Latest Odisha News

BREAKING NEWS

ହାତ ପରଶରେ ପଥର ବି ପାଏ ଜୀବନ୍ୟାସ : ପ୍ରସ୍ତର ଶିଳ୍ପୀ ଧ୍ରୁବ ଚରଣ ସ୍ୱାଇଁ

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ )

ନାହିଁ ଅର୍ଥର ଲାଳସା କି ପୁରସ୍କାରର ମୋହ । ସରଳତା ତାଙ୍କ ଭୂଷଣ । କାରିଗରି ତାଙ୍କ ପୂଜା । ସକାଳୁର ସଞ୍ଜ ଯାଏଁ ହାତର ଦୁଇ ମୁଠାରେ ବନ୍ଧା ନିହାଣ ମୁଗୁରକୁ ନେଇ ଚାଲିଥାଏ ସୃଷ୍ଟି । କଠିନ ଶିଳାଖଣ୍ଡରୁ ଝଡି ପଡୁଥିବ ଅନାବଶ୍ୟକିୟ ଅଂଶ ସବୁ । ନିହାଣ ମୁନ ଉହାଡରୁ ମିଟ ମିଟ କରୁଥିବ କେଉଁ ଦେବତା କି ଦେବଦାସୀର ସଜ୍ଜଳ ଆଖି । ମନର କଥା ଅଙ୍କା ହୋଇ ଚାଲିଥିବ ପଥର ଦେହରେ । ବିମୋହିତ ହେଉଥିବେ କଳାର ପୂଜାରୀ ନିଜର ଇପସିତ କଳାକୃତିକୁ ହାତ ପାଆନ୍ତାରେ ପାଇ । କେହି ବାହାବା କରୁକି ନକରୁ ସେ ପ୍ରତି ନଜର ଉଠାଇ ଦେଖିବାକୁ ସମୟ ନାହିଁ ଶିଳ୍ପୀର । ମନର ସନ୍ତୁଷ୍ଠି ହିଁ ତାଙ୍କ ପାଇଁ ସର୍ବ ଶ୍ରେଷ୍ଠ ।

ଶିଳ୍ପୀ ଧ୍ରୁବଚରଣ କୁହନ୍ତି,- ବାପାଙ୍କୁ ଭଲକି ଆଖି ପୁରେଇ ଦେଖିନି । ବର୍ଷକର ହୋଇଥାଏ ବାପା ଚାଲିଗଲେ । ଘରର ଅସୁବିଧା କାରଣରୁ ଚାଟଶାଳୀ ଯାଏଁ ମାତ୍ର ମୋର ପାଠପଢା । ସେତେବେଳେ ସବୁଦିନ ପେଟ ପୁରାଇ ଗଣ୍ଡେ ଖାଇବା ଆମ ଭାଗ୍ୟରେ ଜୁଟୁ ନଥିଲା । ଏକମାତ୍ର ସନ୍ତାନ ଥିବାରୁ ଘଡି କି ଓଳିଏ ତା ଆଖି ଆଗରୁ ମା ମୋତେ ଅନ୍ତର କରିବାକୁ ଚାହୁଁନଥିଲା । ମା ର ପଣତ କାନି ତଳେ ଏମିତି ୧୪ ବର୍ଷ ବିତିଗଲା । ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କର ଆମ ଗାଁ ପୁରୀ ଜିଲ୍ଲାର ପୋଡତରା ନିକଟସ୍ଥ ଇତିଭୁଆଁ ଠାରେ ଏକ ଖମାର ବା ଫାର୍ମ ହାଉସ ଥିଲା । କେବେକେବେ ସେଠାକୁ ଚାଷବାସ କାମ ବୁଝିବାକୁ ଆସୁଥିବାବେଳେ ପ୍ରାୟ ସମୟ ଶ୍ରୀ ସାହୁ ସାଙ୍ଗରେ ଅଧାଗଢା ଖଡି ପଥରର ମୂର୍ତ୍ତିଟିଏ ଧରି ଆସିଥାନ୍ତି । ସମୟ ପାଇଲେ ମୂର୍ତ୍ତି ଗଢା କାମରେ ଲାଗିଯାଆନ୍ତି । ମୁଁ ଏକଲୟରେ ତାଙ୍କର ଏହି କାରିଗରୀ କାମକୁ ଲକ୍ଷ୍ୟ କରେ । ହଠାତ ତାଙ୍କର ଦୟା ହେଲା । ମୋତେ ତାଙ୍କ ପୁରୀ କୁମୁଟି ସାହି ଘରକୁ ଡାକି ଗୁଣାତି ଓ ଛୋଟ ପଥର ଖଣ୍ଡ ଦେଲେ । କହିଲେ ପଥରର ମାଳି କରି ଦେଖାଇବାକୁ । ମୋ କାମ ଦେଖି ଖୁସି ହେବା ସହ କହିଲେ ତୋ ଦେଇ କାରିଗରି କାମ ହୋଇ ପାରିବ । ସେହିଦିନ ଠାରୁ ଶ୍ରୀ ସୁଦର୍ଶନ ସାହୁ ହେଲେ ମୋର କଳା ଶିକ୍ଷାର ଗୁରୁ । ତାଙ୍କ ନିକଟରେ ଦୀର୍ଘ୧୬ ବର୍ଷ ରହି କାମ କରିଛି । ମଝିରେ ଗୁରୁଙ୍କ ଅନୁମତି କ୍ରମେ ୧୯୭୩ ରୁ ୭୫ ଯାଏଁ ଦୁଇ ବର୍ଷ ରାଜ୍ୟ ହସ୍ତକଳା ତାଲିମ କେନ୍ଦ୍ରରେ ପଥର ଖୋଦେଇ ତାଲିମବି ଶେଷ କରିଛି । ଆଜି ମୁଁ ଯାହାବି କାମ କରୁଛି, ଗୁରୁଙ୍କ ନିକଟରୁ ପାଇଥିବା ଶିକ୍ଷା ଓ ମୋ ଅନୁଭବର ଏକ ଫେଣ୍ଟା ଫେଣ୍ଟି ରୂପ । ଏ ଥିଲା ଅଳ୍ପରେ ଶିଳ୍ପୀ ଧ୍ରୁବ ସ୍ୱାଇଁଙ୍କ ମନର କଥା ।

