Latest Odisha News

BREAKING NEWS

ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ‘ପର୍ବପର୍ବାଣୀ’ 

ବାର ମାସରେ ବାରଟି ସଂକ୍ରାନ୍ତି ; ତନ୍ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ଭାରତୀୟମାନଙ୍କ ନିମନ୍ତେ ଏକ ନିଆରା ପର୍ବ । କାରଣ ସବୁ ସଂକ୍ରାନ୍ତି ଭିତରେ ଏହାର ମହତ୍ତ୍ଵ ଓ ଗୁରୁତ୍ୱ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି । ତେଣୁ ଏହାକୁ ସର୍ବ ଭାରତୀୟ ପର୍ବ ଭାବେ ଯେତିକି ସ୍ୱୀକୃତି ଦିଆଯାଏ ବିଶ୍ବ ସ୍ତରରେ ମଧ୍ୟ ଏହାକୁ ସେତିକି ମାନ୍ୟତା ଦିଆଯାଏ । ଉଦାହରଣ ସ୍ୱରୂପ ଭାରତୀୟମାନଙ୍କ ଭଳି ରୋମାନ ଓ ଇହୁଦୀୟମାନେ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବ ପାଳନ କରିଥିବାର ଦେଖାଯାଇଛି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଅଧିକନ୍ତୁ ଦକ୍ଷିଣ ଭାରତରେ ଏହି ପର୍ବକୁ ଶ୍ରେଷ୍ଠ ପର୍ବ ଭାବରେ ପ୍ରାଧାନ୍ୟ ଦିଆଯାଇଛି । ସେଠାରେ ମକର ସଂକ୍ରାନ୍ତି ପର୍ବ ନକହି ପୋଙ୍ଗଲ ବୋଲି କହିଥାନ୍ତି । ତେଣୁ ମକର ସଂକ୍ରାନ୍ତି ପର୍ବ ପ୍ରତି ବଦଳରେ ପୋଙ୍ଗଲ ପର୍ବ ପାଳନ ହେଉଛି ଦକ୍ଷିଣ ଭାରତୀୟ ମାନଙ୍କ ଶ୍ରେଷ୍ଠ ।

ଜ୍ୟୋତିଷ ଶାସ୍ତ୍ରାନୁସାରେ ସୂର୍ଯ୍ୟ ମକର ସଂକ୍ରାନ୍ତି ଦିନ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।ସହଜରେ କୁହାଯାଇପାରେ ଯେ ପ୍ରତ୍ୟେକ ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରଥାନ୍ତି । ତେଣୁ ପୂର୍ବବତ୍ ସେଭଳି ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ ।

ସୂର୍ଯ୍ୟଙ୍କ ଉତ୍ତରାୟଣ ଚଳନ ଦ୍ଵାରା ପବିତ୍ର ବା ଶୁଭ ଦିବସ ଭାବେ ଗ୍ରହଣ କରାଯାଇଛି । ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂଯ୍ୟ ଉପାସନ କରାଯାଇଥାଏ । ଓଡ଼ିଆରେ ଗୋଟିଏ ପ୍ରବାଦ ରହିଛି ଯେ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନ ଠାରୁ ପ୍ରଖର ହୁଏ । ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରି ଆସୁଛନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ଏହି ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୁଷ୍କରିଣୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ଲୋକ ବିଶ୍ଵାସ ରହିଛି । ଅବଶ୍ୟ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଅଦ୍ୟାବଧି ଚାଲିଆସିଛି । ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗର ଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି ।

ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତ୍ୟୁ ବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉସôବ ମହାସମାରୋହରେ ପାଳିତ ହୋଇଥାଏ । ଏହି ମକର ଯାତ୍ରା ସମ୍ବନ୍ଧରେ ଅନେକ କଥା ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ଯେ, ମହା ପୁଣ୍ୟମୟ ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ । ସକଳ ମନସ୍କାମନା ପୂରଣ ହୋଇଥାଏ ବୋଲି ଜନଶ୍ରୁତି ରହିଛି ।

ସାଧାରଣତଃ ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ । ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ । ଗ୍ରାମାଞ୍ଚଳରେ ଝିଅ ବୋହୁ ମାନେ ଏହି ଭୋଗ ଖିଆଖେଇ ହୋଇ ‘ମକର’ ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ । ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିବାର ବିଧି ପ୍ରଚଳିତ ରହିଛି ।

ବିଶେଷ କରି ମକର ସଂକ୍ରାନ୍ତି ଦିନ ଜଗତର ନାଥ ଜଗନ୍ନାଥଙ୍କ ବହୁ ନୀତି ସଂପାଦନ ହୁଏ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୁଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂତନ ବସ୍ତ୍ର ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ । ଘଣ୍ଟ, ଛତା, କାହାଳୀ ପଟୁଆର, ହରିବୋଲ ଧ୍ୱନିରେ ସହିତ ତଳିଚ୍ଛୁ ଓ ପ୍ରଧାନୀ (ସେବକ)ଙ୍କ ହାତପୈଠ (ହାତୁଆଣୀ) ହୋଇ ରୋଷଘର ଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ । ଭୋଗଟେରା ଭୋଗପୂଜା ସମୟରେ ସାଧାରଣଙ୍କ ପ୍ରବେଶ ନିରୋଧ କରିବାକୁ ଶ୍ରୀମନ୍ଦିର ଭିତର କଳାହାଟ ଦ୍ୱାର ସମ୍ମୁଖରେ ବନ୍ଧା ହେଉଥିବା କନାର ଲୁଗା ବନ୍ଧାହେବା ପରେ ଦିଗପାଳ ବଳି ନୀତି ହୋଇଥାଏ । ଭୋଗ ବଢ଼ିବା ପରେ ପାଣି ପଡ଼ି ଧୋପଖାଳ, ସାଧାରଣତଃ ଲୋକମାନଙ୍କୁ ବାହାର କରାଯାଇ ଭୋଗ ବଢ଼ାଯିବା ସ୍ଥାନ ଧୁଆଧୋଇ କରି ପରିଷ୍କାର କରାଯିବା ପରେ ଟେରା ବନ୍ଧାଯାଏ । ଏହା ମଧ୍ୟରେ ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଏ । ହାଣ୍ଡି କୁଡ଼ୁଆ ଇତ୍ୟାଦି ସଜଡ଼ା କରାଯାଏ । ସୁଦୁ ସୁଆର ସେବକ ପ୍ରତ୍ୟେକ ଦ୍ରବ୍ୟଗୁଡ଼ିକରେ ମକର ଚାଉଳ ପ୍ରସ୍ତୁତ କରି ରଖିଥାନ୍ତି ।

ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ / ପନ୍ତିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁ/ମହାନାୟକ ସେବକ ଓ ପରିଚ୍ଛାଙ୍କ ପ୍ରତିନିଧିଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି । ଏହାପରେ ମହାଭୋଇ ଦୁଧ, ଗୁଡ଼ିଆ ଶାକର ଓ ଣାସବୁକୁ ଉପରୋକ୍ତ ପ୍ରକାରେ ଏକଥର ବଡ଼ଦେଉଳ ପରିକ୍ରମା କରି ଜୟବିଜୟ ଦ୍ୱାରଠାରେ ମହାସୁଆରଙ୍କ ଜିମା ଦେଲେ ମହାସୁଆର ତାକୁ ନେଇ ଛାମୁରେ ବାଢ଼ି ଥାଆନ୍ତି । ଏହି ସମୟରେ ହଡ଼ପ ନାୟକ ସେବକ ହଡ଼ପ ଘର ଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟ ମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥାଆନ୍ତି । ମୁଦିରସ୍ତ / ମୁଦିହସ୍ତ / ମୁଦିରଥ ପ୍ରସାଦ ଲାଗି କରିବା ପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି କରିବା ବିଧି ରହିଛି । ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଇଥାଏ ।

ଏସବୁ ସଂପର୍କରେ ବିଶଦ ଭାବେ ସ୍କନ୍ଦପୁରାଣର ବିଷ୍ଣୁ ଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ପୂର୍ବ କଳ୍ପରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ । ଏହି ନୀତି ସଂପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରିଥାନ୍ତି । ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ ,ମକରାନ୍ନ କୈବଲ୍ୟ ବା ମକରଭୋଗ ଲାଭ କରିବା ନିମନ୍ତେ ଦର୍ଶକ ମାନଙ୍କଠାରେ ପ୍ରବଳ ଆଗ୍ରହ ଦେଖା ଦେଇଥାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନ କଲେ ରାଜସୂୟ ଯଜ୍ଞର ‘ଳ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିବାର ବିଶ୍ୱାସ ରହିଛି ।

କହିବାକୁ ଗଲେ ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ । ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥା’ନ୍ତି । ମକର ସଂକ୍ରାନ୍ତିର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ନାନା ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ପ୍ରସ୍ତୁତ ହୋଇଥାଏ । ସମସ୍ତେ ଏହି ପର୍ବରେ ନୂତନ ବସ୍ତ୍ର ପରିଧାନ କରନ୍ତି । ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହି ପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥା’ନ୍ତି । ମକର ପର୍ବର ଟୁସୁଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ବଡ ଜାକଜମକକରେ ଦୀର୍ଘଦିନ ଧରି ପାଳନ କରାଯାଏ । ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠି ଏହି ପର୍ବ ପାଳନ କରନ୍ତି । ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡିକ ଯାତ୍ରା ମେଳଣର ଆମୋଦପ୍ରମୋଦରେ ଛଉ ନୃତ୍ୟ ଜୀବନ୍ତ ହୋଇଉଠେ । ସେମାନଙ୍କ ପରମ୍ପରାରେ ମକରଯାତ୍ରା ଏକ ସ୍ନେହ, ପ୍ରେମ ଓ ସଦ୍‌ଭାବନାର ମହୋତ୍ସବ ।

ବାସ୍ତବରେ ଏହି ପର୍ବ କେବଳ ଓଡ଼ିଶା ଭିତରେ ନୁହେଁ, ଭାରତରେ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆସାମ, ବଙ୍ଗଳା ଓ ଓଡ଼ିଶା ପ୍ରଭୃତି ସ୍ଥାନରେ କୃଷକମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥା’ନ୍ତି । ପୂର୍ବରୁ ସୂଚେଇ ଦିଆଯାଇଛି ଯେ ଦକ୍ଷିଣ ଭାରତରେ ଏହା ପୋଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଭୋଗୀ ପର୍ବ ଭାବେ ପରିଚିତ । ଏହି ଦିନ ଠାରୁ ଦକ୍ଷିଣରେ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହି ପର୍ବଟିକୁ ଦାକ୍ଷିଣାତ୍ୟରେ ତିନିଦିନ ଧରି ମହା ଜାକଜମକରେ ପାଳନ କରାଯାଇଥାଏ ।

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦୧୫୧୪୭୫
Email: Laxmansahoo9040@gmail.com

Leave A Reply

Your email address will not be published.