Latest Odisha News

BREAKING NEWS

ବୁଢ଼ା ସାର୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଗାଁ ଛକରେ ବସରୁ ଓହ୍ଲାଇଲା ପରେ ମତେ ଲାଗୁଥିଲା ମୁଁ ମୋ ଦୁନିଆକୁ ଫେରିଆସିଲି। ବହୁ ଦିନର ବ୍ୟବଧାନ ପରେ ଏଥର ଗାଁକୁ ଯାଇଥିଲି। ସହରର ଧାଁ ଦଉଡ଼ ଜୀବନ, ଅଫିସ୍ ରାଜନୀତି, ହଜାରେ ଦାଓଁପେଞ୍ଚଠୁ ଅନେକ ଦୂରରେ ମୋ ଗାଁ । ଗାଁ ଛକରୁ ଗାଁ ଭିତରକୁ ପାଦ ବଢ଼ାଇଲା ବେଳେ ମୋ ପୁଅ ଝିଅ ଉଭୟେ କେବଳ ଚାରିଆଡ଼କୁ ବଡ଼ ବଡ଼ ଆଖିରେ ଦେଖୁଥାନ୍ତି । ମୋ ଝିଅର ପ୍ରଶ୍ନ ପେଡ଼ିତ ବନ୍ଦ ହେବାର ନାଁ ନେଉନଥିଲା । ଅନବରତ ପଚାରି ଚାଲିଥିଲା ସେ ପ୍ରଶ୍ନ । ଏ ରାସ୍ତା ଏମିତି କାହିଁକି ? ଏଇଠି ଟ୍ରାଫିକ୍ ପୋଲିସ୍ ଅଙ୍କଲ କାହିଁକି ନାହାନ୍ତି ? ଗାଁ ମୁହଁ ଦେଉଳବନ୍ଧରେ ଗାଧୋଉଥିବା ଲୋକଙ୍କୁ ଦେଖି ମୋ ଝିଅ ପଚାରିଲା, ଏମାନେ ବାଥରୁମରେ କାହିଁକି ଗାଧୋଉ ନାହାନ୍ତି? ଗାଁ ମୁହଁରୁ ହିଁ ଆମେ ମନ୍ଦିର ସାମ୍ନାରେ ଠିଆ ହୋଇ ମୁଣ୍ଡିଆ ମାରିବା ବେଳେ, ତାର ପ୍ରଶ୍ନ ଥିଲା, ଏଇଠି କୋଉ ପ୍ରଭୁ ରହୁଛନ୍ତି? ଘର ସବୁ ଏଇଠି କାହିଁକି ଏତେ ଛୋଟ ଛୋଟ ? ମୁଁ ତାର ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଚାଲିଥାଏ। ତା ସହିତ ଆମେ ଚାଲି ଚାଲି ଘର ଆଡ଼କୁ ମୁହାଁଉଥିଲୁ । ବାଟରେ ଆମ ଗାଁର ପ୍ରାଥମିକ ବିଦ୍ୟାଳୟ । ସେଇଠି ମୁଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିଛି । ଖାଲି ମୁଁ ନୁହେଁ, ମୋ ବାପା ବି ସେଇଠି ପଢ଼ିଛନ୍ତି । ଅବଶ୍ୟ ସେ ପଢ଼ିଲା ବେଳେ ଏ ସ୍କୁଲଟା ଥିଲା ନିମ୍ନ ପ୍ରାଥମିକ ବିଦ୍ୟାଳୟ । ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପଢ଼ିବା ବ୍ୟବସ୍ଥା ଥିଲା ସେଇଠି । ମୁଁ, ମୋ ପୁଅ ଝିଅଙ୍କୁ ସେହି ସ୍କୁଲ ଦେଖାଇଲି । ମୋ ଝିଅ ଏବର୍ଷ ପ୍ରଥମ ଶ୍ରେଣୀରେ ପଢୁଛି । ପୁଅ ଏଯାଏଁ ସ୍କୁଲ ଯାଇନି । ତେଣୁ ସ୍କୁଲକୁ ନେଇ ପୁଅ ଭିତରେ ସେମିତି କିଛି ଆଗ୍ରହ ନଥିଲା । କିନ୍ତୁ ମୋ ଝିଅର ଏକମାତ୍ର ଜିଦ୍, ବାପା .. ମୁଁ ତୁମ ସ୍କୁଲକୁ ଯିବି। ମୁଁ ଦେଖିବି କେମିତି ସେଇଠି ପାଠ ପଢ଼ା ହେଉଛି । ତାକୁ ବୁଝା ସୁଝା କରି ଘରେ ପହଞ୍ଚିଲି । ତେବେ ତାର ଜିଦ୍, ଯେମିତି ହେଲେ ସେ ମୋ ସ୍କୁଲ ଦେଖିବ । ମୁଁ କହିଲି, ଦେଖ ମାମା .. ଆମେ କାଲି ମୋ ସ୍କୁଲକୁ ଯିବା ।  ମୋ କଥାରେ ବିଶ୍ୱାସ କରି ସେ ଖୁସି ହୋଇଗଲା । ରାତିରେ ଖାଇପିଇ ଶୋଇଲା ବେଳକୁ ମୁଁ ଭାବିଲି ସେ ଭୁଲିଗଲା ସବୁକିଛି। କିନ୍ତୁ ତା ପରଦିନ ସକାଳୁ ଉଠୁ ଉଠୁ ତାର ଗୋଟିଏ ଜିଦ୍, ସେ ମୋ ସ୍କୁଲକୁ ଯିବ ।

ଦଶଟା ବେଳକୁ ବାପା-ଝିଅ ମୋ ସ୍କୁଲକୁ ବାହାରିଲୁ । ସ୍କୁଲ ଭିତରେ ପଶିଲା ବେଳକୁ ସେ ବେଶି ଉତ୍କଣ୍ଠିତ ଜଣାପଡୁଥିଲା । ଗାଁ ସ୍କୁଲରେ ସେ ଦେଖିଲା, ପିଲାମାନେ ତଳେ ଚଟାଣରେ ବସି ପାଠ ପଢୁଛନ୍ତି । ଆରମ୍ଭ ହେଲା ତାର ପ୍ରଶ୍ନ, ଏଇଠି ସମସ୍ତେ କାହିଁକି ତଳେ ବସୁଛନ୍ତି? ଆମ ସ୍କୁଲରେ ତ ଚେୟାର ଟେବୁଲ ଅଛି, ଏଇଠି କାହିଁକି ନାହିଁ?  ଏମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଭିତରେ ସ୍କୁଲ କାନ୍ଥରେ ଲାଗିଥିବା ପୁରୁଣା ପିଲାମାନଙ୍କ ବିଭିନ୍ନ ବ୍ୟାଚର ଫଟୋ ଆଡ଼କୁ ଅଙ୍ଗୁଳି ଦେଖାଇ ପଚାରିଲା, ବାପା .. କାହାର ଫଟୋ ଇଏ? ଏତେ ଗୁଡ଼ିଏ ଫଟୋ କଣ ଲାଗିଛି ଏଇଠି? ମୁଁ ତାକୁ ବୁଝାଇବାକୁ ଚେଷ୍ଟାକଲି ଯେ, ପଞ୍ଚମ ଶ୍ରେଣୀ ପାସ୍ କଲାବେଳେ ସ୍କୁଲର ସାରମାନଙ୍କ ସହିତ ପିଲାମାନଙ୍କ ଏଇ ଫଟୋ । ପ୍ରତି ବର୍ଷର ପିଲାଙ୍କ ଏ ଫଟୋ । ମୋର ଏ ଉତ୍ତରରେ ମୋ ଝିଅ ଆଉ ଟିକିଏ ଅଧିକ ଉତ୍କଣ୍ଠିତ ହୋଇଉଠିଲା । ତା ପରେ ପୁଣି ପ୍ରଶ୍ନ, ତାହେଲେ ତମର ଫଟୋ ବି ତ ଥିବ ଏ କାନ୍ଥରେ । କାହିଁ ଦେଖେଇଲ ମତେ .. ମୁଁ କହିଲି, ନାଇଁରେ ମାମା  