Latest Odisha News

BREAKING NEWS

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ

ଲକ୍ଷ୍ମଣ ସାହୁ 

ଭାରତୀୟଙ୍କ ଅହର୍ନିଶ ଅସୀମ ଲଢେ଼ଇ, ଦୃଢ ମନୋବଳ, ଗଭୀର ଆତ୍ମବିଶ୍ବାସ ଦିନେ ନା ଦିନେ ସ୍ୱାଧୀନତାର ସ୍ୱାଦ ଭରିଦେବ ଏକଥା କାହାକୁ ଅଛପା ନଥିଲା । ଜାତୀୟ ଦଳ ସମୂହର ରାଜନୈତିକ କୌଶଳଗତ କ୍ରିୟାକଳାପ ନହେଲେ ମଧ୍ୟ ଶ୍ରମଜୀବୀ ଜନଗଣଙ୍କ ବ୍ୟାପକ ଆନ୍ଦୋଳନ ଯୋଗୁଁ ଔପନିବେଶକ ସରକାରଙ୍କୁ ଶେଷରେ ହାରିବାକୁ ପଡିଥିଲା , ସେମାନେ ସ୍ୱଦେଶ ପଶ୍ଚାଦ୍ପସରଣ କରିବାକୁ ବାଧ୍ୟ ହୋଇଥିଲେ । ବିଶେଷ କରି ୧୯୪୬ ଓ ୧୯୪୭ ଖ୍ରୀଷ୍ଟାଦ୍ଦରେ ଭାରତର କ୍ରମାଗତ ଅବନତ ଅର୍ଥନୈତିକ ପରିସ୍ଥିତି ସହର ଓ ଗ୍ରାମାଞ୍ଚଳର ଗଣ ଆନ୍ଦୋଳନ ପ୍ରତି ଉଦ୍ଦୀପନା ଅଧିକ ଭାବରେ ଯୋଗାଇ ଦେଉଥିଲା ।

ସ୍ୱାଧୀନତାର ପୂର୍ବାକାଶରେ ନବୀନ ସୂର୍ଯ୍ୟୋଦୟ , ଐତିହାସିକ ଘଟଣାର ଇତିହାସ ଲିପିବଦ୍ଧ ହେବାର ଆଭାସ ଦେଖାଦେଇଥିଲା । ଇତିହାସକୁ ଦୃଷ୍ଟିରେ ରଖି ବିବେଚନା କଲେ ୧୯୪୬ ଖ୍ରୀଷ୍ଟାବ୍ଦର ଗ୍ରୀଷ୍ମ ଓ ଶରତ କାଳରେ ଦକ୍ଷିଣ-ଭାରତୀୟ ରେଳପଥ ଓ ଉତ୍ତର-ପଶ୍ଚିମ ରେଳପଥ ସମେତ ବଙ୍ଗଳା , ମାନ୍ଦ୍ରାଜ , ନାଗପୁର ଆଦି ଶିଳ୍ପାୟନ କଳକାରଖନାରେ ଧର୍ମଘଟ ସଂଘଟିତ ଘଟିଥିଲା । ତ୍ରିଭାଙ୍କୁର ଓ କୋଚିନରେ ନଡିଆ ପ୍ରସେସିଂ ଶିଳ୍ପରେ ଧର୍ମଘଟ ଘଟିଥିବା ବେଳେ ପୁନ୍ନପ୍ରା ଓ ଭୋଲାରରେ ପୁଲିସ ସହ ସଶସ୍ତ୍ର ସଂଘର୍ଷ ଦେଖା ଦେଇଥିଲା । ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ମହୀଶୂର ଓ ହାୟଦରାବାଦରେ ଏହା ବ୍ୟାପକ ଆକାର ଧାରଣ କରିଥିଲା । ଏହି ଧର୍ମଘଟଗୁଡିକରେ ପ୍ରାୟ କୋଡିଏ ଲକ୍ଷ ଶ୍ରମିକ ଯୋଗ ଦେଇଥିଲେ । ୧୯୪୭ ଖ୍ରୀଷ୍ଟାବ୍ଦର କାନପୁର ଓ କଲିକତାରେ ଧର୍ମଘଟ ନାଟକୀୟ ରୂପ ନେଇଥିଲା । ଧର୍ମଘଟକାରୀମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିବା ପ୍ରତିବାଦରେ ଦୁଇ ସହରରେ ହରତାଳ କରାଯାଇଥିଲା । ଯାହାର ପ୍ରତିଫଳନ ଗ୍ରାମ୍ୟ ଜନସାଧାରଣଙ୍କ ଉପରେ ପଡିବା ଦ୍ବାରା ସେମାନେ ସଂଗ୍ରାମରେ ମଧ୍ୟ ଯୋଗଦେଇଥିଲେ । ଏପରିକି ପ୍ରତ୍ୟେକ ପ୍ରଦେଶରେ ସ୍ୱତଃସ୍ଫୁର୍ତ୍ତ ଭାବରେ କୃଷକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେସମୟରେ କେତେକ ଜିଲ୍ଲାରେ ଜମିଦାର ଓ ପୁଲିସ ମଧ୍ୟରେ ସଂଘର୍ଷ ବ୍ୟାପକ ରୂପ ଧାରଣ କରିଥିଲା । ସମ୍ଭାବ୍ୟ କୃଷି ସଂସ୍କାର ଭୟରେ ଜମିଦାରମାନେ ସେଠାରେ ରଇତ ଚାଷୀମାନଙ୍କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସଂଘର୍ଷ କରିବାକୁ ପ୍ରୟାସ କରିଥିଲେ , ଯାହା ସେମାନଙ୍କର କେବଳ ସଂସ୍କାରର ପ୍ରସ୍ତୁତି ପର୍ବ ଥିଲା ।

