Latest Odisha News

BREAKING NEWS

ଶ୍ରମଜୀବୀଙ୍କ ଦୁଃଖ ବୁଝୁଛି କିଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  

ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି । ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢ଼େଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା’ର ପଟାନ୍ତର ନାହିଁ । ଆଜି ମଧ୍ୟ ପୁଞ୍ଜିପତି ଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକ କୃଷକ ଖଟିଖିଆ ମଣିଷ ବଳି ପଡୁଛନ୍ତି । ଏହି ଶୋଷଣ ବିରୁଦ୍ଧରେ ଅଗଣିତ ମୁକ୍ତିପିପାସୁ ଶ୍ରମଜୀବୀ ମଣିଷ ଘୋଷଣା କରିଛି ମରଣପଣ ରକ୍ତକ୍ଷୟୀ ସଂଗ୍ରାମ  ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁଦିନ ଜଟିଳରୁ ଜଟିଳତର ହେବାରେ ଲାଗିଛି  ପ୍ରତିନିୟତ ପରିବର୍ତନର ଧାରା ପ୍ରବାହିତ ହେବାରେ ଲାଗିଛି । କାଲି ଯାହା ସତ୍ୟ, ପ୍ରଗତିଶୀଳ ଏବଂ ସର୍ବାଧୁନିକ ଥିଲା – ଆଜି ତାହା ପୁରୁଣା ହୋଇଯାଉଛି । ନୂଆ ନୂଆ ଘଟଣା ପ୍ରତ୍ୟେକ ମୁହୂର୍ତରେ ଘଟିଚାଲିଛି । ଅଭିନବ ଉଦ୍‌ଭାବନ ଅହରହ ସୃଷ୍ଟି ହେଉଛି  ବିଶ୍ୱର କୋଣେ ଅନୁକୋଣେ ଯେକୌଣସି ସାଧାରଣ-ଅସାଧାରଣ ଘଟଣା-ଅଘଟଣା ଘଟିଯାଉଛି, ଆଖି ପିଛୁଳାକେ ସମୁଦ୍ରର ଢେଉ ଭଳି ଜନମାନସରେ ପ୍ରତିଧ୍ୱନିତ ହେଉଛି ା ଗଣମାଧ୍ୟମର ଦୃତ ବିକାଶ ଘଟିଚାଲିଛି ା ଯାହା ଯୋଗୁଁ ଅଛପା ବୋଲି କିଛି ରହୁନାହିଁ । ସବୁଠି ଚୁକ୍ତିଭିତିରେ ଶ୍ରମିକମାନେ କାମ କରୁଛନ୍ତି  । କଳକାରଖାନା, ଖଣିଖାଦାନ, ବନ୍ଦର, ରେଲ ଏବଂ ଯେକୌଣସି ଶିଳ୍ପରେ ଠିକା ଶ୍ରମିକ ଭର୍ତି ।