ମୁଁ ପଢ଼ିଲା ବେଳେ ସ୍କୁଲରେ ଫଟୋ ଉଠାଯାଉନଥିଲା । ସେଥିପାଇଁ ମୋର ଫଟୋ ଏଇଠି ନାହିଁ । ତା ହେଲେ ତମ ସାର୍ ମ୍ୟାମ୍ କାହାର ହେଲେ ଫଟୋ ନାହିଁ? ତାର ଏ ପ୍ରଶ୍ନ ପରେ ମୁଁ ଖୋଜିବୁଲିଲି ମୋର ସାର୍ ମାନଙ୍କ ଫଟୋକୁ । ମୋ ପରବର୍ତ୍ତୀ ବ୍ୟାଚର ପିଲାମାନଙ୍କ ସାଙ୍ଗରେ କାଳେ କୌଣସି ଫଟୋ ଥିବ, ସେହି ଆଶାରେ ମୁଁ ଖୋଜି ବୁଲିଲି ଗୋଟିଏ ପରେ ଗୋଟିଏ ବର୍ଷର ଫଟୋକୁ । ମୁଁ ପଞ୍ଚମ ଶ୍ରେଣୀ ପାସ୍ ହେବାର ପ୍ରାୟ ବାର ବର୍ଷ ପରର ଗୋଟିଏ ଫଟୋ ମିଳିଲା ସ୍କୁଲ କାନ୍ଥରେ, ଯେଉଁଥିରେ ଥିଲା ମୋତେ ପଢ଼ାଇଥିବା ସାରମାନଙ୍କ ଫଟୋ । ମୋ ଝିଅକୁ ଦେଖାଇଲି ସେହି ଫଟୋ । ଚିହ୍ନେଇଦେଲି ମୋ ସାରମାନଙ୍କୁ । ଦୟାନିଧି ସାର୍  ଭାଗବତ ସାର୍  ଆଉ ଚୌଧୁରୀ ସାର୍ । ପାଞ୍ଚଟି ଶ୍ରେଣୀପାଇଁ ଥିଲେ ଏଇ ତିନି ଜଣ ଶିକ୍ଷକ । ଏତକ କହି ସେ ଫଟୋଟିକୁ ନିରେଖି ଦେଖିଲା ବେଳେ ମୁଁ ପହଞ୍ଚି ଯାଇଥିଲି ମୋର ପଞ୍ଚମ ଶ୍ରେଣୀରେ । ମୋ ଆଖି ଆଗରେ ନାଚି ଉଠୁଥିଲା ଦୁଇ ବଖରା ସ୍କୁଲ ଘର । ଗୋଟିଏର ଚଟାଣ ସିମେଣ୍ଟ ପଲସ୍ତରା, ଅନ୍ୟଟିରେ ଲିପା ହେଉଥିଲା ଗୋବର ପ୍ରତି ଶନିବାର ଉପରଓଳି । ନାଚି ଉଠିଲା ତିନି ଜଣ ଯାକ ସାରଙ୍କ ଚେହେରା ।

ବୟସ ଦୃଷ୍ଟିରୁ ସବୁଠୁ ବୟସ୍କ ଥିଲେ ଦୟାନିଧି ସାର୍, ତାଙ୍କଠୁ ସାନ ଥିଲେ ଭାଗବତ ସାର୍ ଏବଂ ସବୁଠୁ କନିଷ୍ଠ ଚୌଧୁରୀ ସାର୍ । ଦୟାନିଧି ସାର୍ ଥିଲେ ଆମର ହେଡ୍ ସାର୍  ମାନେ ପ୍ରଧାନଶିକ୍ଷକ । ଧୋତି ପିନ୍ଧନ୍ତି । ପାଦରେ ହଳେ ହାୱାଇ ସ୍ଲିପର୍ । ଉଚ୍ଚତା ଏଇ ପାଞ୍ଚ ଫୁଟ୍ ହେବ । ମୁଣ୍ଡରେ ଅଧା ପାଚିଲା ଚୁଟି । ମୋଟାମୋଟି ଲାଲବାହାଦୂର ଶାସ୍ତ୍ରୀଙ୍କ ଭଳି ମଣିଷଟିଏ । ଗୋଟିଏ ପୁରୁଣା କାଳିଆ ବାଇଶ ଇଞ୍ଚିଆ ସାଇକେଲ ନେଇ ଆସନ୍ତି । ସାରଙ୍କ ଗାଁରୁ ଆମ ଗାଁ ପାଖାପାଖି ଚାରି କିଲୋମିଟର । ସାଇକେଲରେ ଝୁଲୁଥାଏ ତାଙ୍କ ଖାଇବା ଟିଫିନ୍ ଗୋଟିଏ ବ୍ୟାଗରେ, ସେଥିରେ ହିଁ ପାଣିବୋତଲଟିଏ। ଧୋତି ପିନ୍ଧା ଶିକ୍ଷକ ବୋଲି, ପିଲାମାନେ ତାଙ୍କୁ ବୁଢ଼ା ସାର୍ ବୋଲି ଡାକନ୍ତି । କେହି କେହି ବଡ଼ଆଜ୍ଞା ବୋଲି କହନ୍ତି । ମୁଁ କିନ୍ତୁ ହେଡ୍ ସାର୍ ବୋଲି କହେ । ସେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ପଢୁଥାଏ । ସେହି ସମୟରେ ନିଜ ଗାଁରୁ ବଦଳି ହୋଇ ଆମ ଗାଁକୁ ଆସିଥିଲେ ହେଡ୍ ସାର୍ । ଆମେ ପ୍ରଥମ ଓ ଚତୁର୍ଥ ଶ୍ରେଣୀ ପିଲାଏ ଗୋଟିଏ କୋଠରିରେ ବସୁଥିଲା ବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଏ ଅନ୍ୟ କୋଠରିରେ । ହେଲେ ପଞ୍ଚମ ଶ୍ରେଣୀ ପିଲାଏ ବସୁଥାନ୍ତି ସ୍କୁଲ ବାରଣ୍ଡାରେ। ସେହି ବାରଣ୍ଡାରେ ହିଁ ଦୟାନିଧି ସାର୍ ସେମାନଙ୍କୁ ପଢ଼ାନ୍ତି । ନୂଆ କରି ଆସିଥିବା ଦୟାନିଧି ସାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବାରମ୍ବାର ମୁଁ ଏ କୋଠରିରୁ ସେ କୋଠରିକୁ ଦୌଡୁଥାଏ, ସାର୍ ଦେଖନ୍ତୁ ବା ନ ଦେଖନ୍ତୁ, ତାଙ୍କୁ ବାରମ୍ବାର ନମସ୍କାର କରୁଥାଏ । ଶେଷରେ ସାରଙ୍କ ନଜର ପଡ଼ିଲା ମୋ ଉପରେ । ସେ ମୋତେ ପାଖକୁ ଡାକିଲେ, ଆଉ ପଚାରିଲେ, କେଉଁ ଶ୍ରେଣୀ ତୋର? ମୁଁ ବଡ଼ ଉତ୍କଣ୍ଠାର ସହିତ କହିଲି, ପ୍ରଥମ ଶ୍ରେଣୀ । ସେ ହସିଦେଇ କହିଲେ, ତୁ ତ କଣ ମୋତେ କୋଡ଼ିଏ ଥର ନମସ୍କାର କରିସାରିଲୁଣି । କଥା କଣ? ତୋ ବାପାଙ୍କ ନାଁ କଣ? ମୁଁ ଜବାବ ଦେବାକୁ ଆଉ ସାହସ କରିପାରୁନଥାଏ । କାଳେ ସାର୍, ମୋ ବାପାଙ୍କୁ ମୋ ବାବଦରେ କହିଦେବେ । ସେହି ଭୟରେ ମୁଁ କହିଲି, ମୋ ବାପା ଘରେ ନାହାନ୍ତି । ସେ କୁଆଡ଼େ ପଳେଇଛନ୍ତି । ପାଖରେ ଥିବା ଭାଗବତ ସାର୍ କହିଦେଲେ ମୋ ବାପାଙ୍କ ନାଁ । ସାର୍, ବାପାଙ୍କ ନାଁ ଶୁଣି ଖୁସି ହୋଇଗଲେ। ମତେ କହିଲେ, ଯେ କୌଣସି ଗୁରୁଜନଙ୍କୁ ଦେଖିବା କ୍ଷଣି ଥରେ ନମସ୍କାର କରିବୁ । ବାରମ୍ବାର ନମସ୍କାର କଲେ, ସେଇଟାକୁ ଅଭଦ୍ରାମି ବୋଲି କୁହାଯାଏ । ଏ କଥାଟା ଥିଲା ସାରଙ୍କଠାରୁ ମୋ ପାଇଁ ପ୍ରଥମ ଶିକ୍ଷା ।

