Latest Odisha News

BREAKING NEWS

ଆଦିବାସୀ ପିଲାମାନଙ୍କୁ ମାତୃଭାଷା ଭିତ୍ତିକ ଶିକ୍ଷା ମାଧ୍ୟମରେ ଶିକ୍ଷିତ କରିବାରେ ଓଡ଼ିଶା ଅଗ୍ରଣୀ

ଭୁବନେଶ୍ୱର :  ଆମ ରାଜ୍ୟରେ ଗତ ୨୦୨୧ ଜୁଲାଇ ୨୬ରେ ୬୪ଟି ପଦବୀକୁ ନିୟମିତ କରାଯିବା ପରେ ବହୁଭାଷୀ ଶିକ୍ଷା ବା ଏମ୍ଏଲ୍ଇ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ଏକ ବଡ଼ ପ୍ରୋତ୍ସାହନ ମିଳିଥିଲା । ବାସ୍ତବରେ ୨୦୦୮ ମସିହାରେ ୧୦୦ ଏମ୍ଏଲ୍ ଇ ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦେଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ପରବର୍ତ୍ତୀ ସମୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୯ ଏବଂ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ର ନିର୍ଦ୍ଦେଶ ଅନୁଯାୟୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆହ୍ୱାନର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ୨୦୨୩ ଅଗଷ୍ଟ ୩୧ ତାରିଖରେ ଏମ୍ଏଲ୍ଇ ପାଇଁ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟୋଜିତ କରିବା ପାଇଁ ମାର୍ଗଦର୍ଶିକା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାଥମିକ ଶ୍ରେଣୀର ପିଲାଙ୍କ ଉନ୍ନତ ଶିକ୍ଷା ଫଳାଫଳ ପାଇଁ ମାତୃଭାଷା ଭିତ୍ତିକ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବାସ୍ତବରେ ଓଡ଼ିଶାରେ ୨୧ଟି ଆଦିବାସୀ ଭାଷା ଓ ୭୪ଟି ଉପଭାଷା ରହିଛି ।

ଆଶ୍ଚର୍ଯ୍ୟର କଥା ହେଉଛି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ମାଗଣା ବୋର୍ଡିଂ ସୁବିଧା ର ବ୍ୟବସ୍ଥା ଯୋଗୁଁ ପ୍ରାୟତଃ ଗୋଟିଏ ଶ୍ରେଣୀଗୃହରେ ଏକରୁ ଅଧିକ ଭାଷା ଗୋଷ୍ଠୀର ଆଦିବାସୀ ପିଲାଙ୍କୁ ଦେଖିବାକୁ ମିଳେ। ବିଶେଷକରି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପିଲାମାନେ ସେମାନଙ୍କ ଶ୍ରେଣୀରେ ସମ୍ମୁଖୀନ ହେଉଥିବା ଭାଷା ପ୍ରତିବନ୍ଧକ ଏବଂ ଆହ୍ୱାନର ମୁକାବିଲା କରିବା ଦିଗରେ ଏମଏଲଇ (ଆଦିବାସୀ ଭାଷା ଶିକ୍ଷକ)ଙ୍କ ନିୟୋଜନ ଏକ ପଦକ୍ଷେପ ଅଟେ ।

ଏବେ ୫୭୭ ବହୁଭାଷୀ ଶିକ୍ଷକ:

