ମାଆ…

ମାଆ

ଶ୍ୱେତା ରାଉତ

ଛୁଆର ଭୋକିଲା ପେଟରେ ହାତ ବୁଲାଇ
ତୁ ଯେମିତି ବିବ୍ରତ ହୋଇପଡୁ
ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ
ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ
ତୋ ପଣତ ତଳୁ,
ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ
ସାରା ପୃଥିବୀର ସୁଖ ।

ମୁଁ ସେମିତି କରିପାରେନି ମା’
ଦେଖିପାରେନି କୌଣସି ଅନ୍ତଃଚକ୍ଷୁରେ
କେତେ ଭୋକଅଛି ତୋ ପେଟରେ କି ଆତ୍ମାରେ
କେତେ ରୋଗ ଅଛି ତୋ ଦେହରେ କି ମନରେ
ଦେଇ ପାରେନି ନିଦଟିଏ ତୋ ଅଶ୍ରୁଳ ଆଖିକୁ
ସମୟର ତାଚ୍ଛଲ୍ୟକୁ ଦେହସୁହା କରିବା ଛଡ଼ା
କୌଣସି ବିକଳ୍ପ ଖୋଜିପାଏନି
ତୋତେ ଖୁସି କରିବାକୁ ।

ଆଜି କାହିଁକି ସବୁକିଛି ଶସ୍ତା ଲାଗେ ମା’
ତୋ ହାତ ଆଉଁସା ପାଖରେ
ଯାହାକୁ ମୁଁ କିଣିପାରେନି
କୌଣସି ଅର୍ଥ ବିନିମୟରେ ।

ତୁ ଏତେ ମହାନ୍ କେମିତି ହେଉ ମା ?
ଏତେ ଉଦାର କେମିତି ହୁଏ ତୋ ହୃଦୟ
ବୟସର ଅପରାହ୍ନରେ ବୋଝପରି ଲଦି ରହିିଥିବା
ସାରା କଷ୍ଟକୁ ଚାପିଧରି
ତୁ କେମିତି ପଚାରିପାରୁ ମୋ ସୁଖଦୁଃଖର କଥା
ଯେଉଁଠି ମୁଁ ସଂସାର ଆଉ ସଂସ୍କାର ଆଳରେ
ଭୁଲିଯାଏ ମୋ ଦାୟିତ୍ୱ ।

ପଚାରିପାରେନି ଆମକୁ ମଣିଷ କରିବାକୁ
ତୋ ଦେହରୁ ନିଗିଡ଼ି ଯାଇଛି କେତେ ରକ୍ତ
ଭାଙ୍ଗିଯାଇଛି କେତେଖଣ୍ଡ ହାଡ଼
ହଜିଯାଇଛି ତୋ’ ଆଖିର ଜ୍ୟୋତି ?
ଦୁନିଆଁର ଏତେ କୋଳାହଳ ଭିତରେ
ତୋ ମୁହଁରେ ଦିଶୁଥିବା ନିରବତାର ପ୍ରଶ୍ନଚିହ୍ନ
ମୋତେ ଆକ୍ଷେପ କରନ୍ତି ମା’
ମୁଁ ଦାୟିତ୍ୱହୀନ ଝିଅ ପରି ନିରୁତ୍ତରରେ ମୁହଁ ଲୁଚାଏ ସମୟ ଆଗରେ ।

—————————————-
ରାଉତ ରାଉତ କମ୍ପ୍ଲେକ୍ସ, କଟକ ରୋଡ଼, ଭୁବନେଶ୍ୱର