ବାହାଘର ମଜା

0
5

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବାହା ହେଲା ବେଳକୁ ଏତେ ସବୁ କଥା ଜାଣିନଥିଲା ନବୀନ। ଜାଣିଥିଲେ ହୁଏତ ଜୀବନ ତମାମ କଷ୍ଟ ପାଇବା ପାଇଁ କେବେ ବି ରାଜି ହୋଇନଥାନ୍ତା। ବପା ମାଆ ବାହାଘର ଠିକ୍ କରିଥିଲେ। ସେଥିପାଇଁ ସେମାନଙ୍କ ପସନ୍ଦ ଉପରେ ପ୍ରଶ୍ନ ନଉଠାଇ ବାହା ହୋଇଯାଇଥିଲା ନବୀନ। ଅବଶ୍ୟ ବାହାଘର ପୂର୍ବରୁ ବାପା ବାରମ୍ବାର ପଚାରିଥିଲେ ନବୀନକୁ। ଆରେ ବାପା, ତୋର ଯଦି ଆଉ କୁଆଡ଼େ ବାହାହେବାର ଇଛା ଅଛି, ତାହେଲେ କହିଦେ। ନହେଲେ ପରେ ଯଦି ଆମକୁ ଦୋଷ ଦେବୁ, ସେଥିପାଇଁ ଆମେ ଦାୟୀ ରହିବୁ ନାହିଁ। ସେତେବେଳେ ନବୀନ କହିଲା, ବାପା ମାଆ ପସନ୍ଦ କରିଛନ୍ତି ଯେତେବେଳେ ନିଶ୍ଚିତ ଭଲ ହୋଇଥିବ। ଅନ୍ତତଃ ସେମାନେ ନିଜ ଜୀବନର ସବୁ ଅଭିଜ୍ଞତାକୁ ନଜରରେ ରଖି ତା ପାଇଁ ଝିଅ ବାଛିଥିବେ। ତେଣୁ ନିଶ୍ଚିନ୍ତରେ ବାହାଘର ପାଇଁ ରାଜି ହୋଇଗଲା ସେ।

ନବୀନର ଗୋଟିଏ ବଡ଼ ସମସ୍ୟା। ଏତେ ସହଜରେ ତାକୁ ନିଦ ହୁଏନି। ନିଶାଚର ଭଳି ରାତି ରାତି କାମ କରୁଥାଏ ସେ। ଯଦି କୌଣସି ଦିନ ଶୀଘ୍ର ଶୋଇବାକୁ ଚେଷ୍ଟା କରେ, ସେଦିନ ତା ମୁଣ୍ଡରେ ବିଭିନ୍ନ ଚିନ୍ତା ଚାଲିଥାଏ। ଲାଗେ ସତେ ଯେମିତି ପୂରା ଦୁନିଆଟା ଏବେ ତା ମୁଣ୍ଡ ଭିତରେ ଘୂରୁଛି। ବଡ଼ ବିଳମ୍ବରେ ନିଦ ଲାଗିଥିଲା ବେଳେ ଯଦି ସାମାନ୍ୟ ଝିଙ୍କାରିର ଝିଁ ଝିଁ ଶବ୍ଦ ବି ହେଲା, ତା ହେଲେ ତା ନିଦ ଗଲା। ସେ ଶୋଇଲା ବେଳେ ତାକୁ ପୂରା ଅଖଣ୍ଡ ନୀରବତା ଦରକାର। ଏମିତି ସ୍ଥଳେ ବାହା ଘର ପରେ ଯତେବେଳେ ସେ ଶୋଇବା ଘରକୁ ଗଲା, ସେ ଘରୁ ଏକ ଅଜବ ଶବ୍ଦ ଶୁଭୁଥିଲା। ପ୍ରଥମେ ସେ ଭାବିଲା ବୋଧେ, ଏ ଶବ୍ଦ ବାହାରୁ କୁଆଡୁ ଆସୁଛି। ଟିକିଏ ନିରିଖେଇ ଦେଖିଲା ବେଳକୁ ତା ନବବିବାହିତା ସ୍ତ୍ରୀ ନୀଳିମା ଘୁଙ୍ଗୁଡ଼ି ମାରୁଛି। ଏମିତି ଘୁଙ୍ଗୁଡ଼ି .. ବାପରେ ବାପ୍ ..। ସେ ଆଗରୁ କେବେ ଏମିତି ଘୁଙ୍ଗୁଡ଼ି ଶୁଣିନି। ଆଲୁଅ ଲିଭାଇ ଶୋଇବାକୁ ଚେଷ୍ଟା କଲା ନବୀନ। ସାମାନ୍ୟ ଖଡ୍ କିନା ଶବ୍ଦରେ ଯାହାର ନିଦ ଭାଙ୍ଗିଯାଏ, ତାକୁ ଏ ପାହାଡ଼ ଫଟା ଘୁଙ୍ଗୁଡ଼ି ଶବ୍ଦରେ କି ନିଦ ହେବ? କିଛି ସମୟ ସେ ଶୋଇବାକୁ ଚେଷ୍ଟା କଲା। ମୁଣ୍ଡରେ ପଗଡ଼ି ଭିଡ଼ିଲା। ସେଇଟା କାମ ଦେଲାନି। ତା ପରେ ଖୋଜା ଖୋଜି କରି କୁଆଡୁ ଦି ପୁଳା ତୁଳା ଆଣି ତାକୁ କାନରେ ଭର୍ତ୍ତି କଲା। ତଥାପି କିଛି ଲାଭ ହେଲାନି। ଶେଷରେ ଅଗତ୍ୟା ଶୋଇବା ଘରୁ ବାହାରକୁ ବାହାରି ଆସି ଡ୍ରଇଂ ରୁମରେ ଶୋଇଲା।

