ଆସ ହେ ପିତୃପୁରୁଷ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଅନେକ ଦିନ ପରେ ଗାଁକୁ ଆସିଛି ଆକାଶ। କହିବାକୁ ଗଲେ ଗତ ଦଶ ବର୍ଷ ହେଲା, ଯଦିଓ ସେ ଗାଁର ଖବର ରଖିଛି, କିନ୍ତୁ ଗାଁକୁ ଆସିବାର ସୁଯୋଗ ପାଇନି। ନିଜ କର୍ମମୟ ଜୀବନ ଭିତରେ ତାକୁ ଯଦିଓ ବାରମ୍ବାର ତା ଗାଁ କଥା ମନେପଡ଼ିଛି, କିନ୍ତୁ ଜଞ୍ଜାଳଗ୍ରସ୍ତ ହୋଇ ଗାଁକୁ ଯାଇପାରିନି ସେ। ଏଥର କେମିତି କଣ କରି ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ରାଜି କରାଇବା ପରେ ସପ୍ତାହେ ପାଇଁ ନିଜ ଗାଁ ରାମପୁରକୁ ଫେରିଛି ଆକାଶ। ଏଥର ସେ ଜାଣିଶୁଣି ପୂରା ଛୁଟିର ଯୋଜନା ଦୀପାବଳିକୁ ନଜରରେ ରଖି କରିଛି। ସେଥିପାଇଁ ସେ ଯେତିକି ଉତ୍କଣ୍ଠିତ ନୁହେଁ, ତାଠୁ ଅଧିକ ଉତ୍କଣ୍ଠିତ ତାର କୁନି କୁନି ପିଲାମାନେ। ଦୀପାବଳି ଦିନ ସନ୍ଧ୍ୟାରେ ଯେତେବେଳେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଦେଖାଇ ଗାଁ ଲୋକେ ବଡ଼ବଡ଼ୁଆ ଡାକନ୍ତି, ସେତେବେଳେ ଗାଁ ଦାଣ୍ଡର ଦୃଶ୍ୟ ଦେଖିଲେ ଲାଗୁଥାଏ ସତେ ଯେମିତି ଗାଁର ମଧ୍ୟାକାଶରେ ଏକ ଆଲୋକମାଳା ଝଲସି ଉଠୁଛି। ଗାଁର ବିଭିନ୍ନ ପରିବାର ନିଜ ନିଜର କୁଟୁମ୍ବଙ୍କୁ ନେଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରନ୍ତି। ଗୋଟିଏ ଗୋଟିଏ ସ୍ଥାନରେ ଚାରିଟି ପିଢ଼ିର ଲୋକ ଏକାଠି ହୋଇଥିବା ବେଳେ, ଅନ୍ୟ କେତେକ ସ୍ଥାନରେ ମାତ୍ର ଦୁଇ ପିଢ଼ିର ଲୋକ ଏକାଠି ହୋଇଥାନ୍ତି।

ଆକାଶ ଏଥର ତା ଛୁଆମାନଙ୍କୁ ଧରି ବାପା, ବଡ଼ବାପା, ଦାଦା ଓ ପରିବାରର ଅନ୍ୟ ଭାଇମାନଙ୍କ ସହିତ ବଡ଼ବଡୁଆ ଡାକିଲା। ତା ପରେ ଅନ୍ୟ ସମ୍ପର୍କୀୟମାନେ ଯେତେବେଳେ ସେମାନଙ୍କ ପରିବାର ଓ କୁଟୁମ୍ବ ସହିତ ବଡ଼ବଡୁଆ ଡାକିଲେ, ସେତେବେଳେ ଆକାଶକୁ ବି ସେମାନେ ନିଜ ସହିତ ସାମିଲ ହେବା ପାଇଁ ନିମନ୍ତ୍ରଣ କଲେ। ଏଇଟା କିଛି ନୂଆ କଥା ନୁହେଁ। ଗାଁରେ ପୂର୍ବରୁ ବି ସେ ଏମିତି ଅନ୍ୟମାନଙ୍କ ପିପେଇ ଡକାରେ ସାମିଲ ହେଇଛି। ତେଣୁ ନିଜ ପରିବାରର ପୂଜା ସରିବା ପରେ ଅନ୍ୟମାନଙ୍କ ନିମନ୍ତ୍ରଣ ମୁତାବକ ସାମିଲ ହୋଇଛି ସେ।

