Latest Odisha News

BREAKING NEWS

ଅଗଷ୍ଟ କ୍ରାନ୍ତି ଆନ୍ଦୋଳନରେ କୋରାପୁଟିଆଙ୍କ ବଳିଦାନ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

‘ଭାରତର ସ୍ୱାଧୀନତା ଲାଗି କୋରାପୁଟ ଜିଲାର ଅବଦାନ ଅତୁଳନୀୟ । ଗାନ୍ଧୀଜୀଙ୍କ କାମର ଅଦ୍ଭୁତପୂର୍ବ ସଫଳତା ଏହି ଆଦିବାସୀ ବହୁଳ ଜିଲାରେ ଦେଖିବାକୁ ମିଳିଥିଲା । ବାପୁଜୀଙ୍କ ଡାକରାରେ ସ୍ୱରାଜ ସଂଗ୍ରାମ ଲାଗି କୋରାପୁଟ ଯେପରି ତ୍ୟାଗର ପରାକାଷ୍ଠା ଦେଖାଇବା ସହ ବଳିଦାନ ଦେଇଛି ତାହା ଅନ୍ୟତ୍ର ବିରଳ’- ଲୋକନାୟକ ଜୟପ୍ରକାଶ ନାରାୟଣ ୧୯୪୫ ମସିହାରେ କୋରାପୁଟ ଜିଲାର ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ଗ୍ରାମରେ ଅନୁଷ୍ଠିତ ସାଧାରଣ ସଭାରେ ଏହି ବକ୍ତବ୍ୟ ଦେଇଥିଲେ । ୧୯୫୫ ମସିହାରେ ଆଚାର୍ଯ୍ୟ ବିନୋବା ଭାବେ ତାଙ୍କ ଭୂଦାନ ପଦଯାତ୍ରାବେଳେ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବିଞ୍ଜିଗୁଡା ଗାଁରେ ଏକ ସଭାରେ କହିଥିଲେ, ‘ଓଡ଼ିଶା ସମେତ ସମଗ୍ର ଦେଶରେ ପଦଯାତ୍ରା କରି ମୁଁ ବହୁ ଅଞ୍ଚଳ ବୁଲିଛି । କୋରାପୁଟ ଗସ୍ତବେଳେ ମୁଁ ଅନୁଭବ କରୁଛି ଏହି ଜିଲ୍ଲା ବିଶେଷକରି ନବରଙ୍ଗପୁର ଅଞ୍ଚଳର ଅବଦାନ ସର୍ବାଧିକ । ପ୍ରକୃତରେ କୋରାପୁଟ ଜିଲ୍ଲାରେ ହିଁ ଗାନ୍ଧୀ କାମ ଭଲଭାବେ ହୋଇଛି । ଦେଶର ସ୍ୱାଧୀନତା ଲାଗି ଏହି ଆଦିବାସୀ ଅଧ୍ୟୁଷିତ ଜିଲାର ତ୍ୟାଗ ଓ ବଳିଦାନ ଅଦ୍ଭୁତପୂର୍ବ ।’