ପରବର୍ତ୍ତୀ ସମୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶାର ୧,୭୩୬ଟି ବିଦ୍ୟାଳୟରେ ୫,୫୩୦ ଟି ନିୟମିତ ଶିକ୍ଷକ ପଦବୀ ମଧ୍ୟରୁ ୨୦୦ ଟି ଏମଏଲଇ ଶିକ୍ଷକ ପଦବୀ ସୃଷ୍ଟି କରିଛି । ଏହି ବିଦ୍ୟାଳୟଗୁଡ଼ିକରେ ପାଖାପାଖି ୪ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଛାତ୍ରଛାତ୍ରୀ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ୨୦୨୪ ଫେବ୍ରୁଆରି ୧୩ ତାରିଖରେ କେବଳ ନବରଙ୍ଗପୁର ଜିଲ୍ଲାରେ ଅନୁସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଦ୍ୟାଳୟ ଅଧୀନରେ ପ୍ରାଥମିକ ଶ୍ରେଣୀ/ଗ୍ରେଡ୍ ଛାତ୍ରଛାତ୍ରୀଙ୍କ ପାଇଁ ଗୋଣ୍ଡି ଭାଷା ଲାଗି ୨୭ ଜଣ ନିୟମିତ ଏମ୍ଏଲ୍ଇ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ମଞ୍ଜୁରି ପ୍ରଦାନ କରାଯାଇଥିଲା । ଗତ ଫେବ୍ରୁଆରି ୧୬ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ବିଭିନ୍ନ ଆଦିବାସୀ ଭାଷାର ୨୫୦ଟି ଆଦିବାସୀ ଭାଷା ଶିକ୍ଷକ (ଏମ୍ଏଲ୍ଇ)ଙ୍କ ପାଇଁ ନିୟମିତ ପଦବୀ ସୃଷ୍ଟି କରିବା ପରେ ବିଭିନ୍ନ ଜିଲ୍ଲାରେ ଏମ୍ଏଲ୍ଇ ଶିକ୍ଷକଙ୍କ ସଂଖ୍ୟା ୫୭୭କୁ ବୃଦ୍ଧି ପାଇଥିଲା।

ପ୍ରାଥମିକତା ଭିତ୍ତିରେ ଏମ୍ଏଲ୍ଇ ବା ବହୁଭାଷୀ ଶିକ୍ଷକଙ୍କ ପାଇଁ ସୃଷ୍ଟି ହୋଇଥିବା ୨୫୦ଟି ପଦବୀ ମଧ୍ୟରୁ ବିଭିନ୍ନ ଜିଲ୍ଲାରେ ଆଦିବାସୀ ଭାଷା ଶିକ୍ଷକଙ୍କ ୭୩ଟି ପଦବୀ ବିଭିନ୍ନ ଭାଷାକୁ ଆବଣ୍ଟନ କରାଯାଇଥିଲା ସେମାନଙ୍କ ମଧ୍ୟରେ କନ୍ଧମାଳରେ କୁଇ ଭାଷା ପାଇଁ ଜଣେ, ମାଲକାନଗିରିର କୋୟା ଭାଷା ପାଇଁ ୨ ଜଣ, ମୟୂରଭଂଜରେ ସାନ୍ଥାଳି ଭାଷା ପାଇଁ ୩୨ ଜଣ, ମୁଣ୍ଡା କିମ୍ବା ମୁଣ୍ଡାରୀ ଭାଷା ପାଇଁ ଜଣେ, ରାୟଗଡାର ସଉରା ଓ କୁଭି ଭାଷା ପାଇଁ ଯଥାକ୍ରମେ ୯ ଓ ୨୩ ଜଣେ ଏବଂ ସମ୍ବଲପୁରର କିଷାନ ସମ୍ପ୍ରଦାୟର ଭାଷା ପାଇଁ ଜଣେ ଓ ସୁନ୍ଦରଗଡ ଜିଲ୍ଲାର ଓରାଓଁ ଭାଷା ପାଇଁ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲସି) ପକ୍ଷରୁ ଆଦିବାସୀ ଭାଷାରେ ଅନେକ ପୁସ୍ତକ ପ୍ରକାଶ ପାଇଛି। କିନ୍ତୁ ଗୋଟିଏ ଜିଲ୍ଲାର ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ “ଉପଭାଷାଗତ ଭିନ୍ନତା” ଭାଷାବିତ୍ ଏବଂ ନୃତତ୍ତ୍ୱବିଜ୍ଞାନୀଙ୍କ ପରାମର୍ଶ ଅନୁଯାୟୀ ସୃଷ୍ଟି ହୋଇଛି। ଏକ ପ୍ରଭାବଶାଳୀ ଏମଏଲଇ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମଗ୍ର ରାଜ୍ୟରେ ଆଦିବାସୀମାନଙ୍କର ଏକ ବିସ୍ତୃତ ଭାଷାଗତ ସର୍ବେକ୍ଷଣ (ପିଭିଟିଜି ସମେତ) ର ଆବଶ୍ୟକତା ରହିଛି । ସ୍ୱାଧୀନତା ପରବର୍ତ୍ତୀ ଯୁଗରେ, ୧୯୫୪ ମସିହାରୁ ଏମଆଇଏଲ ଭିତ୍ତିକ (ଆଧୁନିକ ଭାରତୀୟ ଭାଷା) ଶିକ୍ଷାଦାନ ପ୍ରକ୍ରିୟା ସହିତ, ଆଞ୍ଚଳିକ ଭାଷାର ପ୍ରଭାବ ଏମଏଲଇ ଶିକ୍ଷାଦାନର ମୂଲ୍ୟବୋଧକୁ ଆଂଶିକ ଭାବରେ କ୍ଷୁର୍ଣ୍ଣ କରିଛି । ଏବଂ ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ବିଦ୍ୟାଳୟରେ ସହଜ କରିବା ପାଇଁ ମାତୃଭାଷା ଭିତ୍ତିକ ଶିକ୍ଷଣ ପ୍ରକ୍ରିୟା ପ୍ରତି ଅଧିକ ସମ୍ବେଦନଶୀଳ ହେବାର ସମୟ ଆସିଛି ।