ପରଦିନ ସକାଳୁ ଯେତେବେଳେ ନୀଳିମା ପଚାରିଲା, ତମେ ରାତିରେ କାହିଁକି ସେଇଠି ନଶୋଇ ଏଇ ଡ୍ରଇଂ ରୁମରେ ଆସି ଶୋଇଛ? ନବୀନ ହସି ହସି କହିଲା, ନାଇଁ ଅଫିସ୍ କାମ କରୁ କରୁ ଟିକିଏ ଡେରି ହୋଇଯାଇଥିଲା ତ, ଏଇଠି ହିଁ କାମ କରୁ କରୁ ଶୋଇ ପଡ଼ିଥିଲି। ଆଉ ସେମିତି କିଛି ନାହିଁ। ତେବେ ସେଇ ଗୋଟିଏ ଦିନ ନୁହେଁ, ଏ ଧାରା ଅବ୍ୟାହତ ରହିଲା। ପ୍ରତିଦିନ ନୀଳିମା ଅପେକ୍ଷା କରେ ନବୀନକୁ। କିନ୍ତୁ ନବୀନ କିଛି ନା କିଛି ବାହାନା କରି କାମରେ ନିଜକୁ ବ୍ୟସ୍ତ ରଖେ। ଆଉ ଶେଷରେ ଦିନ ତମାମ ଘର କାମରେ ବ୍ୟସ୍ତ ନୀଳିମା ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଯାଏ।

ଦେଖୁ ଦେଖୁ ବାହାଘର ହେବାର ପ୍ରାୟ ପାଞ୍ଚ ବର୍ଷ ବିତିଗଲାଣି। କିନ୍ତୁ ପତିପତ୍ନୀ କେବେ ବି ଗୋଟିଏ ଘରେ ଶୋଇ ନାହାନ୍ତି। ତେବେ ନୀଳିମା ଘୁଙ୍ଗୁଡ଼ି ମାରୁଛି ବୋଲି ଯେ, ନବୀନ ସେ ରୁମରେ ଶୋଉନି, ସେକଥା ଦିନେ ବି ନୀଳିମାକୁ କହିନି ସେ। ତେଣୁ ନୀଳିମା ଅନ୍ଧାରରେ ରହିବା ସ୍ୱାଭାବିକ। ଦିନେ ବାପା କହିଲେ, ତମେ ଦି ଜଣ ଯାକ କୁଆଡ଼େ ଟିକେ ଯାଇକି ବୁଲିବାଲି ଆସ। ଏମିତି ଘରେ ବର୍ଷ ବର୍ଷ ଧରି ରହିଛ। ତମମାନଙ୍କର କ’ଣ କୁଆଡ଼େ ବୁଲିଯିବାକୁ ଇଛା ହେଉନି? ଏକଥା ଶୁଣି ନୀଳିମା ଖୁସିରେ ନାଚି ଉଠିଲା। ବାପାଙ୍କୁ କହିଲା, ମୁଁ କେତେ ଥର କହିଲିଣି, ହେଲେ ଇଏ ଶୁଣୁନାହାନ୍ତି। ଶେଷରେ ନବୀନ ଅଗତ୍ୟା ବୁଲିଯିବାକୁ ରାଜିହେଲା।