୧୯୪୬ ଡିସେମ୍ବର ମାସରେ ନବରଙ୍ଗପୁରଠାରେ ଏକ ସଭାରେ ଭାଷଣ ଦେଇ ପଣ୍ଡିତ ଲିଙ୍ଗରାଜ ମିଶ୍ର କହିଥିଲେ, ‘ଅଗଷ୍ଟ କ୍ରାନ୍ତି ବେଳେ କୋରାପୁଟରେ ଯେଭଳି ଆନ୍ଦୋଳନ ହୋଇଥିଲା ଓଡ଼ିଶାର ଅନ୍ୟ କେଉଁଠି ସେପରି ଦେଖା ଯାଇନାହିଁ । ପୋଲିସ ଓ ରାଜକର୍ମଚାରୀମାନଙ୍କ ଲୁଣ୍ଠନ ଓ ଦମନଲୀଳା ସତ୍ୱେ ଆନ୍ଦୋଳନ ଦବି ନ ଥିଲା । ତେଣୁ କୋରାପୁଟ ଖାଲି ପଛୁଆ ଜିଲା ବୋଲି ମୁଁ ବିଶ୍ୱାସ କରିପାରୁନାହିଁ । କୋରାପୁଟ ଜିଲା ବିଶେଷକରି ନବରଙ୍ଗପୁର ଅଞ୍ଚଳର ସଂଗ୍ରାମୀମାନେ ତ୍ୟାଗ ସ୍ୱୀକାରକରି ଯେଭଳି ଦୁର୍ବାର ଆନ୍ଦୋଳନ କଲେ ତାହା ଅନ୍ୟ ଜିଲା ଅପେକ୍ଷା ଢ଼େର ଉଚ୍ଚରେ । ଦେଶର ସ୍ୱାଧୀନତା ପାଇଁ ଏହି ଜିଲାରୁ ଅନେକ ସଂଗ୍ରାମୀ ସହିଦ୍ ହୋଇଛନ୍ତି, ଜେଲ ଯାଇଛନ୍ତି । ତେଣୁ ମୁଁ ଆପଣମାନଙ୍କୁ ନମସ୍କାର ଜଣାଉଛି । ଆପଣମାନେ ଧନ୍ୟ ।’

ସ୍ୱାଧୀନତା ଆନ୍ଦୋଳନବେଳେ ଗାନ୍ଧୀଜୀ ଆଠ ଥରରେ ଓଡ଼ିଶାରେ ବିତାଇଛନ୍ତି ୬୯ ଦିନ । ଏହି ଗସ୍ତକାଳରେ ସେ କେବେ କୋରାପୁଟ ଜିଲାକୁ ଆସି ନାହାନ୍ତି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଢ଼େର ପଛରେ ପଡିଥିବା ଏହି ଆଦିବାସୀ ବହୁଳ ଜିଲାରେ କିନ୍ତୁ ଗାନ୍ଧୀଜୀଙ୍କ ‘କର ବା ମର’ ଆହ୍ୱାନ ଏଭଳି ପ୍ରତିଧ୍ୱନିତ ହୋଇଥିଲା ଯେ ଏଠାରେ ପ୍ରାୟ ୮୦ ଜଣ ସଂଗ୍ରାମୀ ବଳିଦାନ ଦେଇଥିଲେ, ବହୁ ମହିଳାଙ୍କ ସମେତ ଶହ ଶହ ସଂଖ୍ୟାରେ ସତ୍ୟାଗ୍ରହୀ ଜେଲ ଯାଇଥିଲେ । କେତେ ଯେ କିଏ ନିର୍ଯ୍ୟାତନାର ଶୀକାର ହେଲେ ତା’ର ପୂର୍ଣ୍ଣାଙ୍ଗ ହିସାବ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷରେ ବି ସଂଗୃହୀତ ହୋଇନାହିଁ ।

ଅବିଭକ୍ତ କୋରାପୁଟ ଜିଲାର ଅନ୍ୟତମ ଯୁବ ସଂଗ୍ରାମୀ ଲକ୍ଷ୍ମଣ ନାୟକ ଏହି ଆନ୍ଦୋଳନ କାଳରେ ଫାଶୀ ପାଇଥିଲେ । ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଶହୀଦ୍ ଲକ୍ଷ୍ମଣ କହିଥିଲେ,‘ସୂର୍ଯ୍ୟ ଚନ୍ଦ୍ର ସତ ହୋଇଥିଲେ ସ୍ୱରାଜ ନିଶ୍ଚୟ ଆସିବ । କିନ୍ତୁ ମୋର ଅବଶୋଷ ମୁଁ ଏହା ଦେଖିପାରିବି ନାହିଁ ।’ ମହାତ୍ମା ଗାନ୍ଧୀଙ୍କ ପ୍ରସଙ୍ଗରେ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଲ୍‌ବର୍ଟ ଆଇନଷ୍ଟାଇନ୍ ଲେଖିଥିଲେ ଯେ ଭବିଷ୍ୟତର ବଂଶଧାରାମାନେ ହୁଏତ ବିଶ୍ୱାସ କରିପାରିବେ ନାହିଁ ଯେ ଗାନ୍ଧୀଜୀଙ୍କ ଭଳି ଜଣେ ମଣିଷ ରକ୍ତ ମାଂସର ଶରୀରରେ ଏ ଧରାପୃଷ୍ଠରେ ଦିନେ ବିଚରଣ କରୁଥିଲେ ।

