ନାରାୟଣ ସାହୁ
ଏଇଠି ,,
ଏଇଠି ଗୋଟିଏ ଡଙ୍ଗା ଥିଲା
ନା ‘ ତା ବାଉରୀ!
ସେ ନଈରେ ପାଣି କାଟି ଜିତିପାରେ କୂଳ
ସେ ପବନରେ ଆଙ୍କିପାରେ ନିଜ ସିଂହାସନ
ସେ ପଥରରେ ଦେବୀ ପୂଜେ
ପକ୍ଷୀ ତାର ଦିଗ ଆଉ
ମାଛ ତା’ ବାହାନ!
ବାଉରୀ ବାଉରୀ ବୋଲି ଡାକିଦିଏ ମଦନା
“ଓ” ବୋଲି ଦକ୍ଷିଣରୁ ଭାସି ଆସେ
ଦଉଡି ଛିଣ୍ଡାଯାଇଥିବା ତା’ର କୋହଭର୍ତ୍ତି ଶବ୍ଦ!
ଗୋଟେ ଶୋଇପଡିଥିବା ଆକାଶ ଭିତରେ
ଅମ୍ଳ ବର୍ଷା ଭଳି ଘୋଟି ଆସେ
ପରସ୍ତ ପରସ୍ତ ଦୁଃଖ,
ଦୁଃଖକୁ କୋଳେଇ ନେଇ
ସହିପାରେ ଜୀବନର ଯାବତୀୟ ଚର୍ମରୋଗ!
ମଦନା ଚିନ୍ତାରେ:
,
କାହାର ଏ ହଳାହଳ ବିଷ ,
କାହାର ଏ ଚକ୍ରବ୍ୟୁହ ,
କାହାର ଏ ନୀରବ ଷଡ଼ଯନ୍ତ୍ର ?
କିଏ ସେ ନିତିନିତି ଛିଣ୍ଡେଇ ଦଉଚି ଦଉଡି?
କିଏ ଚାହେଁ ଭାସିଯାଉ ମୋ ବାଉରୀ
ଓ ତା ସହ ମୁଁ !!
ଏ କୂଳରୁ ଆର କୂଳ , ଅଧ ମାଇଲ୍ ର ଦୂରତା
ତିନିପୁରୁଷ ଗଭୀରତାର ନଈରେ
ତିଆରି ହବ ପୋଲ,,
ଖୁସି ଖବର ଗାଁ ପାଇଁ, ଗାଉଁଲି ପାଇଁ,
ନଈ ପାଇଁ, ନେତା ପାଇଁ।
ତା ଆଖିରେ ପ୍ରହେଳିକା:
ଯଦି କେବେ ବୁଡ଼ିଯାଏ ଅଥଳ ପାଣିରେ,
କିଏ ଉଦ୍ଧାର କରିବ ତାକୁ
ବଡ଼ ବଡ଼ ଭଉଁରୀ ଗଣ୍ଡରୁ?
କେବେ ଦିନ ଗଢ଼ିଥିଲା କାଗଜର ଡଙ୍ଗା
ବର୍ଷା ହେଲେ, ଦାଣ୍ଡରେ ପାଣି ସୁଅ ଗଲେ
ସେଇଠି ଭସାଉଥିଲା ତାକୁ,
ଯୋଉଠି ମୋହ ନଥିଲା କି ଆକର୍ଷଣ
କେବଳ ଓ କେବଳ ଭୋଗୁଥିଲା ସେ ସମୟ କ୍ଷଣିକ!
ଆଜି କାହିଁ ହୁଳି ଡଙ୍ଗା ପ୍ରତି ତାର
ଏତେ ଆକର୍ଷଣ, ଏତେ ସମ୍ମୋହନ?
କୋଉଠି ଜୀବନ ଥାଏ ତାହେଲେ?
କାଠରେ ନା କାଗଜରେ??
ଚା’ ଛଣାରୁ ଖସିଯାଉଥିବା ଭଳି ଉଷୁମ ଦୁଃଖ
କେବେ ମାଟିରେ ପଡେକି?
ପଡେ ଥାଳିରେ, ପଡେ ଛାତିରେ!
ଶେଷରେ ବାଉରୀ ବୁଝାଏ
ଆରେ ହେ ନାଉରୀ,ମୁଁ ପା ତୋ ବାଉରୀ
ତୋ ଅସ୍ତ୍ର ସାଜି ଭୀମ ହେବି
ମିତ୍ର ସାଜି କର୍ଣ୍ଣ
ପୁତ୍ର ସାଜି ଅଭିମନ୍ୟୁ
ସଖା ସାଜି କୃଷ୍ଣ,,
ତୋ ଅତ୍ର, ତତ୍ର , ସର୍ବତ୍ର ବିଦ୍ୟମାନ ମୁଁ
ତୋ ଆତ୍ମା ମୁଁ ,
ଡଙ୍ଗା ମୁଁ!!