Latest Odisha News

BREAKING NEWS

ଗଳ୍ପ : ଅନ୍ତର୍ଦାହ

ଯାଜ୍ଞସେନୀ ହୋତା

ଆଜି , ସବୁ ମଲ୍ଲିଫୁଲ ତୋଳା ହେବ। ତିନୋଟି ମାଳ ଯିବ ଜଗନ୍ନାଥ ମନ୍ଦିରକୁ ।  ଯତ୍ନରେ ତୋଳିବ, ଯେମିତି କଢ ଦେହରେ ହାତ ନ ବାଜେ। ମଲ୍ଲି ଫୁଲଗୁଡିକୁ ଅନେଇ ଧିରେ ଧିରେ ପାଦ ପକେଇ କହୁଥିଲେ ଜେଲ କର୍ତ୍ତୁପକ୍ଷ।

କାନ୍ତା , ପାଛିଆ ଗୁଡା ଆଣି ସମସ୍ତ ଅନ୍ତେବାସିନୀଙ୍କୁ ଗୋଟିଏ ଲେଖା ଧରେଇ ଦେଇ କହିଲା, ତୁମେ ସବୁ ଫୁଲ ତୋଳିକି ଆଣ, ମୁଁ ମାଳ ଗୁନ୍ଥିଦିଏ।

ବର୍ଷକ ଦି ଥର କି ତିନିଥର ସବୁ ମଲ୍ଲି ତୋଳାହୁଏ , ଠାକୁରଙ୍କ ପାଇଁ । ନହେଲେ ଫୁଲମାନଙ୍କରେ ହାତ ଲଗେଇ ଦେବେନି ଜେଲର୍ ସାହେବ।

ଥରେ ମନ ଭିତରେ ସାହସ କୁଳେଇ କାନ୍ତା ଜେଲର୍ ସାହେବଙ୍କୁ କହିଥିଲା, କଢ କଢରେ ସୁନ୍ଦର ମାଳ ଗୁନ୍ଥିହୁଏ ଆଜ୍ଞା। ଗଜରାଟେ ଗୁନ୍ଥିଦେବି ? ମାଡମ୍ ଗଭାରେ ପିନ୍ଧିବେ। ରାଗି ଯାଇଥିଲେ ସେ। କହିଥିଲେ, କଢଗୁଡିକୁ ଫୁଟିବାକୁ ଦିଅ। ମୋତେ ଲାଗେ ଏ କଢ ଛିଣ୍ଡେଇଲେ , ଶିଶୁଙ୍କର ହାତ ଗୋଡ ଭାଙ୍ଗିଦେଲା ପରି।

କାନ୍ତା ଡରିଯାଇଥିଲା ସିନା, ହେଲେ କଢ ଆଉ ଶିଶୁଙ୍କ କଥା ଭାବି କିଛି ସମୟ ନୀରବ ହେଇଯାଇଥିଲା।

ଜେଲ୍ ଭିତରେ ଅନ୍ତେବାସୀ ଆଉ ଅନ୍ତେବାସିନୀ ମାନେ କେତେ ପରିଶ୍ରମକରି ସଜେଇଛନ୍ତି ବଗିଚା। ଅନେକ ରଙ୍ଗବେରଙ୍ଗ ଫୁଲରେ ହସିଉଠୁଛି ଅଗଣା।

କାନ୍ତା ଛୁଞ୍ଚିରେ ସୂତା ଗଳଉ ଗଳଉ ଯମୁନା କୁ ପଚାରିଲା ” ଆଜି ରଥ ଯାତରା ନା ଲୋ ଯମୁନା? ”

କେଜାଣି ? ଏ ଅନ୍ଧାରି ମୂଲକରେ  ଥାଇ ଦିନ ରାତିର ତ ହିସାବ୍ ଜଣା ପଡୁନି, କି ଯାତରା ଫାତରା ଆସୁଛି , ଆମକୁ କି ଜଣା ?
ଯମୁନା ଶୁନ୍ୟକୁ ଚାହିଁ କହିଲା।

ବିରାଟ ପାଚରୀ ଭିତରେ ଶହ ଶହ ଅପରାଧୀ। ଆଇନ ଅନୁସାରେ ଦଣ୍ଡ ଭୋଗୀବାକୁ ଆସିଛନ୍ତି ଏ ଚାରି କାନ୍ଥ ଘେରା ନଜରବନ୍ଦି ଇଲାକାକୁ। ଏଠିକି କିଏ ମଣିଷ ମାରିକି ଆସେ, କିଏ ଚୋରୀ କରିକି, କିଏ ଜମି ବାଡି ମାମଲା ପାଇଁ, କିଏ ଧର୍ଷଣ ଅପରାଧ ନେଇ ତ ଆଉ କେଉଁମାନେ ଆସନ୍ତି କେହି ଭୁଲ୍ କରି ଅନ୍ୟ ଉପରେ ଅଠାବୋଳି ଦେଇ ଛୁ’ ମାରିଥିବା ପାପକୁ ଭୋଗୀବାକୁ ବିନା ଦୋଷରେ। ଯିଏ ଦୋଷୀ ହେଉ କି ନିର୍ଦୋଷ , ମୁଣ୍ଡ ଉପରେ କଳଙ୍କର ବୋଝ ନେଇ ସେମାନଙ୍କର ସୂର୍ଯ୍ୟ ଉଦୟ ହୁଅନ୍ତି , ଆଉ ରାତି ହୁଏ।

