Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୮ (ଅନ୍ତିମ ଭାଗ)

ଯୋଗମାୟାଙ୍କ ପାଦ ତଳେ ପ୍ରଣାମ କରି ଶ୍ରୀମନ୍ତ ଓ ସଂହିତା କହିଲେ ଆଜିର ବେଦ ଉଚ୍ଚାରଣ ଆମେ କରିବୁ। ସନିଆ ଓ ମୁଗୁନି ପୁଅ ସହ ଗୋଲାପ ପାଖୁଡା ପାଛିଆରେ ଧରି ଠିଆ …। ସମସ୍ତେ ଆଗ୍ରହରସହ ଅପେକ୍ଷା କରିଛନ୍ତି ଆଜିର କାର୍ଯ୍ୟକ୍ରମକୁ। ପ୍ରାରମ୍ଭରେ ଯାହାସବୁ ଯେମିତି ହବ ସେପାଇଁ ପ୍ରସ୍ତୁତ ପିଲାଏ। ନବୀନଙ୍କର ଉଦ୍ଦାମ ଶକ୍ତି ଆଉ ପ୍ରବୀଣଙ୍କର ଅକଳ୍ପନୀୟ ଅନୁଭୂତିକୁ ନେଇ ନାରଣଗଡର ‘ସ୍ପନ୍ଦନ’ କଲୋନୀରେ ଚାଲିଚି ଆୟୋଜନ।ବରଗଛ ଫଳ ଭଳି …ଅସମ୍ଭବ ଆଶା ଆଉ ଅସରନ୍ତି ସମ୍ଭାବନା …ଅଣୁରେ ଅଣୁରେ କୄଛ ସାଧନା …ସଫଳତା ଚରମ ସ୍ପର୍ଶୀବ …।

ମୁଁ ତଥାଗତ ଆଚାର୍ଯ୍ୟ , ହେଲା ଏବେ ତିଥି ବୋଲି ପରିଚିତ। ଅଜସ୍ର ଭଲପାଇବା ଘରୁ ପାଇଛି ବୋଲି ବାଣ୍ଟିପାରୁଚି ସେସବୁ ସମସ୍ତଙ୍କୁ।ଆଣ୍ଟିଙ୍କ ପାଇଁ ଅପେକ୍ଷା ରହିଲା ମୋ’ର। ଆଉ ରହିଲା ସଞ୍ଜୁ ଅପା,ବବଲି,ହୀରା ଇତ୍ୟାଦିଙ୍କ ପାଇଁ।ଆକ୍ରୋଶ ନୁହେଁ, ବିଦ୍ବେଷ ନୁହେଁ ଚିମୁଟାଏ ଭଲପାଇବା ବଦଳେଇ ଦିଏ ଆମ ମାନସିକତାକୁ…ସେତିକି ଦେବାକୁ ସମର୍ଥ ନୁହଁ ତୁମେମାନେ ? ତଥାପି ଅପେକ୍ଷା କରୁଚି,ଆଉ ପାଇବି ବୋଲି ଆଶା ବି ରଖୁଚି…। ଝଗଡ଼ାଲୁ ସ୍ବର ମୋ’ର ତଥାପି କହିବି ଶୁଣିନିଅ ମୋତେ, ବସୁଧୈବ କୁଟୁମ୍ବକମ୍ର ମହାମନ୍ତ୍ର ..।
ଏକାଧିକ ଆଣ୍ଟି, ଅପା, ମାଉସୀ….ମେଳଣ ଆମର ସଫଳତା ଆଣୁ … ପିଲାଏ ଆଗେଇଯାଅରେ …ଆମ ପିଲା ସ୍ଥିତପ୍ରଜ୍ଞ … ଅନ୍ତରର ଆନନ୍ଦଧାରାକୁ ଚୋରେଇବ କିଏ ତୁମର …। ଡକ୍ଟର ସୁଲକ୍ଷଣା ବସା, ଶ୍ବେତପଦ୍ମା ଦେବୀ, ଡକ୍ଟର ଦେବିକା, ଅଞ୍ଜନା ଆଣ୍ଟି , ସଞ୍ଜୁ ଅପା ଇତ୍ୟାଦି ବକ୍ତବ୍ଯ ରଖିଲେ ଏମିତି।

