହିଁଲା। ଏମିତି ଦିନେ ସାନ ଭାଇ ପଛେପଛେ ସେ ଗାଁ ସ୍କୁଲ୍ କୁ ଯାଉଥିଲା।

ଘରେ ପାଦ ଦେଉ ଦେଉ ଦଉଡ଼ି ଆସିଲେ ସାନ ଭାଉଜ ମିନତି। ଗୋଟେ ଅନିଶ୍ଚିତ ଆତଙ୍କରେ ତାଙ୍କ ଛୋଟ ମୁହଁଟି ସତେ ଯେମିତି ଝାଉଁଳି ପଡିଥିଲା।

ସେ କାହାକୁ କିଛି ନକହି ମଝି ଘରକୁ ପଶିଗଲା । ଖଟ ଉପରେ ଶୋଇଥିବା କେରାଏ ହାଡ଼ କେଇଫୁଟ ମାଂସର ଚିତ୍ର ପରି ଲାଗୁଥିଲା ବାପାଙ୍କ ସମଗ୍ର କଳେବର।ସେ ବିଶ୍ୱାସ କରିପାଇଲାନି ଯେ ଦିନେ ଯାହାର ନାଁ ଶୁଣିଲେ ଗର୍ଭିଣୀ ଗାଈ ବାଟ ଛାଡ଼ି ଦେଉଥିଲା, ସେ ବିପୁଳ ବପୁ ଶାଳଗଛ ପରି ମଣିଷଟି ଏମିତି ହୋଇ ପଡିଛନ୍ତି ଖଟ ଉପରେ। ହଠାତ୍ ତା ପାଟିକୁ ଶବ୍ଦ ମିଳିଲା ନାହିଁ।ବାପାଙ୍କ ପାଦତଳେ ବସିଥିବା ବୋଉ ବି ଶୁଖି କାଉଁରିଆ ଡାଙ୍ଗ ପରି ଦିଶୁଥିଲା।ତାର ଇଚ୍ଛା ହେଉଥିଲା ଦୀର୍ଘ କୋଡ଼ିଏ ବର୍ଷର ସାଇତା ଲୁହରେ ଧୋଇଦିଅନ୍ତା ବାପା ବୋଉଙ୍କ ପାଦ।କିନ୍ତୁ ସେ କାନ୍ଦି ପାରିଲା ନାହିଁ।

ବୋଉ ଏବେ ମୂର୍ଚ୍ଛିତ ବାପାଙ୍କୁ ଉଠେଇବାକୁ ଚେଷ୍ଟା କରୁଥିଲା।

ହେଇ ଶୁଣ… ଶୁଣୁଛ ନା ନାଇଁ….ଦେବୀକୁ ପରା ଦେଖିବ ବୋଲି କହୁଥିଲ। ହେଇ …..ସେ ଆସିଲାଣି ପରା। ଉଠୁନ!
ବହୁ କଷ୍ଟରେ ଆଖି ଖୋଲିଲେ ବାପା। ସବୁବେଳେ ଗଭୀର ଆତ୍ମବିଶ୍ବାସରେ ଚକଚକ କରୁଥିବା ଆଖି ଦୁଇଟି ଯେମିତି ଶୂନ୍ୟତାର ଦୁଇଟି ସମୁଦ୍ର।

ଆଗ ହାତ ଟେକି ଅଣ୍ଡାଳି ହଲେ। ଦେବୀ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା। ସେଇ ଛୁଆଁରୁ ଚିହ୍ନିଦେଲେ ବାପା । ସେଥା ପଡ଼ିଯାଇଥିବା ମୁହଁରେ ଖେଳିଗଲା କଳା ବାଦଲ ଦାଢ଼ରେ ହଠାତ୍ ଚମକି ଉଠୁଥିବା ଚେନାଏ ବିଜୁଳି ପରି ରୁଗଣ ହସ ଧାରେ।

ଆସିଲୁ ମାଆ। ହଉ । ଭଲ କଲୁ। ଆଉ ଦେଖି ପାରିବୁ କି ନାଇଁ।

ପିଲାମାନେ ଆସିନାହାନ୍ତି ତ? ସେମାନେ ଏଠି ଚଳି ପାରିବେ ନାହିଁ। କ’ଣ କିଛି ଖାଇଛୁ।

ଡବଡବ ଆଖିରେ ଘର ଛାତରୁ କିଛି ଖୋଜୁ ଖୋଜୁ ପ୍ରଶ୍ନ କରୁଥିଲେ ବାପା। ଦେବୀ କିଛି କହିପାରୁ ନଥିଲା। କହିବାର ଥିଲା ବା କ’ଣ। ସେ ତ କୋଡ଼ିଏ ବର୍ଷ ତଳେ ସବୁ ପ୍ରଶ୍ନର ଉତ୍ତର ଦେଇସାରିଛି। ଏବେ କେବଳ ସେ ଶୁଣିବ। ସଂସାର ଯାକର ପ୍ରଶ୍ନ ଶୁଣିଶୁଣି ସେ ଉତ୍ତର ଶବ୍ଦସବୁ ଭୁଲି ଯାଇଛି।

ତା ପରଠୁ ସେ କେବଳ ଦେବକୁ ଖୋଜୁଛନ୍ତି। ସତେ ଯେମିତି କିଛି ହିସାବ ନିକାଶ ରହି ଯାଇଛି ଦେବ ସହ।

ଶୋଇପଡ଼ିଲେ ବୋଧେ ବାପା। ନିଃଶ୍ୱାସ ପ୍ରଶ୍ୱାସର ଗତି ଅନିୟନ୍ତ୍ରିତ । ଦେବୀ ମନେମନେ ଭାବୁଛି ଦେବର ମୁହଁକୁ।
ଧିରେ ଧିରେ ହବୁକାଏ ନିଦ ତାକୁ ଟଣି ନେଉଛି ଏକ ଆଲୋକିତ ଅନ୍ଧାର ଆଡ଼କୁ। ( କ୍ରମଶଃ )

Leave A Reply

Your email address will not be published.