Latest Odisha News

BREAKING NEWS

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ବର୍ତ୍ତମାନ ସମୟରେ ଧାନ ଫସଲରେ କୀଟ ପରିଚାଳନା ଏକ ମୁଖ୍ୟ ଚିନ୍ତା ଭାବେ ଉଭା ହୋଇଛି । ତେବେ ଆସନ୍ତୁ ନଜର ପକେଇବା ଧାନ ଫସଲର ପ୍ରମୁଖ କୀଟ ମାନଙ୍କ ଉପରେ..

ଚକଡା ପୋକ- ଧାନର ଏକ ପ୍ରମୁଖ ଉତ୍ପାଦନ ହ୍ରାସକାରୀ କୀଟ ଭାବେ ଚକଡା ପୋକ ବେଶ ଜଣାଶୁଣା । କୃଷି ବିଜ୍ଞାନରେ ଏହାକୁ ‘ବ୍ରାଉନ ପ୍ଲାଣ୍ଟ ହୋପର\’ ବୋଲି କୁହାଯାଏ । ତେବେ ଚକଡା ପୋକ ମୁଖ୍ୟତଃ ତିନୋଟି ସ୍ତର ଦେଇ ଗତି କରିଥାଏ-ଅଣ୍ଡା-ଅର୍ଭକ-ପୂର୍ଣ୍ଣାଙ୍ଗ କୀଟ । ପୂର୍ଣ୍ଣାଙ୍ଗ କୀଟ ଦେଖିବାକୁ ମାଟିଆ ରଙ୍ଗର ସ୍ତ୍ରୀ କୀଟଟି ୫ମି.ମି ଲମ୍ବା ହୋଇଥିବା ବେଳେ ପୁରୁଷ କୀଟଟି ୪-୪.୫ ମି.ମି ଭିତରେ ଲମ୍ବାଥାଏ । ପତ୍ରର ମଝି ଭାଗରେ ଅଣ୍ଡା ଗୁଡିକ ଦେଖାଯାଏ (୨-୧୨) ଅଣ୍ଡା ଟି ଧଳା ଓ ବଙ୍କା ଆକୃତିର ହୋଇଥାଏ । ସମ୍ପୂର୍ଣ ଜୀବନ ଚକ୍ର ୧୮-୨୨ ଦିନ ଭିତରେ ଶେଷ ହୋଇଥାଏ ।

ଲକ୍ଷଣ- ଏହାର ପୂର୍ଣ୍ଣାଙ୍ଗ କୀଟଟି ଗଛର ତଳ ଭାଗର ରସକୁ ଶୋଷି ଶୋଷି ଖାଇଯାଇଥାଏ । ଖାଇବା ସମୟରେ ଏହା ଏକ ବିଷାକ୍ତ ପଦାର୍ଥ ନିର୍ଗତ କରିଥାଏ । ଯାହା ଫଳରେ (ହୋପର ବର୍ନ) ଲକ୍ଷଣ ଦେଖାଯାଇଥାଏ । ପତ୍ର ଗୁଡିକ ହଳଦିଆ ପଡିଯିବା ସହିତ ଗୋଲାକୃତି ଆକାରରେ ଗଛ ଶୁଖିଯାଏ । ଏହା ଯେଉଁ ଧାନ ଗଛକୁ ଆକ୍ରମଣ କରିଥାଏ, ତାହାର କାଣ୍ଡ ଭାଗ ଶୁଖିଯାଏ ଓ ଏହା ଭବିଷ୍ୟତରେ କୁଟା ହୋଇପାରେ ନାହିଁ ।

ପ୍ରତିକାର –

  •  ଚକଡା କୀଟ ଆକ୍ରାନ୍ତ ଜମିରେ ଏକ କିସମକୁ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ ।
     
  • ସହନଶୀଳ କିସମ ଯଥା ଗୋଦାବରୀ, କ୍ରିଷ୍ଣାଭେନି, ଚୈତନ୍ୟ ପ୍ରଭୁତି ବ୍ୟବହାର କରିବା ଆବଶ୍ୟକ ।
  •  ଧାନ ଜମିର ମଝି ଭାଗରେ କନ୍ଦି କରନ୍ତୁ । ଏହାଦ୍ୱାରା ଉପଯୁକ୍ତ ସୂର୍ଯ୍ୟାଲୋକ ମିଳିପାରିବା ସହ ଆର୍ଦ୍ରତା ନିୟନ୍ତ୍ରଣ ହୋଇପାରିବ ।
  •  ଜମିରୁ ଅନାବନା ଘାସ ଉପାଡିଦିଅନ୍ତୁ ।
  •  ପୋକର ଗତିବିଧି ଲକ୍ଷ୍ୟ କରି କୀଟନାଶକ ବ୍ୟବହାର କରନ୍ତୁ ।
     
  • ଗଛର ତଳଭାଗକୁ କାର୍ବୋଫ୍ୟୁରାଣ ଦାନା ଏକରକୁ ୧୦ କି.ଗ୍ରା, ଏସିଫେଟ ଏକଲିଟର ପାଣିରେ ୧୫ କି.ଗ୍ରା ମିଶାଇ ୩-୪ ଥର ସ୍ପ୍ରେ କରନ୍ତୁ ।

