Latest Odisha News

କବିତା : ତ୍ରିଶଙ୍କୁ ଜୀବନ

ସୁଷମା ପରିଜା
ବେଳେ ବେଳେ କିଛି କଥା, କିଛି ଶବ୍ଦ,
ତୀକ୍ଷ୍‌ଣ ଧାରଥିବା ଛୁରୀଟିଏ ହୋଇ
ଟିକ୍ ଟିକ୍ କରି କାଟି ପକାନ୍ତି
ଛାତି ଭିତର ର କଲିଜା ଟାକୁ,
ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା
ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି
ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,
କାହିଁକି ନା, ସେଠି ସାମାଜିକ ସଂଭ୍ରମ ର
ଚାବୁକ ଟିଏ ଧରି ବାଟ ଓଗାଳି
ଠିଆ ହୋଇଥାଏ ବିବେକ ।।
ଲୁହ ମାନେ ବାଷ୍ପ ହୋଇ ରୁନ୍ଧି ପକାନ୍ତି,
କୋହରେ ଉବୁଟୁବୁ ହେଉଥିବା ଗଳାକୁ,
ଆକ୍ତା ମାକ୍ତା ହୋଇ ଯାଏ ପାର୍ଥିବ ପ୍ରାଣ ,
ଆଃ, ଖୁବ୍ ଯନ୍ତ୍ରଣା ଦାୟକ
ଏଇ ତ୍ରିଶଙ୍କୁ ଅବସ୍ଥା,
ନା କହିହୁଏ, ନା ସହିହୁଏ,
ନା ଜୀଇଁ ହୁଏ, ନା’ ମରିହୁଏ,
କେଜାଣି କେମିତି ଏକ ସ୍ଥାବରପଣ
ଗ୍ରାସ କରିଯାଏ ସମଗ୍ର ସତ୍ତାକୁ ।।
ଶ୍ରୁତି ପଟଳରେ ବାର ବାର
ଅନୁରଣିତ ହେଉଥାନ୍ତି ଶବ୍ଦ ମାନେ
ମୁନିଆଁ କଣ୍ଟା ଭଳି ଫୁଟି ଯାଇ
ଅସହ୍ୟ ଆଘାତ ଦେଉଥାଆନ୍ତି,
ଆଃ, ଏମିତି ହସ ନାଇଁ , ଏମିତି ବସ ନାଇଁ,
ଏମିତି କଥା କୁହ ନାଇଁ, ଏମିତି ଚଳିବି,
ଇତ୍ୟାଦି ଇତ୍ୟାଦି କଟକଣା ସବୁ
ଅହରହ କ୍ଷତ ବିକ୍ଷତ କରୁଥାନ୍ତି,
ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି
ମୁହଁ ରେ ମିଛି ମିଛିକା ହସ ମାଖିବାକୁ ପଡେ,
ଏତିକି ବି କହି ହୁଏ ନାଇଁ ଯେ,
“ଆରେ ବାବା ! ଆରେ ଧନ !
ଯଦି ଆମେ ନିଜ ଇଚ୍ଛା ମୁତାବକ ବଞ୍ଚି ପାରିବୁନି,
ତେବେ ଆମ ଇଚ୍ଛା ମୁତାବକ ମରିବାକୁ ତ’ ଦିଅ ,
ଖୁବ୍ ଅସହ୍ୟ ହେଉଛି ଏଇ ତ୍ରିଶଙ୍କୁ ଜୀବନ” ।।

Leave A Reply

Your email address will not be published.