କାନ୍ତା ଝାଡୁବାଲି, ଯମୁନା ଗୋବର ଗୋଟେଇ, ବିରା ଚାକରାଣି, ଛବିଲା ,ପେର୍ମ , ଚୁନ୍ତୁଲା, ମେଟ୍ ନି ପରି ଦଶ ବାରଟା ସ୍ତ୍ରୀଲୋକ କି କି ଅପରାଧ କଲେ ଯେ ଏ ଜେଲ୍ ଭିତରେ ଭାତ ଡାଲମା ଖାଉଛନ୍ତି କେଜାଣି ? ରସ ଥାଳିରେ ଲାଇନରେ ରହି ଭାତ ପାଇଁ ହାତ ବଢେଇଲା ବେଳେ ବାଢିଲା ବାଲାର ଘୃଣାମିଶା ଦୃଷ୍ଟିକୁ ହଜମ୍ କରୁଛନ୍ତି କଣ ବିନା ଦୋଷରେ ? କିଛି ତ ଦୋଷ କରିଥିବେ ନା ? ହେଲେ କାନ୍ତା କହେ, ସେମାନେ କିଛି ଅପରାଧ କରିନାହାନ୍ତି, ଅନ୍ୟର ଦୋଷ ପାଇଁ ଏ କଷ୍ଟ ଭୋଗୁଛନ୍ତି। ଖାଲି ତାଙ୍କର ଦୋଷ , ତାଙ୍କ ଗରୀବି ପଣିଆ।

ସେଦିନ ପୁଲିସ୍ ଗାଡି ମାଡି ଆଇଲା ଗାଁ ଆଡକୁ। ଠେଙ୍ଗା ବାଡି ଦେଖେଇ ଭେନରେ ପୁରେଇ ଅଣାହେଲା ଏମାନଙ୍କୁ। ଆଶ୍ଚର୍ଯ୍ୟର କଥା କାରଣ ନଥାଇ ସଜା।

ସେ ଜାଣିଛି ଭାଗ୍ୟରେ ଥିଲେ ଛିଣ୍ଡାଲୁଗା ପିନ୍ଧି ବୁଲୁଥିଲେ ବି ହାତୀ ସୁନା କଳସ ଢାଳିବ, ଆଉ କର୍ମବାମ ଯୋଗୁଁ ନଳରାଜା କାଟିଥିଲେ ଘୋଡା ଘାସ।

ଏସବୁ ଯୋଗ।

ଏମାନେ ସବୁ ଭିତରକୁ ପଶିଲା ବେଳେ , ଭିତରୁ ଖଲାସ୍ ହେଲେ ଗାଁ ସରପଞ୍ଚର ସ୍ତ୍ରୀ, ସନା ସାହୁର ଖୁଡି, ମାରବାଡି ମାଇକିନାମାନେ ଆଉ ଧନୀ ଘରର ଝିଅ ବୋହୁ। ଯମୁନା କହୁଥିଲା, ସେମାନଙ୍କ ବଦଳରେ କୁଆଡେ ଆମ୍ଭମାନଙ୍କୁ ଅଣାହେଇଛି ବୋଲି। ଜଣ ପିଛା କୋଡିଏ ହଜାର ଖର୍ଚ୍ଚକରି ଧନୀ ଘର ଲୋକ ମାନେ ନିଜ ନିଜ ଝିଅ ଭଉଣୀକୁ ମୁକୁଳେଇ ନେଇଛନ୍ତି , ହେଲେ, କାନ୍ତା , ଯମୁନାର ସାତ ପୁରୁଷ କୋଡିଏ ହଜାର ଦେଖିଥିଲେ ତ ମୁକୁଳିବେ ? ଏମାନେ ଆଜୀବନ ଭୋଗୀ ବି ପାରନ୍ତି ଏ ଦୁଃଖ ଅସଲ ଦୋଷୀ ଧରାପଡିନି ଏ ଯାଏ ନା।

ପରେଶ ଅଗ୍ରୱାଲର ଆଠ ବର୍ଷର ଶିଶୁପୁତ୍ର ହଠାତ୍ ଘରୁ ଗାଏବ୍ ହେଇଗଲା ପରେ ତିନି ଦିନ ଧରି ରାସ୍ତା ରୋକ୍, ଥାନା ଆଗରେ ଅନସନ, ଧାରଣା, ଦୋକାନ ବଜାର ବନ୍ଦ, ଆଉ ଶେଷରେ ଗାଁର ବଡଘର ଝିଅ ବୋହୁଙ୍କ ଦ୍ୱାରା ଥାନା ପୋଡି।

