Latest Odisha News

BREAKING NEWS

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜିତାଇବେ ନବୀନ କିମ୍ବା ଜଗନ!

ଦରକାର ୧୩ ହଜାର, ବିଜେଡି ଝୁଲାରେ ଅଛି ୩୧ହଜାରରୁ ଅଧିକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନଡିଏର ପ୍ରାର୍ଥୀ ରିଇସିନା ହିଲରେ ବସିବେ ନା ୟୁପିଏର ପ୍ରାର୍ଥୀ ତାକୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ ଯେଉଁ ସଂଖ୍ୟା ଆବଶ୍ୟକ ତାହା କୌଣସି ମେଣ୍ଟ ପାଖରେ ଏକାକୀ ନାହିଁ । କିନ୍ତୁ ଏନଡିଏ ପ୍ରାର୍ଥୀଙ୍କୁ ବିଜୟୀ ହେବାକୁ ହେଲେ ଅଳ୍ପ କିଛି ସଂଖ୍ୟାର ଆବଶ୍ୟକତା ରହିଛି ଅନ୍ୟପଟେ କେନ୍ଦ୍ରର ଶାସନ ଗାଦିରେ ବସିଥିବାରୁ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ଅଧିକ ରହିଛି। ଏଥିପାଇଁ ଏନିଡିଏ  ନବୀନ ଏବଂ ଜଗନଙ୍କ ଉପରେ ନଜର ରଖିଛି।

ନଜର ପକାନ୍ତୁ ରାଷ୍ଟ୍ରପତି ନିର୍ବାଚନର ଗଣତି ଉପରେ ?

ରାଷ୍ଟ୍ରପତି ନିର୍ବାଚନରେ ​​ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା ସଦସ୍ୟମାନେ ଭୋଟ୍ ଦେଇଥାନ୍ତି । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭା ମଧ୍ୟରୁ କେବଳ ୨୩୩ ସାଂସଦ ଭୋଟ୍ ଦେଇପାରିବେ, ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ୧୨ ସଦସ୍ୟ ଏହି ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ । ସେହିପରି କଶ୍ମୀରରେ ବିଧାନସଭା ଭଙ୍ଗ ହୋଇଛି। ଏଠାରେ ଚାରୋଟି ରାଜ୍ୟସଭା ଆସନ ଖାଲି ଅଛି । ଏଭଳି ପରିସ୍ଥିତିରେ କେବଳ ୨୨୯ ରାଜ୍ୟସଭା ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବେ।

ସେହିଭଳି ଲୋକସଭାର ସମସ୍ତ ୫୪୩ ସଦସ୍ୟ ଭୋଟ୍  ଦେବେ । ଏହା ବ୍ୟତୀତ ସମସ୍ତ ରାଜ୍ୟରୁ ମୋଟ ୪ହଜାର ୩୩ ଜଣ ବିଧାୟକ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବେ । ଲୋକସଭା, ରାଜ୍ୟସଭା, ବିଧାନସଭାର ସଦସ୍ୟ ଭୋଟରଙ୍କ ସଂଖ୍ୟା ମୋଟ ୪ ହଜାର ୮୦୯ ରହିଛି। ଯେହେତୁ ସବୁ ରାଜ୍ୟର ସଦସ୍ୟଙ୍କ ମୂଲ୍ୟ ଭିନ୍ନ ଭିନ୍ନ । ତେଣୁ ନିର୍ବାଚନ କମିଶନ ଭୋଟ୍ ତାରିଖ ଘୋଷଣା ବେଳେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେହି ଅନୁସାରେ ସମସ୍ତ ଭୋଟରଙ୍କ ମୋଟ ମୂଲ୍ୟ ୧୦ ଲକ୍ଷ ୭୯ ହଜାର ୨୦୬ ରହିଛି । ଏଥିରୁ ଅଧାରୁ ଅଧିକ ଯିଏ ପାଇବେ ସେ ରାଷ୍ଟ୍ରପତି ହେବେ । ହାରାହାରି ୫ ଲକ୍ଷ ୩୯ ହଜାର ୬୦୩ ଭୋଟ ଯିଏ ପାଇବେ ସେ ରାଷ୍ଟ୍ରପତି ଆସନରେ ବସିବେ ।

ଏନଡିଏର ସଂଖ୍ୟା

ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ଅନୁଯାୟୀ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏରେ ବର୍ତ୍ତମାନ ପ୍ରାୟ ୫ ଲକ୍ଷ ୨୬ ହଜାର ଭୋଟ ରହିଛି। ଏଥିମଧ୍ୟରୁ ୨ ଲକ୍ଷ ୧୭ ହଜାର ବିଭିନ୍ନ ବିଧାନସଭା ଏବଂ ୩ ଲକ୍ଷ ୯ ହଜାର ସାଂସଦଙ୍କ ଭୋଟ୍ ରହିଛି। ତେଣୁ ବିଜୟୀ ହେବାକୁ ୧୩ ହଜାର ୬୦୩ ମୂଲ୍ୟର ଭୋଟ ଆବଶ୍ୟକ ରହିଛି।

