Latest Odisha News

BREAKING NEWS

ଗଳ୍ପ : ଲୋକେ କହୁଛନ୍ତି

ଅଳକା ମହାପାତ୍ର

ପରିବା ବ୍ୟାଗଧରି ବଜାରରୁ ଫେରୁଛି, ପଡ଼ୋଶୀ ସସ୍ମିତା କହିଲା, ନାନୀ କଥାଟିଏ ଶୁଣିଛ କି ଗୋ ? ଟିକେ ହସିଦେଇ, କ’ଣ ହେଲା କିରେ କହି, ଚାଲି ଆସୁଥିଲି । ବ୍ୟାଗର ଓଜନ ମୋତେ ବଳିପଡୁଛି, ଛିଡ଼ାହୋଇ କଥା ହେବାକୁ ଇଚ୍ଛା ହେଲାନାହିଁ । ଭାବିଲି ଘରେ ପହଞ୍ଚି ବ୍ୟାଗ ରଖିଲେ, ଶାନ୍ତିରେ ନିଶ୍ବାସ ମାରିବି । ସସ୍ମିତା ସହ ଆଖପାଖର ଆଉ ତିନିଜଣ ସ୍ତ୍ରୀଲୋକ, ତା’ ଘର ଆଗରେ ଛିଡାହୋଇ କଥା ହେଉଛନ୍ତି ।

ସସ୍ମିତା କହି ଚାଲିଥାଏ.. ପିଲାଟା ଠିକ କଲାନି । ରଥବାବୁ ଗୋଟିଏ ଭଦ୍ର, ଆଦର୍ଶ ଚରିତ୍ରର ବ୍ୟକ୍ତିଥିଲେ, ତାଙ୍କ ସ୍ତ୍ରୀ ସବିତା ବି ଆଚାର ବ୍ୟବହାର ସଂସ୍କାର କୌଣସି ଗୁଣରେ ଉଣା ନୁହଁନ୍ତି, ତାଙ୍କ ପୁଅ ହୋଇ….।

ରଥବାବୁ ଓ ସବିତାର ନା ଶୁଣି ପାଦଦୁଇଟି ଅଟକିଗଲା । ଚାରିପାଞ୍ଚ ବର୍ଷ ପୂର୍ବେ ରଥବାବୁଙ୍କ ପରିବାର ଆମ କଲୋନୀରେ ରହୁଥିଲେ । ରଥବାବୁଙ୍କ ପତ୍ନୀ ସବିତା ଓ ମୁଁ ସହପାଠିନୀ ଥିଲୁ । ଯୋଗକୁ ତା ପୁଅ ଦୀପକ ଏବଂ ମୋ ପୁଅ ସ୍ବାଗତ ଗୋଟିଏ ସ୍କୁଲରେ, ଗୋଟିଏ ଶ୍ରେଣୀରେ ପାଠପଢିଲେ । ବନ୍ଧୁତା ଆଉ ଟିକେ ନିବିଡ଼ ହୋଇଗଲା । ଦୀପକ ଯେତେବେଳେ ଇଂଜିନିୟରିଂର ପ୍ରଥମ ବର୍ଷରେ ଥିଲା, ରଥବାବୁ ହଠାତ ହୃତଘାତରେ ଚାଲିଗଲେ ।

ରଥବାବୁ ଚାଲିଗଲା ପରେ, ସବିତା ଏଠାକାର ଭଡାଘର ଛାଡି ଗାଁ’ରେ ଯାଇ ରହିଲା । ଧିରେ ଧିରେ ଆମ ଦୁହିଁଙ୍କ ମଧ୍ୟରେ ଯୋଗାଯୋଗ କମିଗଲା । କିନ୍ତୁ ଦୀପକ ଓ ସ୍ବାଗତ ଭିତରେ ବନ୍ଧୁତା ଅକ୍ଷୁର୍ଣ୍ଣ ରହିଥାଏ । ଶୁଣିଥିଲି ଆଜିକାଲି ସବିତାର ଦେହ ଭଲରହୁନି । ଭାବୁକ ଚରିତ୍ରର ମହିଳାଟିଏ । ସ୍ବାମୀ ଚାଲିଗଲେ, ଏକମାତ୍ର ପୁତ୍ର ବାହାରେ ରହି ପାଠପଢିଲା । ଗାଁ’ରେ ଏକୁଟିଆ ରହି ରହି, ଚିନ୍ତା ଓ ଅଯତ୍ନରେ ଦୁର୍ବଳ ହେଇ ଯାଇଥିବ ।

