Latest Odisha News

ସେମାନେ କେତେ ସୁରକ୍ଷିତ?

ଶ୍ରୁତକୀର୍ତ୍ତି ତ୍ରିପାଠୀ

କରୋନା ମହାମାରୀର ସଂକ୍ରମଣ ଏବଂ ତଦଜନିତ ଭୟ ସମଗ୍ର ବିଶ୍ୱରେ ବିଷମ ପରିସ୍ଥିତି ସୃଷ୍ଟି କରିଛି । କୋଭିଡ – ୧୯ ନାମକ ଏହି ମାରାତ୍ମକ ଭୂତାଣୁର ପ୍ରାଦୁର୍ଭାବ ଏ ଯାଏଁ କମିନି । ସବୁଠାରୁ ବେଶୀ ଆଘାତପ୍ରାପ୍ତ ଏବଂ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଶ୍ରମିକ ଗୋଷ୍ଠୀଙ୍କୁ ଆତଙ୍କିତ କରିବାକୁ ବସିଲାଣି । ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ତ୍ୱପୂର୍ଣ ବିଷୟ ଲୋକଲୋଚନକୁ ଆସିବା ଉଚିତ ।

ଲକଡାଉନ ଅବଧି କାଳରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନେ କର୍ମକ୍ଷେତ୍ରରୁ ବିଦାହେଲେ କିମ୍ବା ରୋଜଗାର ହରେଇ ସ୍ୱଇଚ୍ଛାରେ ସ୍ୱରାଜ୍ୟକୁ ଫେରିବାକୁ ବାଧ୍ୟ ହେଲେ । ଚିନ୍ତାର ବିଷୟ ଶ୍ରମିକମାନଙ୍କ ସହିତ ତାଙ୍କ ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଚିନ୍ତାଜନକ ପରିସ୍ଥିତି ପରିସରଭୁକ୍ତ ହୋଇଛି । ପ୍ରବାସୀ ଶ୍ରମିକ ରାଜ୍ୟ ବାହାରକୁ କାମ ପାଇଁ ଗଲେ । ତାଙ୍କ ପିଲାଙ୍କ ଭରଣ ପୋଷଣକୁ ଆଖି ଆଗରେ ରଖି ମୁଖ୍ୟତଃ ସେମାନଙ୍କୁ ତିନୋଟି ଶ୍ରେଣୀରେ ଭାଗ କରାଯାଇପାରେ ।

ପ୍ରଥମ ଶ୍ରେଣୀର ପିଲାଙ୍କ ଭିତରେ ଅଛନ୍ତି ସେହି ଶ୍ରମିକମାନେ ଯେଉଁମାନେ ତାଙ୍କ ପିଲାଙ୍କୁ ଘରେ ଛାଡ଼ି ବାହାରକୁ କାମ ପାଇଁ ଯାଇଥାନ୍ତି । ଏହି ଶ୍ରେଣୀର ପିଲାମାନେ ପ୍ରେରିତ ଅର୍ଥ ଅର୍ଥାତ ଡାକ ଯୋଗେ ଶ୍ରମିକମାନେ ଘରକୁ ପଠାଉଥିବା ଟଙ୍କା ଉପରେ ନିର୍ଭର କରନ୍ତି । ଭାରତରେ ୧୩୮ କୋଟି ଜନସଂଖ୍ୟାରୁ ପ୍ରାୟ ୯୦
କୋଟି ଗ୍ରାମାଞ୍ଚଳରେ ରହିଛନ୍ତି । ଗାଁରେ ବାସ କରୁଥିବା ଶତକଡ଼ା ୧୦ % ଶ୍ରମିକ ପରିବାର ଏଭଳି ଟଙ୍କାରେ ଜୀବନଯାପନ କରନ୍ତି । ଦେଶର ଅନ୍ୟାନ୍ୟ ଅଞ୍ଚଳଗୁଡିକରେ ରହୁଥିବା ଅନେକ ପରିବାରର ଭରଣ ପୋଷଣର ପ୍ରାଥମିକ ଉତ୍ସ ବିଏହି ଅର୍ଥ ହୋଇଥାଏ । ସେହି ପିଲାଙ୍କର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଏହା ଉପରେ ହିଁ ନିର୍ଭର କରେ । କହିବା ବାହୁଲ୍ୟ ଠିକ ସମୟରେ ପଇସା ନ ପହଞ୍ଚିଲେ ସେମାନଙ୍କ ଜୀବନଶୈଳୀ ବହୁତ ପ୍ରଭାବିତ ହଉଥିବ ।