ସେହିପରି ସ୍ୱରାଜ ସଂଗ୍ରାମକୁ କୋରାପୁଟିଆଙ୍କର ଯେଭଳି ଅସୀମ ବଳିଦାନ ରହିଛି ତାହା ବର୍ତ୍ତମାନର ପିଢ଼ି ହୁଏତ ବିଶ୍ୱାସ କରିବେ ନାହିଁ । ଏହି ଜିଲାରେ ସ୍ୱାଧୀନତା ସଂଗ୍ରାମର ସଙ୍ଗଠକ ଥିଲେ ଶହ ଶହ ଗାନ୍ଧୀ ଗୁମାସ୍ତା । ଗାନ୍ଧୀଙ୍କୁ ନ ଦେଖିଲେ ବି ଏହି ଗାନ୍ଧୀ ଗୁମାସ୍ତାମାନଙ୍କ ଆଚରଣ ଓ ଉଚାରଣ ଏବଂ ସତ୍ୟାଗ୍ରହ ସଂଗ୍ରାମରେ ସେମାନଙ୍କ ସମର୍ପଣ ମନୋଭାବ ସେବା ଓ ସାଧନାର କ୍ଷେତ୍ରକୁ ଏଭଳି ପ୍ରସାରିତ ହୋଇଥିଲା ଯେ ଲୋକେ ଏମାନଙ୍କ କଥାରେ ମାତି ଦେଶ ପାଇଁ ଜୀବନ ଦେବାକୁ ସର୍ବଦା ପ୍ରସ୍ତୁତ ଥିଲେ । ବିଶେଷକରି ସରକାର, ରାଜା, ଜମିଦାରଙ୍କ ଶାସନ ବ୍ୟବସ୍ଥାରେ ଲୋକେ ଚରମ ନିର୍ଯ୍ୟାତନାର ଶୀକାର ହେଉଥିବାରୁ ଗାନ୍ଧୀ ଗୁମାସ୍ତାମାନଙ୍କୁ ଗାନ୍ଧୀଙ୍କ ପ୍ରତିନିଧିଭାବେ ମନେ କରୁଥିଲେ । ବିଶେଷକରି ନୂଆପୁଟ ତାଲିମ କେନ୍ଦ୍ର ଓ କୁଜେନ୍ଦ୍ରୀ ଗାଁ ପାଲଟିଯାଇଥିଲା ସତ୍ୟାଗ୍ରହୀ ତିଆରି କାରଖାନାରେ । ସରଳ, ସବଳ, ନିଷ୍କପଟ, ନିଃସ୍ୱାର୍ଥପର ଆଦିବାସୀମାନେ ପୁରୁଷ ପୁରୁଷଧରି ଏଭଳି ଚରମ ନିର୍ଯ୍ୟାତନା ଭୋଗୁଥିଲେ । ତାହା ବିରୁଦ୍ଧରେ ଗାନ୍ଧୀ ଗୁମାସ୍ତାମାନଙ୍କ ସ୍ୱର ଉତ୍ତୋଳନ ଏବଂ କ୍ଷମତା ନୁହେଁ, ସମତା ପାଇଁ ସେମାନଙ୍କ ସମର୍ପିତ ଅଭିଯାନ କୋରାପୁଟିଆଙ୍କ ମନରେ ସଙ୍କଳ୍ପ ଓ ସାହାସ ସୃଷ୍ଟି କରିଥିଲା । ସରକାର, ରାଜା ଓ ଜମିଦାରଙ୍କ ଅତ୍ୟାଚାରରେ ନିଷ୍ପେସିତ ହୋଇ ମରିବା ଅପେକ୍ଷା ବ୍ୟବସ୍ଥା ବିରୁଦ୍ଧରେ ସଶକ୍ତ ସ୍ୱର ଉତ୍ତୋଳନ କରି ମୁକ୍ତି ପାଇବାପାଇଁ ଲୋକେ ଗାନ୍ଧୀ ବାଟରେ ମେଳି କଲେ ।

୧୯୪୨ ଅଗଷ୍ଟ ୮ ତାରିଖରେ ବମ୍ବେଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନ ଦେଶବାସୀଙ୍କୁ ଗାନ୍ଧୀଜୀ ‘କର ବା ମର’ ଆହ୍ୱାନ ଦେବା ସହ ବ୍ରଟିଶ ସରକାର ଭାରତ ଛାଡିବାପାଇଁ ଚେତାଇଦେଲେ । ଦେଶକୁ ସ୍ୱାଧୀନ କରିବାପାଇଁ ଉଦ୍ୟମ କରି ମରିବାଠାରୁ ଅଧିକ ପୂଣ୍ୟ କିଛି ନାହିଁ । ତେଣୁ ସ୍ୱାଧୀନତା ହାସଲ ନ ହେବା ପର୍ଯ୍ୟନ୍ତ ଅବିଶ୍ରାନ୍ତ ସଂଗ୍ରାମ ଚଳାଇବାକୁ ଗାନ୍ଧୀଜୀଙ୍କ ଗୁରୁମନ୍ତ୍ର ଦେଶରେ ଚହଳ ସୃଷ୍ଟି କଲା । ତେବେ ସେହି ରାତିରେ ଗାନ୍ଧୀଙ୍କ ସମେତ ଅଧିକାଂଶ ନେତାଙ୍କୁ ଗିରଫ କରାଗଲା । ଗିରଫବେଳେ ଗାନ୍ଧୀଜୀ ଦେଶବାସୀଙ୍କୁ ଆଉ ଏକ ବାର୍ତ୍ତାରେ କହିଲେ, ‘ଅହିଂସାର ଶୀର୍ଷ ସୀମାକୁ ଯିବାଲାଗି ଏବେ ସମସ୍ତେ ସ୍ୱାଧୀନ । ହରତାଳ ଓ ଅନ୍ୟ ଅହିଂସ ଉପାୟରେ ବ୍ୟବସ୍ଥାକୁ ଅଚଳ କରିଦିଅ । ସତ୍ୟାଗ୍ରହୀମାନେ ମୃତ୍ୟୁମୁଖକୁ ଯାଆନ୍ତୁ ଓ ତାର ସମ୍ମୁଖୀନ ହୁଅନ୍ତୁ, ନିଜ ଜୀବନପାଇଁ ବ୍ୟାକୁଳ ହୁଅନ୍ତୁ ନାହିଁ । ଯେତେବେଳେ ଲୋକେ ମରିବାକୁ ଆଗେଇ ଆସିବେ ସେତେବେଳେ ଦେଶ ବଞ୍ଚିବ ।’ ପୋଲିସ ଗାଡିରେ ବସିବାବେଳେ ପ୍ୟାରେଲାଲଙ୍କୁ ଗାନ୍ଧୀଜୀ କହିଗଲେ ଯେ ଅହିଂସା ସଂଗ୍ରାମର ସିପାହୀ ଖଣ୍ଡେ ଖଣ୍ଡେ କାଗଜରେ ନିଜ ପୋଷାକ ଉପରେ ‘କର ବା ମର’ ଲେଖି ସ୍ୱାଧୀନଭାବେ ସମ୍ମାନର ସହ ଦେଶ ମାତୃକାର ମୁକ୍ତିପାଇଁ ଶେଷ ଲଢ଼େଇ ଲଢ଼ୁ । ଅନ୍ୟମାନେ ଗିରଫ ହୋଇଯିବାବେଳେ ପୋଲିସ ଆଖିରେ ଧୂଳି ଦେଇ ଗୋଟିଏ ବାଟେ ମାଳତୀ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ଅନ୍ୟବାଟେ କୋରାପୁଟ ଗାନ୍ଧୀଭାବେ ପରିଚିତ ରାଧାକୃଷ୍ଣ ବିଶ୍ୱାସରାୟ ଓଡ଼ିଶା ଫେରିଲେ । ଗାନ୍ଧୀଜୀଙ୍କ ଆହ୍ୱାନର ସଂକ୍ଷିପ୍ତ ବାର୍ତ୍ତା ବିଶ୍ୱାସରାୟ ହାତରେ ଲେଖି କେତେଜଣ ପ୍ରମୁଖ କର୍ମୀଙ୍କ ନିକଟକୁ ପଠାଇଲେ । ସେମାନେ ଏହାର ହାତଲେଖା ନକଲ ତିଆରି କରି ଗାଁରେ ଗାଁରେ ‘କର ବା ମର’ ଆନ୍ଦୋଳନ ସୃଷ୍ଟି କଲେ ।