ଅସହାୟ ମଣିଷଙ୍କର ସହାୟକ ଏଇ ‘ସ୍ପନ୍ଦନ’….ଏଇଠୁ ଆରମ୍ଭ ହେବ ନୂତନପ୍ରସ୍ଥର ଜୟଯାତ୍ରା …ଏକଲା ନୁହେଁ ଆମେ ସମସ୍ତେ ସାଙ୍ଗହୋଇ ଚାଲିବା, ଝୁଣ୍ଟିବା ….ଅପମାନକୁ ଚକଲେଟ୍ ଭାବିବା…ନିନ୍ଦା ହେବ ଆମର ଜୟ ଶୁଭ ଶଙ୍ଖନାଦ ….ପ୍ରତିହତ ହେବନି ଆମ ଯାତ୍ରା…ଆମେ ଏକ…ଆମେ ସୁସଙ୍ଗଠିତ … ଆମେ ନୂତନତାର ଆବାହକ …।ଅମୃତା, ଜବା,ଚନ୍ଦ୍ରା, ଇତ୍ୟାଦିଙ୍କର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ବକ୍ତବ୍ଯ ପ୍ରଚାରିତ ହେଉଥିଲା।

ଆମର ସ୍କୁଲ, ଆମ କଲେଜ, ଆମ ଚିକିତ୍ସାଳୟ, ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର,କ୍ବେଷ୍ଟର କ୍ଲବ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଇତ୍ୟାଦିକୁ ନେଇ ରୋଜଗାରକ୍ଷମ କରିବାର ଚେଷ୍ଟା ଜାରି ରହିଛି, ରହିବ। ଅପେକ୍ଷା କରିବାକୁ ନୁହେଁ, ପ୍ରଥମରୁହିଁ ଲାଗିପଡିବାକୁ ହବ…ଆସନ୍ତା କାଲିକୁ କିଏ ଦେଖିଚି,ବର୍ତ୍ତମାନକୁ ନେଇ ବଞ୍ଚିବାକୁ ପଡିବ …।ଆଶାବାଦୀ ଆମେ ସମସ୍ତେ …।ଆମ ମହୀଖୁଣ୍ଟ ବେଶ ଦୃଢ , ମଜବୁତ୍ …।ହାରଜିତ ନୁହେଁ, କରି ଦେଖାଇବାର ସମୟ….। ମାନବିକତା ଆମର ଧର୍ମ…।ଆମ ହକ୍ ଆମର…, ଦବ କିଏ,ନିଜେ ନିଜେ ନବୁ, କହୁଥିଲେ ଆମ ପିଲାଏ।

ବାପା , ଆଜିବି ତୁମେ ମନକୁ ଆବୋରି ବସିଚ…ମାଆ ତ ସବୁଦିନ ସେମିତି …। ଧାଡିଧାଡି ଘର, ବୟସ ଅନୁସାରେ, କାମ ଅନୁସାରେ ଆବଣ୍ଟନ …ସିନ୍ଧୁ ସଭ୍ୟତାର ଆଡଭାନ୍ସଡ୍ କଲୋନୀ କି ଆଉ ! ଅମୃତା ଭାବେ ସବୁଦିନ ଏମିତି।

ଆରେ ଇଏ କିଏ…
:ପରିଚୟ ଦିଅନ୍ତୁ …
:ମୁଁ ଚିତ୍ରା ..
:ଜାଣିପାରୁନି
: ଚନ୍ଦ୍ରା ଅପାର ଭଉଣୀ
:ଆଚ୍ଛା, ଚାଲନ୍ତୁ
ପଚାରିବି କି ତୁ କୋଉଠି ଥିଲୁ ଏତେ ଦିନ…ଯିବି ? ନା ମ ଥାଉ…କେମିତି ଦିଶୁଚି ସେ… ମନେମନେ ଭାବୁଭାବୁ ପହଞ୍ଚିଲି ଚିତ୍ରା ପାଖରେ। ଜୁହାର କଲା ସେ ,ଆଉ ମୁଁ ତଥାସ୍ତୁ କଲି ମନେମନେ। ଆଖି ଅମ୍ଳାନଙ୍କୁ ଖୋଜୁଥିଲା …। ନାହାଁନ୍ତି ସେ, ଅପା… ପାଗଳ ଏବେ ସେ, ମନଜାଣି କହିଦେଲା ଚିତ୍ରା।

