Latest Odisha News

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩

ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି ସମ୍ପର୍କୀୟ ଖବର ଟବର ଜାଣିବାକୁ, ତାରକାଙ୍କ ଅଲଗା ଅଲଗା ଫଟୋ ଦେଖିବାକୁ ଏବଂ ବିଜ୍ଞାପନ ଆକାରରେ ନୁହେଁ, ଖବର ଭାବେ ଚଳଚ୍ଚିତ୍ର କଥା ଜାଣିବାକୁ ପତ୍ରିକା ପୃଷ୍ଠା ଓଲଟା ଯାଉଥିଲା । କିନ୍ତୁ ତେବେ ବି ଓଡ଼ିଆରେ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକା ଆଙ୍ଗୁଠି ଅଗରେ ଗଣିଦେଇ ହେଉଥିଲା । ‘ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ବ୍ୟାବସାୟିକ ଦିଗ ଦୁର୍ବଳ ଓ ଏହାର ସାହିତ୍ୟିକ ମୂଲ୍ୟବୋଧ ପ୍ରାୟତଃ ନାହିଁ’ ଏହି ଚର୍ଚ୍ଚା ହେଉଥିଲା ଏବଂ ସେଥିପାଇଁ ଅନେକ ଚଳଚ୍ଚିତ୍ର ପତ୍ରିକା ସ୍ୱଳ୍ପାୟୁ ଥିଲେ । ‘ଚିତ୍ରପୁରୀ’ କିନ୍ତୁ ଥିଲା ଦୀର୍ଘାୟୁ !

ଦୀର୍ଘାୟୁ ହେବାର ଅନ୍ୟତମ କାରଣ ଥିଲା ଏହାର ଭାଷା ଓ ପରିବେଷଣ ଶୈଳୀ । ଏହି ଶୈଳୀକୁ ‘ଚଳଚ୍ଚିତ୍ର ପାଇଁ ସାହିତ୍ୟ’ ବୋଲି କୁହାଯାଇପାରେ । ଯେତିକି ପରିିମାଣରେ ଜନମନ ରଞ୍ଜନ ହୋପାରେ, ସର୍ବଜନ ସ୍ୱାଦ ହୋଇପାରେ ସେତିକି କରାଯିବା ହିଁ ‘ଚଳଚ୍ଚିତ୍ର ପାଇଁ ସାହିତ୍ୟ’ର ଆଧାର । ଚଳଚ୍ଚିତ୍ର ସାହିତ୍ୟ ଓ ସମ୍ବାଦିକତା ଉଭୟକୁ ନେଇ ପରୀକ୍ଷାନିରୀକ୍ଷା କରିବାରେ ‘ଚିତ୍ରପୁରୀ’ ଥିଲା ସର୍ବ ପ୍ରଥମ । ଚଳଚ୍ଚିତ୍ର ସାହିତ୍ୟ ‘ଲଘୁଧର୍ମୀ’ ହେଲେ ବି ଏହାର ପରିବେଷଣରେ ଖର୍ଚ୍ଚ ଅଧିକ । ଖାଲି ଧଳା କାଗଜରେ କଳା ଅକ୍ଷରରେ ଛବି, ଖବର, ଛବିକଥା, ଚଳଚ୍ଚିତ୍ର ଆଲୋଚନା ଛାପି ଦେଲେ ଯେ ଆଗ୍ରହୀ ପାଠକ/ ପାଠିକା ପୁଲକିତ ହେବେ ଏକଥା ନୁହେଁ । ଏଥିପାଇଁ ରୀତିମତ ରଙ୍ଗଢ଼ଙ୍ଗ,ସାଜସଜ୍ଜା ବି ଜରୁରି । ମୋଟାମୋଟି ଏକ ସଚିତ୍ର ପରିବେଷଣ ଦରକାର । ରଙ୍ଗିନ ଛବି ତ ନିହାତି ଦରକାର । କିନ୍ତୁ ରଙ୍ଗିନ ପାଇଁ ଅର୍ଥ ଦରକାର । ଷାଠିଏ, ସତୁରି, ଅଶି ଦଶକରେ ରଙ୍ଗିନ ଛାପିବା ପାଇଁ ଆହୁରି ଖର୍ଚ୍ଚ । ଏଣୁ ‘ଚିତ୍ରପୁରୀ’ ପ୍ରକାଶକ ଏକ ଭିନ୍ନ ଉପାୟ ପାଞ୍ଚିଲେ । ଚିତ୍ରସବୁକୁୁ ଏକରଙ୍ଗୀ କଲେ । ଅର୍ଥାତ କଳାଧଳା ଚିତ୍ରରେ ଗୋଟିଏ ରଙ୍ଗର ଅସ୍ତରଣ ଦିଆଗଲା । ହୁଏତ ସାଗୁଆ, ନହେଲେ ନୀଳ ନହେଲେ ନାଲି । ଅତଏବ ଭିନ୍ନ ଭିନ୍ନ ରଙ୍ଗର ଅସ୍ତରଣରେ ପୂରା ପତ୍ରିକାଟି ରଙ୍ଗିନ ରଙ୍ଗିନ ଲାଗିଲା କିନ୍ତୁ ପତ୍ରିକାର ଛପା ଏକରଙ୍ଗୀ ଥିଲା । ଏହି ପ୍ରୟୋଗ ଓଡ଼ିଶାର ଚଳଚ୍ଚିତ୍ର ପତ୍ରିକା ପ୍ରକାଶନ କ୍ଷେତ୍ରରେ ବିପ୍ଳବ ଆଣିଲା ।