ରାତି ବାରଟାରେ ହୁତ୍ ହୁତ୍ ହେଇ ଜଳିଗଲା ପୁଲିସ୍ ଫାଣ୍ଡି। ରାତି ଡ୍ୟୁଟିରେ ଥିବା ପୁଲିସ କର୍ମଚାରିଙ୍କ ଭିତରୁ କିଏ ଅର୍ଧ୍ଧ ଦଗ୍ଧ ତ କିଏ ଅଙ୍ଗାର ପାଲଟିଗଲେ।

ବର୍ଷ ବର୍ଷର ଲିଖିତ ଦଲିଲ୍ ପତ୍ର , ପୁରୁଣା ରେକର୍ଡ ସବୁ ଜଳିପୋଡି ଧ୍ୱଂସ ହେଇଗଲା ନିମିଷକେ।

ଧ୍ୱଂସ ହେଇଗଲା ଅନେକ ଅପରାଧି ଙ୍କର ମୁକ୍ତି ଦିବସର ରାଜିନାମା। ବୋମା ଫୁଟିଲା ଭଳି ଫୁଟିଲା ଢୋ’ ଢା ଗଦାଗଦା ସିଜ୍ ହେଇଥିବା ବିଦେଶୀ ମଦବୋତଲ। ବହିଗଲା ନଦୀ ପରି, ବୋତଲ୍ ଦେହରୁ ପୁଲିସଙ୍କର ଦେହ ଦରଜ ହରଣ କରୁଥିବା ନାଲି, ହଳଦିଆ ଆଉ ଗଙ୍ଗାଜଳ ପରି ସ୍ୱଚ୍ଛ ଦିଶୁଥିବା ପାଣି।

ହରତାଳ , ରାସ୍ତା ଅବରୋଧ ଉର୍ଦ୍ଧ୍ୱମୁଖୀ ହୋଇ ନିଆଁ ଜଳିଲା ହୁତ୍ ହୁତ୍ । ଗୋଟେ ଦିନ ଅସୁବିଧା ଭୋଗିଲା ଜନତା। କିଏ ଯାଉଥିଲା ବାହାଘର ଭୋଜି ଖାଇବାକୁ , କିଏ ଯାଉଥିଲା ପରୀକ୍ଷା ଦେବାକୁ, କିଏ ଯାଉଥିଲା ମେଡିକାଲ୍। କିଛି ସମୟ ପାଇଁ ବ୍ୟାହତ ହେଲା କର୍ମ।

ତା ପରେ, ଚିରାଚରିତ ରୀତିରେ ଚାଲିଲା ସଂସାର। ଠିକ୍ ସମୟରେ ସୂର୍ଯ୍ୟ ଉଦୟ ହେଉଥିଲେ,କାଉ କୋଇଲି ରାବୁଥିଲେ। ଚା ଦୋକାନ୍ ରେ ଲୋକଙ୍କର ପ୍ରବଳ ଭିଡ ଜମୁଦିଲା,ହସଖୁସି ରେ ଉଠାପକା ହେଉଥିଲା ରାଜୁ ଢାବା।

ଥାନା ପୋଡି ପରେ କଣ ପରେଶ ଅଗ୍ରୱାଲର ପୁଅ ବଞ୍ଚିକି ଫେରିଲା ଘରକୁ ? କେତେ ସୁନ୍ଦର ଗୁଲୁଗୁଲିଆ ଛୁଆ। ଗୋରା ତକ୍ ତକ୍ ଚେହେରା, ଗୋଲ୍ ଗୋଲ୍ କଳା ଘୁମର ଉଜ୍ଜ୍ୱଳ ଆଖି। ଘୁରିବୁଲୁଥିଲା ଅଗଣାରେ,ଖୁସି ବାଣ୍ଟୁଥିଲା ପଡିଶାଘରେ। ଶିଶୁମନ୍ଦିରରେ ପ୍ରିୟ ଥିଲା ଗୁରୁଜୀ ଗୁରୁମାଙ୍କର। ଗାୟତ୍ରୀମନ୍ତ୍ର ବୋଲୁଥିଲା, ବୋଲୁଥିଲା ଜନଗଣ ମନ। ସେ ଥିଲା ସ୍କୁଲ୍ର ଭବିଷ୍ୟତ ର କର୍ଣ୍ଣଧାର। ଦେଶପାଇଁ , ଜାତି ପାଇଁ ଏକ ସୁଯୋଗ୍ୟ ସୁନାଗରିକ ହେବାର ଏକ ଉଜ୍ଜ୍ୱଳ ସମ୍ଭାବନା, ମାଆ ବାପାଙ୍କର ଆଖିର ତାରା, ଦୁଃଖି ସଙ୍ଖାଳି। ଅନ୍ଧର ଲଉଡି।ସ୍ୱପ୍ନର ସୌଧ ।

ଦିନ ଦୁଇଟାରେ ଖିଆପିଆ ସାରି ସବୁଦିନ ପରି ଟିକେ ରେଷ୍ଟ୍ କରିବାକୁ ଶୋଇବା ଘରେ ପଶିଥିଲା ରତନ୍।
ପିଲାଟା ଶୁଏନା। ଘରଭିତରେ ଘୁରି ବୁଲୁଥାଏ। ଉପର ଘରେ ତା ଭୁଆର ବେଡ୍ ରୁମ୍। ବେଳେ ବେଳେ ତା ପାଖକୁ ଯାଏ। ବାହାରେ ଗେଟ୍ ତ ଲକ୍ ଥାଏ, ସେତେଟା ଚିନ୍ତା ନଥାଏ ରତନର।।