ଦିନ ଧାର୍ଯ୍ୟ ହୋଇ ସପ୍ତାହେ ପାଇଁ ମସୌରୀ ବୁଲିବାକୁ ଗଲେ ଉଭୟେ। ହୋଟେଲ ନିଆଗଲା। ପହଞ୍ଚିବା ଦିନ ହିଁ ହୋଟେଲରେ ଜିନିଷପତ୍ର ରଖିଦେଇ ଉଭୟେ ବୁଲି ବାହାରି ଗଲେ। ଦିନ ସାରା ବୁଲାବୁଲି କରି ହୋଟେଲକୁ ଫେରିଲା ପରେ ନୀଳିମା କହିଲା, ମୁଁ ବହୁତ ହାଲିଆ ହୋଇଯାଇଛି। କ’ଣ ଖାଇବା ବ୍ୟବସ୍ଥା କରାଅ। ନହେଲେ ମୁଁ ଏମିତି ହିଁ ନଖାଇ ନପିଇ ଶୋଇଯିବି। ଟିକିଏ ତାତ୍ସଲ୍ୟ କଲାଭଳି ନବୀନ ହସିଲା। କହିଲା, ତମେ ଖାଅ ବା ନଖାଅ, ତମେ କୋଉ ନ ଶୋଇବ ଯେ। ଖିଆପିଆ ସରିବା ଦଶ ମିନିଟ୍ ହୋଇଛି କି ନାହିଁ ଆରାମରେ ଶୋଇଯାଇଥିଲା ନୀଳିମା। ଶୋଇବା ଦଶ ମିନିଟ୍ ପରେ ଆରମ୍ଭ ହୋଇଗଲା ସେଇ ଗୁରୁଗମ୍ଭୀର ଘୁଙ୍ଗୁଡ଼ି। ତେବେ ନବୀନ ବିଚରା କରିବ କ’ଣ? ଏଇଠି ତ ଆଉ ଅଲଗା କୌଣସି ରୁମ୍ ନାହିଁ, ସେଇଠି ଯାଇ ଶୋଇପଡ଼ିବ। ହଁ.. ଅବଶ୍ୟ ଆଉ ଗୋଟିଏ ରୁମ୍ ନିଆଯାଇପାରିଥାନ୍ତା, କିନ୍ତୁ ଅପରିଚିତ ସ୍ଥାନରେ ସ୍ତ୍ରୀକୁ ଗୋଟିଏ ରୁମରେ ଛାଡ଼ି, ସିଏ ଆଉ ଗୋଟିଏ ରୁମ୍ ବା କେମିତି ନେଇ ପାରିବ? ଯଦି କେହି ଜାଣିବେ, ତା ହେଲେ କ’ଣ କହିବେ। ଏମିତି ହିଁ ଭାବି ଭାବି ହୋଟେଲ ରୁମ୍ ଭିତରେ ରାତି ସାରା ଘୂରି ବୁଲୁଥିଲା ନବୀନ।

