Latest Odisha News

BREAKING NEWS

ୟୁପିରେ ଏମ୍-ଓ୍ୱାଇ ଫ୍ୟାକ୍ଟର, ବିରୋଧୀଙ୍କୁ ଦେଲେ ଚକମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଡବଲ ଇଞ୍ଜିନ ଯୋଡ଼ି ବିଜେପିର ସ୍ୱପ୍ନକୁ ସାକାର କରିଛନ୍ତି। ବିଜେପି ପୁଣି ଥରେ ୟୁପିରେ ଶାସନ କରିବାକୁ ପ୍ରସ୍ତୁତ ହୋଇଛି। ୟୁପିରେ ବିଜେପି ୨୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ମୋଦିଙ୍କ ଯାଦୁ ପୁଣି ଥରେ ୟୁପିରେ ଚତୁର୍ଥ ଥର ପାଇଁ କାମ କରିଥିବା ପ୍ରମାଣିତ ହୋଇଛି, କିନ୍ତୁ ଏଥର ଯୋଗୀଙ୍କ ବୁଷ୍ଟର ଡୋଜ୍ ଆହୁରି ପ୍ରଭାବୀ ଢଙ୍ଗରେ କାମ କରିଛି ବୋଲି ଜଣାପଡିଛି । କାରଣ ମାଳ ମାଳ ପ୍ରସଙ୍ଗ ଧରି ବିରୋଧୀ ଫ୍ରଣ୍ଟଫୁଟରେ ଥିବାବେଳେ ଶାସକ ଦଳ ବ୍ୟାକଫୁଟରେ ଥିଲେ । ହେଲେ ନିର୍ବାଚନୀ ପିଚରେ ସମସ୍ତ ଆକଳନକୁ ବିଜେପି ଟି-ଟ୍ୱେଣ୍ଟି କ୍ରିକେଟର ସୁପର ଓଭର ମ୍ୟାଚ ଭଳି ପଲଟାଇ ଦେଲା।

ୟୁପିରେ ବିଜୟର ରାସ୍ତା ଯେତିକି ସହଜ ଲାଗୁଛି ପ୍ରକୃତରେ ସେତିକି ସହଜ ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପାଖାପାଖି କୋଡିଏରୁ ଅଧିକ ରାଲି କରିଥିବା ବେଳେ ସହ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବାରଣାସୀରେ ମଧ୍ୟ ଏକ ବିଶାଳ ରୋଡ୍ ସୋ’ କରିଥିଲେ। ସେଠାରେ ସେ ଦୁଇ ଦିନ ଧରି ଡେରା ପକାଇଥିଲେ। ଏହା ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବାର ଅନ୍ୟତମ କାରଣ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ଦଳର ଅନେକ ନେତା ଓ କର୍ମୀ ୟୁପି ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି। ଯଦି ଯୋଗୀ ନଥାନ୍ତେ ତାହେଲେ ୨୦୧୭ର ରେକର୍ଡକୁ ଦୋହରାଇବା କାଠିକର ହୋଇଥାନ୍ତା ବୋଲି ମତ ଦେଇଛନ୍ତି। ୟୁପି ବିଜୟର ଶ୍ରେୟ ଉଭୟ ମୋଦି (ଏମ୍) , ଯୋଗୀ (ଓ୍ୱାଇ) ଫ୍ୟାକ୍ଟର ବୋଲି ଜଣାପଡିଛି। କାରଣ ୨୦୧୪ ମସିହାରୁ ବିଜେପି ପାଇଁ ୟୁପି ଘରୋଇ ପିଚ ପ୍ରମାଣିତ ହୋଇଛି। ଏଯାବତ ୨୦୧୪ ସାଧାରଣ ନିର୍ବାଚନ, ୨୦୧୭ରେ ବିଧାନସଭା ନିର୍ବାଚନ, ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୨ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି। ଯାହାକି ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ସରକାର ଗଢିବା ସହଜ ହୋଇଛି।