ବାପା ଭଗବାନ ସ୍ୱାଇଁ ଓ ମା କଢି ସ୍ୱାଇଁଙ୍କ କୋଳ ମଣ୍ଡନ କରି ୧୮ ଜାନୁୟାରୀ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଶିଳ୍ପୀ ଧ୍ରୁବଚରଣ ସ୍ୱାଇଁ । ଏମିତି ନିହାଣ ଓ ହାତୁଡି ସହାୟତାରେ ପଥର ସହ କସରତ କରୁ କରୁ ସେ ପାଲଟିଯ।।ଇଛନ୍ତି ଆମ ରାଜ୍ୟର ଜଣେ ସୁନାମ ଧନ୍ୟ ଭାସ୍କର୍ଯ୍ୟ ଶିଳ୍ପୀ । ୧୯୮୪ ମସିହାରେ ସୁଦର୍ଶନ ସାହୁଙ୍କ ଘର ଛାଡି ନିଜ ଗାଁରେ ସେ କିଛିଦିନ ପାଇଁ କାରିଗରି ଆରମ୍ଭ କଲେ । ଗାଁର ଆଗ୍ରହୀ ପିଲାମାନଙ୍କୁ ପଖରେ ରଖି କାମ ଶିଖାଇଲେ । ଟିକେ ଆର୍ଥିକ ସ୍ୱଚ୍ଛଳ ହେବା ପରେ ପୁରୀ କୋଣାର୍କ ମେରାଇନ ରୋଡର ବାଲିଘାଇ ଛକ ନିକଟରେ ଧ୍ରୁବ ନିଜର କର୍ମଶାଳା ସ୍ଥାପନା କଲେ । ରାସ୍ତା କଡକୁ ଲାଗି ଧାଡିକି ଧାଡି ସଜା ହୋଇଥିବା ଦେବଦାସୀ ମୂର୍ତ୍ତି ସବୁ ସ୍ୱତଃ ପର୍ଯ୍ୟଟକଙ୍କୁ ତାଙ୍କ କର୍ମଶାଳା ପ୍ରତି ଆକୃଷ୍ଟ କରେ । ତାଙ୍କର ପ୍ରତି କଳାକୃତି ଉତ୍କଳୀୟ କଳା ଶୈଳୀର ଏକ ସୁନ୍ଦର ସୁନ୍ଦର ନିଦର୍ଶନ ।

