Latest Odisha News

BREAKING NEWS

କୋଲକାତା ଓ ଶିଳ୍ପୀର ଶୋଭାଯାତ୍ରା, ଅନୁରାଗର ଯାତ୍ରାସଙ୍ଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ପୃଥିବୀର ସବୁ ପ୍ରଖ୍ୟାତ ସହରର ଏକ ନିର୍ଦ୍ଦିଷ୍ଟ ଚେହେରା ଓ ଚରିତ୍ର ରହିଥାଏସେ ଲଣ୍ଡନ ହେଉ କି ପ୍ୟାରିସ, ଭିଏନା ହେଉ କି ନ୍ୟୁୟର୍କ ଅଥବା ଦିଲ୍ଲୀ ହେଉ କି ମୁମ୍ବାଇସବୁ ସହର ନିଜ ନିଜର ଭିନ୍ନତାକୁ ନେଇ ଏକ ସ୍ଵତନ୍ତ୍ର ଗରିମା ତିଆରି କରିଥାନ୍ତିସବୁ ସହର ବିଲକୁଲ ଏକା ନୁହନ୍ତି। ଏସିଆ ଓ ୟୁରୋପର ସହରମାନଙ୍କ ଭିତରେ ଗୋଟେ ମୌଳିକ ଭିନ୍ନତା ସବୁବେଳେ ରହି ଆସିଛି। ବିଶେଷକରି ଭାରତୀୟ ସହରମାନଙ୍କର ଚେହେରା ଓ ଚରିତ୍ର ଅଦ୍ଭୁତ ଭାବରେ ଅଲଗା। ଏଠି ହଜାର ହଜାର ବର୍ଷ ତଳୁ ଗାଢା ହୋଇଥିବା ସହର ଉଜ୍ଜୟିନୀ ଓ ବାରାଣାସୀ ସେମିତି ରହିଛନ୍ତିସେମିତି ପ୍ରତି ବର୍ଷ ଭାରତରେ ନୂଆ ସହର ସୃଷ୍ଟି ହେଉଛିତେବେ ଏହି ସହରୀ ଭିଡ ଭିତରେ ଗୋଟେ ସହର ସବୁଠୁ ନିଆରା, ସବୁଠୁ ନିରୂପମା- ସେ ହେଉଛି କୋଲକାତାଆମ ଓଡିଆଙ୍କ ଭାଷାରେ କଲିକତା

ଏ ସହର ବହୁତ ପୁରୁଣା ନୁହେଁ, ହେଲେ ବହୁତ ନୂଆ ବି ନୁହେଁ୧୭୫୦ ପାଖାପାଖି ସମୟରେ ଏ ସହରର ଜନ୍ମଏ ସହରର ଜନ୍ମ ଓ ଜାତକ ସହିତ ଭାରତରେ ବ୍ରିଟିଶ ଶାସନର ଇତିହାସ ଅଙ୍ଗାଙ୍ଗୀ ଭାବରେ ଜଡିତମୂଳତଃ କୋଲକାତା ସାହେବୀ ସଭ୍ୟତାର ସହର। ଭାରତରେ ଆଧୁନିକତାକୁ ପ୍ରଥମେ ଦେଖିଥିବା, ଭୋଗିଥିବା ଓ ପରଖିଥିବା ସହରତେଣୁ କୋଲକାତା ଭାରତର ପ୍ରଥମ କସ୍ମୋପଲିଟାନ। ପୃଥିବୀରେ  କସ୍ମୋପଲିଟାନ ର ପରିକଳ୍ପନା ପଛରେ ଗୋଟେ ଉଦ୍ଦେଶ୍ୟ ଥିଲା- ସହର କେବଳ ମଣିଷର ବାସଭୂମି ହେବ। ସବୁ ସୀମା ଓ ବୈଚାରିକ ବନ୍ଧନରୁ ମୁକ୍ତ ହୋଇ “ବିଶ୍ଵ ମଣିଷ” ର ନୀଡ ହେବ। ତେବେ ଆମ ସମୟର ରାଜନୀତି “କସ୍ମୋପଲିଟାନ”ର ଅବଧାରଣାକୁ ସବୁଠୁ ବେଶୀ ବରବାଦ କରିଛି।

