Latest Odisha News

BREAKING NEWS

ପାଉଁଶରେ ପହଁରିବ ପୁଞ୍ଜିବାଦ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଅନ୍ଧମୁହାଣିରେ ବିଶ୍ୱ ପୁଂଜିବାଦୀ ଅର୍ଥନୀତି ଦ୍ରୁତ ଗତିରେ ମାଡିଚାଲିଛି । ବିଭିନ୍ନ ଦେଶରେ ପୁଂଜିବାଦୀ ବଜାର ସଂକଟ ଯୋଗୁ ଭୟଙ୍କର ଅବସ୍ଥା ଉପୁଜିଲାଣି । ଅନେକ ଦେଶ ଆର୍ଥିକ ଦେଣ-ନେଣରେ ସୁଧାର ଆସୁନଥିବାରୁ ଧୀରେ ଧୀରେ ଦେବାଳିଆ ଅବସ୍ଥାକୁ ଆସିଗଲେଣି । ବିଶ୍ୱର ଧନଶାଳୀ ଦେଶମାନେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ମୁକାବିଲା କରିନପାରି ପ୍ରଚଣ୍ଡ ସଂକଟରେ ଜର୍ଜ୍ଜରିତ ।

ସାରା ପୃଥିବୀରେ ଶୋଷଣ ଜାଲ ବିଛାଇଥିବା ଆମେରିକା କିନ୍ତୁ ନିଜ ମାୟାଜାଲରେ ନିଜେ ଛନ୍ଦି ହୋଇ ଯାଇଛି ! ଆଜିର ଏ ପରିସ୍ଥିତି ପଛରେ ଆମେରିକାର କି ପ୍ରକାର କୂଟକୌଶଳ ଛପିରହିଛି – ଏ କଥା ସବୁ ଦେଶ କହିପାରୁ ନାହାଁନ୍ତି । ସେମାନଙ୍କ ଜିଭ କଟିଯିବା ଭୟରେ ବହୁସଂଖ୍ୟକ ଦେଶ ମୁହଁରେ ତୁଣ୍ଡିଲଗାଇ ଦେଇଛନ୍ତି । କିଛି ଶିଳ୍ପଦ୍ୟୋଗୀ ବିଦେଶରୁ ୬ ରୁ ୭ ପରସେଂଟ୍ ସୁଧରେ କରଜ ଆଣିଥିଲେ । ଆମ ଦେଶରେ ସୁଧହାର ୧୨ ରୁ ୧୪ ପର୍ଯ୍ୟନ୍ତ ଥିବାରୁ ବିଦେଶରୁ ଋଣ ଆଣି ମଜ୍ଜା ମାରୁଥିଲେ । ଏବେ ଟଙ୍କାର ଅବମୂଲ୍ୟାୟନ ଘଟିବା ଫଳରେ ସେଇ ଶସ୍ତା କରଜ ବର୍ତମାନର ବେକର ଫାଶୀ ପାଲଟିଯାଇଛି ।

କେବଳ ଆମେରିକୀୟ ଡଲାର ନୁହେଁ, ବ୍ରିଟିଶ୍ ପାଉଣ୍ଡ ଓ ଅନ୍ୟାନ୍ୟ ଦେଶର ମୁଦ୍ରା ମଧ୍ୟ ଅଧିକ ଟଙ୍କା ଏପରିକି ୧୭%ରୁ ୨୦% ବଢିଯାଇଛି । ଭାରତୀୟ କରଜ କରିଥିବା ବ୍ୟବସାୟୀମାନେ ଛାନିଆ ହୋଇ ପଡିଥିବାବେଳେ ବିଦେଶରୁ ଯେଉଁମାନେ ଦେଶକୁ ଡଲାର ପଠାଉଛନ୍ତି ତାଙ୍କ ଘର ଲୋକେ ଅଧିକ ଟଙ୍କା ପାଇବେ । ଏଥିରେ ସେମାନେ ଖୁସି । ଏହି ମୁଦ୍ରାସ୍ଫୀତି କାହାର ନିଦ ହଜେଇ ଦେଇଛି ଓ ଆଉ କାହାର ଆନନ୍ଦର ସୀମା ନାହିଁ ।