ସର୍ବନିମ୍ନ ମଜୁରୀ ସୁବିଧା ସୁଯୋଗ ପାଇବା କଷ୍ଟକର  । ସୁରକ୍ଷା କଥା ନ କହିଲେ ଭଲ  । କୌଣସି ନିୟମ କାନୁନ ପାଳନ ହୁଏନା  ପ୍ରାୟ ୯୦ ଭାଗ ଶିଳ୍ପରେ ଏଭଳି ଅବସ୍ଥା  । ବାକି ୧୦ ଭାଗ ଶିଳ୍ପରେ ସଂଗଠିତ ଶ୍ରମିକ କାମ କରୁଥିବାରୁ ସେଠାରେ ଟ୍ରେଡ୍ ୟୁନିୟନ୍‌ମାନଙ୍କ ଉପସ୍ଥିତି ଯୋଗୁ କିଛିଟା ପ୍ରାପ୍ୟ ମିଳେ  । କିନ୍ତୁ ଠିକାରେ କାମ କରୁଥିବା ଶ୍ରମିକ, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ପେଟ ବିକଳରେ କପାଳରେ ହାତ ମାରି କାମ କରିଥାଆନ୍ତି  । ଏଇଠି ଶ୍ରମିକ ଆନ୍ଦୋଳନ ପଛରେ ପଡ଼ିଯାଇଛି  । ଶ୍ରମିକମାନେ ପରାଜୟର ସ୍ୱାଦ ଚାଖୁଛନ୍ତି  । ଶ୍ରମ ଓ ପୁଞ୍ଜି ମଧ୍ୟରେ ବିବାଦ ଲଢ଼େଇ ପୂର୍ବରୁ ଥିଲା ଆଜି ମଧ୍ୟ ଅଛି  । ଶ୍ରମିକମାନେ ଉପଯୁକ୍ତ ମଜୁରୀ ଚାହାଁନ୍ତି  । ମାଲିକମାନଙ୍କର ଅତ୍ୟଧିକ ମୁନାଫା ଦରକାର  । ଏ କଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅପ୍ରିୟ ସତ୍ୟ  । ଆଜିବି ୧ ଭାଗ ମାଲିକ ଶ୍ରେଣୀର ରାଜୁତି ବିଶ୍ୱବ୍ୟାପି ଚାଲିଛି  । ବାକି ୯୯ ଭାଗ ଶ୍ରମଜୀବୀ ଏବେବି ଶୋଷିତ, ନିଷ୍ପେଷିତ, ନିର୍ଯାତିତ  । ଶ୍ରମିକ ଶ୍ରେଣୀର ବିଭିନ୍ନ ଦେଶରେ କମ୍ୟୁନିଷ୍ଟ ପାର୍ଟି ଖଣ୍ଡବିଖଣ୍ଡିତ  । ସର୍ବହରାର ଏକନାୟକତ୍ୱର ଲକ୍ଷ୍ୟ, ମାର୍କସ୍‌ବାଦ, ଲେନିନ୍‌ବାଦ, ମାଓବାଦକୁ କେବେଠୁ ଭୁଲିଗଲାଣି  । ନୀତି ଆଦର୍ଶ ମୁହଁରେ ଯେତେ କଣ୍ଠ ଫଟାଇ ଚିତ୍କାର କଲେବି ପେଟି ବୁର୍ଜୁଆ  । ମାଲିକ ଶ୍ରେଣୀ ବିଭିନ୍ନ ଦେଶରେ ସଙ୍କଟରେ ପଡ଼ି ଛଟପଟ ହେଉଥିଲା ବେଳେ ସେମାନଙ୍କ ଦ୍ୱାରା ପାଳିତ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ଭାଙ୍ଗଣ ଧରିଛି  । ତେଣୁ ମାଲିକ ଓ ଶ୍ରମିକ ଶ୍ରେଣୀ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଅବ୍ୟାହତ ରହିଛି  । ଏହାଦ୍ୱାରା ଶ୍ରମିକଶ୍ରେଣୀ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି  ।