ସକାଳୁ ନୀଳିମା ଉଠିବା ପୂର୍ବରୁ ସେ ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇଯାଇଥାଏ। ତେଣୁ ନୀଳିମା ବି ଜାଣିପାରୁନଥିଲା ଯେ, ରାତି ସାରା ଶୋଇନି ନବୀନ। ଦିନେ ଗଲା.. ଦି ଦିନ ଗଲା .. ତୃତୀୟ ଦିନ ବାହାରା ବୁଲାବୁଲି କଲାବେଳେ ହିଁ ନବୀନ ରୋଗୀ ଭଳି ଦେଖାଯାଉଥିଲା। ତା ଆଖିରେ ଆଖିଏ ନିଦ। ଆଖି ଦୁଇଟି କୁମ୍ଭାଟୁଆ ଆଖି ଭଳି ଲାଲ୍ ଦେଖାଯାଉଥିଲା। ଯେ କେହି ଦେଖିଲେ କହିବ, ସତେ ଯେମିତି ନବୀନ ନିଶାସକ୍ତ ଅବସ୍ଥାରେ ଅଛି। ସେଦିନ ରାତିରେ ନୀଳିମାର ଘୁଙ୍ଗୁଡ଼ି ସତ୍ତ୍ୱେ ଶୋଇବାକୁ ଚେଷ୍ଟା କଲା ନବୀନ। ଅନେକ ଚେଷ୍ଟା ପରେ ବି ତା ଆଖିକୁ ନିଦ ଆସିଲା ନାହିଁ। ଦିନ ପରେ ଦିନ ଶୋଇ ନପାରିବା କାରଣରୁ ସେ ତାର ମାନସିକ ଭାରସାମ୍ୟ ହରାଇବାରେ ଲାଗିଥିଲା। ପ୍ରତିକଥାରେ ଚିଡିଚିଡି ହେଉଥିଲା ନବୀନ। ନୀଳିମା ଜାଣିପାରୁନଥିଲା, ନବୀନ ଏମିତି କାହିଁକି ବ୍ୟବହାର କରୁଛି। ପ୍ରତିକଥାରେ ରାଗୁଛି କାହିଁକି ନବୀନ? ନବୀନ କିନ୍ତୁ ତା ରାଗର କାରଣ ଜାଣିବାକୁ ଦେଉନଥିଲା ନୀଳିମାକୁ। ସେମାନଙ୍କ ବୁଲାବୁଲିର ଶେଷ ଦିନର ରାତି। ମାନେ ହୋଟେଲେ ସେଦିନ ସେମାନଙ୍କ ଶେଷ ରାତି। ନବୀନ ଏତେ ରାଗି ଯାଇଥିଲା ଯେ, ତାକୁ ଇଛା ହେଉଥିଲା ନୀଳିମା ଶୋଇଥିବା ଅବସ୍ଥାରେ ତାକୁ ଛାଡ଼ି ଦେଇ କେଉଁ ଆଡ଼େ ସବୁଦିନ ପାଇଁ ଚାଲିଯିବ ସେ। ଅଥବା ଅନ୍ୟ କୌଣସି ଉପାୟରେ ତା ନାକ ପାଟି ବନ୍ଦ କରି ତା ଘୁଙ୍ଗୁଡ଼ି ବନ୍ଦ କରିବ। ରାଗରେ କ’ଣ ନା କ’ଣ କରିଦେବାକୁ ଚିନ୍ତା କରୁଥିଲା ନବୀନ।

ଏମିତି ହିଁ ରାତି ପାହିଗଲା। ସେମାନେ ଜିନିଷପତ୍ର ନେଇ ଏୟାରପୋର୍ଟରେ ପହଞ୍ଚିଲା ବେଳକୁ ଦେଖାହେଲା ନବୀନର ସ୍କୁଲ ସହପାଠୀ ତଥା ବରିଷ୍ଠ ଡାକ୍ତର ଅରବିନ୍ଦ ସ୍ୱାଇଁ। ଏୟାରପୋର୍ଟ ଲାଉଁଜରେ ଦୀର୍ଘ ସମୟ ଧରି ଉଭୟ ସାଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା। ଏତିକି ବେଳେ ଡାକ୍ତର ଅରବିନ୍ଦ ପଚାରିଲେ, ଆରେ ନବୀନ ତୁ କେତେ ବର୍ଷ ହେଲା ଶୋଇନୁ କିରେ? ତୋ ଆଖିଗୁଡ଼ିକ ଏମିତି କଣ ଦେଖାଯାଉଛି? କଣ ଚିଲିକାରେ ନିଆଁ ଲିଭେଇବାକୁ ଯାଇଥିଲୁ? ବିଚରା ନବୀନ ବଡ଼ ସଙ୍କୋଚରେ ବନ୍ଧୁ ଅରବିନ୍ଦଙ୍କ ସମ୍ମୁଖରେ ସବୁ କଥା କହିଦେଲା।

ବଡ଼ ଠୋ ଠୋ କରି ହସିଉଠିଲେ ଡାକ୍ତର ଅରବିନ୍ଦ। କହିଲେ, ଏତେ ସମସ୍ୟା ଦେଇ ଗତି କରୁଛୁ, ଅବଶ୍ୟ କେବେ କୌଣସି ଡାକ୍ତରଙ୍କ ପରାମର୍ଶ ନେଇନୁ? ବଡ଼ ବିଚିତ୍ର ମଣିଷ ତୁ। ଏବେ ବି ସମୟ ଅଛି। ଡାକ୍ତରଙ୍କ ସହ କଥାବାର୍ତ୍ତା କରି ଏହାର ସମାଧାନ ବାହାରକର। ଡାକ୍ତର ଅରବିନ୍ଦଙ୍କ ସହ କଥାବାର୍ତ୍ତା ପରେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଥିଲା ନବୀନ। ସେ ମନେ ମନେ ଭାବୁଥିଲା, ଏଇଟା ଯଦି ଆରୋଗ୍ୟସାଧ୍ୟ, ତାହେଲେ ସେ ସେହି କାମଟା ଆଜିଯାଏଁ ନକରି କାହିଁକି ହଇରାଣ ହେଉଥିଲା?

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ.
ଫୋନ୍- ୯୯୩୭୨୫୨୪୬୪