ଭାରତଛାଡ ଆନ୍ଦୋଳନବେଳେ ୧୯୪୨ଅଗଷ୍ଟ ୯ରୁ ନଭେମ୍ବର ୩୦ମଧ୍ୟରେ ସହସ୍ରାଧିକ ସହିଦ ଓ ୩୦୦୦ରୁ ଅଧିକ ଗୁରୁତର ଆହତ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଥିବାବେଳେ ଜବାହାରଲାଲ ନେହୁରୁଙ୍କ ଆକଳନ ଅନୁଯାୟୀ ସହିଦଙ୍କ ସଂଖ୍ୟା ଥିଲା ୧୦୦୦୦ରୁ ଅଧିକ । ତେବେ ଐତିହିସିକମାନଙ୍କ ତଥ୍ୟ କୁହେ ସ୍ୱାଧୀନତା ପାଇଁ ଏହି ଶେଷ ଲଢ଼େଇରେ ସହୀଦ ହୋଇଥିଲେ ୨୦୦୦୦ରୁ ଅଧିକ ଓ ଜେଲ ଯାଇଥିଲେ ପ୍ରାୟ ଦେଢ଼ ଲକ୍ଷ ସଂଗ୍ରାମୀ । ଏହି ଆନ୍ଦୋଳନରେ ଓଡ଼ିଶାରେ ବି ଚାଲିଥିଲା ଜନ୍ମଭୂମୀର ମୁକ୍ତି ପାଇଁ ବଳିଦାନର ଲହର । ବର୍ତ୍ତମାନର ମାଲକାନଗିରି ଜିଲା ଅନ୍ତର୍ଗତ ମାଥିଲିଠାରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହୀଙ୍କ ଶୋଭାଯାତ୍ରା ଉପରେ ପୋଲିସର ବର୍ବରୋଚିତ ଗୁଳିକାଣ୍ଡ ଘଟିଥିଲା ୧୯୪୨ ଅଗଷ୍ଟ ୨୧ ତାରିଖରେ । ଏଥିରେ ୫ଜଣ ସହୀଦ ହୋଇଥିବାବେଳେ ଏହି ଆନ୍ଦୋଳନର ଅନ୍ୟତମ ନେତା ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ମାଥିଲି ଗୁଳିକାଣ୍ଡର ୩ ଦିନ ପରେ ବର୍ତ୍ତମାନର ନବରଙ୍ଗପୁର ଜିଲା ଅନ୍ତର୍ଗତ ପାପଡ଼ାହାଣ୍ଡିର ତୂରୀ ନଦୀ ପୋଲର ଦୁଇପଟୁ ଘେରିଯାଇ ସତ୍ୟାଗ୍ରହୀମାନଙ୍କ ଉପରକୁ ଗୁଳି ଚାଳନା କରାଯିବାରେ ୧୯ ଜଣ ସହୀଦ ହେଲେ । ଶ୍ରାବଣ ମାସରେ ଭରା ନଈର ସୁଅକୁ ଡ଼େଇଁ କେତେ ଯେ ମୃତାହତ ହେଲେ ତାହାର ହିସାବ ଏପର୍ଯ୍ୟନ୍ତ ମିଳିନାହିଁ । ଗୁଣୁପୁର ନିକଟବର୍ତ୍ତୀ କୁଜେନ୍ଦ୍ରୀ ଗାଁରୁ ଏହି ଆନ୍ଦୋଳନବେଳେ ୨୧ ଜଣ ମହିଳା ଓ ୩୫ ଜଣ ପୁରୁଷ ଗିରଫହୋଇ ଜେଲ ଦଣ୍ଡ ପାଇଥିଲେ ।

