Latest Odisha News

BREAKING NEWS

ଚିତ୍ରପୁରୀ : ଅନାମ-ନାମ

ଭାଗ – ୧୦ 

ଏମିତି ଏକ ବିଚିତ୍ର ଶୀର୍ଷକ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ପତ୍ରିକା ଏହା ହିଁ ଥିଲା । ଅନାମଙ୍କ ସଂପର୍କରେ ଛାପୁଥିଲା, ନାମ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପର୍କରେ ବି ଛାପୁଥିଲା । ନିଜେ ସମ୍ପାଦକ ବିଭିନ୍ନ ତାରକାଙ୍କ ସହ ଛବି ଉଠାଇ ଛାପୁଥିଲେ । ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ବ୍ୟାବସାୟିକ ଦିଗ ଦେବାରେ ‘ଚିତ୍ରପୁରୀ’ ହେଉଛି ‘ବତିଘର’ । ସେହି ବତିର ଅଭା ନେଇ ପରେ ଅନ୍ୟ ଚଳଚ୍ଚିତ୍ର ପତ୍ରିକା ବ୍ୟବସାୟ କରିଛନ୍ତି, ‘ଚିତ୍ରପୁରୀ’ ଫର୍ମୁଲାକୁ ଅନୁସରଣ କରିଛନ୍ତି । ସେହି ଫର୍ମୁଲା କ’ଣ ଥିଲା ଜାଣିବା ଆଗରୁ ଆସନ୍ତୁ ଯିବା ‘ଚିତ୍ରପୁରୀ’ର ଜନ୍ମ ଜାତକକୁ ।

ଗତ ସଂଖ୍ୟାରେ ଲେଖିଥିଲି ଯେ ଜଣେ ଓଡ଼ିଆ ତରୁଣ ଚଳଚ୍ଚିତ୍ର ତାରକା ହେବାର ଆଶା ନେଇ ବମ୍ବେ ଯାଇଥିଲେ । ୧୯୫୮ ମସିହାରେ । ଏମିତି ଆଶା ନେଇ ବମ୍ବେ ଆସିଥିବା ଅଧିକାଂଶଙ୍କ ଭାଗ୍ୟ ଯାହା ହୁଏ ତାଙ୍କର ବି ସେୟା ହେଲା । ଷ୍ଟୁଡିଓରୁ ଷ୍ଟୁଡିଓ ଘୁରିଲେ, ଭାଗ୍ୟକୁ ନିନ୍ଦିଲେ, ଅଭିନୟ ସୁଯୋଗ ମିଳିଲା ନାହଁ । ଦିନେ ଫିଲ୍ମସ୍ତାନରେ ସୁଟିଂ ଚାଲୁଥିଲା । ଦିଲୀପ କୁମାର ନାୟକ । ସେହି ସୁଟିଂ ବେଳେ ଯେଉଁମାନେ ଭିଡ଼ରେ ଥିଲେ ମାନେ ଯାହାକୁ ଆଜିକାଲି ‘କ୍ରାଉଡ୍ ଆର୍ଟିଷ୍ଟ’ କୁହାଯାଉଛି, ସେମାନଙ୍କ ଭିତରେ ଥିଲେ ଏହି ଓଡ଼ିଆ ତରୁଣ । ଅଚାନକ ସୁଟିଂ ବନ୍ଦ କରାଗଲା, ‘କ୍ରାଉଡ୍‌’କୁ କୁହାଗଲାଯେ ଜଣେ ଆସିବେ, ଦିଲୀପ କୁମାରଙ୍କୁ ଭେଟିବେ । ଏଣୁ ସୁଟିଂ ବନ୍ଦ । ସୁଟିଂ ବନ୍ଦ? କିଏ ଆସିବେ ଯାହାଙ୍କ ପାଇଁ ସୁଟିଂ ବନ୍ଦ?

