Latest Odisha News

BREAKING NEWS

ଓଡ଼ିଆ ସାହିତ୍ୟ ଆଜି ଅସୁସ୍ଥ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ବୈଦିକ ସମାଜରୁ ବୈଧସମାଜର ସୀମାରେଖା ସ୍ପର୍ଶ କରି ବହିଆସୁଛି ସାରସ୍ୱତ ସୃଜନଧାରାର ଶାଶ୍ୱତୀ ସରସ୍ୱତୀ। କେବେ ହୋଇଛି କୂଳଲଂଘିନୀ ତ କେବେ ପୁଣି ଅନ୍ତଃସଲିଳା । ଆଉକେବେ ସାରସ୍ୱତ ସର୍ଜନାର ଏ ସରସ୍ୱତୀ ସମାଜର ଅନ୍ଧକାର ଯୁଗ ପରିକ୍ରମା କରୁ କରୁ ବାଛିନେଇଛି ମରୁପଥ । ଯୁଗରୁ ଯୁଗାନ୍ତର , କାଳରୁ କାଳାନ୍ତର,  ସମୟରୁ ସମୟାନ୍ତରକୁ ମୁହାଁଉ ମୁହାଁଉ ସାହିତ୍ୟ କେବେ କେବେ ସାମ୍ନା କରିଛି ଏକ ସନ୍ଧିକ୍ଷଣ ।

ଆମର ଆଜିର ସାହିତ୍ୟ ତଥା ସାମ୍ପ୍ରତିକ ସାହିତ୍ୟ ହେଉଛି ପ୍ରକାରାନ୍ତରେ ଏକ ସନ୍ଧିକ୍ଷଣର ସାହିତ୍ୟ । ବିଗତ ବିଂଶଶତାଦ୍ଦୀ ଏବଂ ସମାଗତ ଏକବିଂଶ ଶତାଦ୍ଦୀର ମଧ୍ୟବର୍ତୀ ସ୍ଥିତିରେ ସାହିତ୍ୟ କେବଳ ଏକ ଉର୍ଦ୍ଧ୍ୱଶ୍ୱାସ ତ୍ରିଶଙ୍କୁ  ତା’ ପାଦ ତଳେ ମାଟି ନାହିଁ, ମଥା ଉପରେ ନାହିଁ ଆକାଶ । ଶୂନ୍ୟ, ଶୂନ୍ୟତା , ଶୂନ୍ୟଚାରିତାକୁ ନେଇ ଶଦ୍ଦର ଶାମୁକା ସାଉଁଟୁଛି ସେ  ଅର୍ଥହୀନତାର ଉପକଣ୍ଠରେ । ଏଭଳି ଏକ ଅବସ୍ଥା ଏଠି ଉପୁଜିଛି ଯେ ଯେଉଁଠି ଓଡ଼ିଆ  ସାହିତ୍ୟ ଆଜି ପାଠକହୀନ ସାହିତ୍ୟରେ ପରିଣତ ହେବାକୁ ଯାଉଛି ।  ବର୍ତ୍ତମାନ ଓଡ଼ିଆ ପୁସ୍ତକ କହିଲେ ଆମେ ଦେଖୁଛୁ ଗଦାଗଦା ଅନାବଶ୍ୟକ ଉତ୍ପାଦିତ ସାମଗ୍ରୀ । ରଙ୍ଗ ଅଛି, ରସ ନାହିଁ,  ରୂପ ଅଛି, ରଦ୍ଧି ନାହିଁ ,  ରଚନା ଅଛି, ରୁଚି ନାହିଁ । ମନସ୍ତତ୍ତ୍ୱ ଛାଡି ଶରୀରତତ୍ୱରେ ଆତ୍ମସ୍ଥ ଆମର ଆଭିମୁଖ୍ୟ ।

ଓଡ଼ିଆ ଭାଷା ହଜାରେ ବର୍ଷରୁ ବେଶି ଏବଂ ଓଡିଆ ସାହିତ୍ୟ ପାଞ୍ଚଶହ ବର୍ଷରୁ ଅଧିକ ଅବଧି ଅତିକ୍ରମ କରିସାରିଛି । ଏହାର ଅର୍ଥ ସାମୂହିକ ଭାବରେ ଆମ ଭାଷାର ସାହିତ୍ୟ କେବଠୁ ପ୍ରାପ୍ତ ହୋଇସାରିଛି । ତାର ପୌଗଣ୍ଡ, ତାର ପୌରୁଷ, ତାର ଐତିହ୍ୟର ଐଶ୍ୱର୍ଯ୍ୟ । ଅଥଚ ତାର ଏହି ବିଶାଳ ବୁନିଆଦି ବର୍ତ୍ତମାନ ଅବସ୍ଥା ଏକ ଦୟନୀୟ ଦୁରବସ୍ଥାରେ ପରିଣତ ହେଲା କିପରି?