ପୁଞ୍ଜି ବିରୁଦ୍ଧରେ ଲଢ଼େଇ କରି ଶ୍ରମିକ ଶ୍ରେଣୀ ଛିନ୍‌ଛତ୍ର ହୋଇପଡ଼ିଛି  । ଏଇ ବିଶ୍ୱର ବିନ୍ଧାଣୀ ଶ୍ରମିକଶ୍ରେଣୀ କେବେ ପ୍ରାପ୍ୟ ଅଧିକାର ପାଇବ ? ଏଇ ଅଧିକାର ପାଇଁ ଶ୍ରମିକ ଶ୍ରେଣୀକୁ ଐକ୍ୟବଦ୍ଧକରି ସଠିକ୍ ପଥରେ ପରିଚାଳନା କରିବା ପାଇଁ ଯେଉଁମାନେ ସ୍ୱଘୋଷିତ ଦାୟିତ୍ୱ ବହନ କରିଥିଲେ – ସେମାନେ ପାର୍ଲାମେଂଟାରୀ ମୋହରେ ପଡ଼ି ଧରାଶାୟୀ  । ଯାହା ଫଳରେ ଆନ୍ଦୋଳନ ଆଉ ସେ ପୂର୍ବ ଆନ୍ଦୋଳନ ଭଳି ନାହିଁ  । ସଠିକ୍ ନେତୃତ୍ୱ ଓ ଆନ୍ଦୋଳନ ବିନା ଶ୍ରମିକଶ୍ରେଣୀ ଆପଣାର ଅଧିକାର ସାବ୍ୟସ୍ତ କରିପାରୁନି  ।

 

ବିଶ୍ୱର ବିଭିନ୍ନ ଦେଶରେ ଏପରିକି କିଛି କିଛି ଦେଶର ବିଭିନ୍ନ ରାଜ୍ୟରେ ଆମ ଭାରତର ପଶ୍ଚିମବଙ୍ଗ, ତ୍ରିପୁରା, କେରଳ ରାଜ୍ୟରେ କମ୍ୟୁନିଷ୍ଟମାନେ ସରକାରରେ ଥିଲେ  । କିନ୍ତୁ ଶ୍ରମିକଶ୍ରେଣୀର ଯେଉଁ ପରିବର୍ତନ ହେବାର ଥିଲା ତାହା ହେଲାନି  । ଏଥିପାଇଁ ଶ୍ରମିକମାନଙ୍କ ଅପେକ୍ଷା ନେତାମାନେ ବେଶି ଦାୟୀ  ।ଶ୍ରମିକମାନଙ୍କୁ ରାଜନୈତିକ ଭାବେ ସଚେତନ କରାନଯାଇ ଅର୍ଥନୈତିକ ସୁବିଧାବାଦର ଗଣ୍ଡି ଭିତରକୁ ଛାଡ଼ି ଦିଆଗଲା  । ପୁଞ୍ଜିର ଚରିତ୍ର ଅହର୍ନିଶ ବଦଳି ଯାଉଥିଲା ବେଳେ ଶ୍ରମର ଚରିତ୍ର ସେଇ ପୁରୁଣା ଢଙ୍ଗରେ ଚାଲିଛି  । ଟ୍ରେଡ୍ ୟୁନିୟନ୍‌ମାନେ ନୂଆ ଭାବେ ଶ୍ରମିକ ଶ୍ରେଣୀକୁ ଦିଗ୍‌ଦର୍ଶନ ଦେଉନାହାଁନ୍ତି  । ଯେତେ ଆନ୍ଦୋଳନ କଲେ ମଧ୍ୟ ବାସ୍ତବ ଦାବି ପୂରଣ ହେଉନି  । ଯେଉଁ ଶ୍ରମିକମାନେ ଭାବୁଛନ୍ତି – ନେତାମାନେ ସବୁ ଠିକ୍‌ଠାକ୍ କରିଦେବେ ସେମାନେ ପ୍ରକୃତରେ ଠକି ଯାଉଛନ୍ତି  । ଆଉ ପୂର୍ବରୁ ସେ ସଂଗ୍ରାମୀ ସଚ୍ଚା ନେତା ନାହାଁନ୍ତି ଯେଉଁମାନେ ଶୟନେ ସ୍ୱପନେ ଜାଗରଣେ ଶ୍ରମିକଶ୍ରେଣୀର ମୁକ୍ତି ଚାହୁଁଥିଲେ, ଲଢ଼ୁଥିଲେ ମଧ୍ୟ  । ଆଜିର ନେତାମାନଙ୍କୁ ଆତ୍ମସ୍ୱାର୍ଥ ବନ୍ଦୀ କରି ରଖିଛି  । ସେମାନେ ଶ୍ରମିକର ସ୍ୱାର୍ଥ ଦେଖିବେ କିପରି ? ଶ୍ରମିକମାନେ ଏବେ ଆଉ ପୁରୁଣା ଢଙ୍ଗରେ ଚାଲିଲେ ହେବନି  । ଯେତେଦିନ ପର୍ଯ୍ୟନ୍ତ ଶ୍ରମିକମାନେ ସାମାଜିକ ଆନ୍ଦୋଳନ ସଙ୍ଗେ ଯୋଗଦାନ କରୁନାହାଁନ୍ତି ସେତେଦିନ ପର୍ଯ୍ୟନ୍ତ ପଛୁଆ ହୋଇ ରହିିଥିବେ  । ଶ୍ରମିକଶ୍ରେଣୀର ଏ ଦୟନୀୟ ଅବସ୍ଥା ଦେଖି ବେଳେବେଳେ ମନଟା ମୋର ଖରାପ ହୋଇଯାଏ  । ୧୯୧୯ରୁ ଆନ୍ତର୍ଜାତିକ ଶ୍ରମ ସଂଗଠନ ଶକ୍ତିଶାଳୀ ଟ୍ରେଡ୍ ୟୁନିୟନ୍‌ ଉପରେ ଗୁରୁତ୍ୱ ଦେଇଆସିଛି  । ଅଧିକାଂଶ ଟ୍ରେଡ୍ ୟୁନିୟନ୍ ରାଜନୀତି ଦଳର ପଲାରେ ବଟକରା ହୋଇଯାଇ ଅସଲ ଆନ୍ଦୋଳନରୁ ଓହରି ଆସୁଛନ୍ତି  ।ଶ୍ରମିକମାନଙ୍କ ଅଧିକାର ସମ୍ପର୍କରେ ରାଜନୈତିକ ସମସ୍ୟା ନୁହେଁ – ଏହା ଅଧିକନ୍ତୁ ସାମାଜିକ ଓ ସାଂସ୍କୃତିକ ସମସ୍ୟା  । ଯେଉଁମାନଙ୍କ ଲୁହଲହୁରେ ଦେଶବିଦେଶ ରାଜ୍ୟର ଅର୍ଥନୀତି ସମୃଦ୍ଧି ହୁଏ, ଶିଳ୍ପପତିମାନଙ୍କର ହିମାଳୟ ପର୍ବତ ସଦୃଶ ସମ୍ପତି ବୃଦ୍ଧିହୁଏ, ସେଇ ଶ୍ରମଜୀବୀମାନଙ୍କ ଦୁଃଖ ବୁଝୁଛି କିଏ ?

ଶ୍ରମିକ ଶ୍ରେଣୀର ମୂଳ ସମସ୍ୟା ପ୍ରୟୋଜନୀୟ ଖାଦ୍ୟ ବସ୍ତ୍ର ବାସଗୃହ ପାଇଁ ଉପଯୁକ୍ତ କର୍ମନିଯୁକ୍ତି ଓ ଆବଶ୍ୟକ ମଜୁରି  । ଆମ ପ୍ରିୟ ଭାରତବର୍ଷକୁ ଏକ ସମୃଦ୍ଧିଶାଳୀ, ବିକାଶଶୀଳ ଓ ଶକ୍ତିଶାଳୀ ଦେଶରୂପେ ଗଢ଼ି ତୋଳିବାକୁ ହେଲେ ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାକୁ ହେବ  । ମୂଳ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ହେବ  । ପ୍ରଥମେ କୃଷିର ଆଧୁନିକୀକରଣ କରାଯାଇ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ହେବ  । ଗାଁ ଗହଳିର ଯେଉଁ ଲୋକମାନେ ବଳକା ହୋଇପଡ଼ିବେ ସେମାନଙ୍କୁ କାମ ଯୋଗାଇବା ପାଇଁ ଶିଳ୍ପ ବିକାଶର ଅବାଧ ରାସ୍ତା ଖୋଲିଦେବାକୁ ହେବ  । ବେକାର ସମସ୍ୟା ସମାଧାନ କରିବାକୁ ହେବ – ସୁଷମ ବଣ୍ଟନ ଓ ଦରଦାମ ସ୍ଥିର ରଖିବାକୁ ହେବ  । ଏହି ଜଟିଳ ପ୍ରଶ୍ନ ଗୁଡ଼ିକ ଆମ ଦେଶର ରାଷ୍ଟ୍ର ଚରିତ୍ର ଓ ଅର୍ଥନୈତିକ ବ୍ୟବସ୍ଥା ସହିତ ଓତପ୍ରୋତଃ ଭାବେ ଜଡ଼ିତ  । ଯେତେଦିନ ପର୍ଯ୍ୟନ୍ତ କୃଷିର ଆଧୁନିକୀକରଣ, କ୍ରମାଗତ ଶିଳ୍ପବିକାଶ, ଉତ୍ପାଦନର ସାମାଜିକ ମାଲିକାନା ଶ୍ରମିକ ଶ୍ରେଣୀର ରାଷ୍ଟ୍ରବ୍ୟବସ୍ଥା ପ୍ରତିଷ୍ଠିତ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଶ୍ରମିକଶ୍ରେଣୀର ମୌଳିକ ସମସ୍ୟା ସମାଧାନ ହେବା ଅସମ୍ଭବ  । ସ୍ଥାୟୀ ସମାଧାନ ଏକମାତ୍ର ନିର୍ଭର କରୁଛି ଶୋଷଣହୀନ ସମାଜ ବ୍ୟବସ୍ଥାର ପ୍ରଚଳନ  । କୌଣସି ଦେଶର ସରକାରର ପରିବର୍ତନ ଶାସକର  ପରିବର୍ତ୍ତନ ହେଲେ ରାଷ୍ଟ୍ର ବ୍ୟବସ୍ଥା ପରିବର୍ତ୍ତନ ହୋଇଯାଏନା  । ଏହା ମଧ୍ୟରେ ଅନ୍ତର୍ଜାତୀୟ ଓ ଜାତୀୟ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଓ ଘଟଣା ଘଟିଯାଇଛି, ଯାହା ଫଳରେ ଶ୍ରମିକ ଆନ୍ଦୋଳନ ଓ ସମସ୍ତ ପ୍ରକାର ଶୋଷଣରୁ ମୁକ୍ତି ପାଇଁ ଶ୍ରମଜୀବୀ ଜନଗଣଙ୍କ ସଂଗ୍ରାମ ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ହୋଇପଡ଼ିଛି  । ତା ସତ୍ତ୍ୱେ ରାତ୍ରିର ଅନ୍ଧକାର ଭେଦକରି ନୂତନ ସୂର୍ଯ୍ୟର ଆଗମନୀକୁ କେହି ଯେପରି ରୋକି ପାରନ୍ତି ନାହିଁ, ସେହିଭଳି ଶ୍ରମିକ ଶ୍ରେଣୀର ଅଗ୍ରଗତିକୁ ରୋକିବାର ସାହସ କାହାର ନାହିଁ  । ସାମୟିକ ଭାବେ ଶ୍ରମିକ ଶ୍ରେଣୀ ଆନ୍ଦୋଳନରେ ସାମୟିକ ସଙ୍କଟ ସତ୍ୱେ ପୁଣି ବିଶ୍ୱବ୍ୟାପୀ ଶ୍ରମିକ ଆନ୍ଦୋଳନ, ସମାଜତାନ୍ତ୍ରିକ ବିପ୍ଳବର ଜୁଆର ଆସୁଛି  । ଯେତେଦିନ ପର୍ଯ୍ୟନ୍ତ କ୍ଷୁଧା- ବେକାରୀ-ଅଭାବ ଅନଟନ ଥିବ, ଶ୍ରମିକମାନେ ଲଢ଼େଇ ଜାରି ରଖିବେ  । ଶେଷରେ ଶ୍ରମିକ ଶ୍ରେଣୀର ଜୟ ସୁନିଶ୍ଚିତ  ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.