ଭାରତଛାଡ ଆନ୍ଦୋଳନବେଳେ ବର୍ତ୍ତମାନର ଯାଜପୁର ଜିଲା ଅନ୍ତର୍ଗତ କାଇପଡା-କଳାମାଟିଆରେ ୪ଜଣ ପୋଲିସ ଗୁଳିରେ ଦେଶପାଇଁ ଜୀବନ ଦେଇଥିବାବେଳେ ଅବିଭକ୍ତ ବାଲେଶ୍ୱର ଜିଲାର ଲୁଣିଆଠାରେ ୯ଜଣ, ତୁଡିଗଡିଆ-ଖଇରାଡିହୀରେ ୩ଜଣ, ଇରମ୍‌ରେ ୨୯ ଜଣ, ନିମାପଡାରେ ଜଣେ, ଢ଼େଙ୍କାନାଳରେ ୨ଜଣ, ନୟାଗଡ଼ରେ ୪ଜଣ, ନୀଳଗିରିରେ ୨ଜଣ ଓ ତାଳଚେରରେ ୬ଜଣ ପୋଲିସ ଗୁଳିରେ ସହୀଦ ହୋଇଥିଲେ । ବହୁ ମହିଳା ଏମିତିକି ଅବିବାହିତା ଓ ସଦ୍ୟପରିଣୀତା ଝିଅଙ୍କ ସମେତ ହଜାର ହଜାର ଓଡ଼ିଆ ସଂଗ୍ରାମୀଙ୍କ ଦ୍ୱାରା କାରାଗାର ସବୁ ଭର୍ତ୍ତି ହୋଇଗଲା । ବନ୍ଦୀ ଥାଇ ଗାନ୍ଧୀ ବଡଲାଟଙ୍କୁ ଚିଠିରେ ଲେଖିଲେ ଯେ ବସ୍ତୁତଃ ସାରା ଭାରତକୁ ବ୍ରିଟିଶ ସରକାର କାରାଗାରରେ ପରିଣତ କରି ୩୫କୋଟି ଲୋକଙ୍କୁ ବନ୍ଦୀ ଭାବେ ରଖିଛି ।