ତା ପରଠୁ ସାର୍ ଆମ ଶ୍ରେଣୀକୁ କେବେ ଆସନ୍ତିନି । ମୁଖ୍ୟତଃ ସେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ସବୁ ପାଠ ପଢ଼ାନ୍ତି । ଅନ୍ୟ ଦୁଇ ଜଣ ସାର୍ ଆମକୁ ପଢ଼ାନ୍ତି । ତେବେ ସାର୍ ଆମ ଗାଁକୁ ଆସିବା ପରେ ଗାଁ ସ୍କୁଲର ଚେହେରା ହିଁ ବଦଳି ଯାଇଥିଲା । ପାଠପଢ଼ାର ରୂପରେଖରେ ସମ୍ପୂର୍ଣ୍ଣ ପରିବର୍ତ୍ତନ । ପାଠପଢ଼ାଠାରୁ ଖେଳକୁଦ, ନାଚ ଗୀତ ଆଉ ବଗିଚା କାମ .. ସବୁକିଛି ଚାଲିଲା । ମାତ୍ର ବର୍ଷକ ଭିତରେ ଗାଁ ସ୍କୁଲରୁ ପ୍ରଥମ ଥର ପାଇଁ ଗୋଟିଏ ପିଲା ରାଜ୍ୟସ୍ତରୀୟ ମେଧା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା । ମୁଁ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା ବେଳେ ପଞ୍ଚମ ଶ୍ରେଣୀର ବିନାୟକ ଭାଇକୁ ମିଳିଲା ପ୍ରଥମ ବୃତ୍ତି ପରୀକ୍ଷା ସଫଳତା । ତା ପରବର୍ଷ ସତ୍ୟବାନ ଓ ତା ପରେ ଅଖିଳାନନ୍ଦ ହେଲେ ସ୍କୁଲର ମେଧାବୀ ଛାତ୍ର। ସେ ବର୍ଷ ମୁଁ ଚତୁର୍ଥ ଶ୍ରେଣୀରେ । ସେତେବେଳ ଯାଏଁ ଦୟାନିଧି ସାର୍ ଆମକୁ କେବେ ପଢ଼ାଇ ନଥାନ୍ତି । କିନ୍ତୁ ପ୍ରତି ଶ୍ରେଣୀରେ ଯେଉଁମାନେ ଭଲ ପଢୁଛନ୍ତି, ସେମାନଙ୍କ ଉପରେ ନଜର ରଖିଥାନ୍ତି ସାର୍ । ପଞ୍ଚମ ଶ୍ରେଣୀରେ ମୁଁ ପ୍ରଥମ ହେଉଥାଏ। ମୋ ସାଙ୍ଗ ବୃନ୍ଦାବନ ଦ୍ୱିତୀୟ। ଶ୍ରେଣୀର ପ୍ରଥମ ଦିନରେ ହିଁ ଆରମ୍ଭ ହେଲା ଇଂରାଜୀ । ଦୟାନିଧି ସାର୍ ଶ୍ରୁତଲିଖନ ଡାକୁଥାନ୍ତି । ଆମେ ସମସ୍ତେ ଲେଖୁଥାଉ । ହଠାତ୍ ମୋ ପିଠିରେ ଗୋଟିଏ ନିର୍ଘାତିଆ ବିଧା ପଡ଼ିଲା । କାନ୍ଦ କାନ୍ଦ ହୋଇ ମୁଁ ପଛକୁ ଦେଖେ ତ ସାର୍ ଠିଆ ହୋଇଥାନ୍ତି । କହିଲେ, ତୁ କଣ ବସରେ କଣ୍ଟକ୍ଟର ହେବୁ । ଏମିତି କଣ ଅକ୍ଷର ଲେଖୁଛୁ? ଖାତାର ବାଁ ପଟେ ବାଁ ହାତଟାକୁ ଭରା ଦେ, ତା