୨୦୧୭ ରେ ଯେତେବେଳେ ଏନଡିଏ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିଲା, ସେତେବେଳେ ଆନ୍ଧ୍ରପ୍ରଦେଶର ଜଗନଙ୍କ ଓ୍ୱାଇଏସଆର କଂଗ୍ରେସ ଏବଂ ଓଡ଼ିଶାରେ ନବୀନଙ୍କ ବିଜେଡି ମଧ୍ୟ ସମର୍ଥନ କରିଥିଲା । ରାଜ୍ୟରେ ବିଧାୟକ ଏବଂ ଲୋକସଭା, ରାଜ୍ୟସଭାର ମୋଟ ଭୋଟ ମୂଲ୍ୟ ହେଉଛି ୩୧ ହଜାରରୁ ଅଧିକ ଏବଂ ଆନ୍ଧ୍ରପ୍ରଦେଶରେ ନିର୍ବାଚିତ ସଦସ୍ୟଙ୍କ ଭୋଟ୍ ମୂଲ୍ୟ ୪୩ ହଜାରରୁ ଅଧିକ ରହିଛି। ଏଭଳି ପରିସ୍ଥିତିରେ, ନବୀନ ହୁଅନ୍ତୁ କି ଜଗନ ଜଣେ ବି ସମର୍ଥନ କଲେ ଏନଡିଏ ପ୍ରାର୍ଥୀ ଜିତିବେ।

ଏଠାରେ ସୂଚନାଯୋଗ୍ୟ ଏନଡିଏରେ ଜେଡିୟୁ, ଏଆଇଏଡିଏମକେ, ଅପନା ଦଳ (ସୋନେଲାଲ), ଏଲଜେପି, ଏନପିପି, ନିଶାଦ ପାର୍ଟି, ଏନପିଏଫ, ଏମଏନଏଫ, ଏଏନଆର କଂଗ୍ରେସ ଭଳି ୨୦ ଟି ଛୋଟ ଦଳ ରହିଛନ୍ତି ।

ସେପଟେ ଜୁନ୍-ଜୁଲାଇ ମାସରେ ୧୫ ଟି ରାଜ୍ୟରେ ୫୭ ଟି ରାଜ୍ୟସଭା ଆସନ ଖାଲି ହେବାରୁ ଜୁନ୍ ୧୦ରେ ଏହି ଆସନଗୁଡିକରେ ନିର୍ବାଚନ ହୋଇଥିଲା । ଏଥିମଧ୍ୟରୁ ୧୧ ଟି ରାଜ୍ୟରେ ୪୧ଟି ସିଟ୍ ଜୁନ୍ ୩ରେ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଥିଲା। ସମସ୍ତ ୫୭ଟି ଆସନର ଫଳାଫଳ ଘୋଷଣା ହେବା ପରେ ବିଜେପି ସର୍ବାଧିକ ୨୨ ଟି ସିଟ୍ ପାଇଛି। କଂଗ୍ରେସ ନଅଟି, ଓ୍ୱାଇଏସଆର କଂଗ୍ରେସ ଚାରିଟି, ବିଜେଡି ଏବଂ ଡିଏମକେ ତିନୋଟି ଆସନ ପାଇଛି।

ଆମ୍ ଆଦମୀ ପାର୍ଟି, ଏଆଇଏଡିଏମକେ, ଆରଜେଡି, ଟିଆରଏସ ପ୍ରତ୍ୟେକ ଦୁଇଟି ସିଟ୍ ଜିତିବାରେ ସଫଳ ହୋଇଛନ୍ତି । ଗୋଟିଏ ସିଟ୍ ପ୍ରତ୍ୟେକ ଜେଡିୟୁ, ଜେଏମଏମ, ଶିବସେନା, ଏନସିପି, ଏସପି ଏବଂ ଆରଏଲଡିକୁ ଯାଇଛି ।  ଦୁଇ ଜଣ ସ୍ୱାଧୀନ ମଧ୍ୟ ଜିତିବାରେ ସଫଳ ହୋଇଛନ୍ତି । ଏଥିମଧ୍ୟରୁ ଜଣେ ଏସପି  ସମର୍ଥନରେ ଏବଂ ଜଣେ ବିଜେପିର ସମର୍ଥନରେ ବିଜୟ ହାସଲ କରିଛନ୍ତି । ତେବେ ନିର୍ବାଚନରେ ​​ଜିତିଥିବା ଦୁଇଜଣ ପ୍ରାର୍ଥୀ ଏଥର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେଇପାରିବେ ନାହିଁ। ସେମାନଙ୍କ ମଧ୍ୟରେ କାର୍ତ୍ତିକେୟ ଶର୍ମା ଏବଂ କୃଷ୍ଣଲାଲ ପାନୱାର ଅଛନ୍ତି। ଏହାର କାରଣ ହେଉଛି ଦୁହେଁ ଅଗଷ୍ଟରେ ରାଜ୍ୟସଭାର ସଦସ୍ୟତା ଗ୍ରହଣ କରିବେ। ଏଥି ସହିତ, ଏଥର ନିର୍ବାଚନରେ ​​ହାରିଥିବା ସୁଭାଷ ଚନ୍ଦ୍ରା ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନଥିବା ଦୁଶାନ୍ତ ଗୈାତମ ଭୋଟ୍ ଦେବେ। କାରଣ, ରାଷ୍ଟ୍ରପତି ନିର୍ବାଚନ ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ ।

ୟୁପିଏ ସଂଖ୍ୟା

ସେପଟେ ୟୁପିଏ କଥା ବିଚାରକୁ ନେଲେ  କଂଗ୍ରେସ ନେତୃତ୍ୱାଧୀନ ୟୁପିଏରେ ବର୍ତ୍ତମାନ ୨ ଲକ୍ଷ ୫୯ ହଜାର ମୂଲ୍ୟର ଭୋଟ୍ ରହିଛି। କଂଗ୍ରେସ ବ୍ୟତୀତ, ଏଥିରେ ଡିଏମକେ, ଶିବସେନା, ଆରଜେଡି, ଏନସିପି ଭଳି ଦଳ ମଧ୍ୟ ରହିଛନ୍ତି ।  କଂଗ୍ରେସ ବିଧାୟକଙ୍କ ପାଖରେ ୮୮ ହଜାର ୨୦୮ ମୂଲ୍ୟ ଭୋଟ ଥିବାବେଳେ ୫୭ ହଜାର ୪୦୦ ମୂଲ୍ୟ ସାଂସଦମାନଙ୍କ ଭୋଟ ମୂଲ୍ୟ ରହିଛି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ୟୁପିଏ ଏବଂ ୟୁପିଏରେ ଅନ୍ତର୍ଭୁକ୍ତ ନଥିବା ଦଳଗୁଡ଼ିକୁ ବିଜେପି ବିରୋଧରେ ଏକଜୁଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।  ଏଥିପାଇଁ ଜୁନ ୧୫ ରେ ଦିଲ୍ଲୀର ସମ୍ବିଧାନ କ୍ଲବରେ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତାଙ୍କ ସହ ମିଳିତ ବୈଠକ କରିବାକୁ ଚିଠି ଲେଖିଛନ୍ତି ।  ଏସପି, ଣଝଜ କଂଗ୍ରେସ,  ଆମ୍ ଆଦମୀ ପାର୍ଟି, ବିଜେଡି ଦଳର ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ମମତା ।

କେରଳର ବାମପନ୍ଥୀ ନେତା, ତେଲେଙ୍ଗାନାର ଟିଆରଏସ ଦଳର ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଏସବୁ ଦଳମାନଙ୍କର ଭୋଟର ମୂଲ୍ୟ ହେଉଛି ୨ ଲକ୍ଷ ୯୨ ହଜାର  । ତେବେ କିଏ ଯିବ ନଯିବ ସେ କଥା ପରେ ସ୍ପଷ୍ଟ ହେବ । ଯଦି ୟୁପିଏ ସହ ମମତା , ଜଗନ ଏବଂ ନବୀନ ସମସ୍ତେ ମିଶିଯାଆନ୍ତି ତେବେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ହରାଇ ହେବ । ଏହା ବର୍ତ୍ତମାନ ସ୍ଥିତିରେ ସମ୍ଭବ ହେବାର ଦୃଶ୍ୟ ହେଉନାହିଁ ।

ଏଠାରେ ସୂଚନାଯୋଗ୍ୟ ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଜୁନ୍ ୧୫ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନପତ୍ରର ଶେଷ ତାରିଖ ଜୁନ୍ ୨୯ ରହିଛି ।  ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଜୁନ୍ ୩୦ ପର୍ୟ୍ୟନ୍ତ ରହିବ ।  ପ୍ରାର୍ଥୀମାନେ ଜୁଲାଇ ୨ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିପାରିବେ  । ଏହା ପରେ, ୧୮ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ, ଯାହାର ଫଳାଫଳ ତିନି ଦିନ ପରେ ଅର୍ଥାତ୍ ୨୧ ଜୁଲାଇରେ ଆସିବ  । ତେବେ ଆଉ ଗୋଟିଏ ସପ୍ତାହର ଅପେକ୍ଷା ତା ପରେ କିଏ କାହାକୁ ସମର୍ଥନ କରୁଛି ତାହା ନିଶ୍ଚୟ ଜଣାପଡିବ  ।

Leave A Reply

Your email address will not be published.