ତା’ ମାଆ ରତନ୍ ପ୍ରଥମେ ପୁଅକୁ ଖୋଜିଥିଲା ପଢାଘର , କାଳେ ଶୋଇପଡିଥିବ ହାଲିଆ ହେଇ ହୋମ୍ ୱର୍କ କରୁ କରୁ। ତାପରେ ଖଟତଳ, ରୋଷେଇଘର, ବାଡିପଟ, ଶେଷରେ ଉପର ତାଲା।

ତା ବିଧବା ନଣନ୍ଦ ଶୋଇଥିଲା ଚାଦର ଘୋଡେଇ ହେଇ। ଏଠି ଆସି ରୁହେ ସ୍ୱାମୀର ମୃତ୍ୟୁପରେ।କହିଲା ନା ‘ ତ ଏଠିକି ଆସିନି। ଦେଖ କେଉଁଠି ଥାଇପାରେ। ଚାକର ବାକର ଖୋଜିବୁଲିଲେ ପଡିଶା ଘର ଘର, କୂଅ, ପୋଖରୀ, ନଈ, ନାଳ। ତା ‘ ପରେ ଆଶ୍ରୟ ନିଆ ହେଲା ପୋଲିସ୍ର। ଦିନେ ନୁହେଁ ଚାରିଦିନ , ପୋଲିସ୍ ସୂତ୍ରରୁ କିଛି ସୂଚନା ମିଳିଲାନି।
ତା ପରେଥାନା ପୋଡି।

ପିଲାଟିର ଚିରା ପ୍ୟାଣ୍ଟ୍ ଆଉ ମାଂସଖଣ୍ଡ ଝୁଲୁଥିବା ଗୋଡରୁ ଖଣ୍ଡେ ଆବିଷ୍କାର ହେଇଥିଲା କୁମୁଡା ପାହାଡର ପଥର ସନ୍ଧିରୁ। କି ଦୋଷ କଲା ଏ ନିରୀହ ଶାବକ, ପୁଣି ଶିଶୁପୁତ୍ର ? ହାତରେ ଖାଇବା ଶିଖି ନଥିଲା, ମାଆର ହାତ ତକିଆ ବିନା ଶୋଇବା ଜାଣି ନଥିଲା। ଛନ୍ଦ କପଟ, ମାୟା ମୋହ ,ହିଂସା ଦ୍ୱେଷ, ଭୟ , ଆତଙ୍କ କି ଶତୃତାର ଜାଲ ଭିତରେ ପଶିନଥିଲା ସେ ଅବୋଧ।
ତାକୁ ହତ୍ୟା କରାଗଲା କାହିଁକି?

କିଏସେ ରକ୍ତ ପିପାସୁ ପିଚାଶ ? କିଛି ପ୍ରମାଣ ନଥିଲା କି ଟେର୍ ମିଳୁନଥିଲା। କାହାକୁ କେମିତି ସନ୍ଦେହ କରାଯାଇପାରେ? ସବୁଥିଲା ଦ୍ୱନ୍ଦ୍ୱ ଭିତରେ। ।

ସାଇ ପଡିଶାର ସ୍ତ୍ରୀ ଲୋକମାନେ ଥାନାରେ ନିଆଁ ଲଗେଇଥିଲେ,ଉତ୍ୟକ୍ତ ହେଇ। ରତନକୁ କିଛି ଜଣାନଥିଲା। ସେ ଆଉ ହୋସରେ ନଥିଲା। ପ୍ରତି ମୁହୂର୍ତ୍ତରେ ତା ଛାତିରେ ନିଆଁ ଜଳୁଥିଲା। କେତେବେଳେ ହସୁଥିଲା ତ କେତେବେଳେ କାନ୍ଦୁଥିଲା । କୋମଳମତି ଶିଶୁପୁତ୍ରର ଚପଳ ବାଲ୍ୟଲୀଳାକୁ ମନଭରି ଉପଭୋଗ କରୁଥିବା ବାତ୍ସଲ୍ୟ ପ୍ରେମୀ ମାଆଟିର କୋଳ ଯଦି ହଠାତ୍ ଶୁନ୍ୟ ହେଇଯାଏ , ସେ କି ଜୀବନ ନେଇ ବଞ୍ଚିପାରେ?