ଏହାର ମୁଖ୍ୟ କାରଣ ହେଉଛି ସାହିତ୍ୟ ଆଉ ସମଷ୍ଟିର ସାମଗ୍ରୀ ନହୋଇ, ହୋଇପଡିଛି ବ୍ୟଷ୍ଟିର ବିଜ୍ଞପ୍ତି । ଆଗେ ଗାଦୀ ଥିଲା, ରାମାୟଣ, ମହାଭାରତ ପଢା ଯାଉଥିଲା । ଟୁଙ୍ଗି ଥିଲା, ଭାଗବତ ବୋଲା ଯାଉଥିଲା । ସଭା ଥିଲା ପୁରାଣ-ପୋଥିପତ୍ରାଦି ସଦ୍‌ଗ୍ରନ୍ଥାଦିର ସୁସମାଚାର ଶ୍ରୁତିଗୋଚର ହେଉଥିଲା । ଜଣେ ପଢୁଥିଲେ, ଦଶଜଣ ଶୁଣୁଥିଲେ । ଦଶଜଣ ଶୁଣାଉଥିଲେ ଶହେଜଣ ଜାଣୁଥିଲେ । ଶହେଜଣ ଜଣାଉଥିଲେ ତୁଣ୍ଡବାଇଦ ସହସ୍ରକୋଶ ପରି ହଜାରେ ଜଣ ବଖାଣୁଥିଲେ । ଏ ବଖାଣିବାଟା ବଖରା ଭିତରର ବକ୍ତବ୍ୟ ନହୋଇ ବ୍ୟାପିଯାଉଥିଲା ଏ ଗାଆଁରୁ ସେ ଗଡଜାତ । ଏ ମାଟିରୁ ସେ ମୁଲକ ।

ଏପରିକି ମଜାକଥା ପରି ମନେହେଉଥିଲେ ହେଁ ଏଠାରେ ଉଲ୍ଲେଖ କରିବା ଏକାନ୍ତ ଜରୁରୀ ଯେ ଫକୀରମୋହନଙ୍କ‘ଛମାଣ ଆଠଗୁଣ୍ଠ’ ଯେତେବେଳେ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଉଥାଏ, ସେତେବେଳେ ଏହି ଉପନ୍ୟାସର ଚରିତ୍ର
ରାମଚନ୍ଦ୍ର ମଙ୍ଗରାଜଙ୍କୁ ନେଇ ମାନ୍ୟବର ଅଦାଲତ ରାୟ ଶୁଣାଇବେ ବୋଲି ଅଧ୍ୟାୟଟିଏ ଛାପା ହେଲା ପରେ କାହିଁ କୁଆଡୁ ଶଗଡରେ ଆସି ଲୋକେ ଜମା ହୋଇଯାଇଥିଲେ କଟକର କିଲଟରୀ ହତାରେ ! କ’ଣ ନା ଆଜି ମଙ୍ଗରାଜଙ୍କ ମାମଲାର ଫଇସଲା ! ଫକୀରମୋହନଙ୍କ ଉପନ୍ୟାସକୁ ଲୋକେ କଳ୍ପନା ବୋଳି ନଭାବି କିପରି ସତ୍ୟ ବୋଲି ଆଦରି ନେଇଥିଲେ, ଏ କଥା ତାର ପ୍ରମାଣ । ବେଳେବେଳେ ସାହିତ୍ୟ ଏହିଭଲି ସତ୍ୟ ପାଲଟିଯାଇଥାଏ ।