:ପାଗଳ!
:ଆରମ୍ଭ କଲେ ହୀରା ବ୍ୟବସାୟ …ଠକ ହାବୁଡରେ ପଡି ଲୋଭର ବଶବର୍ତ୍ତୀ ହୋଇ ଉଜାଡି ଦେଲେ ସର୍ବସ୍ଵ ତୋ’ର…
:ବନ୍ଦକର ଅତୀତକୁ …ତାଲା ପକେଇ ଚାବି ହଜେଇଦେଇଚି ମୁଁ …
:ତୁ ,ନଶୁଣିଲେବି କହିବି, ତୋତେ ସେମାନେ ନେଇଯାଇଥାଆନ୍ତେ କି କଣ, ମୋତେ ନେଇ ଯାଉଥିଲେ ଚନ୍ଦ୍ରା ଭାବି, ଆଉ ଅମ୍ଳାନ ବଞ୍ଚେଇଲେ ସତ କିନ୍ତୁ ଲାଭ ଅପେକ୍ଷା କ୍ଷତି ଅନେକ ହେଲା….
:ତଥାପି ଅପେକ୍ଷା ରଖୁଛି ଅମ୍ଳାନ … ଅସ୍ଫୁଟ ସ୍ବର ମୋ’ର କହୁଥିଲା କେବଳ…।
ଚିତ୍ରା ଝରିଯାଉଥିଲା ଚନ୍ଦ୍ରା ସହ…ଦୂରରୁ ଦେଖୁଥିଲେ ମାଆ , ବାପା, ଲିପୁନକୁ ଆକଟକଲେ …ହେଲାନି ନୁହେଁ ଶୁଣିଲାନି ..ଏବେ ଚନ୍ଦ୍ରାହିଁ ଭରସା ସେମାନଙ୍କର।କଥା ଦେଇଚି, ଭାଇକୁ ବୁଝେଇ ସୁଝେଇ ଆଣିବ ଏଇ କ୍ବେଷ୍ଟର କ୍ଲବକୁ ।ମଣିଷ ହେବ ସେ… ।
: ଏ ଅଞ୍ଜୁ,ଅଦିନିଆ ବାତ୍ୟା ଭଳି ପଶିଆସୁଚୁ ଯେ..
: ରଞ୍ଜୁ …ରଞ୍ଜୁ ନା ତୁ …
: ଅଞ୍ଜନରେ କେମିତି ଅଛୁ, ମାଆ କଥା ଶୁଣି ଆସିଲୁ କି….କେମିତି ମନେ ପଡିଲୁ ଆମେ…
:ମାଆ, ତୋ’ ଜିମାରେ,ଆଉ ମାଟି ମାଆ, ମୋ’ ସହିତ ବିଦେଶରେ,ମାଟିର ଡାକ ପାଖରେ ରକ୍ତର ଡାକ ଫିକା … ଏକାଥରକେ ଏତେ ପ୍ରଶ୍ନ …କହିବି ସବୁ ଅପେକ୍ଷା କର…
ଏ ..ଏ .. ଏ ଜବା ଧାଉଁଚୁ କୁଆଡେ… ଜବା ଆଉଁସି ଦେଉଥିଲା ଜୀବନାନନ୍ଦଙ୍କ ଫୋଟକୁ।
‘ମୋ’ ମାଆ ପାଖକୁ ଆସୁଥିଲେ , କେଜାଣି କଣ କଥା ସବୁ ହେଉଥିଲେ।’
ସୁଶୃଙ୍ଖଳ ପରିବେଶରେ ହୈ ଚୈ ଆରମ୍ଭ ହୋଇଗଲା। ଆଗନ୍ତୁକ, ଆଗନ୍ତୁକା ଅନେକ, ଏକାସହିତ ଅନେକ କଥା।
ବାପା…ବାପା…ବାପା ତ…

ଜୀବନାନନ୍ଦ ନିଜେ ଉଠିଗଲେ ଷ୍ଟେଜ ଉପରକୁ। ବିନା କିଛି ଉପକ୍ରମଣିକାରେ ଆରମ୍ଭ କଲେ,’ମାଟିକୁ ଭଲ ପାଏ ବୋଲି କାମ କରେ ..ମାଆଟି ସେ , ସେଇଲାଗି ସେ ମାଟି … ଜନ୍ମ ନକରି ମାଆ ହୁଏ , ଜୀବନ ଦେଇ ଜୀବନ ରଖେ…ମାଆକୁ କେଉଁ ଶବ୍ଦରେ ପ୍ରକାଶିତ କରିହେବ ଯେ…ନୀରବରେ ସହିଯାଏ ବୋଲି ଦୋଷୀ ହୁଏ…ମାଆ ସିଏ..ଆମେ ସମସ୍ତେ ଋଣୀ ତା’ ପାଖରେ। ସୁଝିବାକୁ ହେଲେ ତା’ ପାଇଁ କାମ କରିବାକୁ ହେବ। ହୁଏତ,କିଞ୍ଚିତ ସୁଝିହେବ… । ଭାବୁଥିବ, ବାପାଙ୍କ କଥା କହୁନି ମୁଁ କାହିଁକି? ବାପାଙ୍କ ଆରମ୍ଭ ମାଆ ପାଖରୁ… ସତ କହିବାକୁ ଗଲେ ବାପା ଓ ମାଆଙ୍କର ଅବଦାନ ଜୀବନପଥକୁ ସହଜ ସରଳ ସାବଲୀଳ କରେ…। ମାଆଟିଏର ସହିଷ୍ଣୁତା ପାଖରେ କୋଟିକୋଟି ପ୍ରଣାମ ମୋ’ର।

ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ଯାଉଥିଲି ମିଥିଳାରାଜ୍ୟକୁ … ମୋ’ ସ୍ତ୍ରୀ ଅନ୍ୟ କିଛି ଭାବୁଥିଲା…ସଂକଳ୍ପ ହେତୁ କହିପାରିନଥିଲି କିଛି, କଳଙ୍କକୁ ଜୟଟୀକା ଭାବରେ ଆଙ୍କିଥିଲି କପାଳରେ..ସାହାଯ୍ୟ କରୁଥିଲା ତିତିକ୍ଷା, ବିଚରା ଶେଷରେ ଜୀବନ ଦେଲା… ପରୋକ୍ଷରେ ଜବା, ଦାଦାଭାଇ, ମିଥିଳା ମାଆ ପାଇଁ କାମ କରୁଥିଲେ,ନିଜ ଅଜାଣତରେ…। ରଞ୍ଜୁ ପାଖରେ ରହୁଥିଲି ବେଳେବେଳେ…ଅମ୍ଳାନକୁ ବଞ୍ଚେଇଲି ସତ , ହତଭାଗା ଭାରସାମ୍ୟ ହରାଇ ଏବେ ଆହ୍ଲାବାଦ ମାନସିକରୋଗ ଚିକିତ୍ସାଳୟରେ …ବିଦେଶରେ କାମ ପାଇଁ ଅଞ୍ଜୁକୁ ବାଛିଲି…ସହଜହେଲା କାମ ଆଉ ସଫଳତା ମିଳିଲା ମିଶନକୁ। ଅଜସ୍ର ଧନ୍ୟବାଦ ମିସେସ ଅନ୍ନପୂର୍ଣ୍ଣେଶ୍ବରୀ ଧରମହାପାତ୍ରଙ୍କୁ, ଅଞ୍ଜନା ଦେବୀଙ୍କୁ….ଏକ ରକମ ଛନ୍ଦି ହୋଇଥିଲି ସଞ୍ଜନା ଓରଫ ସଞ୍ଜୁ ପାଖରେ…ତିଥି , ଚନ୍ଦ୍ରା ସମସ୍ତେ ଅଜାଣତରେ ଅଳ୍ପ ବହୁତ କରିଚ ଏଇ ମାଟି ମାଆ ପାଇଁ ..। ଅମୃତାରେ ତୋତେ ସମୟ ଦେଇପାରିଲିନି … ମାତ୍ର, ସଂସ୍କାର ଦେଇଚି ବୋଲି ଦୃଢତାର ସହ କହିବି…ସେ ପାଇଁ ତୁ ଏକା ହେଲେବି ମୁଁ ତୋ’ ସହିତ ରହିଛି ସଦା। ଏଥର ଆଗେଇଯାଅ ସମସ୍ତେ ଆଉ ଅପେକ୍ଷା ନରଖି … ସପରିବାର ନାରଣଗଡରେ ସୁଖରେ ରୁହ….ମାଟିକୁ ଭଲପାଅ…ମାଆକୁ ଭଲ ପାଅ…ଭଲପାଅ ନିଜର କାମକୁ….।

ଅଖଣ୍ଡ ନୀରବତା… ସ୍ତବ୍ଧ ଜନତା …ସ୍ତବ୍ଧ ନାରଣଗଡ ..ତଥାପି ଅପେକ୍ଷା ରଖୁଥିଲେ ସମସ୍ତେ ଆଉକିଛି ଶୁଣିବାକୁ।

       ***ସମାପ୍ତ ****

Leave A Reply

Your email address will not be published.