ସନ୍ତାନ ପ୍ରାପ୍ତି ପରେ ମାଆ ଟିଏ ନିଜର ସତ୍ତା ହରେଇଥାଏ। ତା’ରି ର ସୁଖ ପାଇଁ ସର୍ବଦା ସେ ପାଲଟି ଯାଉଥାଏ ସନ୍ୟାସିନୀଟିଏ।ତା ପାଦରେ କଣ୍ଟା ଟିଏ ଗଳିଗଲେ ମାଆର ଛାତିରେ ଖଣ୍ଡା ଚଲିଯାଏ, ଆଉ ଏ ଖଣ୍ଡିତ ଅବୟବ ଦେଖି ମାଆର ମାନସିକ ସ୍ଥିତି ଯେ କଣ ହେଉଥିବ ତାହା ଅନୁମେୟ। ପ୍ରାୟ ପାଗଳି ହେଇଯାଇଥିଲା ରତନ୍। ଆଉ ,ଗୋଟେ ପିତୃହୃଦୟ କୁହଳି ଉଠୁଥିଲା ପ୍ରତିଶୋଧର ଧୂଆଁରେ। ତଥାପି ଥିଲା ନିରୁପାୟ ଆଉ ଅସହାୟ। କାରଣ ତା ପାଖରେ ନଥିଲା ପ୍ରମାଣ।

ଅପରାଧର କଳଙ୍କ ବୋଝ ନେଇ ଦୁଃଖ ଭୋଗୁଥିଲେ କାନ୍ତା ସମେତ ଅନେକ ନିମ୍ନ ବର୍ଗର ସ୍ତୀ ଲୋକ। ଚୁନ୍ତୁଲା , ଘରେ ଛାଡିଆସିଛି ବଢିଲା ଝିଅ ସହ ଆଉ ତା ତିନିଟା ଛୁଆ। ମଦୁଆ ସ୍ୱାମୀ ତାର ଟଙ୍କାଟେ ରୋଜଗାର କଲେ ଦି’ ଟଙ୍କା କରଜ କରି ପିଇ ଦେବ। ନିଜେ ଦୁଃଖେ କଷ୍ଟେ ପରିବାର ଚଳଉଥିଲା ସେ। ଭୋକେ ଉପାସେ କଣ କରୁଥିବେ କେଜାଣୀ ତାର ପିଲାଛୁଆ?
ବିଧବା ପେରେମ ହାତକୁ ଆଶ୍ରା କରିଥିଲେ ଚାରି ପାଞ୍ଚଟା ଭୋକିଲା ମୁହଁ। ସମସ୍ତଙ୍କର ସେଇଦଶା।

ଓଲଟା ବିଚାର। କିଏ ଦୋଷ କରେ, କିଏ ଦଣ୍ଡ ପାଏ।

କେମିତି ଏ ନିୟମ ? ଏତେ ଲୋକ କଣ ପେଟ୍ରୋଲ୍ ଢାଳିଛନ୍ତି ଥାନାର ଚାରିପଟେ? କେହିତ ଜଣେ ମାଚିସ୍ ଲଗେଇଥିବ ? କିଏ ସେ ଅସଲ ଅପରାଧି ଧରା ପଡିଯାଆନ୍ତେ ହେଲେ? ସେମାନେ ମୁକୁଳି ଯାଆନ୍ତେ ଏ ଅନ୍ଧାରି ମୁଲକରୁ।

ହେଲେ ଲୋଡା ହୁଏ ପ୍ରମାଣ , ପ୍ରତ୍ୟକ୍ଷଦର୍ଶୀ। ଜେଲର୍ ଆଜ୍ଞା ତ ମଲ୍ଲିକଢ ଦିଟା ଛିଣ୍ଡେଇଦେଲେ ସହ୍ୟକରି ପାରନ୍ତିନି, ଏ ନିର୍ଦ୍ଦୋଷ ଶିଶୁର ହତ୍ୟା ରେ ଜାଳିଥିବା ଅପରାଧରେ ଏମାନଙ୍କୁ ସଜା ଦେଉଛନ୍ତି କାହିଁକି?

ଏତେ ଗହନ କଥା ଏମାନଙ୍କ ମୁଣ୍ଡ ଭିତରେ ପଶେନା।

ସେଦିନ ସୂର୍ଯ୍ୟୋଦୟ ହେଲା ସେମାନଙ୍କ ଜୀବନରେ। ବିରାଟ ପ୍ରାଚେରୀ ଡେଇଁ ପୁଳାଏ ଖରା ବିଛେଇପଡିଲା କାରାଗୃହ ଭିତରକୁ ଅଭାବିତ ଭାବରେ। ଜେଲ୍ କର୍ତୃପକ୍ଷ ସମସ୍ତଙ୍କୁ ଡାକି କୋର୍ଟରୁ ଆସିଥିବା ନୋଟିସ୍ରେ ଦସ୍ତଖତ , ଟିପଚିହ୍ନ ନେଇ କହିଲେ ତୁମେ ସବୁ ମୁକ୍ତ ଆଜି। ଯାଅ ନିଜ ନିଜ କର୍ମରେ ମନଦିଅ।

ଏତେ ଲୋକଙ୍କୁ ତ ନିତି ସରକାର୍ ପାଳିପୋଷି ରଖିବେନି। ଯଦି ତୁମ ଭିତରୁ କେହି ଏ କାମ କରିଛ ପୁଣି ଲେଉଟିବ। ଖାଲି ପ୍ରମାଣ ମିଳିଯାଉ।ସରକାରୀ ସମ୍ପତ୍ତି ନଷ୍ଟ ହେବା କଣ ସହଜ କଥା ?