ଐତିହାସିକ ତଥ୍ୟାନୁସାରେ ବଙ୍ଗଳାର ଗ୍ରାମାଞ୍ଚଳରେ ସେତେବେଳେ ତେଭାଗା ଆନ୍ଦୋଳନ ଅତି ମାତ୍ରାରେ ଅଗ୍ନିସମ ମାଡି ଯାଇଥିଲା । ଉତ୍ପନ୍ନ ଫସଲର ଏକ ତୃତୀୟାଂଶକୁ ଖଜଣାର ପରିମାଣ କମାଇବା ପାଇଁ ଚାଷୀମାନେ ଅସନ୍ତୋଷ ଥିବା ହେତୁ ଆନ୍ଦୋଳନ କରିଥିଲେ । ଯାହାର ପ୍ରଭାବ ଏଗାରଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ବ୍ୟାପିଯାଇଥିଲା । ପିଟୁଣି ପୁଲିସ୍ ଓ ଜମିଦାରମାନଙ୍କ ଭଡାଟିଆ ଦଲାଲ ଓ ଗୁଣ୍ତାମାନଙ୍କ ବିପକ୍ଷରେ ଏହା ରୀତମତ ଗରିଲା ଯୁଦ୍ଧର ଆକାର ନେଇଥିଲା । ଏଭଳି ଏହା ବଢ଼ିବାରେ ଲାଗିଲା ଯେ ମୁହୂର୍ତ୍ତକ ଭିତରେ ଏହି ଆନ୍ଦୋଳନକାରୀଙ୍କ ସଂଖ୍ୟା ପଚାଶ ଲକ୍ଷରୁ ଅଧିକ ଟପି ଯାଇଥିଲା । ତେଣୁ ବଙ୍ଗଳାର ବିଧାନସଭା ଭାଗ ଚାଷୀମାନଙ୍କ ସ୍ୱାର୍ଥାନୁକୂଳରେ ଆଇନ ପାଶ କଲାପରେ ଆନ୍ଦୋଳନର ଅନ୍ତ ଘଟିଲା । ସେଭଳି ପଞ୍ଜାବର ଲୟାରପୁର ଜିଲ୍ଲା କୃଷକ ଆନ୍ଦୋଳନର କେନ୍ଦ୍ର ଥିଲା । ବିଶେଷତଃ ରଇତ ଚାଷୀମାନେ ଖଜଣା ଓ ବାକିଆ ଋଣ ଛାଡ଼ ପାଇଁ ଦାବି କରିଥିଲେ । ବମ୍ବେ ପ୍ରଦେଶରେ ଓୟାର୍ଲି ଉପଜାତି ମହାଜନ ମାନଙ୍କ ବିପକ୍ଷରେ ଆନ୍ଦୋଳନ ଘଟିବା ଫଳରେ ପ୍ରାୟ ଏକହଜାରରୁ ଉର୍ଦ୍ଧ୍ବ ଓୟାର୍ଲି ମହାଜନ ୠଣମୁକ୍ତ ହୋଇଥିଲେ ।