ହିନ୍ଦୁ ଦେବୀ ଦେବତା, ଦେବଦାସୀ, ପାର୍କର ସାଜସଜ୍ଜା ଓ ବୁଦ୍ଧ ମୂର୍ତ୍ତି ଗଢିବାରେ ଧ୍ରୁବଙ୍କର ରହିଛି ବେଶ ଦକ୍ଷତା । ଖାଲି ସେତିକି ନୁହେଁ, ରାଜ୍ୟର କେଇ ଜଣ ହାତ ଗଣତି ମନ୍ଦିର ସ୍ଥପତିଙ୍କ ମଧ୍ୟରେ ଧ୍ରୁବ ସ୍ୱାଇଁଙ୍କର ନାମ ଶ୍ରଦ୍ଧାର ସହ ନିଆଯାଏ । ରାଜ୍ୟ ତଥା ଦେଶ ବାହାରେ ତାଙ୍କର ଅନେକ କଳାକୃତି ଶୋଭା ପାଉଛି । ମେ ଫେୟାର ହୋଟେଲର ପ୍ରତିଷ୍ଠାତା ଦିଲ୍ଲିପ ରାୟ ତାଙ୍କର ଜଣେ ଉଚ୍ଚ ପ୍ରଶଂସକ । ପୁରୀ, ଭୁବନେଶ୍ୱର, ଗୋଆ, ଦାର୍ଜିଲିଂ, ଗ୍ୟାଂଗଟକ ଆଦି ସ୍ଥାନରେ ମେ ଫେୟାର ଗ୍ରୁପର ଯେତେ ସବୁ ହୋଟେଲ ରହିଛି ସବୁଠି ଶୋଭ ବଢାଉଛି ଧ୍ରୁବଙ୍କ ହାତ ତିଆରି କଳାକୃତି । ଖାଲି ସେତିକି ନୁହେଁ ଋଷିଆର କିଛି ସ୍ଥାନରେ ମଧ୍ୟ ତାଙ୍କର ସ୍ଥାପତ୍ୟ ସବୁ ଲୋକଙ୍କ ମନ ମୋହୁଛି ।

ଇତି ମଧ୍ୟରେ ୭୦ରୁ ଉର୍ଦ୍ଦ ପିଲାଙ୍କୁ ନିଜ ପାଖରେ କାମ ଶିଖାଇ ସ୍ୱାବଲମ୍ବୀ କରି ପାରିଛନ୍ତି ଧ୍ରୁବ ସ୍ୱାଇଁ । କିଛି ବର୍ଷ ହେବ ଶ୍ରମ ବିଭାଗର ଧରପଗଡ ହେତୁ ଛୋଟ ପିଲାମାନଙ୍କୁ ନିଜ ପାଖରେ ରଖି କାମ ଶିଖାଇବା ସେ ବନ୍ଦ କରି ଦେଇଛନ୍ତି । ଶ୍ରମ ବିଭାଗର ଅଧିକାରୀ କାହୁଁ ଜାଣିବେ ବାଲ୍ୟ କାଳରୁ ହିଁ ଗୁରୁଙ୍କ ଘରେ ରହି କଳା ଶିକ୍ଷା କରିବାକୁ ପଡେ ବୋଲି! ନିରଳସ ମଣିଷଟିଏ ସେ । ୬୭ ବର୍ଷ ବୟସରେ ବି ବେଶ ଚଳଚଞ୍ଚଳ ସେ । କାରିଗରୀକୁ ନିଜର କର୍ମ,ଧର୍ମ ଓ ପୂଜା ବୋଲି ମାନି ଜୀବନର ବାକି ବାଟ ତକ ଚାଲିବାକୁ ଇଚ୍ଛା କରନ୍ତି ଶିଳ୍ପୀ ଧ୍ରୁବ ଚରଣ ।

ପାରମ୍ପରିକ ଶିଳ୍ପକଳା ଜଗତକୁ ଶିଳ୍ପୀଙ୍କ ଅବଦାନ ଅତୁଳନୀୟ । ଏହାକୁ ଅନୁଭବ କରି ୨୦୧୭ ମସିହାରେ ଶିଳ୍ପୀ ଧ୍ରୁବଚରଣଙ୍କୁ ଓଡିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ ଶିଳ୍ପୀଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ସମ୍ପାଦକ
ଓଡିଶା ଶିଳ୍ପୀ ମହାସଙ୍ଘ
ମୋ -୯୩୩୮୪୬୪୭୧୯

Leave A Reply

Your email address will not be published.