ମୁହଁ ଦେଖାଦେଖି ହେଲେ ସଭିଏଁ। କାହା ମନରେ ବି ଦକା ନଥିଲା। ଖୁସିରେ ବାହାରି ଆସିଲେ ଜେଲ୍ ଭିତରୁ। କାରଣ, ଏମାନେ କୌଣସୀ କାମରେ ସମ୍ପୃକ୍ତ ନଥିଲେ ।

ନା ଥାନା ପୋଡି, ନା ଶିଶୁ ହତ୍ୟା।ହାତ ଚଳେଇ ଭାତ ଖାଆନ୍ତି ଏମାନେ। ପରିବାର ପ୍ରତିପୋଷଣରେ ପୁରୁଷଠାରୁ ସ୍ତ୍ରୀର ଦାୟିତ୍ୱ ଥାଏ ଯଥେଷ୍ଟ ଅଧିକ। ବଣ, ଜଙ୍ଗଲ , ଖୋଲା ଆକାଶ ପ୍ରିୟ ଏମାନଙ୍କର।ଯାହା ରୋଜଗାର କଲେ ଖାଇଲେ।ଦିନର ଚିନ୍ତା ରାତିପାଇଁ ନଥାଏ ଏମାନଙ୍କର। ଦେହ ପରାଶ୍ କଲେ ଦେଶୀ ମହୁଲି ଠୋପେ ଶାନ୍ତି ର ନିଦ ଟିଏ ଆଣିଦିଏ।
ଆଉ ଏ ସଂସାରର ଜଟିଳତା ଭିତର କୁ ଏମାନେ କାହିଁ ପଶନ୍ତେ ଭଲା ?

ଚିରାଚରିତ ଚାଲିଲା ଦୂନିଆ ପୁଣିଥରେ। କେବଳ କାନ୍ଦୁଥିଲା ରତନ୍। ଚିତ୍କାର୍ କରୁଥିଲା ମୋ ପୁଅ, ମୋ ପୁଅ। ହତ୍ୟାକାରୀକୁ ବାହାରକର।ମୋତେ ନ୍ୟାୟ ଦିଅ।

ଥାନା ପୋଡି ଭଷ୍ମ ହେଇଗଲା , ନୂଆଁ ଘର ତିଆରିହେବ। ସରକାରଙ୍କ ପଇସାର ଅଭାବନାହିଁ, ମାସେ ଭିତରେ ଠିଆ ହେବ ଘର। ପୁଣି ଭର୍ତ୍ତିହେଇଯିବ ଷ୍ଟକ୍ ରୁମ୍ ନୂଆ ନୂଆ ଜିନିଷରେ ।ହେଲେ ଆଉ କଣ ଫେରିବ ତା ପୁଅ। ପୁରିବ ତା କୋଳ? ଦଶମାସର ଗର୍ଭ ବେଦନା, ପ୍ରସବ ଯନ୍ତ୍ରଣାର କଣ ଭରଣା ଦେବକିଏ ତାକୁ। ତା ମାତତ୍ୱର ଘାସ ପଡିଆରେ କଅଁଳିବ ଆଉ ଛନଛନିଆଁ ଦୂବଘାସ?

ଜଳି ଯାଉଛି ରତନର ଦେହ, କୁହୁଳି ଉଠୁଛି ତାର ମନ, ପ୍ରାଣ। ଛିଣ୍ଡି ଯାଇଛି ତାର କଲିଜା ଟୁକୁଡା ଟୁକୁଡା ହେଇ। ପ୍ରଥମ ପ୍ରଥମ ସ୍କୁଲ୍ ଯାଉଥିଲା ସେତେବେଳେ ତା ପୁଅ। ସ୍କୁଲ୍ରୁ ଆସିଲା ଖରାଦିନେ। ଝାଳନାଳ ହେଇଯାଇଥାଏ , ନାଲି ପଡିଯାଇଥାଏ ମୁହଁ। ଏସି ଚାଲୁଥାଏ ଘରେ। କହିଲା ମାମି , ତୁମେ ଘରେ ଏସି ଲଗେଇକି ଶୋଇଛ ନା। ଆମ ଇଚ୍ କୁଲରେ ଫ୍ୟାନ ବି ଚାଲୁନି ଭଲକି। ଏତେ ଗରମ !!

ରତନ୍ ସେଇଦିନୁ ପିଲା ଘରକୁ ନ ଆସିବା ଯାଏ ଫେନ୍ ବି ଲଗଉ ନଥିଲା। ପିଲାଦେହରୁ ଝାଳ ନିଗିଡିଗଲେ ଯେଉଁ ମାଆ ସହିପାରୁନଥିଲା, ତା ଦେହରୁ ସବୁରକ୍ତ ନିଗିଡିଗଲା । ସେ କୁଆଡେ ଉଭେଇଗଲା, ମାଆ ହେଇ ଜାଣି ପାରିଲାନି। ଅସହ୍ୟ ଏ ଯନ୍ତ୍ରଣା। ଘଡିକି ଘଡି ମୁର୍ଚ୍ଛା ଯାଉଥିଲା ରତନ୍।