ପରେ ଡାହାଣପଟକୁ ଟିକିଏ ଢଳେଇକି ଲେଖ । ଦେଖିବୁ, ଅକ୍ଷର କେତେ ସୁନ୍ଦର ହେବ । ସତକୁ ସତ .. ମାତ୍ର ପନ୍ଦର ଦିନ ଭିତରେ ସାରଙ୍କ ଅବିକଳ ଶୈଳିରେ ଲେଖିପାରୁଥିଲି ମୁଁ । ଆଜି ବି ଯଦି କେହି ପଚାରେ, ତମ ଅକ୍ଷର ଏତେ ସୁନ୍ଦର କେମିତି, ମୋତେ ଦୟାନିଧି ସାରଙ୍କ ସେ ବିଧାଟା ମନେ ପଡ଼ିଯାଏ । ଆଖି ଆଗରେ ସାରଙ୍କ ଚେହେରା ନାଚିଉଠେ ।

ପ୍ରତିବର୍ଷ ସ୍କୁଲରୁ ଯେମିତି ହେଲେ ମେଧାବୀ ଛାତ୍ର ଛାତ୍ରୀ ବାହାରିବା ଦରକାର । ଏଇଟା ଥିଲା ସାରଙ୍କ ସଂକଳ୍ପ । ସେଥିପାଇଁ ସେ ପିଲାମାନଙ୍କ ପଛରେ ଅକ୍ଳାନ୍ତ ପରିଶ୍ରମ କରନ୍ତି । ଖରାଦିନେ ଏପ୍ରିଲ ମାସ ପହିଲାରୁ ସକାଳୁଆ ସ୍କୁଲ ଯେବେ ହୁଏ, ସାର ସକାଳୁ ସକାଳୁ ସ୍କୁଲ ଆସନ୍ତି । ଦିନ ଏଗାରଟାରେ ସ୍କୁଲ ସରିଲା ପରେ ଘରକୁ ଫେରନ୍ତି । କଣ ଦିଟା ଖାଇ ଦେଇ ପୁଣି ଘଣ୍ଟାଏ ପରେ ସେ ସେହି ଖରାରେ ହିଁ ସାଇକେଲ ଚଳାଇ ଆଉ ଥରେ ସ୍କୁଲକୁ ଆସନ୍ତି । ମୁଁ ଓ ବୃନ୍ଦାବନ ବ୍ୟତୀତ ଆଉ ଦୁଇ ତିନି ଜଣ ପିଲାଙ୍କୁ ପୁଣି ଥରେ ପଢ଼ାନ୍ତି ସାର୍ । ମାସ ମାସ ଧରି ଏ ପ୍ରକ୍ରିୟା ଚାଲେ । କିନ୍ତୁ ତାହା ନା ଥିଲା ଟିଉସନ୍, ନା ଅନ୍ୟକିଛି । କାରଣ ସେଥିପାଇଁ କେବେ କୌଣସି ପିଲାଠୁ ସେ ଟଙ୍କାଟିଏ ବି ନେଇନାହାନ୍ତି । ବରଂ ପ୍ରତିବର୍ଷ ରାଜ୍ୟସ୍ତରୀୟ ତାଲିକାରେ ନିଜ ପିଲାଙ୍କ ନାଁ ଓ ସ୍କୁଲର ନାଁ ଦେଖିଦେଲେ ତାଙ୍କୁ କୋଟି ରତ୍ନ ମିଳିଯାଏ । ଫାଟି ପଡ଼ନ୍ତି ସେ ଆନନ୍ଦରେ । ସେ ବର୍ଷ ପ୍ରଥମ ଥର ପାଇଁ ମେଧାବୀ ତାଲିକାରେ ମୁଁ ଓ ବୃନ୍ଦାବନ ଉଭୟଙ୍କ ନାଁ ପ୍ରକାଶ ପାଇଲା । ଫଳାଫଳ ପ୍ରକାଶ ପାଇବା ଦିନ ସାରଙ୍କ ଯେଉଁ ଆନନ୍ଦ ତାହା ମୁଁ ବଞ୍ଚିଥିଲା ଯାଏଁ ମୋ ମନରେ ରହିବ ।