କୋଲକାତାର ଯେଉଁ ବିଶ୍ଵାୟତନ ତା ପଛରେ ରହିଛି, ଗୋଟେ ବୌଦ୍ଧିକ ଇତିହାସ। କହିବାରେ ଦ୍ଵିଧା ନାହିଁ, ଏ ସହର ଭାରତୀୟ ବୌଦ୍ଧିକତାର ରାଜଧାନୀ। ଭାରତର ସବୁଠୁ ଉର୍ବର ମସ୍ତିସ୍କର ମଣିଷମାନେ ଏ ସହରରେ କାମ କରିଛନ୍ତିଭାରତର ନୋବେଲ ପୁରସ୍କାର ବିଜେତାଙ୍କ ଭିତରୁ ବଡ ଭାଗ ଏଇ ସହରର ବାସିନ୍ଦାଗୁରୁଦେବ ରବୀନ୍ଦ୍ରନାଥ ଟାଗୋର, ସାର ସି ଭି ରମଣ, ମଦର ଟେରେସା, ରୋନାଲ୍ଡ ରସ, ଅମର୍ତ୍ତ୍ୟ ସେନ ଓ ଅଭିଜିତ ବାନାର୍ଜୀ, କୋଲକାତାରେ ପଢିଛନ୍ତି ଓ ବଢିଛନ୍ତିଲେଖକ, ବୈଜ୍ଞାନିକ, ଚିତ୍ରଶିଳ୍ପୀ, ସଙ୍ଗୀତଜ୍ଞ, ଅଭିନେତା, ସିନେମା ନିର୍ମାତା, ଦାର୍ଶନିକ, ସମାଜ ବିଜ୍ଞାନୀମାନଙ୍କ ଲାଗି କୋଲକାତା ଏକ ପରିବେଶ ଦେଇଛି।

ଏ ସବୁ କୋଲକାତାର ସାଧାରଣ ପରିଚୟ। ହେଲେ ଏହି ସହରର ଅସାଧାରଣ ପରିଚୟ ହେଉଛି, ସୃଜନଶୀଳତା ପ୍ରତି ଏ ସହର ଓ ଏ ସହରବାସୀଙ୍କର ଅପୂର୍ବ ଆକର୍ଷଣ। କୋଲକାତା ନିଜର ଶିଳ୍ପୀ ଓ ସ୍ରଷ୍ଟାମାନଙ୍କୁ ଭଲପାଏଅଜ୍ଞାତ ଓ ଅଖ୍ୟାତ ଭାବରେ ମରିବାକୁ ନିଜର ପ୍ରତିଭାଙ୍କୁ କେବେହେଲେ ଏକୁଟିଆ ଛାଡି ଦେବାର ପରମ୍ପରା ଏ ସହର ପାଖରେ ନାହିଁକି ନଥିଲାତାର ଏକମାତ୍ର ବ୍ୟତିକ୍ରମ ଥିଲେ କବି ଜୀବନାନନ୍ଦ ଦାସ। ଗୁରୁଦେବ ରବୀନ୍ଦ୍ରନାଥଙ୍କ ପରେ ବଙ୍ଗଳା କବିତାକୁ ସର୍ବାଧିକ ପ୍ରଭାବିତ କରିଥିବା ଓ ଆଜି ବି ବଙ୍ଗଳା କବିତାର ପ୍ରେରଣା ଭାବେ ବଞ୍ଚି ରହିଥିବା ଜୀବନାନନ୍ଦ ଦାସ। ଜୀବନାନନ୍ଦ ଏକ ଟ୍ରାମ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

କୋଲକାତା ନିଜର ଶିଳ୍ପୀ ଓ ଲେଖକମାନଙ୍କୁ ସବୁବେଳେ ରାଜକୀୟ ସମ୍ମାନ ଦେଇ ଆସିଛି। କୋଲକାତା ନିଜର ପ୍ରସିଦ୍ଧ ବ୍ୟକ୍ତିମାନଙ୍କୁ ଏତେ ଭଲ ପାଏ ଯେ, ବେଳେ ବେଳେ ଶବ ଶୋଭାଯାତ୍ରାରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୁଏ। ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ କୋଲକାତା ସହର ନିଜ ଜୀବନର ସବୁଠୁ ବିରାଟ ଶବ ଶୋଭାଯାତ୍ରାକୁ ଦେଖିଥିଲା। ଗୁରୁଦେବ ରବୀନ୍ଦ୍ରନାଥଙ୍କ ଶବ ଶୋଭାଯାତ୍ରାରେ ସେଦିନ କୁଆଡେ ପୂରା ସହରରେ ସୋରିଷ ପକାଇବାକୁ ଜାଗା ନଥିଲା। ବ୍ରିଟିଶ ମୁବିଟୋନ ସୂତ୍ରରୁ ରବୀନ୍ଦ୍ରନାଥଙ୍କ ଶବ ଶୋଭାଯାତ୍ରାର ଭିଡିଓ ଦେଖିଲେ ଆଖି ଖୋସି ହୋଇଯାଏ। ଲକ୍ଷ ଲକ୍ଷ ଲୋକଙ୍କର ବିଶାଳ ପ୍ରବାହରେ ଜଣେ କବିଙ୍କର ଶବ ଭାସି ଯାଉଛି ଯେମିତି!  ଲୋକେ ନିଜ ପ୍ରିୟ କବିଙ୍କୁ ଶେଷ ଦର୍ଶନ କରିବା ଲାଗି ଠେଲାପେଲା ଭିତରେ ମାଡି ଚାଲିଥିଲେକୁହାଯାଏ, ଲୋକେ ଗୁରୁଦେବଙ୍କର କିଛି ଗୋଟାଏ ସନ୍ତକ ଗୋଟାଇ ରଖିବାକୁ ସେଦିନ କୁଆଡେ ତାଙ୍କ ମଲା ଦେହରୁ ଦାଢି ଓପାଡି ନେଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ତାଙ୍କ ଶବ ପୋଡିଗଲା ପରେ ଅସ୍ଥି ଖଣ୍ଡେ ବି ପରିବାର ଲୋକଙ୍କୁ ମିଳି ନଥିଲା। ଭୀଷଣ ଭଲପାଇବାର ଏହା ବୋଧେ ଏକ ଚରମ ଓ ଭୟଙ୍କର ଦୃଷ୍ଟାନ୍ତ।