ବାସ୍ତବରେ କୃଷକମାନଙ୍କ ଅବିଚଳିତ ପ୍ରତିରୋଧ ଫଳରେ ସେମାନେ ପଳାୟନର ଘଟିବାର ସହାୟକ ହେଲା । ହାଇଦ୍ରାବାଦ ତେଲୁଗୁ ଅଞ୍ଚଳରେ ସାମନ୍ତବାଦୀ ନିର୍ଯାତନା ସହ ଯୁକ୍ତ ଥିଲା ଧର୍ମୀୟ ଓ ବର୍ଣ୍ଣଗତ ବୈଷମ୍ୟ ମୂଳକ ଆଚରଣ । ଏପରିକି ଜନସାଧାରଣ ହାଇଦ୍ରାବାଦର ନିଜାମଙ୍କ କର୍ମଚାରୀ ମାନଙ୍କୁ ବିତାଡିତ କରି ଗଣ ଶାସନ ସଂସ୍ଥା ବା ପଞ୍ଚାୟତ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ । ସେତେବେଳେ ହାଇଦ୍ରାବାଦର ଘଟଣାବଳୀର ପ୍ରଭାବ କାଶ୍ମୀରର ସାମନ୍ତବାଦୀ ଶାସକମାନଙ୍କ ବିପକ୍ଷରେ କୃଷକ ମାନଙ୍କ ଅଭ୍ୟୁତ୍ଥାନ ଦେଖାଦେଇଥିଲା । ଜମ୍ବୁ ଓ କାଶ୍ମୀର ନେସନାଲ କନଫରେନ୍ସ ଦ୍ବାରା ଆୟୋଜିତ ଵିକ୍ଷୋଭରେ ରାଜ ଶାସନର ଅବସାନ ଦାବି କରିଥିଲେ । ଏଖବର ପବନ ବେଗରେ ବ୍ୟାପିଯାଇଥିଲା ଏଭଳିଯେ କାଶ୍ମୀରର ଗ୍ରାମାଞ୍ଚଳରେ କାଶ୍ମୀରୀ ଛାଡ଼ ଧ୍ୱନି ଜନପ୍ରିୟ ପାଲଟି ଯାଇଥିଲା । ଯାହା ଫଳରେ ଖଜଣା ବନ୍ଦ ଆନ୍ଦୋଳନ କୃଷକମାନଙ୍କୁ ଉତ୍ସାହିତ କରିଥିଲା । ସେହିପରି କାଶ୍ମୀରର ରାଜା ଏବଂ ରାଜାଙ୍କ ଶାସନ ଚକ୍ରର ପ୍ରଧାନ ମାନେ ହିନ୍ଦୁ ଓ ଏମାନଙ୍କ ଵିରୋଧ ପକ୍ଷ ମୁସମଲମାନ ହୋଇଥିବାରୁ କାଶ୍ମୀରରେ କ୍ରମବର୍ଦ୍ଧମାନ ଉତ୍ତେଜନା ଦେଖା ଦେଇଥିଲା । ବିଶେଷ ଭାବରେ ଏହା ନିହିତ ଥିଲା ଭାରତର ଅବଶିଷ୍ଟ ଅଂଶ ଉପରେ ହିନ୍ଦୁ ମୁସଲମାନ ସଂପର୍କ କ୍ଷେତ୍ରରେ ବିରୂପ ପ୍ରତିକ୍ରିୟା ସୃଷ୍ଟିର ସମ୍ଭାବନା । ଏସବୁର ବୁଝାମଣା ପାଇଁ ୧୯୪୬ ଖ୍ରୀଷ୍ଟାବ୍ଦରେ ନେହେରୁ କାଶ୍ମୀର ଗ୍ରସ୍ତ ଥିବା ବେଳେ ସେଠାକାର ରାଜାଙ୍କ ନିର୍ଦ୍ଦେଶରେ ପୁଲିସ ଦ୍ବାରା ଗିରଫ ହୋଇଥିଲେ । ଫଳସ୍ୱରୂପ ଏହାର ପ୍ରତିବାଦ ସମଗ୍ର କାଶ୍ମୀରରେ ହରତାଳ ପାଳିତ କରାଯାଇଥିଲା ଓ ଶେଷରେ ସେ ମୁକ୍ତ ହୋଇଥିଲେ ।

