Latest Odisha News

ଗଞ୍ଜାମ ଜିଲ୍ଲାର ଶରଣ ଶ୍ରୀକ୍ଷେତ୍ର; ଯେଉଁଠି ୩୦ ମାସ ଯାଏଁ ଲୁଚି ରହିଥିଲେ ଜଗନ୍ନାଥ !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଶରଣ ଶ୍ରୀକ୍ଷେତ୍ର । ଆଠଗଡ଼ ପାଟଣାଠାରେ ଅବସ୍ଥିତ ପ୍ରାଚୀନ ଦୁର୍ଗସମୂହ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା, ରୁମାଗଡ଼, ଓପାଟିଗଡ଼କୁ ନେଇ ଗଠିତ । ଏହା ଶରଣ ଶ୍ରୀକ୍ଷେତ୍ର, ଗୁପ୍ତଗଡ଼ ଓ ଅଷ୍ଟଗଡ଼ ଭାବେ ଜଣା ।

୧୬୦୦ ଖ୍ରୀଷ୍ଟାବ୍ଦରେ କଳାପହାଡ଼ ଆକ୍ରମଣ ସମୟରେ ଜଗନ୍ନାଥଙ୍କ ସୁରକ୍ଷା ଏବଂ ଗଜପତି ମହାରାଜାଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନର ନାମ ଶରଣ ଶ୍ରୀକ୍ଷେତ୍ର ଅଟେ ।

ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ। ଜଗତର ନାଥ ଜଗନ୍ନାଥ ଏଠାରେ ୩୦ ମାସ ରହିଥିଲେ । ଗଜପତି ମହାରାଜ ଦ୍ବିତୀୟ ରାମଚନ୍ଦ୍ରଙ୍କ ରାଜୁତି ସମୟରେ କଳାପାହାଡ଼ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଜଗନ୍ନାଥ ମହାରାଜା ଙ୍କୁ ସ୍ବପ୍ନାଦେଶ ହେଲେ । ପୁରୀ ଶ୍ରୀ ମନ୍ଦିରରୁ ତୁରନ୍ତ ଗଞ୍ଜାମ ଜିଲ୍ଲା ମାରଦା ପୀଠକୁ ସ୍ଥାନାନ୍ତରିତ କରିବାକୁ । ଆଠଗଡ ପାଟଣା ରାଜା ଶ୍ରୀ ଚନ୍ଦନ ଦେବଜୀ ଜଗନ୍ନାଥଙ୍କ ପରମ ଭକ୍ତ। ଚିଲିକା ମଧ୍ୟ ଦେଇ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଠଗଡ ପାଟଣା ମାରଦା ଠାରେ ଜଗନ୍ନାଥଙ୍କୁ ଅବସ୍ଥାପିତ କରାଗଲା।

ଆଠଗଡ଼ ରାଜା ମଧୁସୂଦନ ଜଗଦେବ ତତ୍କାଳିନ ରାଜା ଗଜପତି ରମଚନ୍ଦ୍ର ଦେବ ଓ ତାଙ୍କ ସପରିବାରଙ୍କୁ ଆକ୍ରମଣକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ ।

ପାନ୍ତିଆମାଗଡ଼ଠାରେ ଗଜପତି ଓ ରାଜପରିବାର ସଦସ୍ୟଙ୍କୁ ଭୂଗର୍ଭରେ ଥିବା ଏକ ମହଲ ଗୁପ୍ତଗଡ଼ ଠାରେ ଶରଣ ଦେଇଥିଲେ । ଏକ ସୁନ୍ଦର ଉଦ୍ୟାନ ତଳେ ଏହି ମହଲଟି ନିର୍ମାଣ କରାଯାଇଥୁଲା ଯାହା ଫଳରେ ଆକ୍ରମଣକାରୀ ଏହାର କୌଣସି ସନ୍ଧାନ ମଧ୍ୟ ପାଇ ପାରିନଥିଲେ । ଏଥୁରୁ ପ୍ରମାଣିତ ହୁଏ ରାଜପରିବାରକୁ ସାହାଯ୍ୟ କରି ଉତ୍ତମ ବନ୍ଧୁର ପରିଚୟ ଦେଇଥିଲେ ଆଠଗଡ଼ ରାଜା । ଆଠଗଡ଼ ରାଜାଙ୍କ ଏହି ସାହାଯ୍ୟକୁ ଚିରଦିନ ଇତିହାସରେ ସାକ୍ଷୀ ଭାବରେ ରଖୁବାକୁ ତାଙ୍କୁ ପୁରୀ ଗଜପତି, ମନୋଦ୍ଧାରଣ ଶରଣ ପଞ୍ଜର ବିରାଧୀବୀର ଭାଇ ଶ୍ରୀ ହରିଚନ୍ଦନ ଜଗବ୍ଦବ ରାଜା ବାହାଦୂର ଉପାଧିରେ ଭୂଷିତ କରିଥିଲେ । ସେହିଦିନ ଠାରୁ ଆଠଗଡ଼ ରାଜାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିରରେ ପ୍ରତି ଏକାଦଶୀ ତିଥିରେ ଏକ ମହାଦୀପ ଜଳିଥାଏ । ଗଜପତି ମହାରାଜା ଆଠଗଡ଼ଠାରେ ଅକ୍ଷୟକୀର୍ତ୍ତି ପ୍ରସ୍ତର ନିର୍ମିତ ସଭା ମଣ୍ଡପ ଓ ଜଗନ୍ନାଥ ମନ୍ଦିରର ଶୁଭ ଦେଇଥିଲେ ।

ପୁରୀ ଜଗନ୍ନାଥ ମନ୍ଦିର ଭଳି ଅନୁରୂପ ଏକ ମନ୍ଦିର ଆଠଗଡ଼ ପାଟଣା ଠାରେ ନିର୍ମାଣ କରାଗଲା । ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବ ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କର ଏହି ସ୍ଥାନ ହିଁ ଶେଷ ଲୀଳା ଖେଳାର ସ୍ଥାନ । ତେଣୁ ଏହି ମନ୍ଦିରକୁ ସେ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।

ଏହାକୁ ଅଷ୍ଟଦୁର୍ଗ କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ଵର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା ନାଗେଶ୍ଵର ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ ।

ଆଠଗଡ଼ ପାଟଣାର ଆଉ ଏକ ବିଶେଷତ୍ଵ ହେଉଛି ଏଠାକାର ତିନିଦିଗକୁ ସୁରକ୍ଷା ଦେଉଥିବା ନଦୀମାନଙ୍କରୁ ଅନେକ ନଦୀ ପ୍ରବାହିତ ହେଉଛି । ଯାହା ଫଳରେ ଅଞ୍ଚଳର ଜନସାଧାରଣ ନିଜ ଚାଷ ଜମି ପାଇଁ ଜଳସେଚନ କରୁଛନ୍ତି । ସେଇଭଳି ଅନେକ ପାହାଡ଼ ଗୁମ୍ଫାରେ ବହୁ ଋଷିଗଣ ତପସ୍ୟା କରିଥିବାର ଇତିହାସ ରହିଛି । ସେମାନଙ୍କ ମଧ୍ୟରେ ପଣ୍ଡୁ ନାମକ ସାଧୁ ବହୁ ବର୍ଷ ଧରି ସାଧନା କରୁଥିବା କଥା ଜଣାଯାଏ । ଆଠଗଡ଼ ପାଟଣାରେ ଥିବା ରାଜଦରବାରରୁ ଧରାକୋଟ ରାଜ ଦରବାର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହୁଏ ।

Leave A Reply

Your email address will not be published.