ଗୁମୁରୁ ଥିଲା ଆଉଜଣେ, ଅଭିନବ ; ଯିଏ ପ୍ରତ୍ୟକ୍ଷ ଦେଖିଥିଲା ସେ ହତ୍ୟା କାଣ୍ଡର ବିଭତ୍ସ ଦୃଶ୍ୟ। ହତ୍ୟାକାରୀର ରକ୍ତ ଜୁଡୁବୁଡୁ ହାତ। ସେ ତା ପିଲାଦିନ ର ସାଙ୍ଗ ସଲିମ୍।

ମାଛି ଅନ୍ଧାରରେ ଏ ପାହାଡକୁ ଯିବାର ଦେଖି ତାକୁ ଫଲୋ କରିଥିଲା ସେ। ପିଲାଟିର ତଣ୍ଟିଚିପି ହତ୍ୟା କରି ଗୋଟେ ହ୍ୱିଲ୍ ବ୍ୟାଗରେ ନେଇଆସିଥିଲା ତାକୁ।

ତାପରେ ପଥର ଖୋଲ ଭିତରେ ପଶି ତାକୁ ପଥରରେ ଛେଚିଦେଇଥିଲା । ନିଜ ଆଖିରେ ଦେଖିଛି ଅଭିନବ।

ସେ ପଛ କରି ଫେରିଆସୁଥିଲା ଭୟରେ। ଦେଖିନେଇଥିଲା ସଲିମ୍। ପଛପଟୁ ଭିଡିନେଲା କଲିମ୍। ଅଭି ଆହୁରି ଥରୁଥିଲା ଭୟରେ। ରକ୍ତମୁଖା ହେଇଛି ସଲିମ୍। ସେ ନେହୁରା ହେଲା, ଗୋଡଧରିଲା, ତାକୁ କଥା ଦେଲା କାହାକୁ କହିବନି ବୋଲି।
ସତର୍କ ବାଣି ଶୁଣେଇଲା କଲିମ୍। ଯଦି ଏକଥା ବାହାରେ ପ୍ରଘଟ ହୁଏ ତାହେଲେ ତାର ଶେଷଦିନ ବୋଲି।

ଆଉ ବି କହିଲା, ଏଇ ତାର ପ୍ରଥମ ମଡର୍ ନୁହେଁ। ଏ ଛୁଆର ଭୁଆ , ମାନେ ତ ପୂର୍ବତନ ପ୍ରେମିକା ରୁବି ଅଗ୍ରୱାଲ୍ ବି ବିବାହର ବର୍ଷେ ପରେ ବିଧବା ହେବାର କାରଣ ସେ। ଟ୍ରକ୍ ଆକ୍ସିଡେଣ୍ଟରେ ମରିଯାଇଥିବା କଥା ପଛର ରହସ୍ୟ ହେଲା ସେ ତା ‘ ଉପରକୁ ଟ୍ରକ୍ ମଡେଇଦେଇଛି ଲୋକ ଲଗେଇ। ଯଦି କିଛି ଏପଟ ସେପଟ ହୁଏ, ତିନି ନମ୍ବର ମର୍ଡର କରିବାକୁ ବାଧ୍ୟହେବ ବୋଲି।

ଅଭି ସାହସ ରଖି ପଚାରିଲା..ଏ ଛୁଆର ଦୋଷ?

ହସିଲା ସଲିମ୍…ହା ହା

କହିଲା..ଏତକ ଜାଣିନୁ? ମୂର୍ଖ। ରୁବି ସହ ମୋର ନିବିଡତା।

ସେ ଡାକେ ମୋତେ ଦ୍ୱିପହରର ନିଶୁନ୍ ବେଳାରେ ତାର୍ ଭୈୟା ଯେଉଁଦିନ ମାଲ୍ ଆଣିବାକୁ ରାୟପୁର୍ ଯାଏ। ତାର୍ ଭାବି ମେଡିସିନ୍ ଖାଇ ମଲାପରି ଶୋଇପଡେ। ଏ ଛୁଆ କେତେବେଳେ ଆଜି ପଶିଯାଇଥିଲା ରୁବି ବେଡ୍ ରୁମର ଟଏଲେଟରେ। ଆମର ଅସଂଯତ ଅବସ୍ଥା ଦେଖିନେଲା। ସେଥିଲାଗି ଖତମ୍ କରିଦେଲି।

ଅଭିନବ୍, ସଲିମ୍ ଆଉ ରୁବି ଗୋଟେ ଶ୍ରେଣୀରେ ପଢୁଥିଲେ, ସେ ଦୁହିଙ୍କର ଥିଲା ନିବିଡ ସମ୍ପର୍କ। ନବମ ଶ୍ରେଣିରୁ ଚିଠି ଦିଆନିଆ, ଲୁଚିଛପି ଭେଟାଭେଟି। ସହର ସାରା ଚହଳ ପଡୁଥିଲା। କାନ୍ଥ ବାଡରେ ରୁବି +ସଲିମ ଲେଖାହେଉଥିଲା କଳାରେ । ସଲିମ୍ ମୁସଲ୍ମାନ ଆଉ ରୁବି ମାରୱାଡି ଝିଅ। ହଠାତ୍ ଦିନେ ଶୁଣିବାକୁ ମିଳିଥିଲା ରୁବିକୁ ଲୁଚେଇ କେଉଁ ମନ୍ଦିରରେ ପୋଲିସ୍ ଜଗେଇ ବାହା କରିଦିଆଯାଇଛି।