ପଡ଼ୋଶୀ ଉତ୍ତରାଖଣ୍ଡରେ ବିଜେପିର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜେ ହାରିଥିବା ବେଳେ ଯୋଗୀ କିନ୍ତୁ ବିଜୟୀ ହୋଇ ରେକର୍ଡ କରିଛନ୍ତି।
ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ୟୁପିରେ ବିଜେପି ୨୫୦-୨୭୦ ଆସନ ଜିତିବ ବୋଲି ଦଳ ଆରମ୍ଭରୁ ଅନୁମାନ କରିଥିଲା। ଯୋଗୀ ଆଦିତ୍ୟନାଥ ପୁଣି ଥରେ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। କଲ୍ୟାଣ ସିଂହଙ୍କ ଠାରୁ ଆରମ୍ଭ କରି ରାଜନାଥ ସିଂହ, ମୁଲାୟମ ସିଂହ ଯାଦବ କିମ୍ବା ମାୟାବତୀଙ୍କ ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ଗତ ୩୭ ବର୍ଷ ମଧ୍ୟରେ ୟୁପିରେ ସରକାରକୁ ଦୋହରାଇବାକୁ ସକ୍ଷମ ହୋଇନାହାନ୍ତି। କିନ୍ତୁ ଏଥର ମୋଦି-ଯୋଗୀ ଯୋଡି ଏହାକୁ ସମ୍ଭବ କରି ଦେଖାଇଛନ୍ତି।

ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୦୧୪, ୨୦୧୭ ଓ ୨୦୧୯ ଭଳି ୟୁପିରେ ପୁଣି ମୋଦିଙ୍କ ଯାଦୁ କାମ କରୁଛି, କିନ୍ତୁ ୨୦୧୨ରେ ଯୋଗୀଙ୍କ ‘ବୁଷ୍ଟର ସଟ୍’ ମଧ୍ୟ ମୁଣ୍ଡ ଟେକିଛି।

ଏହାର ଏକ ବଡ଼ କାରଣ ଥିଲା ଯୋଗୀ ରାଜ୍ୟରେ ମୋଦି ସରକାରଙ୍କ ସମସ୍ତ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଇଥିଲେ ଏବଂ ଯୋଗୀ ସରକାର ଆସିବା ପୂର୍ବରୁ ଏହି ଯୋଜନାଗୁଡ଼ିକ ରାଜ୍ୟରେ ଠିକ ଭାବେ ଲାଗୁ ହୋଇପାରୁନଥିଲା। ୨୦୧୪ରୁ ୨୦୧୭ରେ ୟୁପିରେ ଅଖିଳେଶ ସରକାର ଥିଲା । ଆଉ କେନ୍ଦ୍ରୀୟ ଯୋଜନା ପ୍ରଣୟନ ନହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାଶ ହୋଇଥିଲେ, ଯାହା ଯୋଗୀ କ୍ଷମତାକୁ ଆସିବା ପରେ ସମାଧାନ ହୋଇଥିଲା।

ଯୋଗୀ ୟୁପିକୁ ଦୁର୍ନୀତିମୁକ୍ତ, ସୁଦୃଢ଼ ଓ ସୁ ଶାସନ ଦେଇ ମୋଦିଙ୍କ ଇଚ୍ଛାକୁ ପୂରଣ କରିଥିବା ବିଜେପି ନେତାମାନେ କହୁଛନ୍ତି, ଯାହା ଅପରାଧୀ ଓ ମାଫିଆଙ୍କ ଶୃଙ୍ଖଳାକୁ ଭାଙ୍ଗି ରାଜ୍ୟରେ ସୁରକ୍ଷାର ଭାବନା ଆଣିଥିଲା। ସେହିପରି ବିଜେପି ନେତାମାନେ କହିଛନ୍ତି ଯେ ମୋଦି-ଯୋଗୀ ଡବଲ ଇଞ୍ଜିନ ସରକାରରେ ଉତ୍ତରପ୍ରଦେଶ ଏକ ଆଦର୍ଶ ରାଜ୍ୟ ଭାବେ ଉଭା ହୋଇଛି । ଯେପରି ଏକଦା ଗୁଜରାଟ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଥିଲା।

Comments are closed, but trackbacks and pingbacks are open.