ଓଡ଼ିଆ ତରୁଣ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ, ଆହୁରି ଆଶ୍ଚର୍ଯ୍ୟ ହେଲେ ସେତେବେଳେ, ଯେତେବେଳେ ନିଜେ ଦିଲୀପ କୁମାର ଯାଇ ତାଙ୍କୁ ପାଛୋଟି ଆଣିଲେ । କିଏ ସେ? କିଏ ଜଣେ କହିଲେ ସେ ଆର୍‌. କେ. କରଞ୍ଜିଆ, ପ୍ରଖ୍ୟାତ ଚଳଚ୍ଚିତ୍ର ସାମ୍ବାଦିକ । ଚଳଚ୍ଚିତ୍ର ସମ୍ବାଦିକ! ଯାହାଙ୍କ ପାଇଁ ନିଜେ ଦିଲୀପ କୁମାର ଅପେକ୍ଷା କରନ୍ତି, ସୁଟିଂ ବନ୍ଦ ହୋଇଯାଏ, ନିଜେ ଦିଲୀପ କୁମାର ଯାହାଙ୍କୁ ପାଛୋଟି ଆଣନ୍ତି! ତରୁଣଙ୍କ ବିଚାର ବଦଳିଗଲା, ସେ ସ୍ଥିର କଲେ ଚଳଚ୍ଚିତ୍ରରେ ଅଭିନୟ ନହେଲା ନାହିଁ, ଚଳଚ୍ଚିତ୍ର ସାମ୍ବାଦିକ ହେବେ । ହୁଏତ ତାଙ୍କୁ ବି ଏମିତି ତାରକାମାନେ ଅପେକ୍ଷା କରିପାରନ୍ତି । ସେୟା ହେଲା, ୧୯୫୯ରୁ ସେ ବମ୍ବେରୁ ଓଡ଼ିଆରେ ହାତଲେଖା ପତ୍ରିକା ‘ଚିତ୍ରପୁରୀ’ ଆରମ୍ଭ କଲେ । ଛାପିବା ପାଇଁ ଅର୍ଥ ନ ଥାଏ, ନିଜେ ହାତରେ ଲେଖି ତାହାର ଲିଥୋ କରି ବମ୍ବେର ଓଡ଼ିଆମାନଙ୍କୁ ବିକ୍ରି କଲେ । ତିନିଟି ସଂଖ୍ୟା ପ୍ରକାଶିତ ହେଲା । ଳୋକପ୍ରିୟ ହେଲା ।

ବମ୍ବେର କେତେକ ଓଡ଼ିଆ ଆର୍ଥିକ ସାହାଯ୍ୟ ବି କଲେ । ସେମାନଙ୍କ ଲେଖା ବି ପ୍ରକାଶିତ ହେଲା । ‘ଚିତ୍ରପୁରୀ’ର ଜନ୍ମଜାତକ ଲେଖାହେଲା ବମ୍ବେରେ । ଯିଏ ଲେଖିଥିଲେ ସେ ତରୁଣ ଥିଲେ ବସନ୍ତ ପଟ୍ଟନାୟକ । ଆଖିଏ ସ୍ୱପ୍ନ ନେଇ ବମ୍ବେ ଯାଇଥିଲେ ଚଳଚ୍ଚିତ୍ରରେ ଅଭିନୟ କରିବାକୁ, ବମ୍ବେରୁ ଆଖିଏ ସ୍ୱପ୍ନ ନେଇ ଫେରିଆସିଲେ କଟକ । ସେ ସ୍ୱପ୍ନ ଥିଲା ଓଡ଼ିଆରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ସ୍ୱପ୍ନ ।

