Latest Odisha News

BREAKING NEWS

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ
ଅନୁବାଦ : ସରଳ କୁମାର ଦାସ

ମୁଁ ଗୋଟେ ଛୋଟ ଦିଆସିଲି କାଠି
ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ;
ତଥାପି ଯେମିତି
ପାଟିରେ ମୋର ଖଜବଜ ହେଉଛି ବାରୁଦ
ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ;
ମୁଁ ଗୋଟେ ଦିଆସିଲି କାଠି ।

ମନେ ଅଛି ସେ ଦିନ ହୁଲୁସ୍ତୁଲ ହେଇ ଯାଇଥିଲା ?
ଘରର ଗୋଟେ କୋଣରେ ଜଳି ଉଠିଥିଲା ନିଆଁ
ମୋତେ ଅବଜ୍ଞା କରି ନ ଲିଭାଇ ଫିଙ୍ଗି ଦେଇଥିବାରୁ !
କେତେ ଘର ଯେ ଦେଇଛି ପୋଡି,
କେତେ ପ୍ରାସାଦକୁ କରିଛି ଧୂଳିସାତ
ମୁଁ ଏକା ହିଁ – ଛୋଟ ଗୋଟେ ଦିଆସିଲି କାଠି ।

ଏମିତି ବହୁ ନଗର, ବହୁ ରାଜ୍ୟକୁ ଦେଇପାରେ ଛାରଖାର କରି
ତଥାପି ଅବଜ୍ଞା କରିବ ଆମକୁ ?
ମନେ ନାହିଁ ? ଏଇ ସେ ଦିନ
ଆମେ ସମସ୍ତେ ଜଳି ଉଠିଥିଲୁ ବାକ୍ସରେ ଏକତ୍ର ;
ଚମକି ପଡିଥିଲ, ଆମେ ଶୁଣିଥିଲୁ ତମମାନଙ୍କ ବିବର୍ଣ୍ଣ ମୁହଁର ଆର୍ତ୍ତନାଦ ।

ଆମମାନଙ୍କ କି ଅସୀମ ଶକ୍ତି
ତାହା ତ ଅନୁଭବ କରିଛ ବାରମ୍ୱାର ;
ତଥାପି କାହିଁକି ବୁଝନା,
ଆମେ ବନ୍ଦୀ ରହିବୁନି ତମମାନଙ୍କ ପକେଟରେ ପକେଟରେ,
ଆମେ ବାହାରି ଆସିବୁ, ଆମେ ବିଞ୍ଚି ହେଇଯିବୁ
ସହରରେ, ଗାଁ ଗଣ୍ଡାରେ, ଦିଗନ୍ତରୁ ଦିଗନ୍ତ ଯାଏଁ ।
ଆମେ ବାରମ୍ବାର ଜଳୁ, ନିତାନ୍ତ ଅବହେଳାରେ
ତାହା ତ ତମେମାନେ ଜାଣ !
କିନ୍ତୁ ତମେ ତ ଜାଣନା ;
କେବେ ଆମେ ଜଳି ଉଠିବୁ
ସମସ୍ତେ ଶେଷ ଥର ଲାଗି !

ଭୁବନେଶ୍ୱର
ମୋ. ୯୪୩୭୦୩୮୦୧୫
saral_das@yahoo.co.in

( ବଙ୍ଗଳା ଭାଷାର ବିଖ୍ୟାତ କବି ସୁକାନ୍ତ ଭଟ୍ଟାଚାର୍ଯ୍ୟ ୧୯୨୬ ରେ ଜନ୍ମ ହୋଇ 1947ରେ ଦେଶ ସ୍ୱାଧୀନତା ପ୍ରାପ୍ତିର ତିନି ମାସ ପୂର୍ବରୁ ମାତ୍ର ୨୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ‘କିଶୋର ବିଦ୍ରୋହୀ କବି’, ‘ଯୁବ ନଜରୁଲ’ ଭାବେ ମଧ୍ୟ ସମ୍ୱୋଧିତ କରାଯାଇଥାଏ । ତାଙ୍କ ବହୁ ଚର୍ଚ୍ଚିତ ‘ଦିଆସିଲି କାଠି’ କବିତାର ଓଡିଆ ଅନୁବାଦ )

Leave A Reply

Your email address will not be published.