କି ଭୟଙ୍କର ଏ ସଲିମ୍। ବର୍ଷେ ଭିତରେ ରୁବିର ସ୍ୱାମୀକୁ ହତ୍ୟା କରେଇଛି? ଆଉ ଆହୁରି ଭୟଙ୍କର ତାର ଏ ସ୍ୱୀକାରୋକ୍ତି। ବାବାରେ କେତେ ଦୁଃସାହସ ସତେ।

ଅଭିର ମୁଣ୍ଡ ଅକାମୀ ସେଦିନୁ। ସେ ନିରିହ ଛୁଆର ଗୁଲୁଗୁଲିଆ ଆଖି ତାକୁ ଧିକ୍କାର୍ କରୁଛି। ତା ମାଆର ବୁକୁଫଟା କ୍ରନ୍ଦନ ତାକୁ ହାଣି ଟିକ୍ ଟିକ୍ କରି ପକାଉଛି। ସଲିମର ସତର୍କ ବାଣି ତାକୁ ଅଥୟ କରୁଛି। ଖାଇବା, ପିଇବା , ଶୋଇବା କୌଣସି କାମରେ ମନ ଲାଗୁନି ତାର। ପରେଶ ଭୈୟା କଣ କିଛି ଜାଣିନାହାନ୍ତି ? ସଲିମ୍ ଆଉ ରୁବି ଉପରେ କଣ ତାଙ୍କର ମୋଟେ ସନ୍ଦେହ ନଥିବ?

ଗୋଟେ ନୁହେଁ ଦି’ଟା ଲୋକଙ୍କର ଜୀବନ ନେଇ ବିନ୍ଦାସ୍ ବୁଲୁଛି ଅପରାଧି। ଖାଉଛି, ଶୋଉଛି ସୁଖନିଦ୍ରା। ଅଥଚ କଷ୍ଟ ପାଉଛି ଗୋଟେ ନିରିହ ମାଆ।ଏ ଅନ୍ତର୍ଦାହର ଉପଷମ ପାଇଁ କି ମଲମ ଅଛି?

ଅପରାଧି ଅପରାଧ କରି ଚାଲୁଥିବ, କେତେ ନିରୀହ ମଣିଷ କଷ୍ଟ ଭୋଗୁଥିବ। ଏ ସବୁ ଦେଖିଦେଖି ସହିଯିବା ବି ଅନ୍ୟାୟ। ନା ଆଉ ନୁହେଁ । କଣ ମାରିଦେବ ତାକୁ ସଲିମ୍ ? ମାରୁ । ଏମିତି ଜ୍ୱଳନ ଭିତରେ ସୁସ୍ଥ ଜୀବନ ଟେ କେଉଁ ଜିଇଁ ହୁଏ ଯେ?

ଏମିତି ଅନ୍ୟାୟକୁ ଦେଖି ବରଦାସ୍ତ କରିଯିବାର ପାପରେ ଈଶ୍ୱର ବି କ୍ଷମା କରିବେନି ତାକୁ।

ନା ..ଆଜିହିଁ ପରେଷ ଭୈୟାକୁ ସତ କଥା ଖୋଲି କହିଦେବ ଅଭିନବ। ଖୋଲିଯାଉ ସବୁ ଆବରଣ ତଳର ପାପ।
ଯଦିଓ ପିଲା ଟା ଆଉ ରତନ ଭାବିଙ୍କ କୋଳକୁ ଫେରି ନପାରେ, ଦୁନିଆ ତ ଦେଖୁ ସଲିମ୍ ଖାଁ , ରୁବି ଅଗ୍ରୱାଲର ଅସଲ ରୂପ। ଗୋଟେ ନିରୀହ ମାଆକୁ ନ୍ୟାୟ ମିଳୁ, ଗୋଟେ ଅସହାୟ ବାପାକୁ ସାହାଯ୍ୟର ହାତ ମିଳୁ। ପରେଶ ଭୈୟା ସହ ନିଜେ ଯାଇ ଥାନାରେ ଆଫେଆର୍ ଦେବ ସଲିମ୍ ନାଁରେ ଅଭିନବ।

ଅଭିନବ ଉଠିଲା। ଯୋର କିନା ମୁଠାଏ ପାଣି ଛାଟିଲା ଆଖିରେ। ଦେହରେ ସାର୍ଟଟା ଗଳେଇ ଦେଇ ଏକ ମୁହାଁ ଦୌଡିଲା ପରେଷ୍ ଅଗ୍ରୱାଲର ଘର ଆଡ଼େ।

ଶିକ୍ଷୟିତ୍ରୀ
ଆସ୍ଥା ପବ୍ଲିକ୍ ସ୍କୁଲ୍
ବେଲପଡା
ବଲାଙ୍ଗୀର
୯୧୭୮୮୬୬୩୭୭ .

Leave A Reply

Your email address will not be published.