୧୯୬୦ ମସିହାରେ କଟକରୁ ଛପା ଅକ୍ଷରରେ ପ୍ରକାଶିତ ହେଲା ‘ଚିତ୍ରପୁରୀ’। ବମ୍ବେରୁ ଯେଉଁ ଅନୁଭବ ସେ ଆଣିଥିଲେ, ଓଡ଼ିଶାରେ ବି ସେମିତି କରିବାକୁ ଚାହିଁଲେ । ଏକ: ‘ଚିତ୍ରପୁରୀ’କୁ ଆର୍ଥିକ ସାହାୟତା ପାଇଁ ସେ ପତ୍ରିକାକୁ ଦୁଇ ଭାଗରେ ବିଭକ୍ତ କଲେ । ସିନେମା ଓ ସାହିତ୍ୟ ସମ୍ପର୍କିତ ଲେଖା ଓ ପାରିବାରିକ ଲେଖା । ପାରିବାରିକ ଲେଖା ଅର୍ଥ ସଂସ୍କୃତି ଅନୁରାଗୀ ପରିବାର ଓ ବ୍ୟକ୍ତିବିଶେଷଙ୍କ ରୁଚି ସମ୍ବନ୍ଧିତ ଲେଖା । ଦୁଇ: ଚିଠି ଆକାରରେ ବ୍ୟକ୍ତିଗତ ଅନୁଭବ ଛାପିଲେ, ଯେମିତିକି ଶରତ ପୂଜାରୀଙ୍କ ଚିଠି ବା ଝରଣା ଦାସଙ୍କ ଚିଠି ବା କେଳୁଚରଣ ମହାପାତ୍ରଙ୍କ ଚିଠି। ଶିରୋନାମା ଦେଲେ ‘ବୁଲୁଭାଇଙ୍କୁ ଚିଠି’ ସମ୍ପାଦକ ବସନ୍ତ ପଟ୍ଟନୟକ ଅପେକ୍ଷା ‘ବୁଲୁଭାଇ’ ନାମରେ ସେ ଅଧିକ ପରିଚିତ ହେଲେ । ତିନ: ମଝି ମଝିରେ ବମ୍ବେ ଗଲେ, ତାରକାମାନଙ୍କ ସହ ଚିତ୍ରପୁରୀ ପତ୍ରିକା ଓ ନିଜ ଫଟୋ ପତ୍ରିକାରେ ଛାପିଲେ । ଚାର: ଅନେକ ଓଡ଼ିଆ ତାରକାଙ୍କ ଫଟୋ ଛପା ହେଲା, ଅନେକ ଅନାମ , ଅଚିହ୍ନା ଫଟୋ ବି ଛାପି ଚିହ୍ନା କରାଗଲା । ପାଞ୍ଚ: ଓଡ଼ିଶାର ବିଭିନ୍ନ ସ୍ଥାନରେ ‘ଚିତ୍ରପୁରୀ ନାଇଟ୍‌’ ଆୟୋଜନ କରାଗଲା, ଏଥିରେ ଓଡ଼ିଶାର ଚିତ୍ର ତାରକାମାନେ ଯୋଗଦେଲେ । ପତ୍ରିକାର ପ୍ରଚାର, ପ୍ରସାର ଓ ବ୍ୟବସାୟ ଦିଗରେ ଏହା ଥିଲା ଅଭିନବ ପଦକ୍ଷେପ ।

ଏହିି ସ୍ତମ୍ଭରେ ସ୍ଥାନିତ ହୋଇଛି ତିନିଟି ଛବି, ରାଉରକେଲାରେ ଚିତ୍ରପୁରୀ ନାଇଟ୍‌, ବୁଲୁଭାଇଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ଛବି ଓ ପୁରୁଣା ଚିତ୍ରପୁରୀର ପ୍ରଚ୍ଛଦ ଛବି । ‘ଚିତ୍ରପୁରୀ’ର ବ୍ୟାବସାୟିକ ଓ ମୁଦ୍ରଣ ଫର୍ମୁଲାକୁ ନେଇ ଚର୍ଚ୍ଚା ଆର ସଂଖ୍ୟାରେ ବି ଅବ୍ୟାହତ ରହିବ ।

Leave A Reply

Your email address will not be published.