ଦ୍ଵିତୀୟ ଶ୍ରେଣୀରେ ଆସନ୍ତି ସେଇ ଶ୍ରମିକମାନେ, ଯେଉଁମାନେ ନିଜ ପିଲାମାନଙ୍କୁ ସାଙ୍ଗରେ ନେଇ ସପରିବାର ଅନ୍ୟ ସ୍ଥାନରେ କାମ କରନ୍ତି । କିଛି ପ୍ରବାସୀ ଶ୍ରମିକ ଋତୁକାଳୀନ କିମ୍ବା ସ୍ୱଳ୍ପ ସମୟ ପାଇଁ କାମରେ ନିୟୋଜିତ ହୋଇଥାନ୍ତି । ମୁଖ୍ୟତଃ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସଂଖ୍ୟା ୟା ଭିତରେ ଅଧିକ । ଏହି ଶ୍ରମିକଙ୍କ ପିଲାମାନେ ଖୁବ କମ ବୟସରେ ସେମାନଙ୍କ ସହିତ କର୍ମସ୍ଥଳକୁ ଚାଲିଯାଆନ୍ତି, ଯଦ୍ୱାରା ତାଙ୍କ ଯତ୍ନ ଓ ପାଳନପୋଷଣରେ ଅନିୟମିତତା ଦେଖାଯାଏ । ପରୀକ୍ଷଣରୁ ଜଣାଯାଇଛି ଏମାନେ ଏକା ସାଥିରେ କାମ କରନ୍ତି ଏବଂ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ସାମୁହିକ ଭାବରେ ଦିଆଯାଏ । ଜଣପ୍ରତି ମଜୁରୀ ନ ଦିଆଯାଇ ପରିବାର ପିଛା ମଜୁରୀ ଦିଆଯାଏ, ଯାହା ସେମାନଙ୍କ ପ୍ରାପ୍ୟ ମୂଲ୍ୟଠାରୁ ଖୁବ କମ । ପରିଣାମ ସେମାନେ ଦାରିଦ୍ର‌୍ୟ ଏବଂ ଖାଦ୍ୟାଭାବ ଜନିତ ସମସ୍ୟାର ସମ୍ମୁଖୀନ ହୋଇ ପୁଷ୍ଟିହୀନତାର ଶିକାର ହୁଅନ୍ତି । ଅନିଶ୍ଚିତ, ଅସ୍ୱାସ୍ଥ୍ୟକର, ବିପଦପୂର୍ଣ୍ଣ ପରିବେଶରେ ଶ୍ରମିକଙ୍କ ପିଲାଙ୍କ ଜୀବନଚକ ଗଡି ଚାଲେ ।

ତୃତୀୟ ଶ୍ରେଣୀରେ ଯାଉଥିବା ପିଲାମାନେ ହେଲେ , ଯେଉଁମାନେ ନିଜ ଶ୍ରମିକ ମାତାପିତାଙ୍କ ସହ ମିଳିମିଶି ରୋଜଗାର କରନ୍ତି । ୨୦୧୧ ଜନଗଣନା ଅନୁଯାୟୀ,୧ ଲକ୍ଷ ପିଲା ୧୦- ୧୪ ବର୍ଷ ବୟସରେ ଏବଂ ୯ ଲକ୍ଷ ପିଲା, ୧୫ -୧୯ ବର୍ଷ ବୟସରେ ନିଜର ଶ୍ରମିକ ପିତାମାତାଙ୍କୁ କାମରେ ସାହାଯ୍ୟ କରନ୍ତି । ସେମାନେ ନିର୍ମାଣାଧୀନ ଅଞ୍ଚଳରେ ସେହି ସମାନ ପରିଶ୍ରମ କରି ବୟସ୍କ ଲୋକଙ୍କ ତୁଳନାରେ ଅପେକ୍ଷାକୃତ ବହୁତ କମ ମଜୁରୀ ପାଆନ୍ତି । ଏହା ବ୍ୟତୀତ ସେହି ବୟସର ପିଲାମାନେ ଶାରୀରିକ ଭାବରେ ଅପବ୍ୟବହୃତ ହେବାର ମଧ୍ୟ ଅନେକ ଉଦାହରଣ ରହିଛି । ଅପ୍ରିୟ ସତ ହେଉଛି, ପଇସାର ଅଭାବ ଚରିତ୍ର ଗଠନକୁ ବାଧାପ୍ରାପ୍ତ କରେ ।

ଯଦିଓ କରୋନା ପ୍ରଥମଥର ପାଇଁ ଦେଶବ୍ୟାପୀ ଏକ ଆକସ୍ମିକ ବିପତ୍ତି କିମ୍ବା ଦୁର୍ଦ୍ଦଶା ରୂପେ ଉଭା ହେଇଛି; ପରବର୍ତ୍ତୀ ସମୟରେ ଶ୍ରମିକ ପିଲାମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କୁ ଆର୍ଥିକ ଦୁର୍ବଳତା ଏବଂ ଅସମର୍ଥତାରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାର ଉପାୟ କରିବାକୁ ହେବ । ବିଭିନ୍ନ ଶିବିର କିମ୍ବା ଛାଉଣୀର ସ୍ଥାପନା କରି ଶ୍ରମିକ ଶିଶୁମାନଙ୍କର ବିଭିନ୍ନ ଯନ୍ତ୍ରଣା ବିଷୟରେ ଜାଣି ତାର ଉପଶମର ବାଟ କାଢ଼ିବା ଦାୟିତ୍ୱ ନେବାକୁ ହେବ ।

ବସତି ଏବଂ ସଙ୍ଗରୋଧ କେନ୍ଦ୍ରରେ ଥିବା ଶ୍ରମିକ ଶିଶୁମାନଙ୍କୁ ସୁରକ୍ଷା ଓ ଆଶ୍ରୟ ପ୍ରଦାନ, ପୁଷ୍ଟିକର ଖାଦ୍ୟ, ପାନୀୟ ଓ ସଫେଇ ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କର ମନସ୍ତତ୍ତ୍ୱକୁ ଅନୁଧ୍ୟାନ କରି କିଶୋର କିଶୋରୀ ବୟସର ପିଲାଙ୍କର ସ୍ୱତନ୍ତ୍ର ଭାବରେ ଯତ୍ନ ନେବା ଦରକାର, ଯେପରି ସେମାନେ ନିଜକୁ ଅସୁରକ୍ଷିତ ମନେ ନ କରନ୍ତୁ । କୌଣସି ଅପବ୍ୟବହାର କିମ୍ବା ଶୋଷଣର ଶିକାର ନ ହୁଅନ୍ତୁ । ନଚେତ ଅସାମାଜିକ କାର୍ଯ୍ୟରେ ଲିପ୍ତରହି ଅସତ ଉପାୟରେ ପଇସା କମେଇବାକୁ ସେମାନେ ବାଧ୍ୟ ହେବେ । ଆୟ ନ ହେଲେ ବି ବଞ୍ଚିବା ପାଇଁ ପଇସା ତ ଦରକାର । ତା ପାଇଁ ସେମାନେ ଚୋରି, ଲୁଟ, ଛିନତାଇ ଭଳି ହୀନ କାମ କରିବାକୁ ମଧ୍ୟ ପଛେଇବେ ନାହିଁ ।

ଏସବୁ ସମସ୍ୟାର ସମାଧାନ ସେତେବେଳେ ହିଁ ସମ୍ଭବ ହେବ, ଯେବେ ଶ୍ରମିକମାନେ ପୁଣିଥରେ କାମକୁ ଫେରିବେ । ପୁଣିଥରେ ସେମାନଙ୍କୁ ରୋଜଗାର ମିଳିବ ଏବଂ ତାଙ୍କ ଅର୍ଥାଭାବ ଦୂର ହେବ । ପ୍ରତ୍ୟେକ ରାଜ୍ୟର ସରକାର ଶ୍ରମିକମାନଙ୍କୁ କାମ ଯୋଗେଇଦେବା ଓ ସେମାନେ ଭୋଗୁଥିବା ଅସୁବିଧାକୁ ଦୂର କରିବା ପାଇଁ ଦାୟିତ୍ୱ ନେବାକୁ ହେବ । ଦେଶକୁ ପ୍ରଗତି ପଥରେ ଆଗେଇ ନେଉଥିବା ଶ୍ରମିକ ଶ୍ରେଣୀଙ୍କ ଶିଶୁମାନଙ୍କ ଆଗତ ଭବିଷ୍ୟତ ପାଇଁ ପ୍ରତ୍ୟେକ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଭାବିବାର ସମୟ ଆସିଯାଇଛି କ୍ଷ ଅନ୍ୟଥା କୋଭିଡ – ୧୯ ସଙ୍କଟ ଲକ୍ଷ ଲକ୍ଷ ଶ୍ରମିକ ଶିଶୁଙ୍କୁ ଏକ ଅନ୍ଧକାରମୟ ଭବିଷ୍ୟତ ଆଡକୁ ଠେଲି ଚାଲିବ ।

(ଫୋନ – ୬୩୭୦୫୧୬୪୭୮)

Leave A Reply

Your email address will not be published.