ସାମ୍ପ୍ରତିକ ସାହିତ୍ୟ କିନ୍ତୁ ସତ୍ୟ ପାଲଟିବ କ’ଣ ; ଓଲଟି ମିଥ୍ୟାକୁ ମୁଖବନ୍ଧ କଲାଣି । ସେଥିପାଇଁ ସାହିତ୍ୟକ୍ଷେତ୍ରରେ ଆଜି ଲେଖକ-ବହୁଳତା ସତ୍ତ୍ୱେ ପାଠକ-ବିରଳତା ଏକ ଘୋର ଦୃଷ୍ଟିକଟୁ ବ୍ୟାପାର । ଯେତେଯେତେ ବହି ଛାପାଯାଉଛି, ସେତେସେତେ ପାଠକ ଛପି ଯାଉଛନ୍ତି ଆଖି ଆଗରୁ । ଯେତେଯେତେ ଲେଖକ ଉତୁରୁଛନ୍ତି, ସେତେସେତେ ଉଭେଇଯାଉଛି ଲେଖାର ଗୁଣାତ୍ମକ ମାନ ସାହିତ୍ୟ ଆଳରେ ଚାଲିଛି କେବଳ ଫାର୍ସ୍‌ର ଫେସନ୍ ଶୋ । ଚରିତ୍ରସଂହାରୀ ଚର୍ଚ୍ଚା, ବିବାଦୀୟ ବିତର୍କ , ମାରପେଂଚର ମଞ୍ଚନିର୍ମାଣ । ଜଣେ ଲେଖକ ସହୁନି ଆଉଜଣେ ଲେଖକକୁ । ବାରଜଣ ଲେଖକଙ୍କୁ ନେଇ ଗଢାଯାଉଥିବା ଗୋଷ୍ଠୀ ଗଣମାଧ୍ୟମକୁ ବ୍ୟବହାର କରିବା ନିମନ୍ତେ ଆଗେଇଗଲା ବେଳକୁ କୌଣସି ପ୍ରକାଶକ ଆତ୍ମ ସଙ୍ଗଠନ ତିଆରି କରି ମୁହାଁଇଗଲେଣି ମାମଲାବାଜି ପର୍ଯ୍ୟନ୍ତ । ପରିସ୍ଥିତି ପୁଣି ଏପରି ଉତ୍ପୀଡକ ଯେ କତିପୟ ଲେଖକ-ପ୍ରକାଶକ ବି ଓକିଲ ଆଉ ସାମ୍ବାଦିକମାନଙ୍କ ଦ୍ୱାରସ୍ଥ ହୋଇ ସାହିତ୍ୟକୁ ନାଲିକୋଠାଆଡକୁ ନେଇଯିବାକୁ ଯୋଜନାବଦ୍ଧ !

ଯଦି କେଉଁ ପୁସ୍ତକ ପୁରସ୍କୃତ ହେଲା, ତେବେ ପୁରସ୍କୃତ ପୁସ୍ତକକାରଙ୍କ ପାଇଁ ମାମଲା ଦାଏର୍ କରି ମାନ୍ୟବର ଅଦାଲତଙ୍କ
ଆଗରେ ପ୍ରାର୍ଥନା କରାଗଲା ସ୍ଥଗିତାଦେଶ ! ଇଏ କି କୂଟ ?

ସାହିତ୍ୟକୁ ବ୍ରତ ଓ ବୃତି କରୁଥିବା ଚରିତ୍ରମାନେ କ’ଣ କସ୍ମିନକାଳେ ହୋଇପାରନ୍ତି ଏହିଭଳି ବିବ୍ରତ ଓ ଦୁର୍ବୁତ୍ତ ? ସାହିତ୍ୟର ସତ୍ୟଭଙ୍ଗ । ସାହିତ୍ୟରେ ସ୍ୱପ୍ନଭଙ୍ଗ । ସାହିତ୍ୟରେ ଶାନ୍ତିଭଙ୍ଗ । ଏହି ପର୍ଯ୍ୟାୟରେ ଆମର ଦାୟିତ୍ୱ ହେଉଛି ଓଡ଼ିଆ ଭାଷାର ଭବିଷ୍ୟତ ଓ ଓଡ଼ିଆ ସାହିତ୍ୟର ସମ୍ଭାବନା ପ୍ରତି ଦେଖାଦେଉଥିବା ବାଧାବିଘ୍ନଗୁଡିକୁ ବିଚାର କରି ଏକ ପରିମଳ ପରିମଣ୍ଡଳ ପ୍ରସ୍ତୁତି ପାଇଁ ସଜାଗତା ସୃଷ୍ଟି । ବିତର୍କ ଓ ବିବାଦର ବୂହ୍ୟରେ ସାହିତ୍ୟକୁ ଟାଣିନେଇଯାଇ ଯେଉଁମାନେ ମଞ୍ଚରେ ମୁରବିଗିରି ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ପ୍ରତି ସଚ୍ଚା ଲେଖକମାନଙ୍କର ଶୀତଳ ବୈରାଗ୍ୟ ଥାଇପାରେ ! ମାତ୍ର ସଚ୍ଚୋଟ ପାଠକମାନଙ୍କର ଉଷ୍ଣ ବିଦ୍ରୋହବହ୍ନି ଦିନେ ନା ଦିନେ ପ୍ରଜ୍ୱଳିତ ହୋଇପାରେ, ଏହା ଅବଶ୍ୟମ୍ଭାବୀ ।