୨୦୨୧ ବିଶ୍ୱର ଆର୍ଥିକ ସଙ୍କଟ ୧୯୨୯ ମସିହାର ମହାମାନ୍ଦାବସ୍ଥା ଠାରୁ ୧୦ ଗୁଣ ଅଧିକ ହେବାକୁ ଯାଉଛି । ସେହି ସମୟରେ ଅର୍ଥନୀତିଜ୍ଞ କେନସଙ୍କ ତତ୍ୱକୁ ପୁଂଜିବାଦୀ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରିଥିଲେ । କେନସ୍ ତତ୍ୱର ମୂଳଭିତି ହେଲା, ମାନ୍ଦା କାଟିବା ପାଇଁ ସାମଗ୍ରିକ ଚାହିଦା ବଢାଇବାକୁ ହେବ । ଏହି ଚାହିଦା ସରକାର ବଢାଇବେ, ରାଜକୋଷରୁ ବ୍ୟୟ କରିବେ । ସରକାର ଅର୍ଥ ବ୍ୟୟ କଲେ ଲୋକଙ୍କ ହାତକୁ ଟଙ୍କା ଯିବ – ଟଙ୍କା ରହିଲେ ଲୋକେ ଜିନିଷପତ୍ର କିଣିବେ । ବିନିଯୋଗ ମଧ୍ୟ ବଢିବ । ଯେକୌଣସି ଭାବେ ଲୋକଙ୍କ ରୋଜଗାର ବଢାଇ ଲୋକଙ୍କ ପକେଟକୁ ଟଙ୍କା ଆସିବା ଦରକାର । ପ୍ରୟୋଜନରେ ମାଟି ଖୋଳି, ସେହି ମାଟି ଗାତରେ ଭର୍ତି କରିବା କାମ ବି ଆଗେ ଦରକାର । ମାଟି ଖୋଳି ଗାତ ପୋତିବା ଏବେ ସମ୍ଭବ ନୁହେଁ । ଅପର ପକ୍ଷରେ ମାର୍କ୍ସ ଏଙ୍ଗେଲ୍‌ସ୍ ତତ୍ୱକୁ ସମାଜବାଦୀ ଶିବିର ପ୍ରୟୋଗକରି ଲୋକଙ୍କ ଗୋଟି କପଡା ଆଉ ମକାନ, ସ୍ୱାସ୍ଥ୍ୟ ଶିକ୍ଷାର ସମାଧାନ କରି ପାରିଲେ । ଚାହିଦା ବଢିଲେ ଦାମ ବଢେ, ଦାମ ବଢିଲେ ଚାହିଦା କମେ । ଚାହିଦା କମିଲେ ଉତ୍ପାଦନ କମେ । ଉତ୍ପାଦନ କମିଲେ ଶ୍ରମିକ ସଂକୋଚନ ପ୍ରକ୍ରିୟା ଆରମ୍ଭ ହୁଏ ।

ଜଗତୀକରଣ ଫଳରେ ଭାରତ ଯେଉଁ ଦେଶକୁ କଂଚାମାଲଠାରୁ ଉତ୍ପାଦିତ ଦ୍ରବ୍ୟ ରପ୍ତାନୀ କରୁଥିଲା, ସେ ଦେଶର ଚାହିଦା କମିବାରୁ ଭାରତୀୟ ରପ୍ତାନୀ ବାଧାପ୍ରାପ୍ତ ହୋଇଛି । ଏବେ ଭାରତୀୟ ଅର୍ଥନୀତି ଆଭ୍ୟନ୍ତରୀଣ ଚାହିଦା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ନୁହେଁ । ବିଶ୍ୱର ଏହି ଆର୍ଥିକ ମହାମାନ୍ଦାବସ୍ଥା କେତେମାସ ବା ବର୍ଷ ଲାଗିରହିବ କେହି ପହିପାରୁନାହାନ୍ତି । ଏଭଳି ଅବସ୍ଥା ଚାଲିଲେ ଛୋଟ ଓ ମଝିମଝିକା ଶିଳ୍ପ ବ୍ୟବସାୟୀ ଭୀଷଣ କ୍ଷତିଗ୍ରସ୍ତ ହେବେ ।

ବିଶ୍ୱ ଆର୍ଥିକ ବିପର୍ଯ୍ୟୟ ଭାରତକୁ ପ୍ରଚଣ୍ଡ ଧକ୍କା ଦେଇଛି । ହଜାର ହଜାର ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରମିକ କର୍ମଚାରୀ ଛଟେଇ, ଆୟବୃଦ୍ଧି ଭୀଷଣ ଭାବେ ବାଧାପ୍ରାପ୍ତ, ଉତ୍ପାଦନ ହଠାତ୍ ବନ୍ଦ ହୋଇ ଆସୁଛି, ବଜାର ଚାହିଦା କମୁଛି ।