ପଛକୁ ଘୁଞ୍ଚି ସସ୍ମିତାକୁ ପଚାରିଲି କ’ଣ ହେଇଛି ସବିତାର ପୁଅକୁ ? ସସ୍ମିତା କହିଲା, ତାଙ୍କ ପୁଅ କାହାକୁ କିଛି ନ ଜଣାଇ ନିଜେ ନିଜେ ବାହା ହୋଇଯାଇଛି । ପାଖରେ ଛିଡା ହୋଇଥିବା ବାବୁଲିର ମା କହିଲେ, ବାହା କୋଉଠୁ ହେଇଛି ? ଝିଅଟିଏ ଧରି ପଳେଇ ଯାଇଛି । ଆର ସାହିର ରେଣୁ ଭାଉଜ ବି କଥାରେ ଯୋଗଦେଲେ କହିଲେ.. ତା ବାପା ପରା ନିଜେ ଦେଖିଛନ୍ତି, ଝିଅଟାକୁ ଗାଡିରେ ଧରି ବୁଲୁଛି । ଲୋକେ କହୁଛନ୍ତି ଦୁହେଁ ସ୍ଵାମୀ ସ୍ତ୍ରୀ ଭଳିଆ ଗୋଟିଏ ଘରେ ରହୁଛନ୍ତି ।

ଦୀପକ ବିଷୟରେ ଶୁଣି ମନଟା ମୋର ଗୋଳେଇଘାଣ୍ଟି ହୋଇଗଲା, ଭଲ ଲାଗିଲା ନାହିଁ । ସବିତା ପାଇଁ ଆହୁରି ଦୁଃଖ ଲାଗିଲା । ବିଚାରି ଯେତେବେଳେ ଜାଣିବ, ପୁଅ ବୋହୂ ଆଣିସାରିଛି ତା’ ଉପରେ କ’ଣ ବିତିବ । କି ଭାଗ୍ୟ ନେଇ ସେ ଜନ୍ମ ନେଇଛି କିଏ ଜାଣେ ? କେତେ ଦୁଃଖ ଆଉ ସହିବ ?
କଡ ଲେଉଟାଇ ଲେଉଟାଇ ରାତି ପାହିଲା । ସ୍ବାମୀଙ୍କୁ ମଧ୍ୟ କଥାଟି କହି ପାରିଲିନାହିଁ । ମନ ଭିତରେ ଆଶଙ୍କାଟିଏ ବସାବାନ୍ଧି ଅସ୍ଥିର କରି ଦେଉଥାଏ ମୋତେ । ଦୀପକ ଓ ସ୍ବାଗତ ଏକା ବୟସର ପିଲା । କାଲି ଯଦି ମୋ ପୁଅ ସେମିତି କରେ…. ? ତାହେଲେ… ? କ’ଣ ହେବ …? ମୋ ପଛରେ ବି ଲୋକେ କହିବେ…ହସିବେ… ? ସବୁ ଭାବି ବସିଲେ ମୁଣ୍ଡ କ’ଣ ହେଇଯାଉଛି । ଏକ ଅଜଣା ଭୟ ମୋ ଚିନ୍ତା ଚେତନାକୁ ଗ୍ରାସ କରି ଯାଉଛି ।

ସ୍ବାମୀଙ୍କ ଦୁଇଦିନ ପାଇଁ ଟୁର ପଡିଲା ବିଶାଖାପାଟଣା । ମୋତେ ବି ସଙ୍ଗରେ ନେଇଗଲେ । ପୁଅସହ କଥାହୋଇ ଜାଣିଲି, ଦୀପକର ଏଇ ସହରରେ ପୋଷ୍ଟିଂ ହୋଇଛି । ତା ଘର ଠିକଣା ଦେଇ ପୁଅ କହିଲା..ବିଚରା ବହୁତ ଦୁଃଖରେ ଅଛି, ସମୟ କାଢି ତା ସହିତ ଟିକେ ଭେଟ ହୋଇଯିବ । ମୋର ବି ଇଚ୍ଛା ଥାଏ ଦୀପକକୁ ଭେଟିବାକୁ । କୋଉ ଝିଅ ସହ ରହୁଛି ଜାଣିବାକୁ, ତା ମା ସବିତା ବିଷୟରେ ବୁଝିବାକୁ ।