ଗାଁର ପରମ୍ପରା ଅନୁଯାୟୀ, ପିତୃପୁରୁଷଙ୍କୁ ପିପେଇ ଦେଖାଇବା ବେଳେ ଦୀର୍ଘଦିନରୁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥିବା ପରିବାର ଏକାଠି ହୋଇ ପିପେଇ ଡାକନ୍ତି। ଏଥର ଆକାଶ ସେମିତି ହିଁ ଗାଁର କିଛି ପରିବାର ପାଖରେ ଯେତେବେଳେ ଠିଆ ହୋଇଛି, ସେହିସମୟ ଭିତରେ ତା ନଜରକୁ ଆସିଛି ଗାଁର ସବୁଠୁ ବଡ଼ ପରିବାରର ଦୃଶ୍ୟ। ହଁ.. ଏକଦା ନରୋତ୍ତମ ବାବୁ ଯେତେବେଳେ ଗାଁ ମୁଖିଆ ଥିଲେ, ସେତେବେଳେ ତାଙ୍କ ଦୁଆରେ ବଡ଼ବଡ଼ୁଆ ଡକାହେଲା ବେଳେ ପାଖାପାଖି ତିରିଶଟି ପରିବାର ଏକାଠି ହେଉଥାନ୍ତି ଦିବଙ୍ଗତମାନଙ୍କୁ ପୂଜା କରିବା ପାଇଁ। କିନ୍ତୁ ନରୋତ୍ତମ ବାବୁଙ୍କ ଅନ୍ତେ ସେ ଦୃଶ୍ୟ ଫିକା ପଡ଼ିଯାଇଛି। ସେବେଠାରୁ ତାଙ୍କ ପିଲାମାନଙ୍କ ମଧ୍ୟରେ ନାହିଁ ନଥିବା ଫାଟ। କିଏ କାହାର ଛାଇ ପକାନ୍ତି ନାହିଁ କହିଲେ ଭୁଲ ହେବନି।

ନରୋତ୍ତମଙ୍କ ପାଞ୍ଚୋଟି ପୁଅ। ସମସ୍ତେ ଏକ ହୁଁ ଆରେକ ବଳି। ତେବେ ଦଶ ବର୍ଷ ଧରି ଗାଁଠୁ ଦୂରରେ ରହିବା ପରେ, ଗାଁରେ ରହୁଥିବା ଲୋକଙ୍କ ତିକ୍ତ-ମଧୁର ଅନୁଭୂତିକୁ ଜାଣିବା ତା ପକ୍ଷେ ସମ୍ଭବ ହୋଇପାରିବ ସେ କଥା କେବେ ବି ଭାବି ପାରିନି ଆକାଶ। ସେଥିପାଇଁ ଦୀପାବଳିରେ ନରୋତ୍ତମଙ୍କ ପରିବାରକୁ ଦେଖିଲେ ଆଶ୍ଚର୍ଯ୍ୟାନ୍ୱିତ ହେବା ସ୍ୱାଭାବିକ । କାରଣ ତା ଗାଁରେ ସେ ପୂର୍ବରୁ ଏମିତି ବିଭାଜିତ ବ୍ୟବସ୍ଥା ଲୋକମାନଙ୍କ ଭିତରେ, ସେଇଟା ସେ କେବେ ଦେଖିନି। ନରୋତ୍ତମଙ୍କ ପରିବାର ପକ୍ଷରୁ ତିନିଟି ଭିନ୍ନ ଭିନ୍ନ ଦୁଆରେ ବଡ଼ବଡୁଆ ଡାକିବା ପାଇଁ ବ୍ୟବସ୍ଥା କରାଯାଇଛି।