ଏହି ଆନ୍ଦୋଳନବେଳେ ବ୍ରିଟିଶ ସରକାର ଦମନଲୀଳା ଶୀର୍ଷରେ ପହଞ୍ଚିଥିବାବେଳେ ଲୋକେ ଅନେକ ସ୍ଥାନରେ ମରଣସେନା ଗଢ଼ି ବ୍ୟାପକ ହିଂସାକାଣ୍ଡ ବି ଭିଆଇଥିଲେ । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାପାଇଁ ଅବିଭକ୍ତ କୋରାପୁଟ ଜିଲାରେ ଗାଁରେ ଗାଁରେ ଲୁଟତରାଜ, ନରସଂହାର, ନିର୍ଯ୍ୟାତନା ଚାଲିଥିଲା । ଏମିତିକି ପୋଲିସର ମାଡ ଓ ଚିକିତ୍ସା ଅଭାବରୁ କେବଳ କୋରାପୁଟ ଜିଲାର ଜେଲ ଗୁଡିକରେ ୫୦ରୁ ଅଧିକ ସଂଗ୍ରାମୀଙ୍କ ମୃତ୍ୟୁ ଘଟିଥିଲା । ଗୁଣୁପୁର, ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଉମରକୋଟ, କୋଡିଙ୍ଗା, କୋଟପାଡ, ପଟାଙ୍ଗୀ, କୋରାପୁଟ, ନବରଙ୍ଗପୁର, ଜୟପୁର, ବୋରିଗୁମ୍ମା ଆଦି ଥାନା ଅଞ୍ଚଳରେ ଦମନଲୀଳା ଶୀର୍ଷ ସୀମାରେ ପହଞ୍ଚିଥିଲା । ୧୯୪୬ ଜାନୁୟାରୀ ୧୯ ତାରିଖରେ ଏକ ଇଂରାଜୀ ଖବର କାଗଜ ‘ଗ୍ରୁସମ୍ ଷ୍ଟୋରୀ ଅଫ ବେଲ୍‌ସନ୍ ଅଫ୍ ଓଡ଼ିଶା’ କୋରାପୁଟ ଜେଲ ସମ୍ପର୍କରେ ଯାହା ଲେଖିଥିଲେ ତାହାର ଓଡ଼ିଆ ଅନୁବାଦ କୋରାପୁଟିଆର ସ୍ୱରାଜ ସଂଗ୍ରାମ ପୁସ୍ତକରେ ଏଭଳି ରହିଛି, ‘ଯେତେବେଳେ ଜର୍ମାନୀର ବେଲ୍‌ସନ୍ କନସନ୍‌ଟ୍ରେସନ୍ ଶିବିରର ଭୟାବହ ଘଟଣା ଲୋକଲୋଚନକୁ ଆସିଲା ସେତେବେଳେ ମାନବସମାଜ ସ୍ତମ୍ବିତ ହୋଇଯାଇଥିଲା । ନାଜିମାନେ ରାକ୍ଷସ ଓ ବେଲ୍‌ସନ୍ ସେମାନଙ୍କ ରାକ୍ଷସ ପ୍ରକୃତିର ପ୍ରକଟନ । କିନ୍ତୁ ଯେଉଁମାନେ ନାଜି ଓ ନାଜିବାଦର ବିରୁଦ୍ଧରେ ଲଢ଼େଇ କରିଥିଲେ ସେମାନେ କ’ଣ? ଯେଉଁମାନେ ନିଜକୁ ସଭ୍ୟ ଜାତି ବୋଲି ଦାବି କରୁଛନ୍ତି ସେମାନେ କେଉଁ ପ୍ରକାରର?

ବ୍ରିଟିଶର ଏକ ପ୍ରଦେଶ ଓଡ଼ିଶାର କୋରାପୁଟ ଜେଲରେ ୫୦ ଜଣ ରାଜନୈତିକ ବନ୍ଦୀଙ୍କର ଅକାଳ ମୃତ୍ୟୁ ଘଟିଛି । ସେମାନଙ୍କ ଜୀବନ ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ ହୋଇଛି । ସେମାନେ ଥିଲେ ସ୍ୱାଧୀନତାର ସୈନିକ, ଯେଉଁମାନଙ୍କ ପବିତ୍ର ଜୀବନର ପ୍ରତି ମୂହୁର୍ତ୍ତ ଅତି ସାହସର ସହ ମୃତ୍ୟୁର ସମ୍ମୁଖୀନ ହୋଇ ରହିଥିଲା । ଏହି ବିଶ୍ୱକୁ ବଞ୍ଚିବା ଯୋଗ୍ୟ କରିବାକୁ ହିଁ ସେମାନେ ବଞ୍ଚି ରହିଥିଲେ ଏବଂ ଏକ ଈର୍ଷା ପ୍ରଣୋଦିତ ପ୍ରତିହିଂସା ପରାୟଣ ବ୍ୟବସ୍ଥା ସେମାନଙ୍କୁ ବନ୍ଧନାବସ୍ଥାରେ ହତ୍ୟା କଲା ।’

ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଏବଂ ଲକ୍ଷାଧିକଙ୍କ କାରା ଓ ନିର୍ଯ୍ୟାତନା ବରଣ ପୃଷ୍ଠଭୂମୀରେ ଆମେ ପାଇଲୁ କଷ୍ଟଲବ୍ଧ ସ୍ୱାଧୀନତା । ଏହି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଲାଗି ଆମେ ପାଳୁଛୁ ଅମୃତ ମହୋତ୍ସବ । ଏହା ଦଳମତ ନିର୍ବିଶେଷରେ ଦେଶବାସୀଙ୍କର ଗଣପର୍ବ ହେଉ ଏବଂ ଏହି ଅବସରରେ ପ୍ରତିଟି ଭାରତୀୟ ହିସାବ କରୁ ଯେ ସ୍ୱାଧୀନତାର ଘୋଷିତ ପ୍ରତିଶୃତି ସବୁ କେତେ ମାତ୍ରାରେ ପାଳିତ ହୋଇଛି, ସ୍ୱଦେଶୀ, ସ୍ୱାବଲମ୍ବନ, ସ୍ୱାଭିମାନ ଓ ସାର୍ବଭୌମତ୍ୱ, ନାରୀ ନିରାପତ୍ତା, ନିଶା ନିବାରଣ କ୍ଷେତ୍ରରେ ଆମ ଭାରତ କେଉଁଠି? ସ୍ୱାଧୀନତାର ୭୫ ବର୍ଷ ଭିତରେ ଡଲାରର ମୂଲ୍ୟ ଟଙ୍କାଏରୁ ବଢ଼ି କାହିଁକି ୭୫ ଟଙ୍କାରେ ପହଞ୍ଚିଛି, ବେକାରୀ-ବେରୋଜଗାରୀ ଆଦି ବଢ଼ିବା ସହ ପେଟ୍ରୋଲ ଲିଟର କାହିଁକି ୧୦୦ ଟଙ୍କା ଟପିଛି, ସାଧାରଣ ଲୋକର ବଞ୍ଚିବା କାହିଁକି ମହଙ୍ଗା ହୋଇଛି, ଦେଶର ଋଣଭାର କାହିଁକି ୧୨୦ଲକ୍ଷ କୋଟି ଟଙ୍କାକୁ ଟପିଛି, ରାଜନୀତିର ଅପରାଧିକରଣ ସହ ଅପରାଧର କାହିଁକି ରାଜନୀତିକରଣ ଘଟୁଛି, ସତ୍ୟ-ଅହିଂସାର ପୂଣ୍ୟଭୂମୀରେ ହିଂସା, ମିଥ୍ୟାଚାର ସହିତ ସାମ୍ପ୍ରଦାୟିକ ବିଦ୍ୱେଷ କାହିଁକି ବଢ଼ୁଛି? କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ସ୍ୱାଧୀନତା ସଂଗ୍ରାମର ସେନାପତି ତଥା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ବିକୃତ ବିଚାରର କୁତ୍ସିତ ଷଡ଼ଯନ୍ତ୍ର କ୍ରମେ ସ୍ୱାଧୀନତା ପ୍ରାପ୍ତିର ୬ମାସ ନପୁରୁଣୁ ହତ୍ୟା କରାଗଲା କାହିଁକି? ଏ ପରୀପ୍ରେକ୍ଷିରେ ସ୍ୱାଧୀନତାର ଅମୃତକୁ ବିଷ ବଳୟରୁ ରକ୍ଷା କରି ସମୃଦ୍ଧ ଭାରତ ଗଠନ ଲାଗି କ୍ରାନ୍ତି ଦିବସ ଆମ ସମସ୍ତଙ୍କୁ ସମ୍ମିଳିତ ଓ ସଙ୍କଳ୍ପବଦ୍ଧ ସାଧନା କରିବାପାଇଁ ଆହ୍ୱାନ ଦେଉଛି ।

ଉରକ୍ଷକ୍ଷ: ୯୪୩୭୦୧୭୩୯୫

Leave A Reply

Your email address will not be published.