ସେତେବେଳେ ତ ପ୍ରକାଶନ କ୍ଷେତ୍ରରେ ଛବି ପାଇଁ ବ୍ଳକ୍ ପ୍ରୟୋଗ ହେଉଥିଲା । ବ୍ଳକ୍ ଅର୍ଥ କାଠରେ ତିଆରି ଛବି ଯାହାକୁ ହାତ ଖଞ୍ଜା ଅକ୍ଷର ଟ୍ରେ’ରେ ରଖାଯାଏ । ସେତେବେଳେ କଲିକତାର ଲୋୟର୍ ଚିତ୍‌ପୁରରେ ଏହି ବ୍ଲକ୍ ପ୍ରସ୍ତୁତ ହେଉଥିଲା । ଯେହେତୁ ‘ଚିତ୍ରପୁରୀ’ ନିଜ ମର୍ଜିରେ ଚଳଚ୍ଚିତ୍ରର ପ୍ରଚାର ଡ଼ିଜାଇନ୍ କରୁଥିଲା ଏବଂ ପ୍ରଯୋଜକଙ୍କ ପ୍ରଦତ୍ତ ପ୍ରଚାର ଛବିକୁ କମ୍ ବ୍ୟବହାର କରୁଥିଲା ଏଣୁ ବସନ୍ତ ପଟ୍ଟନାୟକ କଲିକତାର ଲୋୟର୍ ଚିତ୍‌ପୁରକୁ ଯାଇ ବ୍ଲକ୍ ଡିଜାଇନ୍ କରୁଥିଲେ । ଯେଣୁ ଚଳଚ୍ଚିତ୍ର ପତ୍ରିକାର ପ୍ରାଣ ହେଲା ‘ଆଲାକଚିତ୍ର’ ବା ‘ଛବି’ ତେଣୁ ଚିତ୍ରପୁରୀ ତାହା ଉପରେ ପ୍ରାଧାନ୍ୟ ଦେଲା ଓ ନିଜ ପାଇଁ ଏକ ବୃହତ୍ତର ପାଠକ ଗୋଷ୍ଠୀ ଗଢ଼ିବାରେ ସଫଳ ହେଲା ।

ଚଳଚ୍ଚିତ୍ର ସାହିତ୍ୟ ସନ୍ଦର୍ଭରେ ମଧ୍ୟ ‘ଚିତ୍ରପୁରୀ’ ଏକ ଭିନ୍ନ ପ୍ରୟୋଗ ଆରମ୍ଭ କଲା । ଯଦି ଧାଡ଼ିକରେ ସିନେମା ଚଳଚ୍ଚିତ୍ର ସମ୍ବାଦକୁ ଶେଷ କରିଦିଆଯାଏ, ତାହାଲେ ତ କଥା ଶେଷ । ତେଣୁ ରଚନା ଶୈଳୀରେ ବର୍ଣ୍ଣନାର ଆଧିକ୍ୟ ରହିଲା । ଭାଷାର କ୍ଳିଷ୍ଟତା କି ବର୍ଣ୍ଣନାର ଜଟିଳତା ଭିତରେ ଯେମିତି ରଚନାଟି ଅଧିକ ଭାରାକ୍ରାନ୍ତ ନହୁଏ ସେଥିପ୍ରତି ମଧ୍ୟ ତୀକ୍ଷଣ୍ ଦୃଷ୍ଟି ରହିଲା । ସେଥିପାଇଁ ଭିନ୍ନ ଭିନ୍ନ ସ୍ତମ୍ଭର ସଂରଚନା କଲା ‘ଚିତ୍ରପୁରୀ’ । ‘କଳାକାରର ମନ କଥା’, ‘ମୋ ଜୀବନର ଅଲିଭା କାହାଣୀ’, ‘ଚିତ୍ର ତାରକାଙ୍କ କଲମରୁ’, ‘ନିନ୍ଦା ପ୍ରଶଂସା’ ‘କଳାକାରଙ୍କୁ ଖୋଲାଚିଠି’ ଏମିତି ଅନେକ ସ୍ତମ୍ଭ । ଚିତ୍ରତାରକାମାନେ ନିଜେ ସ୍ତମ୍ଭ ଲେଖୁଥିଲେ ଚିଠି ଆକାରରେ ।

