ଓଡିଆ କାହାଣୀକୁ ନେଇ ଓଡିଆ ସିନେମା ତିଆରି କରିବା ଆମେ ଭୁଲି ଯାଉଛୁ କାହିଁକି ??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଗତ ସପ୍ତାହରେ ଓଡିଆ ସିନେମା ଜଗତର ଦୁଇ ଜଣ ମହାନ ଶିଳ୍ପୀ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି- ଶାରଦା ପ୍ରସନ୍ନ ନାୟକ ଓ ଅଜିତ ଦାସ। ଓଡିଆ ସିନେମାରେ ଓଡିଆପଣ ଯଦି କେବେ ଥିଲା, ଏ ଦୁହେଁ ସେଇ ଓଡିଆପଣର ପ୍ରତିନିଧି। ଶାରଦା ପ୍ରସନ୍ନ ନାୟକ, ଗୀତିକାର, ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ଭାବେ ଏକ ପରିପୂର୍ଣ୍ଣ ଜୀବନ ବଞ୍ଚିଥିଲେ। ଅଜିତ ଦାସ ଆପାତତଃ କନିଷ୍ଠ। ତେବେ ଓଡିଆ ସିନେମା ସହିତ ତାଙ୍କର ସମ୍ପର୍କ ପାଖାପାଖି ୪୫ ବର୍ଷର। ଏ ଦୁହି ମହାନ ଶିଳ୍ପୀଙ୍କ ସହିତ ଓଡିଆ ସାହିତ୍ୟର ସମ୍ପର୍କ ଟିକେ ଘନିଷ୍ଠ। ଓଡିଆ କଥା ସାହିତ୍ୟର ସର୍ବାଧିକ ଲୋକପ୍ରିୟ ଲେଖକ କାହ୍ନୁଚରଣ ମହାନ୍ତିଙ୍କର ପ୍ରସିଦ୍ଧ ଉପନ୍ୟାସ “କା’ ଏବଂ “ତୁଣ୍ଡ ବାଇଦ” ର ସିନେମା ରୂପ ପ୍ରସ୍ତୁତ କରିବାରେ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସିନେମା ଓ ସାହିତ୍ୟର ସଂପର୍କକୁ ନେଇ ଓଡିଶାର ସାମାଜିକ ଜୀବନରେ ଯେଉଁ ଛୋଟିଆ ପରମ୍ପରାଟି ରହିଛି, ସେଥିରେ ଏଇ ଦୁଇ ଶିଳ୍ପୀ ଆମର ସ୍ମରଣୀୟ ହୋଇ ସବୁଦିନ ରହିବେ।

ଓଡିଆ ସିନେମା ଓ ସାହିତ୍ୟର ସମ୍ପର୍କର ପରମ୍ପରାଟି ଏତେ ଛୋଟ କାହିଁକି? କେହି କେହି ଏଇ କଥାରେ ଅରାଜି ହୋଇ ପାରନ୍ତି। ଆମ ପାଖରେ ଓଡିଆ ସାହିତ୍ୟ ଓ ସିନେମାର ସଂପର୍କକୁ ନେଇ ଗୋଟେ ତାଲିକା ଅବଶ୍ୟ ରହିଛି। ଓଡିଆ ପ୍ରସିଦ୍ଧ ଉପନ୍ୟାସକୁ ନେଇ କାହ୍ନୁ ଚରଣଙ୍କର “ଅଭିନେତ୍ରୀ”, “କା” ଓ “ତୁଣ୍ଡ ବାଇଦ”, ଉପେନ୍ଦ୍ର କିଶୋର ଦାସଙ୍କର “ମଲାଜହ୍ନ”, ବସନ୍ତକୁମାରୀ ଦେବୀଙ୍କର “ଅମଡା ବାଟ”, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର “ମାଟିର ମଣିଷ”, ନନ୍ଦକିଶୋର ବଳଙ୍କର “କନକଲତା”, ଫକିର ମୋହନଙ୍କର “ଛ ମାଣ ଆଠ ଗୁଣ୍ଠ”, ବିଭୁତି ପଟ୍ଟନାୟକଙ୍କର “ବଧୁ ନିରୁପମା”, ସୁକାମିନୀ ନନ୍ଦଙ୍କର “ଅଦିନ ମେଘ” କୁ ନେଇ ସିନେମା ଅବଶ୍ୟ ହୋଇଛି।