ଏସବୁ ପରିପ୍ରେକ୍ଷୀରେ ରାଜ୍ୟଗୁଡିକର ପ୍ରତିନିଧିତ୍ଵର ସମସ୍ୟା ଆଲୋଚନା ଲାଗି ୧୯୪୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସରେ ଏକ କମିଟି ଗଠନ କରାଯାଇ ନିର୍ଦ୍ଧାରଣ ହେଲାଯେ , ପ୍ରତିନିଧିମାନଙ୍କ ମଧ୍ୟରୁ ଅର୍ଦ୍ଧେକ ନିର୍ବାଚିତ ଓ ଅର୍ଦ୍ଧେକ ରାଜାଙ୍କ ଦ୍ବାରା ମନୋନୀତ ହେବେ । ସେହି ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ପ୍ରଜା ପରିଷଦର ଗୋଆଲିଅର ସମ୍ମେଳନରେ ସାଧାରଣ ଗଣତାନ୍ତ୍ରିକ ଆନ୍ଦୋଳନରେ ଦେଶୀୟ ରାଜ୍ୟଗୁଡିକର ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରିବାର ବାସ୍ତବ ଚିତ୍ର ସ୍ପଷ୍ଟ ହୋଇଥିଲା । ଯାହାଫଳରେ ଦେଶରେ ଏକ। ବୈପ୍ଳବିକ ପରିସ୍ଥିତି ପରିପକ୍ୱ ଲାଭ କରିଥିଲା । ଜନସାଧାରଣଙ୍କ ସଶସ୍ତ୍ର ସଂଗ୍ରାମ ଫଳରେ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ପ୍ରତିଷ୍ଠିତ ରାଜନୈତିକ ବ୍ୟବସ୍ଥାଯେ ସହଜରେ ଭୂଲୁଣ୍ଠିତ ହେବ , ଏଥିରେ ସନ୍ଦେହର ଅବକାଶ ନଥିଲା ।