ଆକାଶ ନିଷ୍ପତ୍ତି ନେଇପାରୁନଥିଲା ଯେ, କାହାର ପିତୃପୁରୁଷଙ୍କ ଆବାହନ ପାଇଁ ସେ ପ୍ରଥମେ କାହା ଦୁଆର ମୁହଁରେ ଠିଆ ହେବ। ଏତିକି ବେଳେ ପ୍ରଥମେ ସବା ସାନପୁଅର ଦୁଆରୁ ନିମନ୍ତ୍ରଣ ପୁନର୍ବାର ମିଳିଲା। ଆକାଶ ସେମାନଙ୍କ ପାଖକୁ ଯାଇ ପୋପେଇ ଡକାରେ ସାମିଲ ହେଲା। କିନ୍ତୁ ବିଡ଼ମ୍ବନା ଏଇଆ ଯେ, ସେଠାରେ ଥିବା ଲୋକଙ୍କ ଭିତରେ ଅନ୍ୟ ଭାଇମାନଙ୍କ ବିରୋଧରେ ଚାଲିଥିଲା ଆଲୋଚନା। ଅନୁରୂପ ଅବସ୍ଥା ଅନ୍ୟ ଦୁଇ ଭାଇଙ୍କ ଦୁଆରେ। ତେବେ ଏ ପିତୃପୁରୁଷ ପୂଜନ ପଛରେ ଯେଉଁ ଉଦ୍ଦେଶ୍ୟ ରହିଛି, ସେଇ ଉଦ୍ଦେଶ୍ୟକୁ ବୁଝିବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି। କାରଣ ପୃଥିବୀର କୌଣସି ବାପା ମାଆ କେବେ ବି ସେମାନଙ୍କ ପିଲାମାନେ ପରସ୍ପରଠାରୁ ଅଲଗା ରହନ୍ତୁ ବୋଲି ଚାହିଁବେ ନାହିଁ। ସେମାନେ ଯେତେଦିନ ଯାଏଁ ଏକାଠି ଅଛନ୍ତି, ସେତେ ଦିନ ଯାଏଁ ଆନନ୍ଦ ରାଜ୍ୟର ଅଧିବାସୀ ଥାଆନ୍ତି ବାପା ମାଆ। କିନ୍ତୁ ଯଦି କୌଣସି କାରଣରୁ ଭାଇ ଭାଇ ଭିତରେ ବିଭେଦ ହେଲା, ତାହେଲେ ସେଇଠି ସବୁଠୁ ଅଧିକ ମ୍ରିୟମାଣ ହୁଅନ୍ତି ବାପା ମାଆ।

ଦୀପାବଳିର ବଡ଼ବଡୁଆ ଡାକରେ ଅତି ନିବିଡ଼ ଭାବେ ସାମିଲ ହୋଇଥିବା ଆକାଶକୁ କେଜାଣି କାହିଁକି ଏହି ଘଟଣାଟି ଅଧିକ ଦୁଃଖୀ କରି ଦେଇଥିଲା। ତାକୁ ଲାଗୁଥିଲା, ଗାଁରେ ଭାଗ ଭାଗ ହୋଇଯାଇଥିବା ଏହି ଭଳି ବିଶାଳ ପରିବାରର ଦିବଙ୍ଗତ ପୂର୍ବ ପୁରୁଷ କେବଳ ଏଇ ଗୋଟିଏ କଥା ହିଁ ଭାବୁଥିବେ, କାହିଁକି ଏମତି ଦୃଶ୍ୟ ଦେଖିବା ପାଇଁ ଆମକୁ ଡାକୁଛନ୍ତି ଏମାନେ, ଆସ ହେ ପିତୃପୁରୁଷ .. ଗଙ୍ଗା ଯାଅ, ଗୋଦାବରୀ ଯାଅ, ସମସ୍ତ ତୀର୍ଥରେ ଦେବତା ଦର୍ଶନ କରି ଶ୍ରୀକ୍ଷେତ୍ର ଯାଅ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି, ବାଇଶ ପାହାଚରେ ବିଶ୍ରାମ କରି ଆମ ଉପରେ କୃପାବୃଷ୍ଟି କରି ଅନ୍ଧାରେ ଆସି ଆଲୁଅରେ ଯାଅ ହେ ପିତୃପୁରୁଷ”

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ. ପିନ୍-୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