କେବଳ ରବୀନ୍ଦ୍ରନାଥ ନୁହନ୍ତି, ଭାରତୀୟ ସିନେମାର କିମ୍ବଦନ୍ତୀ ପୁରୁଷ ସତ୍ୟଜିତ ରାୟଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି “ନନ୍ଦନ” ଆଗରେ ଲମ୍ବିଥିବା ମାଇଲ ମାଇଲ ବ୍ୟାପୀ ଲମ୍ବା ଧାଡି ଦେଖିଲେ, କେହି ବି ବିଶ୍ଵାସ କରିପାରିବନି ଯେ, ଇଏ କୌଣସି କଳାତ୍ମକ ସିନେମାର ନାୟକଙ୍କ ପ୍ରତି ଏ ଶ୍ରଦ୍ଧାର ନିଦର୍ଶନସେମିତି ମୃଣାଳ ସେନ, ଋତୁପର୍ଣ୍ଣ ଘୋଷ, ଲେଖକ ସୁନୀଲ ଗାଙ୍ଗୁଲି ଓ ମହାଶ୍ଵେତା ଦେବୀଙ୍କୁ କୋଲକାତାବାସୀ ଗଭୀର ଶ୍ରଦ୍ଧା ଦେଇଛନ୍ତିଏହାର ଶେଷତମ ଉଦାହରଣ ଆମେ ଦେଖିଲୁ ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଶବ ଶୋଭାଯାତ୍ରାରେ। ସୌମିତ୍ର ସିନେମା ତାରକା କମ, ବେଶୀ ଥିଲେ ଅଭିନେତା। ତାଙ୍କ ଅଭିନୟରେ ସୂକ୍ଷ୍ମ କଳାତ୍ମକତା ଓ ଗଭୀର ମାନବୀୟ ମୂଲ୍ୟର ପ୍ରତିଫଳନ ରହିଥିଲା। ମୁଖ୍ୟତଃ ସୌମିତ୍ର, ବୌଦ୍ଧିକ ଶିଳ୍ପୀ। ତଥାକଥିତ ଶସ୍ତା ଲୋକପ୍ରିୟତାର ପାଖ ସେ କେବେ ମାଡି ନଥିଲେ। ହେଲେ ତାଙ୍କ ମୃତ୍ୟୁରେ ଏ ବିଶାଳ ପଟୁଆର ଦେଖି କେହି ବି ଚକିତ ହୋଇଯିବ। ପୂରା କୋଲକାତା ସହର ସେଦିନ ସୌମିତ୍ରଙ୍କ ଶବ ଶୋଭାଯାତ୍ରାରେ ନିଷ୍ଠାର ସହିତ ମୁଣ୍ଡ ପୋତି ଚାଲୁଥିଲା।

ଏହା ହିଁ କୋଲକାତାର ପରିଚୟ। ଏ ସହର ବୌଦ୍ଧିକତାକୁ , ପ୍ରଜ୍ଞା ଓ ପ୍ରତିଭାକୁ ଆଜି ବି ସମ୍ମାନ କରେ। ଆଜି ବି ଏ ସହର ନେତାଙ୍କ ତୁଳନାରେ ନିଜର ଅଭିନେତା ଓ ଲେଖକଙ୍କୁ ବେଶୀ ଭଲପାଏ।         

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.