ଭଞ୍ଜ କିଶୋର ପଟ୍ଟନାୟକ, ବସନ୍ତ ମହାପାତ୍ର, ରାମଚନ୍ଦ୍ର ମିଶ୍ର, କାଳିଚରଣ ପଟ୍ଟନାୟକ, କମଳ ଲୋଚନ ମହାନ୍ତି, ରଘୁନାଥ ମିଶ୍ର, ବିଜୟ ମିଶ୍ର, ମନୋରଞ୍ଜନ ଦାସ, ଗୋପାଳ ଛୋଟରାୟଙ୍କ ପରି ବିଶିଷ୍ଟ ନାଟ୍ୟକାରଙ୍କ ନାଟକ ଆଧାରରେ ମଧ୍ୟ ସିନେମା ହୋଇଛି। ମହାପାତ୍ର ନୀଳମଣି ସାହୁ ଓ ମନୋଜ ଦାସଙ୍କ ଗପକୁ ଆଧାର କରି ଅପୂର୍ବ କିଶୋର ବୀର କିଛି ସିନେମା କରିଛନ୍ତି। ମୋଟାମୋଟି ଏତିକି ମାତ୍ର ଓଡିଆ ସାହିତ୍ୟ ଓ ସିନେମାର ସମ୍ପର୍କ। ହୁଏତ ଆଉ ଅଳ୍ପ କିଛି ସିନେମା ଥାଇପାରେ, ଯାହାକି ହଠାତ ମୋର ମନେ ପଡୁନି। ସେ ସଂଖ୍ୟା ଖୁବ ବେଶୀ ହେବନାଇଁ।

ଆମ କଥା ସାହିତ୍ୟରେ କାହାଣୀର ଅଭାବ ନାହିଁ, ହେଲେ ସେ କାହାଣୀକୁ ନେଇ ସିନେମା କରିବାର ସାହସ ଓଡିଆ ସିନେମାରେ ଏତେ କମ କାହିଁକି? ଷାଠିଏ ଦଶକରେ ଓଡିଆ ସାହିତ୍ୟରେ ସର୍ବାଧିକ ସିନେମା ଓଡିଆ ଉପନ୍ୟାସ ଆଧାରରେ ନିର୍ମାଣ ହୋଇଥିଲା ଓ ସୌଭାଗ୍ୟକ୍ରମେ ସେ ସବୁ ସିନେମା ଆମର କ୍ଲାସିକ ମର‌୍ୟାଦା ପାଇଛି। ୧୯୬୪ରେ “ଅମଡା ବାଟ”, ୧୯୬୫ ରେ “ଅଭିନେତ୍ରୀ”, “ମଲାଜହ୍ନ”, ୧୯୬୬ ରେ “କା”, “ମାଟିର ମଣିଷ” ଓ “ଅଦିନ ମେଘ” ଆମ ସିନେମାରେ ଗୋଟେ ନୂଆ ଯୁଗର ସୂତ୍ରପାତ କରିଥିଲା। ତାର ବହୁ ବର୍ଷ ପରେ କାଁ ଭାଁ ଉଚ୍ଚାଙ୍ଗ ସାହିତ୍ୟକୁ ନେଇ ଆମେ ସିନେମା କରିଛୁ। ମୌଳିକ ଓ କାଳଜୟୀ କାହାଣୀକୁ ନେଇ ସିନେମା କରିବାକୁ ଆମର ଏତେ କୁଣ୍ଠା କାହିଁକି?

ବେଳେ ବେଳେ ଆମର ତଥାକଥିତ ବ୍ୟାବସାୟିକ ସିନେମା ପ୍ରଯୋଜକମାନେ କହନ୍ତି, ସେ ସବୁ ସିନେମାର ବଜାର ନାହିଁ। ସତରେ କଣ ଉଚ୍ଚାଙ୍ଗ କାହାଣୀର ବଜାର ନାଇଁ। ବର୍ତ୍ତମାନ ସମୟରେ ସିନେମାହଲ ମୋବାଇଲ ଓ ଲାପଟପକୁ ଓହ୍ଳାଇ ଆସିଛି। ଆଜିର ତାରିଖରେ ଓଟିଟି ସିନେମାର ସବୁଠୁ ସଫଳ ମାଧ୍ୟମ। ଏଇ ଦୁଇ ସପ୍ତାହରେ ସବୁଠୁ ଲୋକପ୍ରିୟ ସିନେମା ତାଲିକାରେ ଆପଣ ଦୁଇଟି ସିନେମା ନିଶ୍ଚୟ ପାଇବେ। ପ୍ରସିଦ୍ଧ ଇଂରାଜୀ ଲେଖିକା ଜାଁ ଅଷ୍ଟିନଙ୍କର ଉପନ୍ୟାସକୁ ଆଧାର କରି ତିଆରି ହୋଇଥିବା ସିନେମା “ସେନ୍ସ ଆଣ୍ଡ ସେଂସିବିଲିଟି” (୧୮୧୧) ଏବଂ “ପ୍ରାଇଡ ଆଣ୍ଡ ପ୍ରିଜୁଡାଇସ” (୧୮୧୩)। ଦୁଇ ଶହ ବର୍ଷ ତଳେ ଲେଖା ହୋଇଥିବା ଏଇ ଦୁଇଟି ଯାକ ଉପନ୍ୟାସ ବାରମ୍ବାର ସିନେମା ଓ ଥିଏଟର ରେ ଲୋକପ୍ରିୟ ହୋଇ ଚାଲିଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଆଙ୍ଗ ଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ “ସେନ୍ସ ଆଣ୍ଡ ସେଂସିବିଲିଟି” (୧୯୯୫) ଏବଂ ଜୋ ରାଇଟ ନିର୍ଦ୍ଦେଶିତ “ପ୍ରାଇଡ ଆଣ୍ଡ ପ୍ରିଜୁଡାଇସ” (୨୦୦୫) ଆଜି ମଧ୍ୟ ନେଟଫ୍ଲିକ୍ସରେ ସବୁଠୁ ବେଶୀ ଦର୍ଶକଙ୍କୁ ଆକର୍ଷିତ କରୁଛି। ହଲିଉଡ ଓ ୟୁରୋପୀୟ ସିନେମାରେ ଆଜି ମଧ୍ୟ ଉପନ୍ୟାସ ଆଧାରିତ ସିନେମାର ଚାହିଦା ବେଶୀ। ସେ ଧାରା ଏବେ କିଛି ଟା ହିନ୍ଦୀ ସିନେମାରେ ମଧ୍ୟ ପ୍ରବେଶ କଲାଣି। ହେଲେ ଓଡିଆ ସିନେମା ନଦୀ ଭିତରେ ରହି ଶୋଷରେ ମରିବାର କାରଣ କଣ?