କ’ଣ କରିବାକୁ ହେବ?

ଓଡ଼ିଶାର ଆଦିବାସୀ ସାମାଜିକ- ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ସହ ଜଡ଼ିତ ଶିକ୍ଷାବିତ୍, ଭାଷାବିତ୍ ଓ ନୃତତ୍ତ୍ୱ ବିଜ୍ଞାନୀମାନେ ମତ ଦେଇଛନ୍ତି ଯେ “ବିସ୍ତୃତ ଭାଷା ସର୍ବେକ୍ଷଣ” ବ୍ୟତୀତ ସ୍ଥାନୀୟ ଶିକ୍ଷିତ ଆଦିବାସୀ ଯୁବକମାନଙ୍କୁ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷା ପ୍ରଦାନରେ ଅନ୍ତର୍ଭୁକ୍ତ କରିବାର ସୁଯୋଗ ମିଳିବା ଦରକାର। ସେମାନଙ୍କ ପାଇଁ ନିଯୁକ୍ତି ଧାରାକୁ ମଧ୍ୟ କୋହଳ କରାଯାଇପାରିବ ଏବଂ ସେମାନଙ୍କୁ ଚାକିରିରେ କାର୍ଯ୍ୟ କରିବା ସମୟରେ ସିଟି /ବିଏଡ୍ / ଏହି ଓଟିଇଟିର ସୁଯୋଗ ଦିଆଯାଇପାରେ । ଏବଂ ନିର୍ଦ୍ଦିଷ୍ଟ ଆଦିବାସୀ ଭାଷା / ଉପଭାଷା ପାଇଁ ଏନଇପି ନିର୍ଦ୍ଦେଶାବଳୀର ଅଂଶ ଭାବରେ ସେମାନେ ଗ୍ରୀଷ୍ମ / ଶୀତକାଳୀନ ରିଫ୍ରେସର ପାଠ୍ୟକ୍ରମ ପଢାଇ ପାରିବେ ।

ଏମ୍ଏଲ୍ଇ (ବହୁଭାଷୀ) ଶିକ୍ଷକମାନେ ମୁଖ୍ୟତଃ ଆଦିବାସୀ ଛାତ୍ରଛାତ୍ରୀ ଓ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରନ୍ତି । ଏବଂ ଛାତ୍ରଛାତ୍ରୀଙ୍କୁ ଅନୁଭବ କରାନ୍ତି ଯେ ସେମାନେ ଅଧାବାଟରେ ହଜି ନାହାନ୍ତି, ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ପାଖରେ କେବଳ ଆଦିବାସୀ ଭାଷା ଶିକ୍ଷାଦାନ ପାଇଁ ନୁହେଁ ବରଂ ମଲ୍ଟି-ଟାସ୍କିଂ ଶିକ୍ଷକ ମଧ୍ୟ ଅଛନ୍ତି।

ସମ୍ପୃକ୍ତ ପ୍ରଧାନଶିକ୍ଷକମାନେ ଅନେକ କ୍ଷେତ୍ରରେ ଆଦିବାସୀ ଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଏମ୍ଏଲ୍ଇ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ଦେଉନାହାନ୍ତି । ଚାଲିଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବା ଦରକାର।

ଆଗକୁ ଯିବାର ଉପାୟ:

ଆଦିବାସୀ ଭାଷା ଶିକ୍ଷା ବ୍ୟବସ୍ଥା ମୁଖ୍ୟତଃ ନିମ୍ନ ଶ୍ରେଣୀ ଅର୍ଥାତ ପ୍ରଥମରୁ ତୃତୀୟ ଶ୍ରେଣୀ ମଧ୍ୟରେ ସୀମିତ ରହିଛି।
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସହଜ କରିବା ପାଇଁ ଏମ୍ଏଲ୍ଇ ବା ବହୁଭାଷୀ ପ୍ରକ୍ରିୟା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଜାରି ରଖିବା ଆବଶ୍ୟକ । ଏବଂ ସାନ୍ଥାଳି ଭଳି କିଛି ବିକଶିତ ଭାଷାରେ ଏହି ଭାଷାକୁ ଉଚ୍ଚ ମାଧ୍ୟମିକ କିମ୍ବା ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ପାଇଁ ବ୍ୟବହାର କରାଯାଇପାରିବ । ଏଭଳି ହେଲେ ଏମ୍ଏଲ୍ଇ ଶିକ୍ଷା ଇକୋସିଷ୍ଟମ୍ ବାସ୍ତବ ଅର୍ଥରେ ଏହାର ଲକ୍ଷ୍ୟ ହାସଲ କରିପାରିବ ବୋଲି ଓଡ଼ିଶାରେ ଆଦିବାସୀ ଅଧ୍ୟୟନରେ ନିଜର ପୂରା କ୍ୟାରିୟର ଅତିବାହିତ କରିଥିବା ଜଣେ ବିଶେଷଜ୍ଞ ମତ ଦେଇଛନ୍ତି।

ଆଦିବାସୀ ଭାଷାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହାୟତାରେ ଉଚ୍ଚଶ୍ରେଣୀ ଓ ପାଠ୍ୟକ୍ରମ ପାଇଁ ବହି ଉପଲବ୍ଧ କରାଇବା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ଏଭଳି ହେଲେ ଛାତ୍ରଛାତ୍ରୀମାନେ ନିଜ ଭାଷାରେ ପାଠ ପଢ଼ିବା ସମୟରେ ଆରାମଦାୟକ ବାତାବରଣ ପାଇବା ସହ ଖୁସି ହୋଇ ନିଜକୁ ଗର୍ବିତ ମନେ କରିବା ସହ ପରିପୂର୍ଣ୍ଣ ଅନୁଭବ କରିପାରିବେ। ଏହା ନିଶ୍ଚିତ ଭାବରେ ସମଗ୍ର ରାଜ୍ୟର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ବିଶେଷ କରି ଆଦିବାସୀ ଯୁବକ/ଯୁବତୀ ମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବ ବୋଲି ଆଶା କରାଯାଉଛି ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ରୂପା ରୋଶନ ସାହୁଙ୍କ ମତରେ ଓଡ଼ିଶାର ସମସ୍ତ ଆଦିବାସୀ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ପାଇଁ ବହୁଭାଷୀ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ବହୁ କିଛି କରିବାକୁ ବାକି ରହିଛି । କିନ୍ତୁ ଅଧିକରୁ ଅଧିକ ଆଦିବାସୀ ଭାଷା ଶିକ୍ଷକ ନିଯୁକ୍ତ କରିବା ଏବଂ ସେମାନଙ୍କ ଅଭିଜ୍ଞତାକୁ ରିଫ୍ରେସର ପାଠ୍ୟକ୍ରମ ମାଧ୍ୟମରେ ସମୃଦ୍ଧ କରିବା ଦିଗରେ ବିଭାଗ ନିଶ୍ଚିତ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଯାହାଦ୍ୱାରା ସେମାନେ “ଏକାଧିକ ଆଦିବାସୀ ଭାଷା” ରେ ବିଶେଷଜ୍ଞ ହୋଇପାରିବେ । ଏହା ଆଦିବାସୀ ପିଲାମାନଙ୍କୁ ଭଲ ଭାବରେ ବିଷୟ ଗୁଡ଼ିକୁ ବୁଝିବା ପାଇଁ ସାହାଯ୍ୟ କରିବ ଏବଂ ଶିକ୍ଷାଗତ ଯୋଗାଯୋଗ ପ୍ରକ୍ରିୟାରେ ଥିବା ବ୍ୟବଧାନକୁ ଦୂର କରିବାରେ ଫଳପ୍ରଦ ହେବ ।

**

Leave A Reply

Your email address will not be published.