ସରକାର ଶିଳ୍ପପତିଙ୍କୁ ଗୁହାରି କରୁଛି – ଉତ୍ପାଦିତ ଦ୍ରବ୍ୟର ଦାମ କମାଅ, ଛଟେଇ ବନ୍ଦ କର, ଲୋକଙ୍କ ହାତରେ ଟଙ୍କା ଥଲେ ବଜାର ସତେଜ ରହିବ । ପୁଂଜିପତିମାନେ ସରକାରୀ ଗୁହାରି ନଶୁଣି, ସୁଧହାର, ଉତ୍ପାଦନ ଟିକସ କମାଇବା ପାଇଁ ଦାବୀ କରୁଛନ୍ତି ।

ଅସଲ କଥା ହେଉଛି – ଭାରତୀୟ କାରିଗରମାନଙ୍କର କୁଶଳତାର ଅଭାବ, ସରକାରରେ ବହୁ ଆତ୍ମସ୍ୱାର୍ଥୀ ଲୋକ ଥିବାରୁ, ଦେଶର ସ୍ୱାର୍ଥ ଅର୍ଥନୀତି ଓ ପୁଂଜିର ସୁଷମ ବଂଟନକୁ ଧ୍ୟାନ ଦେଇ ନଥିବାରୁ ବିଦେଶୀ ଉତ୍ପାଦିତ ପଦାର୍ଥ ସହିତ ଭାରତୀୟ ଉତ୍ପନ୍ନ ପଦାର୍ଥ ପ୍ରତିଯୋଗିତାରେ ହାର ମାନୁଛି ।

ଭାରତର ଅର୍ଥନୀତି ଏପର୍ଯ୍ୟନ୍ତ ଭୁଲ ଗଣିତର ଧାରାରେ କଷା ହୋଇ ଆସିଛି । ଏ ଅଙ୍କକଷା କିଛି କୁଟିଳ ରାଜନୈତିକ କାରପଟଦାରମାନଙ୍କର କଳା କାର୍ସାଦି । ଯେଉଁଦିନ ଭାରତରେ ନିରନ୍ନ ଜନତା ଏ ଗଣିତ ପଛରେ ଥିବା ଆତଙ୍କକୁ ଅନ୍ତରେ ଅନ୍ତରେ ଉପଲବ୍‌ଧି କରିପାରିବେ, ସେଦିନ ନୂଆ ଭାରତର ନିଆରା ନକ୍ସା ପାଇଁ ଆରମ୍ଭ ହେବ କଠୋର ସଂକଳ୍ପର ଦିନ ।

ପୁଂଜିବାଦର ମାଧ୍ୟମ ମିଡିଆକୁ ପ୍ରଚୁର ଅର୍ଥ ଦେଇ ଏଇ ଅପପ୍ରଚାରଧର୍ମୀ ଉଦ୍ଭଟନାଟକ ଆରମ୍ଭ ହୋଇଯାଇଛି – ଯେତେବେଳେ ମଠମନ୍ଦିର ମସ୍‌ଜିଦ୍ ଗିର୍ଜା ପୁଂଜିବାଦକୁ ରକ୍ଷା କରି ପାରୁନି – ଅର୍ଥବଳ, ବାହୁବଳ, ରାହୁବଳ କାମ ଦେଉନି – ସେତେବେଳେ ପୁଂଜିବାଦର ପ୍ରେତ ‘ନଷ୍ଟ୍ରଡମସ୍‌’ର ପୃଥିବୀ ଧ୍ୱଂସର ତତ୍ୱ, ବିଶ୍ୱ ଅର୍ଥନୀତି ବିପର୍ଯ୍ୟୟର ଆଗୁଆ ଘଂଟି ବଜାଇବାର ପାଲା, ମୃତ୍ୟୁମୁଖୀ ଶଇତାନର ଥଇଥାନ ତତ୍ୱ ଖୁବ୍ ଜୋରରେ ଶୁଣିବାକୁ ମିଳୁଛି ।