ଦୀପକକୁ ପୁଅ ଭଳିଆ ଲାଗେ ମୋତେ, ପୁଅ ଭଳିଆ ସ୍ନେହ ବି କରୁଥିଲି ତାକୁ । କିନ୍ତୁ ଏବେ ତା କଥା ଭାବିଲେ ମନରେ ଏକ ଅଦ୍ଭୁତ ଭାବ ଆସୁଛି, ଯାହାକୁ ସ୍ବୀକାର କରି ହେଉନି । ମନେ ମନେ ଅନେକ ପ୍ରଶ୍ନ ସଜାଡି ରଖୁଛି ଦୀପକ ପାଇଁ । ଅନେକ ଭାବନା ଆସୁଛି…ଦୀପକ କଣ କହିବ ଓ ମୁଁ ତା ପ୍ରତିକ୍ରିୟା କିପରି ରଖିବି । ଏମିତି ଭାବୁ ଭାବୁ ସ୍ୱାମୀସହ ତା ଘରେ ପହଞ୍ଚିଗଲୁ । ହସ ହସ ହୋଇ ପାଦଛୁଇଁ ପ୍ରଣାମ କଲା ଦୀପକ । ବଡ କମ୍ପାନୀରେ ବଡ ପଦବୀରେ ଥାଇ ସୁଦ୍ଧା ସଂସ୍କାର ଭୁଲିନି ପିଲାଟି ।
ସ୍ବାମୀଙ୍କ ସହିତ ଔପଚାରିକ କଥାବାର୍ତ୍ତା ହେଉଥାଏ ଦୀପକ । ମୋ ନଜର ଖୋଜୁଥାଏ ସେହି ଝିଅକୁ । କିନ୍ତୁ ଘରର କୌଣସି ଠାରେ ଝିଅର କିଛି ଚିହ୍ନ ମିଳିଲା ନାହିଁ । କେଉଁଠୁ କେମିତି ସେ ଝିଅ ବିଷୟରେ ପଚାରିବି ଭାବି… ଅଟକି ଯାଉଥାଏ । ଲୋକେ କହୁଥିବା କଥା ତ ସିଧା ସଳଖ ତାକୁ କହି ହେବନି ?

କିଛି ସମୟ ପରେ ତା ମା ସବିତା କଥା ପଚାରିଲି । ଦୀପକ କହିଲା, ମା’ଙ୍କ ଦେହ ଭଲ ରହୁନି, ତେଣୁ ତାଙ୍କୁ ଏଠିକି ନେଇଆସିଛି । ଆସନ୍ତୁ ଦେଖିବେ କହି, ଶୋଇବା ଘରକୁ ଡାକି ନେଲା ମୋତେ । ବେଡରେ ବସି ଝରକାକୁ ଚାହିଁ ବସିଛନ୍ତି, ଜଣେ ସେଲୁୱାରସୁଟ ପିନ୍ଧା ମହିଳା । ଦୀପକ କହିଲା, ମା ଦେଖ କିଏ ଆସିଛନ୍ତି । ତମ ସାଙ୍ଗ ଆସିଛନ୍ତି । ଏ ପଟକୁ ମୁହଁ ବୁଲାଇ ମୋତେ ଚାହିଁଲା ସବିତା, କିନ୍ତୁ ପ୍ରତିକ୍ରିୟା ଶୂନ୍ୟ ତା ମୁଖମଣ୍ଡଳ । ପାଖକୁ ଯାଇ କହିଲି, ମୋତେ ଚିହ୍ନି ପାରୁନୁ ସବିତା ? ଜବରଦସ୍ତି ମୁହଁରେ ସେଥୁଆ ହସଟେ ଟାଣି କହିଲା ଚିହ୍ନୁଛି ଯେ ।
ଦୀପକ ଠାରୁ ଜାଣିଲି ସବିତା କାହାକୁ ଚିହ୍ନୁନି କି କାହାକୁ ଜାଣି ପାରୁନି । ସ୍ମରଣଶକ୍ତି ଲୋପପାଇ ଯାଇଛି ତାର । ଡାକ୍ତରଙ୍କ ପରାମର୍ଶ ନେଇ ଔଷଧପତ୍ର ଦେଉଛି । ଡାକ୍ତର କହିଛନ୍ତି ଔଷଧଠୁ ବେସି ଆବଶ୍ୟକ ସ୍ନେହ ଆଦର ଓ ଯତ୍ନ । ତେଣୁ ଦୀପକ ସମୟ ମିଳିଲେ ମା’ ଙ୍କୁ ନେଇ ବିଭିନ୍ନ ସ୍ଥାନ ଯାଉଛି, କାଳେ ମା’ଙ୍କ ମନ ପରିବର୍ତ୍ତନ ହେବ । ଚେଷ୍ଟା କରୁଛି ବେଶି ସମୟ ମା’ଙ୍କ ସହ ଅତିବାହିତ କରିବାକୁ ।

ଦୀପକର କଥାଶୁଣି ମନ ଭିତରେ ଛନ୍ଦି ହୋଇଥିବା ପ୍ରଶ୍ନସବୁ କୁଆଡେ଼ ମିଳାଇଗଲା । ପିଲାଟି ପ୍ରତି ସହାନୁଭୂତିରେ ହୃଦୟ ଭରିଗଲା ।ଆହା.. ଛୁଆଟି ରୋଗିଣା ମା’ଙ୍କ ସେବା ଯତ୍ନରେ ଲାଗିଛି ଅଥଚ ଲୋକେ କେତେକଣ ଭାବି ଦେଉଛନ୍ତି…….।

ସମ୍ବଲପୁର

Leave A Reply

Your email address will not be published.