ଭାରତମାଟିରୁ ପ୍ରତ୍ୟାବର୍ତ୍ତନ , ଭାରତ ତ୍ୟାଗ କରିବାର ଅବ୍ୟବହିତ ପୂର୍ବରୁ ନିଜର ଅଧିକାରକୁ ବଜାଏ ରଖିବାର ଶେଷ ଚେଷ୍ଟା କରିବାକୁ ଯାଇ ବ୍ରିଟିଶ ସାମ୍ରାଜ୍ୟବାଦୀମାନେ ଦେଶ ବିଭାଗ ଉପରେ ସେମାନଙ୍କ ଶେଷ ଆଶା ନ୍ୟସ୍ତ କରିଥିଲେ । ଏପ୍ରିଲ ମାସରେ ମାଉଣ୍ଟବ୍ୟାଟେନ ଭାରତରେ ପହଞ୍ଚି ଭାରତକୁ ଦୁଇଟି ଦେଶରେ ବିଭକ୍ତ କରିବାର ପରିକଳ୍ପନା କରିଥିଲେ । ତାଙ୍କ ପରିକଳ୍ପନାର ରୂପରେଖ ଥିଲା : ପ୍ରଥମତଃ ଏହି ଉପମହାଦେଶରେ ଦୁଇଟି ଡୋମିନିଅନ – ଭାରତୀୟ ପ୍ରଜାତନ୍ତ୍ର ଓ ପାକିସ୍ତାନ ପ୍ରତିଷ୍ଠିତ କରିବା । ଦ୍ୱିତୀୟତଃ ପଞ୍ଜାବ ଓ ବଙ୍ଗଳାକୁ ଧର୍ମୀୟ ଭିତ୍ତିରେ ବିଭାଗ କରିବାର ବିଷୟଟି ବ୍ୟାପକ ସଂଖ୍ୟକ ହିନ୍ଦୁ ଓ ମୁସଲମାନ ବାସିନ୍ଦାଙ୍କ ଦୃଷ୍ଟିରୁ ସଂଶିଷ୍ଟ ପ୍ରଦେଶମାନଙ୍କ ସଦସ୍ୟମାନେ ଅଲଗା ଭୋଟ ମାଧ୍ୟମରେ ନିର୍ଦ୍ଧାରଣ କରିବା । ତୃତୀୟତଃ ମୁସଲମାନ ସଂଖ୍ୟା ଗରିଷ୍ଠ ଊତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ଆସାମର ଶ୍ରୀହଟ ଜିଲ୍ଲାରେ ଗଣଭୋଟ କରିବା । ଚତୁର୍ଥତଃ ପ୍ରାଦେଶିକ ବିଧାନ ସଭା ଭୋଟ ମାଧ୍ୟମରେ ସିନ୍ଧୁ ପ୍ରଦେଶର ଭବିଷ୍ୟତ ନିର୍ଦ୍ଧାରଣ କରାଯିବ । ପଞ୍ଚମରେ ଦୁଇଟି ଡୋମିନିଅନ ମଧ୍ୟରୁ ଯେକୌଣସି ଗୋଟିକରେ ଦେଶୀୟ ରାଜ୍ୟଗୁଡିକର ଯୋଗଦାନ ବିଷୟ ସଂଶ୍ଳିଷ୍ଟ ଦେଶୀୟ ରାଜ୍ୟର ଅକ୍ତିଆର ଭୁକ୍ତ କରିବା ଓ ଷଷ୍ଠରେ ସମ୍ବିଧାନ ସଭା ଦୁଇଟି ଡୋମିନିଅନର ଗୋଟିଏ କରି ସଂସଦକୁ ନେଇ ଗଠିତ ହେବ ! ଏମାନେ ଦୁଇ ଦେଶର ଭବିଷ୍ୟତ ମର୍ଯ୍ୟାଦାର ପ୍ରଶ୍ନ ଉପରେ ଆଲୋଚନା କରିବେ ।

ବାସ୍ତବରେ ମୁସଲିମ୍ଲିଗର ସମର୍ଥନ ପ୍ରାପ୍ତ ବ୍ରିଟିଶ ସରକାର ଯେକୌଣସି ମୂଲ୍ୟରେ ଦେଶ ବିଭାଗ କରିବାକୁ ଯେ ବଦ୍ଧପରିକର , ଏହା ବୁଝିବା ପରେ କଂଗ୍ରେସ ଅତିରିକ୍ତ ରକ୍ତପାତ ଏଡାଇ ନେବାପାଇଁ ମାଉଣ୍ଟବ୍ୟାଟେନ ପରିକଳ୍ପନାକୁ ଗ୍ରହଣ କରିନେଇଥିଲା ।

ଐତିହାସିକ ତଥ୍ୟାନୁସାରେ ୧୯୪୭ ଖ୍ରୀଷ୍ଟାବ୍ଦ ଜୁନ ମାସରେ ନିଖିଳ ଭାରତ କଂଗ୍ରେସ କମିଟିରେ ୧୫୭ ବନାମ ୬୧ଟି ଭୋଟରେ ବ୍ରିଟିଶ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ସହ ମୁସଲିମ୍ ଲୀଗ୍ ବଂଗଳା ଓ ପଞ୍ଜାବକୁ ଅଖଣ୍ଡ ଅବସ୍ଥାରେ ପାକିସ୍ତାନ ଭୁକ୍ତ କରିବାକୁ ଦାବି କରିଥିଲା । ପଞ୍ଜାବ ଓ ବଙ୍ଗଳାରେ ଭୋଟଗ୍ରହଣ ବେଳେ “ହିନ୍ଦୁ” ଇଲାକାର ସଦସ୍ୟମାନେ କଂଗ୍ରେସର ସିଦ୍ଧାନ୍ତ ଅନୁସାରେ ଏହି ଦୁଇ ପ୍ରଦେଶ ବିଭାଗର ସପକ୍ଷରେ ଓ ମୁସଲମାନ ଜିଲ୍ଲା ଗୁଡିକର ସଦସ୍ୟମାନେ ବଙ୍ଗଳା ଓ ପଞ୍ଜାବ ବିଭାଗ ବିରୋଧରେ ଭୋଟ ଦେଇଥିଲେ । ସିନ୍ଧୁ ପ୍ରଦେଶ ପରିଷଦର ଭୋଟ ଓ ଉତ୍ତର- ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ଶ୍ରୀହଟ ଜିଲ୍ଲାର ଗଣଭୋଟର ଫଳ ଏହିସବୁ ଇଲାକାର ପାକିସ୍ତାନ ମଧ୍ୟରେ ଅନ୍ତର୍ଭୁକ୍ତ ସପକ୍ଷରେ ଯାଇଥିଲା । ଏଥିସହ ଅବ୍ ଦୁଲ ଗଫର ଖାଁଙ୍କ କେତେକ ଦାବିକୁ ମାଉଣ୍ଟବ୍ୟାଟେନ ପ୍ରତ୍ୟାଖ୍ୟାନ କରିଥିଲେ । ମୋଟ ଜନସଂଖ୍ୟାର ଶତକଡା ୧୫ଭାଗ ଭୋଟାଧିକାରୀମାନଙ୍କର ବ୍ୟାପକ ସଂଖ୍ୟା ଗରିଷ୍ଠ ଅଂଶ ଏହି ଗଣ ଭୋଟର ସପକ୍ଷରେ ଥିଲେ ।