ଆଗରୁ ଲୋକେ ରାସ୍ତା ହଜେଇ ସାରିଛନ୍ତି । ଏବେ ଚାରିଆଡେ ଅନ୍ଧକାର । ଏହି ଭୟାବହ ପରିସ୍ଥିତିରେ ବିଶ୍ୱ ଶ୍ରମିକଶ୍ରେଣୀ ପାଖରେ ମାର୍କ୍ସ, ଲେନିନ୍‌, ଷ୍ଟାଲିନ୍‌, ମାଓ-ସେ-ତୁଂଗ ନାହାନ୍ତି । ସମାଜବାଦୀ ମୂଲ୍ୟବୋଧ କ୍ଷତବିକ୍ଷତ । ପୁଣି ସେଇ କାର୍ଲ ମାର୍କସ ଭରସା । କିନ୍ତୁ ମାର୍କ୍ସବାଦୀ ତତ୍ୱକୁ ଠିକ୍‌ଭାବେ ପରିବର୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ବିଶ୍ୱମାନବ ସମାଜକୁ ମୁକ୍ତିଶାନ୍ତିମୈତ୍ରୀ ପଥରେ ଆଗେଇ ନେବାପାଇଁ କେହି ନା କେହି ବାହାରନ୍ତୁ ।

ଆମ ଭାରତର ଶୋଷକ ପୁଂଜିପତି ଶ୍ରେଣୀ ଅତି ଚାଲାଖିଆ । ସବୁ ମାରିପିଟି ନେଇ ରଖିଛନ୍ତି – ବିପଦ ପଡିଲାବେଳକୁ ମୁଣ୍ଡ ଗଡାଉଛନ୍ତି । କିହୋ !ଶ୍ରମଜୀବୀ ଶ୍ରେଣୀକୁ ଖଟାଇ ଖଟାଇ ଦୀର୍ଘକାଳ ଧରି ଯେଉଁ ପୁଂଜିର ପାହାଡ ସୃଷ୍ଟି କରିଛି – ସେଥିରୁ କିଛି ଖସାଅ । ଏ କଥା କହିଲାବେଳେକୁ ସେମାନଙ୍କ ଛାତି ଫାଟି ଯାଉଛି ।

ଭାରତର ସବୁକ୍ଷେତ୍ରରେ ବର୍ତମାନ ଶ୍ରମିକ ସଂକୋଚନର ହୋହଲ୍ଲା ଆରମ୍ଭ ହୋଇଗଲାଣି । ରପ୍ତାନୀ ଆମଦାନୀ ‘ଠପ୍‌’ ହେବାକୁ ବସିଲାଣି । ଏସବୁ ଅବସ୍ଥା ଦେଖି ଭାରତୀୟ ପୁଂଜିପତିଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଲାଣି ।

‘ଭୋକ’ ଏଭଳି ଏକ ଶଦ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନି । ଢୋକେ ପିଇ, ଜଣ୍ଡେ ଜିଇ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ । ଶ୍ରମଜୀବୀ ଶ୍ରେଣୀ ଯେତେବେଳେ ଦିନେ, ଦି’ଦିନ ଓପାସ ରହିବେ – ସେ କାହାରିକୁ ମାନିବେ ନାହିଁ – ପ୍ରଳୟ ! ମହାପ୍ରଳୟ !

ସାମ୍ୟବାଦରୁ ସଂଶୋଧନବାଦ, ପ୍ରଗତିରୁ ପ୍ରତିକ୍ରିୟା, ନିଆଁରୁ ପାଉଁଶ – ଅଂଗୀକାରରୁ ଅଂଗାର… ଏ ରହସ୍ୟ ପଛରେ ମାର୍କିନ୍ ମାର୍କେଟ୍‌ର ମୁନାଫାଖୋର୍ ପୁଞ୍ଜିବାଦୀ ତତ୍ୱର ପ୍ରୟୋଗ କ’ଣ ଆମ ଅବଶିଷ୍ଟ ପୃଥିବୀର ବୁଦ୍ଧିଜୀବୀବର୍ଗଙ୍କୁ ଜ୍ଞାତ ନୁହେଁ ? ବିଶ୍ୱ ଆର୍ଥିକ ବିପର୍ଯ୍ୟୟ ରକ୍ଷା ପାଇବାର ଏକମାତ୍ର ମହୌଷଧି – ସଂପଦର ସାମାଜିକ ବିତରଣ । ଯଦି ଉତ୍ପାଦନ ସାମାଜିକ, ତା’ହେଲେ ଉତ୍ପାଦିତ ସଂପଦର ମାଲିକ ସାମାଜିକ ହେବା ଏକାନ୍ତ ଆବଶ୍ୟକ ।
ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.