ଆପଣମାନଙ୍କର ମନେଥିବ ପୂର୍ବରୁ ମୁଁ ଲେଖିଥିଲି ଯେ ବସନ୍ତ ପଟ୍ଟନାୟକଙ୍କ ଦୁର୍ବଳତା ଥିଲା ବିଭିନ୍ନ ହିନ୍ଦୀ ଚିତ୍ର ତାରକାଙ୍କ ସହ ନିଜ ଛବି ‘ଚିତ୍ରପୁରୀ’ରେ ଛାପିବା । ସର୍ବଭାରତୀୟ ସ୍ତରରେ ଚାଳିଶ/ ପଚାଶ ଦଶକର ଚର୍ଚ୍ଚିତ ଚଳଚ୍ଚିତ୍ର ପତ୍ରିକା ‘ଫିଲ୍ମ ଇଣ୍ଡିଆ’ର ସମ୍ପାଦକ ବାବୁରାଓ ପଟେଲଙ୍କ ଦ୍ୱାରା ସେ ପ୍ରଭାବିତ ହୋଇଥିଲେ ଓ ସତୁରି ଦଶକର ଶେଷ ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ଥିଲା । ସତୁରି ଦଶକରେ ବସନ୍ତ ପଟ୍ଟନାୟକ ଏକ ବିଚିତ୍ର ସ୍ତମ୍ଭ ‘ଚିତ୍ରପୁରୀ’ରେ ଆରମ୍ଭ କଲେ । ‘ଚିତ୍ରପୁରୀ’ର ରଜତ ଜୟନ୍ତୀ ପରେପରେ ଏହି ସ୍ତମ୍ଭ ଆରମ୍ଭ ହେଲା, ସ୍ତମ୍ଭର ନାମ ଥିଲା ‘ଚିତ୍ରପୁରୀ, ବସନ୍ତ ପଟ୍ଟନାୟକ ଓ ମୁଁ’। ଏହି ସ୍ତମ୍ଭ ପାଇଁ ସେତେବେଳ ଓଡ଼ିଶାର ସବୁ ଚିତ୍ରତାରକା ଲେଖିଛନ୍ତି, ‘ଚିତ୍ରପୁରୀ’ର ସବୁ ଲେଖକ ବି ଲେଖିଛନ୍ତି ଆଉ ଓଡ଼ିଶାର ସବୁ ସାଂସ୍କୃତିକ ଧାରାରେ ସମ୍ପୃକ୍ତ ଥିବା ସବୁ ବ୍ୟକ୍ତିବିଶେଷ ବି ଲେଖିଛନ୍ତି। ଆଗାମୀ ସଂଖ୍ୟାରେ ‘ଚିତ୍ରପୁରୀ’ର ଚଳଚ୍ଚିତ୍ର ସାହିତ୍ୟ ଓ ନିରୁତା ସାହିତ୍ୟ ସଂପର୍କରେ ବିଶେଷ ଚର୍ଚ୍ଚା ରହିବ । ଏହି ସଂଖ୍ୟାରେ ସ୍ଥାନିତ ହୋଇଛି ବିଖ୍ୟାତ ତାରକା ହେମାମାଳିନୀଙ୍କ ସହ ଚିତ୍ରପୁରୀର ସମ୍ପାଦକ ବସନ୍ତ ପଟ୍ଟନାୟକଙ୍କ ଛବି, ଯାହା ‘ଚିତ୍ରପୁରୀ’ରେ ଏକାଧିକ ଥର ଛପା ହୋଇଥିଲା ।

Leave A Reply

Your email address will not be published.