ମୌଳିକ କାହାଣୀର ମରଣ ନଥାଏ। ତାର ସବୁଠୁ ବଡ ଉଦାହରଣ ଶରତ ଚନ୍ଦ୍ରଙ୍କର “ଦେବଦାସ”। ଭାରତୀୟ ପ୍ରେମ କାହାଣୀର “ଗୋଲ୍ଡ ଷ୍ଟାଣ୍ଡାର୍ଡ” ବା ସୁବର୍ଣ୍ଣ ମାନକ ଭାବରେ ବିବେଚିତ ଶରତ ଚନ୍ଦ୍ରଙ୍କର ଏ ଉପନ୍ୟାସର ରଚନାକାଳ ୧୯୧୭। ଗତ ୧୦୩ ବର୍ଷ ଭିତରେ ଏହି ଉପନ୍ୟାସ ଆଧାରରେ ତିଆରି ହୋଇଥିବା ସିନେମା ସଂଖ୍ୟା ୨୦ ଏବଂ ନିକଟରେ ଏହାର ଏକ ଭିନ୍ନ ରୂପାୟନ ଘଟିଛି “ଦେବ ଡିଡି” ନାମକ ଏକ ୱେବ ସିରିଜରେ। କେବଳ ହିନ୍ଦୀ ସିନେମାରେ ଆମେ ଦେଖିଛୁ ପାଞ୍ଚ ଜଣ ଦେବଦାସଙ୍କୁ। ୧୯୨୮ରେ ପ୍ରଥମେ ନିର୍ବାକଚିତ୍ରରେ ଏହାର କାହାଣୀ ପ୍ରସ୍ତୁତ କରିଥିଲେ ନରେଶ ମିତ୍ର। ୧୯୩୫ ରେ ପ୍ରମଥେଶ ଚନ୍ଦ୍ର ବରୁଆ (ନାୟକ-କୁନ୍ଦନଲାଲ ସାଇଗଲ), ୧୯୫୫ ରେ ବିମଲ ରାୟ (ନାୟକ-ଦିଲୀପ କୁମାର), ୨୦୦୨ ରେ ସଞ୍ଜୟ ଲୀଲା ଭନଶାଲି (ନାୟକ –ଶାହରୁଖ ଖାନ), ୨୦୦୯ ରେ ଅନୁରାଗ କାଶ୍ୟପ (ନାୟକ-ଅଭୟ ଦେଓଲ) ଓ ୨୦୧୮ରେ ସୁଧୀର ମିଶ୍ର (ନାୟକ- ରାହୁଲ ଭଟ୍ଟ) ଏହାର କାହାଣୀକୁ ନୂଆ କରି ପ୍ରସ୍ତୁତ କରିଛନ୍ତି। ହୁଏତ ଆହୁରି କେତେ ଶହ ବର୍ଷ ପରେ ବି ଏ କାହାଣୀ ଏମିତି କୁହା ଚାଲିଥିବ।

ଓଡିଆ ସାହିତ୍ୟରେ ଚମତ୍କାର କାହାଣୀର ଯେଉଁ ବିଶାଳ ଭଣ୍ଡାର ରହିଛି, ତାକୁ ପଢିବାକୁ ବା ଶୁଣିବାକୁ ସିନେମାବାଲାଙ୍କର ଅନାଗ୍ରହ କାହିଁକି? ଆମ ପାଖରେ ଫକୀର ମୋହନଙ୍କଠୁ ଆରମ୍ଭ କରି ଆଦିତେଶ୍ଵର ମିଶ୍ର ଯାଏଁ, ଭଲ କାହାଣୀ ଲେଖିଥିବା କଥାକାର ଅଛନ୍ତି। ହେଲେ ତାଙ୍କୁ ପଢିକି ସେ କାହାଣୀରେ ନୂଆ ସମୟର ଆବିଷ୍କାର କରିବାକୁ ଆମ ପାଖରେ କ୍ୟାମେରା ର ଆଖି କାହିଁକି ନାହିଁ???

(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।