ପଞ୍ଚମ ଶ୍ରେଣୀ ପାସ୍ କରିବା ପରେ, ଆଉ ସ୍କୁଲ ସହିତ ଯୋଗଯୋଗ ରହିଲା ନାହିଁ । ଗାଁଠୁ ଦୂରକୁ ଯାଇ ଆମକୁ ପାଠ ପଢ଼ିବାକୁ ପଡ଼ିଲା । ତେବେ ବନ୍ଦ ହୋଇନଥିଲା ଦୟାନିଧି ସାରଙ୍କ ସେ ଚକ୍ରବତ୍ ପ୍ରୟାସ । ଅବସର ନେବା ଯାଏଁ ସେ ଜାରି ରଖିଥିଲେ ତାଙ୍କର ଅଭିଯାନ । ସାର୍ ଆମ ଗାଁରେ ହିଁ ଅବସର ନେଲେ । ଶେଷ ବର୍ଷ ଯାଏଁ ଗାଁ ସ୍କୁଲରୁ ପିଲାମାନେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥାନ୍ତି । କିନ୍ତୁ ସାର୍ ଗଲା ପରେ, ସତେ ଯେମିତି ସ୍କୁଲରେ ପାଠ ପଢ଼ା ବନ୍ଦ ହୋଇଗଲା । କାରଣ ସେବେଠୁ ଏଯାଏଁ ଆଉ କେହି ସେ ମେଧାବୀ ତାଲିକାରେ ନିଜ ନାଁ ଲେଖାଇ ପାରିନାହାନ୍ତି ।

ସମୟ ସୁଅରେ ଜୀବନ ଜୀବିକା ସନ୍ଧାନରେ ବାହାରେ ଆସି କାମ କରିବାକୁ ପଡ଼ିଲା । ପ୍ରାଥମିକ ବିଦ୍ୟାଳୟ ଛାଡ଼ିବାର ପ୍ରାୟ ପନ୍ଦର ବର୍ଷ ପରେ, ଦିନେ ହଠାତ୍ ଗୁରୁଦିବସରେ ସାରଙ୍କୁ ଚିଠିଟିଏ ଲେଖିଲି । ଭାବିଲି ସାର୍ ବୋଧହୁଏ ମତେ ମନେ ରଖିନଥିବେ । ତଥାପି ସାହସ କରି, ଚିଠିଟି ପୋଷ୍ଟ କରିଦେଲି । କିନ୍ତୁ କୌଣସି ଉତ୍ତର ଆସିଲାନି । ତା ପରବର୍ଷ ପୁଣି ଥରେ ଲେଖିଲି ଚିଠି । ଏମିତି ପ୍ରାୟ ଦଶ ବର୍ଷ ଯାଏଁ ପ୍ରତି ଗୁରୁଦିବସରେ ଚିଠିଟିଏ ଲେଖୁଥିଲି ଦୟାନିଧି ସାରଙ୍କୁ । କିନ୍ତୁ ଦିନେ ହଠାତ୍ ବାପାଙ୍କ ଫୋନ୍ କଲ୍ ଆସିଲା, କହିଲେ, ଦୟାନିଧି ସାର୍ ଚାଲିଗଲେ । ତାଙ୍କ ପାଇଁ ଟିକିଏ ଈଶ୍ୱରଙ୍କୁ ପ୍ରାର୍ଥନା କରିବୁ । ତାଙ୍କ ଆତ୍ମାର ସଦଗତି କାମନା କରି ସୂର୍ଯ୍ୟଙ୍କୁ ଜଳାଞ୍ଜଳି ଦେବୁ । ମୋ ମୁହଁରେ ଭାଷା ନଥିଲା । ମନେ ହେଲା, ସତେ ଯେମିତି ମୋ ପାଦତଳୁ ପୃଥିବୀଟା ଖସି ପଡୁଛି । ଭୋ କରି କାନ୍ଦିଉଠିଲି ମୁଁ ।

ସାର୍ ଚାଲିଯିବାର ଦୁଇମାସ ପରେ ଛୁଟିରେ ଘରକୁ ଆସିଥାଏ । ମୋ ଭିତରେ ଗୋଟିଏ ଅଭାବବୋଧ ମୋତେ ଆବୋରି ବସିଥିଲା । ସାରଙ୍କ ଶେଷ ଦର୍ଶନ ହୋଇପାରିଲାନି । ଆମେ ଭାଇ ଭଉଣୀ ତିନିହେଁ ସାରଙ୍କ ଘରେ ପହଞ୍ଚିଲୁ । ଘରେ ଗୁରୁମା’ଙ୍କୁ ପ୍ରଣାମ କଲା ବେଳେ ଆମମାନଙ୍କୁ କୋଳେଇ ନେଲେ ସେ । ସଙ୍ଗେ ସଙ୍ଗେ ଏକ ପୁରୁଣା କାଳିଆ ସିନ୍ଦୂକ ଭିତରୁ ଗୋଟିଏ ଜରିମୁଣା ବାହାର କରି ବଢ଼ାଇ ଦେଲେ ମୋ ହାତକୁ। କହିଲେ ଦେଖ୍, ତୋ ସାର୍ ସାଇତି ରଖିଛନ୍ତି ଏ ସବୁ । ସେଇଟାକୁ ଖୋଲି ଦେଖିଲା ବେଳେ, ସେଥିରେ ଥିଲା ମୁଁ ପଠାଇଥିବା ସମସ୍ତ ଚିଠି । ଗୁରୁମା’ କହିଲେ, ସେ ସବୁବେଳେ ଘରକୁ ଯିଏ ବି ଆସିଲେ, ସମସ୍ତଙ୍କୁ ତୋ ଚିଠି ଦେଖାଉଥିଲେ । ତୋ ଚିଠିକୁ ବାରମ୍ବାର ପଢୁଥିଲେ । ଆଉ ସମସ୍ତଙ୍କୁ କହୁଥିଲେ, କେବେ ପାଠ ପଢ଼େଇଥିଲି ଯେ, ସିଏ ଏବେ ବି ମନେ ରଖିଛି ମୋତେ । ଦେଖ.. କେଡେ ସୁନ୍ଦର ତାର ଅକ୍ଷର  କିଏ ଶିଖେଇଥିଲା ତାକୁ ପଚାର । କିନ୍ତୁ, ସେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ, ତୋତେ କେବେ ତୋ ଚିଠିର ଉତ୍ତର ଦେଇପାରୁନଥିଲେ । ସେଥିପାଇଁ ସେ ଭାରି ମନଦୁଃଖ ବି କରୁଥିଲେ । କିନ୍ତୁ ତାଙ୍କ ଆଶୀର୍ବାଦ ସବୁବେଳେ ତୋ ପାଇଁ ଅଛି । ଗୁରୁମା’ଙ୍କ କଥା ଶୁଣିଲା ବେଳକୁ ମୋ ଆଖିରୁ ଅମାନିଆ ହୋଇ ବହିଚାଲିଥିଲା ଲୁହ ।

ହଠାତ୍ ମୋ ଝିଅ ମୋ ହାତଟାକୁ ଭିଡ଼ିଦେଇ କହିଲା, ବାପା ତମେ କାନ୍ଦୁଛ କଣ ? ତମେ ମୋତେ ତମ ସ୍କୁଲ ଦେଖେଇବାକୁ ଆଣିଥିଲ ପରା ? ମୁଁ ପ୍ରକୃତିସ୍ଥ ହେଲି । ଚାରିଆଡ଼କୁ ଦେଖିଲି, ମୁଁ କାନ୍ଦୁଥିବା କେହି ଦେଖୁନାହାନ୍ତି ତ ? ସେଇଠି ସେଇ ଶ୍ରେଣୀଗୃହରେ ବସିଥିବା କୁନି କୁନି ପିଲାଗୁଡ଼ାକ ମୋ ମୁହଁକୁ ବାଲୁବାଲୁ ହୋଇ ଅନାଇଥାନ୍ତି । ମୋ ଅଧାବୟସର ଶିକ୍ଷକ ଜଣକ ମୋତେ ପଚାରିଲେ, ଆଜ୍ଞା  କିଛି ଅସୁବିଧା ହେଲା କି? କୌଣସି ଉତ୍ତର ନଦେଇ ତରତର ହୋଇ ବାରଣ୍ଡାକୁ ଚାଲିଆସିଲି ମୁଁ । ପଛରେ ମୋ ଝିଅ ଡାକୁଥିଲା ବାପା  ରୁହ ମତେ ଛାଡ଼ିଦେଇକି କୁଆଡ଼େ ପଳଉଛ ?

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ, ପିନ୍- ୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.