ଓଡ଼ିଆ ସାହିତ୍ୟ ଆଜି ଅସୁସ୍ଥ । କନିଷ୍ଠମାନଙ୍କର ବରିଷ୍ଠମାନଙ୍କ ପ୍ରତି ନାହିଁ ସଂଭ୍ରମ । କତିପୟ ବୟୋଜ୍ୟେଷ୍ଠ ଲେଖକ ବୟୋକନିଷ୍ଠ ନବ୍ୟଲେଖକମାନଙ୍କୁ ନିଜନିଜ ଆଖଡାଘରେ ତାଲିମ୍‌ ଦେବାକୁ ବି ତୟାର୍ ! ବିଭିନ୍ନ ଚକ୍ର ଓ ଗୋଷ୍ଠୀରେ ବିଭାଜିତ ଆମ ସାହିତ୍ୟଖଣ୍ଡ । ସାହିତ୍ୟରେ ଅଙ୍ଗୀକାର ନାହିଁ , ଅନୁରାଗ ନାହିଁ , ସାମ୍ନା କରିବାର ସାହସିକ ସ୍ୱର ନାହିଁ । ଏଭଳି ସାହିତ୍ୟ କେବଳ ସଂଭୋଗଧର୍ମୀ ସହଜସାଧନା ଛଡା ଆଉ କ’ଣ ହୋଇପାରେ ? ସେଇ କାମଜ୍ୱାଳାର କାରୁକାର୍ଯ୍ୟ କେବଳ !

କାମୁକମାନଙ୍କ ପ୍ରେମିକ କହିବସିଲେ କଥାଟା ଯେମିତି ହାସ୍ୟକର, ଏଭଳି ଲେଖକମାନଙ୍କୁ ଆମ ସାହିତ୍ୟର ପ୍ରକୃତ ପ୍ରତିନିଧି ମଣିଲେ ସେମିତି ହାନିକାରକ । ଏ ହାନି ସାହିତ୍ୟର, ସଭ୍ୟତାର ଆଉ ସଂସ୍କୃତିର । ମୁଁ କହୁନାହିଁ ଯେ ଲେଖକଟିଏ କୌପୀନ ପିନ୍ଧୁ, ରୁଦ୍ରାକ୍ଷମାଳ ଧାରଣ କରୁ କି କମଣ୍ଡଳୁ । ମାତ୍ର ଜନଗଣଙ୍କର ରୁଚି ଓ ଶୁଚିର ସମୁନ୍ନତିକୁ ଛାଡି ସାହିତ୍ୟ ଯଦି କେବଳ କେତେକ ସିରସ୍ତାଦାର୍ ବ୍ୟକ୍ତି ବିଶେଷଙ୍କ ବିକଳ ବାସନାର ଅଭିବ୍ୟକ୍ତି ହୋଇପଡେ, ତା’ହେଲେ ଦୁର୍ନୀତି ନିବାରଣରେ ଲେଖକର ଭୂମିକା କଥାଟି ଏକ ଅବାନ୍ତର ଉଲ୍ଲେଖ ଛଡା ଆଉ କ’ଣ ହୋଇପାରେ ?

ସାହିତ୍ୟ ଧର୍ମଶାସ୍ତ୍ର ନୁହେଁ, ଲୋକସମାଜକୁ ପ୍ରବଚନ ଦେଇ ନୈତିକ ମୂଲ୍ୟବୋଧରେ ପ୍ରଣୋଦିତ କରିଚାଲିବା ଲେଖକର ଧର୍ମ ନ ହୋଇପାରେ । ମାତ୍ର ଯେଉଁ ଅନୁପ୍ରେରଣା ଓ ଆତ୍ମପ୍ରେରଣା ମଣିଷର ଅନ୍ତଃସତାରେ ତାକୁ ବଦଳାଇବାର ଆହ୍ୱାନରେ ଉଦ୍‌ବୁଦ୍ଧ କରିଥାଏ, ତାହା ନିଶ୍ଚିତ ଭାବରେ ସାହିତ୍ୟର ଦାୟିତ୍ୱ । ଧର୍ମ ହୁଏତ ଈଶ୍ୱରଙ୍କ ଆଡକୁ ମଣିଷକୁ ମୁହାଁଇନେଇ ପାରେ, ମାତ୍ର ସାହିତ୍ୟ ମାମୁଲି ମଣିଷକୁ ଈଶ୍ୱରରେ ପରିଣତ କରିବାର ସତ୍ୟ ସହିତ ଶପଥବଦ୍ଧ । ନହେଲେ ଦସ୍ୟୁ ରତ୍ନାକର କ’ଣ ରାମାୟଣ ରଚନାକାର ବାଲ୍ମୀକି ହେବାକୁ ଚାହିଥାନ୍ତା ?