ଭାରତୀୟମାନଙ୍କ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ, ମୁକ୍ତିର ଆନନ୍ଦ , ସ୍ୱାଧୀନତାର ସ୍ୱପ୍ନ ସାକାର ହେଲା । ୧୯୪୭ ଖ୍ରୀଷ୍ଟାବ୍ଦର ଅଗଷ୍ଟ ମାସ ୧୫ ତାରିଖରେ ବ୍ରିଟିଶ ପାଲିଆମେଣ୍ଟ ମାଉଣ୍ଟବ୍ୟାଟେନଙ୍କ ପରିକଳ୍ପନାକୁ ଭାରତର ସ୍ୱାଧୀନତାର ଆଇନ୍ ହିସାବରେ ଅନୁମୋଦନ ପ୍ରଦାନ କରାଯାଇ ସେହି ଅମୃତ ମାହେନ୍ଦ୍ର ବେଳାରେ ଆଇନ୍ ରେ ପରିଣତ କରାଯାଇଥିଲା । ସେହି ଦିନ ଐତିହାସିକ ଲାଲ କିଲାରେ ଜବାହରଲାଲ ନେହେରୁ ପ୍ରଥମ ଥର ପାଇଁ ଭାରତୀୟ ଗୌରବ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତୀୟ ସ୍ୱାଧୀନତା ମୁକ୍ତି ସଂଗ୍ରାମୀମାନଙ୍କର ବହୁ ଆକାଂକ୍ଷିତ ମାହେନ୍ଦ୍ର ମୁହୂର୍ତ୍ତ ଗଗନ ପବନକୁ ଜାତୀୟ ସଂଗୀତ ” ଜନଗଣ ମନଗଣ ଅଧିନାୟକ.. ଜୟ ହେ ” ପ୍ରକମ୍ପିତ କରି ଉଠିଥିଲା । ବହୁ ପୁରୁଷ ପୁରୁଷ ଧରି ବୀରତ୍ବପୂର୍ଣ୍ଣ ସଂଗ୍ରାମର ପୂର୍ଣ୍ଣଚ୍ଛେଦ ଘଟି ଅବଶେଷରେ ବିଜୟ ମଣ୍ତିତ ହେଲା । ଜାତୀୟ ବିପ୍ଳବର ଏହି ସାଫଲ୍ୟ ଠାରୁ ଭାରତ ବର୍ଷର ଇତିହାସରେ ନବ ଯୁଗର ଅୟାରମ୍ଭ ହେଲା , ସ୍ୱାଧୀନ ବିକାଶ ପର୍ଯାୟର ସୂତ୍ରପାତ ଘଟିଲା , ଯାହା ଅବିସ୍ମରଣୀୟ ଦିବସ ..!!!

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୪୩୭୭୪୦୨୮୦
Email : Laxmansahoo9040 @ gmail.com

Leave A Reply

Your email address will not be published.