ନଳି ପୋକ- ଏହା ଧାନ ଫସଲର କ୍ଷତିକାରକ କୀଟ ମଧ୍ୟରେ ଅନ୍ୟତମ । ଏହାର ଶୁକ ଗୁଡ଼ିକ ଫିକା ସବୁଜ ରଙ୍ଗର ଓ ସଦାବେଳେ ପତ୍ରର ନଳୀ ଭିତରେ ଅବସ୍ଥାନ କରିଥାନ୍ତି । ଏମାନେ ଫିମ୍ବରୁ ବାହାରିବା ପରେ ଧାନ ପତ୍ରର ଅଗ ଭାଗକୁ କାଟି ଛୋଟଛୋଟ ନଳୀ ତିଆରି କରନ୍ତି ।

ଅଧିକ ପଢନ୍ତୁ: ସ୍ୱଳ୍ପ ଖର୍ଚ୍ଚ, ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ – ଜୈବିକ କୃଷି

ନଳୀ ଭିତରେ ରହି ପତ୍ରର ସବୁଜ କଣିକାକୁ କୋରି କୋରି ଖାଇଥାନ୍ତି । ଏହି ନଳୀ ଗୁନିକ ପାଣିରେ ସହଜରେ ଭାସି ପାରେ ।

ପ୍ରତିକାର – ଏହି ପୋକ ଦାଉରୁ ରକ୍ଷା ପାଇବା ପାଇଁ କୁଇନାଲଫସ ୨୫ଇସି ୨ମିଲି ପ୍ରତି ଲିଟର ପାଣିରେ ପ୍ରୟୋଗ କରି ଜମିରେ ପ୍ରୟୋଗ କରନ୍ତୁ ।

ସ୍ୱାମିଙ୍ଗ ସଁବାଳୁଆ – ଏହା ଦେଖିବାକୁ ଗାଢ଼ ସବୁଜ ରଙ୍ଗର ଶୁକ । ଏହାର ନିୟନ୍ତ୍ରଣ ପାଇଁ ଜମିରୁ ସଠିକ ଭାବେ ଜଳ ନିଷ୍କାସନ କରିବା ଆବଶ୍ୟକ ।
କାହାଳିଆ ପୋକ – ଏହା ସାଧାରଣତଃ ବର୍ଷାଦିନିଆ ଡଧାନ ଫସଲରେ ଦେଖାଯାଇଥାଏ । ପିଲ ଦେଉଥିବା ଅବସ୍ଥାରେ ପିଲ ଭିତରେ ପଶି କଅଁଳିଆ ମଂଜିର ଅଗ୍ରଭାଗକୁ ଖାଇଥାନ୍ତି । ଫଳରେ ପିଲଟି କାହାଳୀ ସଦୃଶ ହୋଇ ବଢ଼ିଥାଏ । କେଣ୍ଡାର ଧାରଣ ଶକ୍ତି କମିଥାଏ ।

ପ୍ରତିକାର-

ସଙ୍ଗ ଆକର୍ଷକ ଯନ୍ତା ବ୍ୟବହର କରିବା ଉଚିତ୍ ।

-ପଟାସ ସାର ବ୍ୟବହାର କରିବା ଦରକାର ।
-କାର୍ବୋସଲଫନ୍ ୨୫%ଇସି ୨ମିଲି ପ୍ରତି ଲିଟର ପାଣିରେ ଜମିରେ ସିଂଚନ କରିବା ଆବଶ୍ୟକ ।

ମାଟିଆଗୁଣ୍ଡି ପୋକ – ଏହା ମାଟିଆ ଓ ବାଦାମୀ ରଙ୍ଗର ଶୋଷକ କୀଟ ଅଟେ । ବର୍ଷାଦିନିଆ ଓ ଡ଼ାଳୁଅ ଧାନରେ ଏହା ବହୁଳ କ୍ଷତି କରିଥାଏ । ଏହା ଧାନ ବୁଦା ମୂଳରେ ଜଳପତନର ଠିକ ଉପର ଭାଗରେ ରହି କାଣ୍ଡରୁ ରସ ଶୋଷି ଖାଇଥାଏ । ଏହାର ଆକ୍ରମଣରେ ପ୍ରଥମେ ପତ୍ର ଗୁଡ଼ିକ ହଳଦିଆ ପଡ଼ିଯାଏ ଓ ଶେଷରେ ଧାନଗୁଡ଼ିକ ମରିଯାଏ । ଫୁଲ ଧରିବା ସମୟରେ ଏମାନଙ୍କ ପ୍ରାଦୁର୍ଭାବ ବେଶୀ ଥାଏ ।

ପ୍ରତିକାର-

ସଙ୍ଗଆକର୍ଷକ ଯନ୍ତାର ବ୍ୟବହାର କରିବା
ଇମିଡ଼ାକ୍ଲୋପିଡ଼୍ ୦.୨୫ମିଲି ପ୍ରତି ଲିଟର ପାଣିରେ ପକାଇ ସିଂଚନ କରିବା ।

(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର ,ଭଦ୍ରକ , ମୋ – ୯୪୩୮୪୬୭୦୭୯)

ଇମେଲ: dshuvam97@gmail.com

Leave A Reply

Your email address will not be published.