ଏହି ‘ଚାହିବା’ର ଚାରା ହିଁ ସାହିତ୍ୟ-ଯାହା ଦିନେ ପୁଷ୍ପ ଫଳଶୋଭିତ ମହାଦ୍ରୁମ ହୋଇ ଅସନ୍ତୁଳିତ ସମାଜ ପାଇଁ ଛାୟା ପ୍ରଦାନର ପ୍ରତିଶ୍ରୁତି ବହନ କରିଥାଏ । ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ ‘ପ୍ରତିବାଦ’ର ବିରଳସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା, ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ । ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଦଶ ଇସ୍ତାହାର । ମେଣ୍ଢାମାନଙ୍କ ମେଳରେ ଭେଣ୍ଡାପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ, ନିରାପତାପ୍ରେମୀ ଚାରଣ, ଚାଟୁକାର ଲେଖକ ମାନଙ୍କର ଭିଡ ଭିତରେ ବି ଆମେ ଲକ୍ଷ୍ୟ କରିଛୁ ଜଣେ ଜଣେ ସଂକଳ୍ପବଦ୍ଧ, ଶଙ୍କାହୀନ ସାହିତ୍ୟକାରକୁ ; ଯେଉଁମାନଙ୍କ ଲେଖାସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟ କରିନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରିନାହାନ୍ତି, ରାଜଦଣ୍ଡ ଓ ଫାଶୀମଞ୍ଚକୁ ଖାତିରକରି ନାହାନ୍ତି ମୋଟେ । ଅଥଚ ଆମ ଲେଖକ ମାନଙ୍କର ଆଦର୍ଶ ହେବା ଉଚିତ୍ ; ସନ୍ତୁଷ୍ଟ ଶୂକର ନୁହେଁ, ଅସନ୍ତୁଷ୍ଟ ସକ୍ରେଟିସ୍ ! ଏ କଥା ଭୁଲିଗଲେ ଚଳିବ ନାହିଁ । ଏ ଅସୁସ୍ଥ ଓଡ଼ିଆ ସାହିତ୍ୟର ଅପରିଚ୍ଛନ୍ନ ରୋଗଶଯ୍ୟା ହେଉଛି ଆମ ଓଡ଼ିଶାର ନିଅଣ୍ଟିଆ ସମାଜ ।

କପିଳେନ୍ଦ୍ର ଦେବଙ୍କ ସମୟର ସାରଳା ଦାସଙ୍କଠାରୁ ଆରମ୍ଭ କରି ଗୋରା ସାହେବ ଅମଳର ଫକୀରମୋହନ ସେନାପତିଙ୍କ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଥିଲା ଅଭ୍ୟୁଦୟରୁ ଅଗ୍ରଧାବନ ଏକ ଉତ୍ତରଣକାମୀ ଅଭିଯାନ ।

ସ୍ୱାଧୀନତାପ୍ରାପ୍ତି ପରେ ପରାଧୀନତା କିନ୍ତୁ ବଜାୟ ରହିଗଲା ମାନଚିତ୍ରରେ ନୁହେଁ, ମାନସିକତାରେ । ସେଇ ପରାଧୀନ ମାନସିକତାକୁ ନେଇ ସ୍ୱାଧୀନ ଦେଶରେ ଆଜି ବି ରଚନା କରାଯାଉଛି ସାହିତ୍ୟ ନାଆଁରେ ସ୍ତୂପୀକୃତ ଆବର୍ଜନା । ଘୋର ବିଡମ୍ବନାର ବିଷୟ ହେଉଛି । ଏହି ଆବର୍ଜନାକୁ ପୁଣି ସର୍ଜନା ରୂପେ ବୈଧ ଘୋଷଣା କରାଯାଇ, ଜନସମାଜକୁ ବୁଝାଇ ଦିଆଯାଉଛି : ଏହା ହିଁ ସାହିତ୍ୟ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.